Advertisment

ସ୍ୱାମୀ ଚଲାଉଛନ୍ତି ସରକାର!

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଆତିଶୀ।

author-image
Jitendra Garnayak
Delhi

Delhi

‘ରେଖା ଗୁପ୍ତା ହେଉଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ। କିନ୍ତୁ ସରକାର ଚଲାଉଛନ୍ତି ତାଙ୍କ ସ୍ୱାମୀ ମନୀଷ ଗୁପ୍ତା।’ ଏହି ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଆତିଶୀ। ସେ ସୋଶାଲ ମିଡିଆ ଜରିଆରେ ଅଭିଯୋଗ କରିଛନ୍ତି।

Advertisment

ଆତିଶୀ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହିତ ସେଥିରେ ଲେଖିଛନ୍ତି- ଏହି ଫଟୋଟିକୁ ଭଲ ଭାବେ ଦେଖନ୍ତୁ। ଯେଉଁ ବ୍ୟକ୍ତି ଏମ୍‌ସିଡି, ଡିଜେବି, ପିଡବ୍ଳ୍ୟୁଡି ଓ ଡିୟୁଏସ୍‌ଆଇବି ଅଧିକାରୀଙ୍କୁ ନେଇ ବୈଠକ କରୁଛନ୍ତି, ସେ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ୱାମୀ ମନୀଷ ଗୁପ୍ତା।

ସେ ଆହୁରି ଲେଖିଛନ୍ତି, ଆମ ପୂର୍ବରୁ ଶୁଣିଛନ୍ତି ଯେ ଯଦି ଗାଁରେ ଜଣେ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୁଅନ୍ତି, ତା’ହେଲେ ତାଙ୍କର ସବୁ ସରକାରୀ କାର୍ଯ୍ୟ ତାଙ୍କ ସ୍ୱାମୀ କରନ୍ତି। କୁହାଯାଏ, ଗାଁରେ ରହୁଥିବା ମହିଳାମାନେ ସରକାରୀ କାର୍ଯ୍ୟକୁ କିପରି ପରିଚାଳନା କରିବାକୁ ହୁଏ, ତାହା ଜାଣନ୍ତି ନାହିଁ। ସେଥିପାଇଁ ସରପଞ୍ଚଙ୍କ ସ୍ୱାମୀ ସବୁ କଥା ବୁଝାବୁଝି କରନ୍ତି। କିନ୍ତୁ ଦେଶର ଇତିହାସରେ ଏହା ବୋଧହୁଏ ପ୍ରଥମ ଘଟଣା ହୋଇଥିବ, ଯେଉଁଥିରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ସବୁ ସରକାରୀ କାର୍ଯ୍ୟ ତାଙ୍କ ସ୍ୱାମୀ ସଂପାଦନା କରୁଛନ୍ତି।

Advertisment

ଆତିଶୀ ପ୍ରଶ୍ନ କରିଛନ୍ତି, ସରକାରୀ କାର୍ଯ୍ୟକୁ କେମିତି ପରିଚାଳନା କରିବାକୁ ହୁଏ, ରେଖା ଗୁପ୍ତା ତାହା ଜାଣିଛନ୍ତି ନା ନାହିଁ? ସେଥିପାଇଁ ଦିଲ୍ଲୀରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ ହେଉଛି କି? ସେଥିପାଇଁ ଘରୋଇ ସ୍କୁଲଗୁଡ଼ିକର ଫି’ ବୃଦ୍ଧି ପାଉଛି କି? ରେଖା ବିଦ୍ୟୁତ୍ ଶକ୍ତି କମ୍ପାନୀଗୁଡ଼ିକୁ ପରିଚାଳନା କରିବାରେ ଅକ୍ଷମ କି? ସେ ଶିକ୍ଷା ବିଭାଗକୁ ପରିଚାଳନା କରିବାରେ ମଧ୍ୟ ଅକ୍ଷମ କି? ଏହା ବିପଦଜନକ। ରେଖା ଗୁପ୍ତା ସରକାରୀ କାର୍ଯ୍ୟରେ ସଂପୃକ୍ତ ହେଉ ନାହାନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି, ତାହା ଏ ସବୁ ଘଟଣାର ପ୍ରମାଣିତ ହେଉ ନାହିଁ କି?

ଅନ୍ୟପକ୍ଷରେ ଆତିଶୀଙ୍କ ଏହି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା କହିଛନ୍ତି ଯେ ଆତିଶୀ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆତିଶୀ ନିଜେ ଜଣେ ମହିଳା। ତଥାପି ସେ ଆଉ ଜଣେ ମହିଳାଙ୍କୁ ଅପମାନିତ କଲା ଭଳି କଥା କହୁଛନ୍ତି। ଏହା ଆଶ୍ଚର୍ଯ୍ୟଜନକ କଥା। ରେଖା ଗୁପ୍ତା ଡିୟୁଏସ୍ୟୁର ସଂପାଦକରୁ କାର୍ଯ୍ୟ କରି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ସ୍ୱାମୀ ତାଙ୍କୁ ସହାୟତା କରିବା ବେଆଇନ କି ଅନୈତିକ ନୁହେଁ।

ବୀରେନ୍ଦ୍ର ସଚଦେବା ଆହୁରି କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ତାହା କ’ଣ ଅଗଣତାନ୍ତ୍ରିକ ନଥିଲା।

AAP Delhi CM Rekha Gupta