Advertisment

ପୁଷ୍ଟିକର ନାଁରେ ଦେଉଛନ୍ତି ପୋକରା ଛତୁଆ; ଅସନ୍ତୋଷ ଝାଡ଼ିଲେ ବିଧାୟକ

ଆଜି ଗୃହରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହେବା ମାତ୍ରେ ଛତୁଆ ମହାଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଥିଲେ କଂଗ୍ରେସର ବରିଷ୍ଠ ସଦସ୍ୟ ତାରା ବାହିନୀପତି।

author-image
Manoranjan Sial
ଅଦ୍ୟତନ ହୋଇଛି
Odisha Legislative Assembly

Odisha Legislative Assembly

ଗର୍ଭବତୀ ଓ କଅଁଳ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଛତୁଆ ଯୋଗାଉଥିଲେ ରାଜ୍ୟ ସରକାର। ହେଲେ ସେହି ଛତୁଆ ନିମ୍ନମାନର। ଛତୁଆରେ ପୋକ ସାଲୁବାଲୁ। ଯାହା ଖାଇବା ଯୋଗ୍ୟ ନୁହେଁ। ସେହି ଛତୁଆକୁ ଗାଈ ଗୋରୁ ଖାଉନାହାନ୍ତି। ତାହାହେଲେ ଗର୍ଭବତୀ ଓ କଅଁଳ ପିଲା କେମିତି ଖାଇବେ? ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ପ୍ରତିଦିନ ଆସୁଛି। ଏହାକୁ ନେଇ ଆଜି ବିଧାନସଭା ଉଠୁଛି ପଡିଛି। ନିମ୍ନମାନର ଛତୁଆକୁ ନେଇ ବରିଷ୍ଠ ବିଧାୟକମାନେ ତାଚ୍ଛଲ୍ୟ କରିଛନ୍ତି। ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ଆଜି ଗୃହରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହେବା ମାତ୍ରେ ଛତୁଆ ମହାଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଥିଲେ କଂଗ୍ରେସର ବରିଷ୍ଠ ସଦସ୍ୟ ତାରା ବାହିନୀପତି। ପରେ ବିରୋଧୀଙ୍କ ସ୍ୱର ସହ ସ୍ୱର ମିଳାଇଥିଲେ ଶାସକ ଦଳର ସଦସ୍ୟ। ବ୍ୟବସ୍ଥାରେ ନାକ ତଳେ ଚାଲୁଥିବା ଏ ମହାଦୁର୍ନୀତି ସମ୍ପର୍କରେ ସମସ୍ତେ ଅବଗତ ଥାଇ ମଧ୍ୟ କିଭଳି ବର୍ଷ ବର୍ଷ ଧରି ପୁଷ୍ଟି ନାଁରେ ଅପପୁଷ୍ଟି ବଣ୍ଟା ଚାଲିଛି ତା’ର ସ୍ପଷ୍ଟ ଅବତରାଣା କରିଥିଲେ ଜଣକ ପରେ ଜଣେ ବିଧାୟକ। ପରେ ଏ ଘଟଣାର ତଦନ୍ତ କରାଯାଇ, ବିଧାନସଭାକୁ ଜଣାଯିବ ବୋଲି ଉତ୍ତର ରଖିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଗତ ୨୬ ତାରିଖରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ୍ କାର୍ଯ୍ୟାଳୟରେ ବସିଥିଲା ପଞ୍ଚାୟତ ସମିତି ବୈଠକ। ଏଥିରେ ଛତୁଆର ମାନକୁ ନେଇ ବିଡିଓ ଓ ଚେୟାରମ୍ୟାନଙ୍କ ଆଗରେ ପ୍ରଶ୍ନ ଉଠାଇଥିଲେ କିଛି ସରପଞ୍ଚ।। ସେହିଭଳି ଗତ ୩୧ ତାରିଖରେ ଚାନ୍ଦବାଲି ବ୍ଲକ୍ ତେନ୍ତୁଳିଆ ଗାଁରୁ ଆସିଥିଲା ସମାନ ଅଭିଯୋଗ। ନିମ୍ନ ମାନର ଛତୁଆ ନେଇ କିଛି ଲୋକ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କିଛି ଫଳ ମିଳିଲା ନାହିଁ।

Advertisment

ଛତୁଆ ଦୁର୍ନୀତିର ଗନ୍ଧ ଯାଜପୁର ଜିଲ୍ଲାରୁ ମଧ୍ୟ ଆସିଛି। ରସୁଲପୁର ବ୍ଲକ୍ ଦାମୋଦରପୁର ଓ ଚିତ୍ରକୁଳ ସାହିରେ ଲୋକଙ୍କୁ ଦିଆଯାଇଛି ପୋକ ସାଲୁବାଲୁ ଛତୁଆ। ଲୋକମାନେ ଏନେଇ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ଯଥା ଶୀଘ୍ର ଛତୁଆ ପ୍ରସ୍ତୁତକାରୀ ଓ ସିଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଠିକ୍‌ ସେମିତି ଅଭିଯୋଗ ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଆସିଛି।

ଛତୁଆ ଦୁର୍ନୀତି ଆଜିକାଲିର ନୁହେଁ, ବର୍ଷ ବର୍ଷ ତଳର। ହେଲେ ଏ ଚେରମଡ଼ା ଦୁର୍ନୀତି ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିବାରୁ ଏହାର ଅନ୍ତ କେବେ ହେଉଛି, ଆଉ ପୁଷ୍ଟି ନାଁରେ ମାଆ ଓ ଶିଶୁଙ୍କୁ ପ୍ରକୃତ ପୁଷ୍ଟିକର ଖାଦ୍ୟ କେବେ ମିଳୁଛି, ତାହା ଦେଖିବାକୁ ବାକି ରହିଲା।

Bhubaneswar BjD Bjp Congress