Advertisment

ନୂଆ ବିଜେପି ସରକାରରେ ଭଲ ପଦବୀ ପାଇଁ ବ୍ୟୁରୋକ୍ରାସିରେ ଚାଲିଛି ଡାର୍ଟି ପଲିଟିକ୍ସ

ନୂଆ ବିଜେପି ସରକାର ଆସିବା ପରେ ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆସିବା ସହ ଅଫିସରମାନେ ଆଇନର ଗଣ୍ଡି ଭିତରେ ରହି ନିଜ ଢଙ୍ଗରେ ସାଧାରଣ ଲୋକ ଓ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିପାରିବେ ବୋଲି ଆଶା କରାଯାଉଛି ।

ଅଦ୍ୟତନ ହୋଇଛି
Lokseva Bhawan

lokseva bhawan

Advertisment

ରାଜ୍ୟରେ ୨୪ବର୍ଷର ବିଜେଡି ସରକାରର ପତନ ସହ ହାତଗଣତି ବାବୁମାନଙ୍କ ହାକିମାତିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି । ୩ ଦିନ ତଳେ ରାଜ୍ୟରେ ଶପଥ ନେଇଥିବା ପ୍ରଥମ ବିଜେପି ସରକାରରେ ଭଲ ପଦବୀଟିଏ ପାଇବା ପାଇଁ ଏବେ ବ୍ୟୁରୋକ୍ରାସିରେ ‘ଡାର୍ଟି ପଲିଟିକ୍ସ’ ଆରମ୍ଭ ହୋଇଯାଇଛି । କିଛି ନିର୍ଦ୍ଦିଷ୍ଟ ବରିଷ୍ଠ ଆଇଏଏସ୍ , ଆଇପିଏସ୍ ଓ ଓଏଏସ୍ ଅଫିସରପ୍ରଶାସନିକ ଅଫିସରମାନେ ବିଭିନ୍ନ ମାଧ୍ୟମରେ ବିଜେପି ନେତା-ମନ୍ତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଜଣାପଡ଼ିଛି । ଏପରିକି ନିଜକୁ ଅଧିକ ଦକ୍ଷ ଓ ଯୋଗ୍ୟ ଦର୍ଶାଇବା ପାଇଁ ପ୍ରଶାସନିକ ସହଯୋଗୀମାନଙ୍କ ବିରୁଦ୍ଧରେ ଛାୟାଯୁଦ୍ଧ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି ।

Advertisment

ରାଜ୍ୟରେ ବିଜେଡି ସରକାରରେ କିଛି ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଅଫିସରଙ୍କ ହାକିମାତିରେ ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା । ଏବେ ନୂଆ ବିଜେପି ସରକାର ଆସିବା ପରେ ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆସିବା ସହ ଅଫିସରମାନେ ଆଇନର ଗଣ୍ଡି ଭିତରେ ରହି ନିଜ ଢଙ୍ଗରେ ସାଧାରଣ ଲୋକ ଓ ରାଜ୍ୟର କାର୍ଯ୍ୟ କରିପାରିବେ ବୋଲି ଆଶା କରାଯାଉଛି । ତେବେ ବିଜେପି ସରକାରରେ କିଏ ପ୍ରଭାବଶାଳୀ ଅଫିସର ହେବ ସେନେଇ ଏବେଠୁ ପରସ୍ପରକୁ ନିଚ୍ଚା ଦେଖାଇବାକୁ କିଛି ନିର୍ଦ୍ଦିଷ୍ଟ ଅଫିସର ପଛାଉନାହାନ୍ତି । ବିଜେପି ଚଳିତ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି ଓଡ଼ିଆ ଲୋକଙ୍କୁ ପ୍ରାଥମିକତା ଦେବ ବୋଲି କହିଥିବାରୁ ଏବେ ଅଣଓଡ଼ିଆ ଅଫିସରମାନେ ନିଜକୁ ଅସୁରକ୍ଷିତ ମଣିଲେଣି । ଅବଶ୍ୟ ବିଜେଡି ସରକାର ଅମଳରେ କିଛି ହାତଗଣତି ଅଣଓଡ଼ିଆ ଅଫିସରଙ୍କ ପାଖରେ ସବୁ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଥିଲା, ମାତ୍ର ବିଜେପି ସରକାର ‘ଓଡ଼ିଆ ଅସ୍ମିତା’କୁ ପ୍ରାଥମିକତା ଦେବାର ସମ୍ଭାବନା ଥିବାରୁ କିଛି ଓଡ଼ିଆ ଅଫିସର ଏବେ ନିଜର ସୁବିଧା ପାଇଁ ତା’ର ଫାଇଦା ଉଠାଇବା ଆରମ୍ଭ କରିଛନ୍ତି ।

ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ଯେ, ବିଜେଡି ଶାସନ କାଳରେ ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ହୋଇ ଡିଏସ କୁଟ୍ଟେ, ଆର ଭିନିଲକ୍ରିଷ୍ଣା, ରୂପାରୋଶନ ସାହୁ, ଦେଓରଞ୍ଜନ ସିଂ, ଜି ମାଥିଭାଥାନନ୍ , ବିଶାଳ ଦେବ, ବୀରବିକ୍ରମ ଯାଦବ, ହେମନ୍ତ ଶର୍ମା, ସଞ୍ଜୟ କୁମାର ସିଂ, ବଲବନ୍ତ ସିଂ, ସୁଶୀଲ କୁମାର ଲୋହାନୀ ଓ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଆଶୀଷ ସିଂ, ଯଶବନ୍ତ ଜେଠୁୱା, ସଞ୍ଜିବ ପଣ୍ଡା,ସୌମେନ୍ଦ୍ର ପ୍ରିୟଦର୍ଶୀ, ଅରୁଣ ବୋଥ୍ରା ଓ ରବିକାନ୍ତଙ୍କ ଭଳି କିଛି ଅଫିସର ସର୍ବାଧିକ କ୍ଷମତାର ଉପଭୋଗ କରୁଥିଲେ । ଏହି ଅଫିସରମାନଙ୍କ ମଧ୍ୟରେ ରୂପାରୋଶନ ସାହୁ,ଅରବିନ୍ଦ ଅଗ୍ରୱାଲ, ସଞ୍ଜିବ ପଣ୍ଡା ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅଫିସର ହେଉଛନ୍ତି ଅଣଓଡ଼ିଆ ।

Advertisment

ଏବେ ପୁଲିସ ପ୍ରଶାସନର ମୁଖ୍ୟ ଭାବେ ଅରୁଣ ଷଡ଼ଙ୍ଗୀ ଓ ରାଜ୍ୟ ପ୍ରଶାସନିକ ମୁଖ୍ୟ ଭାବେ ପ୍ରଦୀପ କୁମାର ଜେନା କାର୍ଯ୍ୟ କରୁଛନ୍ତି । ଏହି ଦୁଇ ଅଫିସରଙ୍କ କାର୍ଯ୍ୟଶୈଳୀକୁ ସାଧାରଣରେ ପସନ୍ଦ କରାଯାଏ ଓ ଉଭୟ ନିଜ ରାଜ୍ୟ ସ୍ୱାର୍ଥ ସହ ସାଧାରଣ ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବାର ନଜିର ରହିଛି । ତେବେ ନବୀନ ପଟ୍ଟନାୟକ ସରକାରରେ ପାଣ୍ଡିଆନ ଓ କୁଟ୍ଟେଙ୍କ ଯୋଡ଼ି ସବୁ କ୍ଷମତାକୁ ହଡ଼ପ କରିଥିବାରୁ ଏହି ଦୁଇ ପ୍ରଶାସନିକ ମୁଖ୍ୟ ପଦରେ କାର୍ଯ୍ୟରତ ଶ୍ରୀ ଜେନା ଓ ଶ୍ରୀ ଷଡ଼ଙ୍ଗୀଙ୍କୁ ଠିକ୍ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ମିଳିପାରୁନଥିଲା ।

ମାତ୍ର ଏବେ ସରକାରର ପରିବର୍ତ୍ତନ ସହ ବିଜେପି ସରକାରରେ ଏହି ଦୁଇ ଓଡ଼ିଆ ଅଫିସର ପ୍ରଶାସନିକ ଗଣ୍ଡି ଭିତରେ ରହି କାର୍ଯ୍ୟ ଆରମ୍ଭ କରିଛନ୍ତି । ଯଦିଓ ପାଣ୍ଡିଆନ ଓ କୁଟ୍ଟେ ଯୋଡ଼ି ନିଜର ଫାଇଦା ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ଗତ ୬ମାସ ଧରି ଅସ୍ଥାୟୀ ଡିଜି  ପଦବୀରେ ରଖିବା ସହ ଶ୍ରୀ ଜେନାଙ୍କ କାର୍ଯ୍ୟକାଳକୁ ୬ମାସ ସମ୍ପ୍ରସାରଣ କରିଥିଲେ । ମୁଖ୍ୟ ସଚିବ ଶ୍ରୀ ଜେନାଙ୍କ କାର୍ଯ୍ୟକାଳ ଚଳିତମାସରେ ଶେଷ ହେଉଥିଲେ ମଧ୍ୟ ତାଙ୍କର କାର୍ଯ୍ୟଦକ୍ଷତା ଓ ସମସ୍ତଙ୍କୁ ନେଇ ଚାଲିବାର କଳାକୌଶଳ ଯୋଗୁ ତାଙ୍କୁ ବିଜେପି ସରକାରରେ ପୁରସ୍କୃତ କରାଯିବାର ଅଧିକ ସମ୍ଭାବନା ରହିଛି । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ(ମୁଖ୍ୟ ସଚିବ ପାହ୍ୟା)ରେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ଓଡ଼ିଆ ଓ ଅଣଓଡ଼ିଆ ଅଫିସରମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରଭେଦକୁ ଏଡ଼ାଇବା ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚ ଆଇଏଏସ୍ ନିତେନ ଚନ୍ଦ୍ର ଓ ସଞ୍ଜିବ ଚୋପ୍ରାଙ୍କ ମଧ୍ୟରୁ ଜଣଙ୍କୁ ଫେରାଇ ଆଣିବାକୁ ବ୍ୟାକଡୋରରେ ପ୍ରୟାସ ଆରମ୍ଭ ହୋଇଛି । ଯଦି ଏହି ଦୁଇ ଅଫିସରଙ୍କ ଆସିବାରେ ବିଳମ୍ବ ହୁଏ ତା’ହେଲେ ଶ୍ରୀ ଜେନାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଅବା ଅନୁ ଗର୍ଗଙ୍କୁ ମୁଖ୍ୟ ସଚିବ ପଦରେ ଆସୀନ କରାଯାଇ ପାରେ ବୋଲି ବିଜେପିର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି।

ସେହିପରି ଅସ୍ଥାୟୀ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ଡିଜି ଭାବେ ନିଯୁକ୍ତି ଦେଇ ପୁଲିସ ଫୋର୍ସର ମନୋବଳ ମଧ୍ୟ ବୃଦ୍ଧି କରାଯିବାକୁ ଖୁବଶୀଘ୍ର ପଦକ୍ଷେପ ନିଆଯାଇପାରେ । ଚଳିତମାସ ଶେଷ ସପ୍ତାହରେ ଏହି ଚିତ୍ର ସ୍ପଷ୍ଟ ହୋଇଯିବ ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିଜେପି ସରକାରରେ ମୁଖ୍ୟ ସଚିବ ଓ ପୁଲିସ ଡିଜି ପଦ ପାଇଁ ୨ ଜଣ ଓଡ଼ିଆ ଅଫିସର ନିଜ ନିଜସ୍ତରରେ ଜୋରଦାର ଲବି ଆରମ୍ଭ କରିଦେଇଛନ୍ତି । ସେଥିପାଇଁ ଏହି ଅଫିସରମାନେ ଏବେ ନିଜର କିଛି ଅନୁଗତଙ୍କ ମାଧ୍ୟମରେ ନିଜ ସପକ୍ଷରେ ଲବି କରିବା ସହ ସହଯୋଗୀଙ୍କ ନାଁରେ କୁତ୍ସାରଟନା କରିବାକୁ ମଧ୍ୟ ପଛାଉନଥିବା ଜଣାପଡ଼ିଛି । କେବଳ ଆଇଏଏସ୍ ଓ ଆଇପିଏସ୍ ନୁହଁନ୍ତି ବରିଷ୍ଠ ଓଏଏସ୍ ଅଫିସରମାନଙ୍କ ସମେତ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଫିସରମାନେ ମଧ୍ୟ ଏବେ ଭଲ ପଦବୀ ପାଇଁ ଲବି ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ନିଜକୁ ଯୋଗ୍ୟ ଓ ଦକ୍ଷ ଦେଖାଇବା ସହ ଭଲ ପଦବୀ ପାଇଁ ବ୍ୟୁରୋକ୍ରାସିରେ ଚାଲିଥିବା ଏଭଳି ଡାର୍ଟି ପଲିଟିକ୍ସକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Bjp Ias Officer IPS Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe