Advertisment

ଶଙ୍ଖଭବନରେ ବବିଙ୍କୁ କ୍ରୀତଦାସ ଡାକି ଛିଗୁଲେଇଲେ, ଭୟରେ ଆସିଲେନି ମଙ୍ଗରାଜ

ଆଜି ଶଙ୍ଖ ଭବନରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ‘କ୍ରୀତଦାସ, କ୍ରୀତଦାସ’ ଡାକି ଛିଗୁଲେଇଥିଲେ।

author-image
Ordigital Desk
ଅଦ୍ୟତନ ହୋଇଛି
Babi Das

Babi Das

ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ  ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜେଡି ଯୁବ-ଛାତ୍ର ନେତାମାନେ । ଦଳ ଅଦୃଶ୍ୟ କାରଣରୁ ପରାଜୟର ସମୀକ୍ଷା କରୁନି ସତ, କିନ୍ତୁ ଦଳର ଆଗଧାଡ଼ିର ଯୁବ-ଛାତ୍ର ନେତାମାନେ ପରାଜୟ ପାଇଁ ଦାୟୀ ନେତାମାନଙ୍କୁ ସର୍ବସାଧାରଣରେ ଲଜ୍ଜିତ କରିବାକୁ ପଛାଉନାହାନ୍ତି।

Advertisment

ଆଜି ଶଙ୍ଖ ଭବନରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ‘କ୍ରୀତଦାସ, କ୍ରୀତଦାସ’ ଡାକି ଛିଗୁଲେଇଥିଲେ। ଏପରିକି ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ମଧ୍ୟ ଦୁଇ ଚାରିପଦ ଶୁଣାଇବାକୁ ଏହି ଯୁବ-ଛାତ୍ରମାନେ ପଛାଇ ନଥିବା ଜଣାପଡ଼ିଛି । ଯୁବ-ଛାତ୍ରଙ୍କ ଆକ୍ରୋଶକୁ ଡରି ଦଳର ମିଡିଆ ପ୍ରଭାରୀ ମାନସ ମଙ୍ଗରାଜ ଆଜି ଶଙ୍ଖ ଭବନ ଆସିନଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ବିଜେଡି ବିଧାୟକ ଦଳ ବୈଠକରେ ଯୋଗ ଦେବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନ ଆସୁଥିବାରୁ ଦଳ ପକ୍ଷରୁ ଯୁବ ଓ ଛାତ୍ରମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା । ଦଳର ପ୍ରାୟ ୨୫୦ରୁ ଅଧିକ ଯୁବ ଓ ଛାତ୍ରନେତାମାନେ ଶଙ୍ଖ ଭବନ ଆସି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ।

Advertisment

ତେବେ ବିଜେଡି ସୁପ୍ରିମୋ ଆସିବା ପୂର୍ବରୁ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଶଙ୍ଖ ଭବନରେ ହଟହଟା ହେବାକୁ ପଡ଼ିଛି । ନିର୍ବାଚନ ପୂର୍ବରୁ ବବିଙ୍କ ପାଦ ଛୁଇଁବା ପାଇଁ ବିଜେଡିର ଯୁବ-ଛାତ୍ର ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିଲା, ଏବେ ଦଳର ବିପର୍ଯ୍ୟୟ ପରେ ତାଙ୍କୁ କ୍ରୀତଦାସ କହି ଛିଗୁଲେଇବା ସହ ଦୁର୍ବ୍ୟବହାର କରିବାକୁ ମଧ୍ୟ ବିଜେଡି ନେତାମାନେ ପଛାଉ ନାହାନ୍ତି । ବବିଙ୍କୁ ତାଙ୍କ କଲାକର୍ମର ଫଳ ମିଳୁଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ଦଳର ଯୁବଛାତ୍ର ନେତାମାନେ ଖୋଲାଖୋଲି ଭାବେ ତାଙ୍କୁ ‘କ୍ରୀତଦାସ କ୍ରୀତଦାସ’ ବୋଲି ଡାକି ଛିଗୁଲେଇବାକୁ ପଛାଇ ନଥିଲେ । ‘ୟେ କ୍ରୀତଦାସ ସାଇଡ୍ ହଅ’ ଆଦି କହି ବାରମ୍ବାର ଚିଲେଇବା ପରେ ବବି ଅନ୍ୟ ଉପାୟ ନପାଇ ଉପର ମହଲାରେ ଥିବା ନିଜ ଚାମ୍ବରକୁ ପଳାଇଥିବା ସୂଚନା ମିଳିଛି । ତେବେ ବିଧାୟକ ଦଳ ବୈଠକରେ ଆଜି ବବିଙ୍କୁ ଏଂଟ୍ରି ପାଇଁ ଅନୁମତି ମିଳିନଥିଲା । ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଦଳର ବିଧାୟକମାନଙ୍କ ବୈଠକରେ କେବଳ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଯଦିଓ ଏହି ଦୁଇ ନେତା ନିର୍ବାଚନରେ ପରାଜିତ ହୋଇଛନ୍ତି । ବୈଠକ ହେଉଥିବା କକ୍ଷର ପାଶ୍ୱର୍ରୁମରେ ବବି ବସିଥିଲେ ମଧ୍ୟ ତାଙ୍କୁ ଖୋଜା ଯାଇନଥିବା ଜଣାପଡ଼ିଛି।

ସେହିପରି ଶଙ୍ଖ ଭବନ ଆସିଥିବା ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ମଧ୍ୟ ଯୁବଛାତ୍ର ନେତାମାନଙ୍କ କଟାକ୍ଷର ଶିକାର ହେବାକୁ ପଡ଼ିଥିଲା । ଶ୍ରୀମତୀ ଦାସ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଓଲଟା ସେମାନେ ଅଧିକ କଟାକ୍ଷ କରିଥିବା ସୂଚନା ମିଳିଛି।

ବିଜେଡିର ମିଡିଆ ମ୍ୟାନେଜମେଂଟ ଦାୟିତ୍ୱରେ ମାନସ ମଙ୍ଗରାଜ ରହିଥିଲେ ମଧ୍ୟ ସେ ଶଙ୍ଖଭବନ ଆସିନଥିଲେ । ଯୁବଛାତ୍ର ନେତାମାନେ ତାଙ୍କୁ ଖୋଜୁଥିବାରୁ ସେ ନିଜେ ନଆସି ତାଙ୍କର ବ୍ୟକ୍ତିଗତ କର୍ମଚାରୀଙ୍କୁ ପଠାଇଥିଲେ । ସମ୍ପୃକ୍ତ କର୍ମଚାରୀଙ୍କୁ ମଧ୍ୟ ଦଳର ଯୁବଛାତ୍ର ନେତାମାନେ ତାଗିଦ୍ କରିବାକୁ ପଛାଇନଥିଲେ ବୋଲି ଜଣାପଡ଼ିଛି।

BjD Bjd Leader Pranab Prakash Das