Advertisment

ଶାହଙ୍କ ବୟାନ ପରେ ବଲାଙ୍ଗିରରେ ଟେକ୍ସଟାଇଲ୍ ମିଲ୍ ପାଇଁ ଉଠିଲା ଦାବି

ଏଠି ସିନା କପା ଅଧିକ ଉତ୍ପାଦନ ହେଉଛି ହେଲେ କାରଖାନା କିନ୍ତୁ ଅନ୍ୟଠି ବସୁଛି

author-image
Biswajit Samal
ଅଦ୍ୟତନ ହୋଇଛି
Balangir

Balangir

ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିଲେ ବଲାଙ୍ଗିର ଜିଲ୍ଲାରେ ବସାଇବୁ ଟେକ୍ସଟାଇଲ୍ ମିଲ୍। ଗତକାଲି ସୋନପୁର ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଭଳି ବଡ଼ ପ୍ରତିଶ୍ରୁତି ପରେ ସୃଷ୍ଟି ହୋଇଛି ପଶ୍ଚିମ ଓଡ଼ିଶାରେ କମ୍ପନ। ସୋନପୁର ସଭାରେ ନିଜ ଅଭିଭାଷଣରେ ଶାହ ସିଧା ସିଧା ରାଜ୍ୟ ସରକାରଙ୍କୁ ନିଶାନା କରି କହିଥିଲେ। ଏଠି ସିନା କପା ଅଧିକ ଉତ୍ପାଦନ ହେଉଛି ହେଲେ କାରଖାନା କିନ୍ତୁ ଅନ୍ୟଠି ବସୁଛି। ତେଣୁ ଭୋଟରଙ୍କୁ ନିବେଦନ କରିଥିଲେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରଙ୍କୁ କ୍ଷମତାକୁ ଆଣିଲେ ଏ ଅଞ୍ଚଳରେ ଟେକ୍ସଟାଇଲ୍ ମିଲ୍ ବସିବ।

Advertisment

ତେବେ ଚର୍ଚ୍ଚା ହେଉଛି ସୋନପୁର ନିର୍ବାଚନୀ ସଭାରେ ଶାହ ଦେଇଥିବା ଏତେବଡ଼ ପ୍ରତିଶ୍ରୁତି ପଛର ବାସ୍ତବତା କେତେ? ଗ୍ରାଉଣ୍ଡ ଜିରୋରୁ ବି ଆସିଛି ଚିତ୍ର। ବଲାଙ୍ଗିର ସହରରୁ ପାଟଣାଗଡ଼ ଯିବା ରାସ୍ତାରେ ପଡ଼େ ବିସ୍ତୀର୍ଣ୍ଣ କପା କ୍ଷେତର ଚିତ୍ର। ଫଳକ ବି ଲାଗିଛି-ଧଳାସୁନାର ଅଞ୍ଜଳ। ବିଶ୍ୱସ୍ତରୀୟ କପା ଏଇଠୁ ଉତ୍ପାଦନ ହେଉଥିବାରୁ ଏମିତି ନାଁ। ରାଜ୍ୟ ସରକାରଙ୍କ କୃଷି ବିଭାଗ ବି କହୁଛି- ୨୦୨୩-୨୪ ମସିହାରେ ଏଠି ୬୨ ହଜାର ୩ଶହ ହେକ୍ଟର ଜମିରେ କପା ଚାଷ ଟାର୍ଗେଟ ଥିବା ବେଳେ ଚାଷ ହୋଇଥିଲା ପାଖାପାଖି ୭୧ ହଜାର ହେକ୍ଟର ଜମିରେ। ଅମଳ ହୋଇଥିଲା ୮ ଲକ୍ଷ ୧୫ ହଜାର କ୍ୱଣ୍ଟାଲ। ତେଣୁ ଆସନ୍ତା ୨୦୨୪-୨୫ କୃଷି ବର୍ଷରେ ୭୨ ହଜାର ହେକ୍ଟର ଜମିରେ କପାଚାଷ ପାଇଁ ଟାର୍ଗେଟ ରଖାଯାଇଛି। ହେଲେ ସରକାରୀ ତଥ୍ୟଠୁ ଢେର ଅଧିକ ଜମିରେ କପା ହୁଏ ଓ ଏଠି ଟେକ୍ସଟାଇଲ ମିଲଟିଏ ନଥିବାରୁ ଦଲାଲ ହାବୁଡ଼ରେ ପଡ଼ି ଚାଷୀ ଅଭାବୀ ବିକ୍ରୀର ଶିକାର ହୁଏ। ଏମିତିକି ଖୋଦ୍ ଜିଲ୍ଲା କପା ଚାଷ ଅଧିକାରୀ ବି ଏକଥା ମାନିଛନ୍ତି।

ବଲାଙ୍ଗିର ଜିଲ୍ଳା କଣ୍ଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀର ମୁରିବାହାଲ, ତୁରେକେଲା ଓ ବଂଗୋମୁଣ୍ଡା ବ୍ଳକରେ ପ୍ରଚୁର ପରିମାଣର କପା ଚାଷ ହୋଇଥାଏ। ହେଲେ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳୁନଥିବାରୁ ଏଇ ତିନି ବ୍ଲକରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ଘରଦ୍ୱାର ଛାଡ଼ି ରାଜ୍ୟ ବାହାରକୁ ଦାଦନ ଖଟି ଯାଆନ୍ତି। ଗତ ଜାନୁୟାରୀ ୩ ତାରିଖ ଲୋୟର ସୁକତେଲ ପ୍ରକଳ୍ପର ଉଦ୍‌ଘାଟନ ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗ ଉଠାଇ କପାଚାଷୀଙ୍କ ପାଇଁ ଏଠି ଟେକ୍ସଟାଇଲ ମିଲ ସ୍ଥାପନ ପରିବର୍ତ୍ତେ ଖୋର୍ଦ୍ଧାରେ କାହିଁକି ବସା ଯାଉଛି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ। ଆଉ ଏବେ ସେଇ ଧଳାସୁନାର ଅଞ୍ଜଳ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ତେଜିଛି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥି ସନ୍ତୋଷ ସିଂ ସାଲୁଜା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ନିଶାନା କରିଥିବାବେଳେ ବିଜେଡି ନେତା କଳିକେଶ ନାରାୟଣ ସିଂଦେଓ ଭୋଟ୍ ବେଳେ ଭୁଆଁ ବୁଲାଇବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି କହିଛନ୍ତି।

Advertisment
Bjp State Bjp