/odisha-reporter/media/post_attachments/uploadimage/library/16_9/16_9_0/Imran_Khan_1721042342.jpg)
Imran Khan
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ) ଖୁବଶୀଘ୍ର ଦେଶରେ ବ୍ୟାନ ହେବାକୁ ଯାଉଛି। ଦେଶ ବିରୋଧୀ କାର୍ଯ୍ୟରେ ପିଟିଆଇ ଲିପ୍ତ ଥିବାରୁ ଏହାକୁ ପାକିସ୍ତାନରେ ଅସିଦ୍ଧ ଘୋଷଣା କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲା ତରାର କହିଛନ୍ତି, “ପିଟିଆଇକୁ ବ୍ୟାନ୍ କରିବା ପାଇଁ ଗୋଟିଏ କେସ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ମାମଲା ସୁପ୍ରିମକୋର୍ଟକୁ ଯିବ। ପିଟିଆଇକୁ ଦେଶରେ ବ୍ୟାନ କରିବା ପାଇଁ ସରକାରଙ୍କ ପାଖରେ ପ୍ରମାଣ ରହିଛି। ସରକାର ଏବେ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।”
୭୧ ବର୍ଷୀୟ ଇମ୍ରାନ ଖାନ ୧୯୯୬ରେ ପିଟିଆଇ ଗଠନ କରିଥିଲେ। ପିଟିଆଇ ୨୦୧୮ରେ କ୍ଷମତାକୁ ଆସିଥିଲା। ଇମ୍ରାନ ଖାନ ୨୦୧୮ରୁ ୨୦୨୨ ଯାଏ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ ହେବା ସହ ସେନାର ହସ୍ତକ୍ଷେପ ଯୋଗୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା।
ଏପରି କି ଦୁର୍ନୀତି ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇ ଫେବୃଆରୀ ମାସରେ ଅନୁଷ୍ଠିତ ନିର୍ବାଚନ ଲଢ଼ିବାକୁ ଅକ୍ଷମ ହୋଇଥିଲେ। ଏସବୁ ସତ୍ତ୍ୱେ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ନିର୍ବାଚନରେ ଜିତିଥିଲେ।
ପାକିସ୍ତାନର ଅନ୍ୟ ଦଳଗୁଡ଼ିକ ତୁଳନାରେ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ଅଧିକ ଆସନ ପାଇଥିଲେ। ହେଲେ ମେଣ୍ଟ ରାଜନୀତି ଯୋଗୁ ପିଟିଆଇ ସରକାର ଗଠନ କରିପାରି ନାହିଁ।
ପିଟିଆର ମୁଖପାତ୍ର ରୌଫ ହାସନ କହିଛନ୍ତି, ଦଳକୁ ବ୍ୟାନ କରିବା ପାଇଁ ସରକାରଙ୍କ ପଦକ୍ଷେପକୁ ସହ୍ୟ କରାଯିବ ନାହିଁ। ପିଟିଆଇ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି। ଆମେ ସବୁ ପ୍ରକାରର ଲଢ଼େଇ ପାଇଁ ପ୍ରସ୍ତୁତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
