ଜମି ବିକ୍ରିରେ ବେଆଇନ କାରବାର,  ୨ଜଣ ସବରେଜିଷ୍ଟ୍ରାର ନିଲମ୍ବିତ

ଜମି ବିକ୍ରିରେ ବେଆଇନ କାରବାର ପାଇଁ ଜଗତପୁର ସବରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ଓ ପିପିଲି ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ସବରେଜିଷ୍ଟ୍ରାର ନବକିଶୋର ପାତ୍ରଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବିତ କରିଛନ୍ତି।

ଲୋକସଭା ଭବନ (ଫାଇଲ ଫଟୋ)

  • Published: Wednesday, 07 August 2024
  • , Updated: 07 August 2024, 10:47 PM IST

ଜମି ବିକ୍ରିରେ ବେଆଇନ କାରବାର କରିବା ଅଭିଯୋଗରେ ରାଜ୍ୟ ସରକାର ଆଜି ଜଗତପୁର ଓ ପିପିଲି ସବରେଜିଷ୍ଟ୍ରାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । କଟକ ଓ ଭୁବନେଶ୍ୱର ସହରର ପାଶ୍ୱର୍ରେ ଥିବା ଏହି ଦୁଇ ତହସିଲ ଅଂଚଳରେ ଜମି କିଣାବିକା ବ୍ୟାପକ ଭାବେ ବଢ଼ିଥିବାବେଳେ ସବରେଜିଷ୍ଟ୍ରାରଙ୍କୁ ଧରି ଜମି ମାଫିଆମାନେ ବେଆଇନ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଜମି ବିକ୍ରିରେ ବେଆଇନ କାରବାର ପାଇଁ ଜଗତପୁର ସବରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ଓ ପିପିଲି ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ସବରେଜିଷ୍ଟ୍ରାର ନବକିଶୋର ପାତ୍ରଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବିତ କରିଛନ୍ତି । ଏହି ଦୁଇ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ନିଲମ୍ବନ ନିର୍ଦ୍ଦେଶ ନହଟିବା ପର୍ଯ୍ୟନ୍ତ ଶ୍ରୀ ସାମନ୍ତରାୟ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ । ସେହିପରି ଶ୍ରୀ ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ । ବିନା ଅନୁମତିରେ ଉଭୟ ଅଫିସର କୌଣସି ପ୍ରକାରର ଛୁଟି ନେଇପାରିବେ ନାହିଁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ନିବନ୍ଧନ ସେବାର ସମୀକ୍ଷା କରିବା ଅବସରରେ କାର୍ଯ୍ୟରେ ଖିଲାପ କରୁଥିବା ନିବନ୍ଧନମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related story