ଏକଜିଟ ପୋଲ: ଜମ୍ମୁ-କଶ୍ମୀରରେ କେହି ହାସଲ କରିପାରିବେନି ମ୍ୟାଜିକ ନମ୍ବର

ମେହବୁବା ମୁଫତିଙ୍କ ପିଡିପି ଓ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।

ଜମ୍ମୁ-କଶ୍ମୀର

  • Published: Saturday, 05 October 2024
  • , Updated: 05 October 2024, 07:52 PM IST

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହାପୂର୍ବରୁ ଆଜି ବିଭିନ୍ନ ସଂସ୍ଥା କରିଥିବା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀରର ୯୦ଟି ଆସନ ପାଇଁ ଭୋଟ ହୋଇଥିଲା।

ଅଧିକାଂଶ ସଂସ୍ଥାର ଏକଜିଟ ପୋଲ କହୁଛି ଯେ ଜମ୍ମୁ-କଶ୍ମୀରରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୪୬ ମିଳିବ ନାହିଁ। କଂଗ୍ରେସ ଓ ଏନସି ସର୍ବାଧିକ ଆସନ ପାଇ ପାରନ୍ତି। କିନ୍ତୁ ଉଭୟ ମ୍ୟାଜିକ ନମ୍ବର ଠାରୁ ଦୂରରେ ରହିବେ।

ବିଜେପି ମଧ୍ୟ ୩୦ରୁ ଅଧିକ ଆସନ ଜିତିବାକୁ ସକ୍ଷମ ହୋଇପାରିବ ନାହିଁ। ଏଭଳି ସ୍ଥିତିରେ ମେହବୁବା ମୁଫତିଙ୍କ ପିଡିପି ଓ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।

ପିପୁଲ୍ସ ପ୍ଲସ କହିଛି ଯେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ଜମ୍ମୁ-କଶ୍ମୀରରେ ୩୩ରୁ ୩୫ଟି ଆସନ ଜିତିପାରେ। ବିଜେପି ୨୩ରୁ ୨୭, କଂଗ୍ରେସ ୧୩ରୁ ୧୫, ପିଡିପି ୭ରୁ ୧୧ ଓ ଅନ୍ୟାନ୍ୟ ଦଳ ୪ରୁ ୬ଟି ଆସନ ଜିତିବେ।

ଦୈନିକ ଭାସ୍କର କହିଛି, କଂଗ୍ରେସ ଓ ଏନସି ୩୫ରୁ ୪୦, ବିଜେପି ୨୦ରୁ ୨୫, ପିଡିପି ୪ରୁ ୭ ଓ ଅନ୍ୟାନ୍ୟ ଦଳ ୧୨ରୁ ୧୮ଟି ଆସନ ଜିତିବେ।

ରିପବ୍ଲିକ-ଗୁଲିସ୍ତାନ ନ୍ୟୁଜର ଏକଜିଟ ପୋଲରେ କୁହାଯାଇଛି ଯେ ଏନସି ୨୮ରୁ ୩୦, ବିଜେପି ୨୮ରୁ ୩୦, ପିଡିପି ୫ରୁ ୭, କଂଗ୍ରେସ ୩ରୁ ୬ ଓ ଅନ୍ୟାନ୍ୟ ଦଳ ୮ରୁ ୧୭ଟି ଆସନ ପାଇବେ।

ଇଣ୍ତିଆ ଟୁଡେ-ସି ଭୋଟର ପକ୍ଷରୁ କରାଯାଇଥିବା ଏକଜିଟ ପୋଲ କଂଗ୍ରେସ ଓ ଏନସି ସପକ୍ଷରେ ଯାଇଛି। ଏହି ସଂସ୍ଥା କହିଛି ଯେ ଉଭୟ ଦଳ ମିଳିତ ଭାବେ ୪୦ରୁ ୪୮, ବିଜେପି ୨୭ରୁ ୩୨, ପିଡିପି ୬ରୁ ୧୨ ଓ ଅନ୍ୟାନ୍ୟ ଦଳ ୬ରୁ ୧୧ଟି ଆସନ ପାଇପାରନ୍ତି।

Related story