/odisha-reporter/media/post_attachments/uploadimage/library/16_9/16_9_0/PM_Modi_1724413005.jpg)
PM Modi
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଆଜି କେନ୍ଦ୍ର ସରକାର ଆଣିଥିବା ୱାକଫ ସଂଶୋଧିତ ବିଲ ବିରୋଧରେ ମତ ରଖିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ଜେଡିୟୁ ସହଯୋଗୀ ଦଳ ଭାବେ କାର୍ଯ୍ୟ କରୁଛି। ତଥାପି କେନ୍ଦ୍ର ଆଣିଥିବା ବିଲ ବିରୋଧରେ ବିଜେପିର ତୃତୀୟ ସହଯୋଗୀ ଦଳ ଭାବେ ଜେଡିୟୁ ସ୍ୱର ଉଠାଇଛି।
ଏହାପୂର୍ବରୁ ବିଜେପି ସହ ମିଶି ସରକାର ଗଠନ କରିଥିବା ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି (ରାମ ବିଲାଶ) ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମଧ୍ୟ ୱାକଫ ବିଲ୍କୁ ବିରୋଧ କରିଥିଲା।
ବିହାର ମୁଖ୍ୟମନ୍ତ୍ରୀଙ୍କ ଦଳ ଜେଡିୟୁର ଚାହୁଁଛି ଯେ ମୁସଲିମମାନଙ୍କ ସ୍ୱାର୍ଥକୁ ଅଧିକ ସୁରକ୍ଷିତ କରିବା ପାଇଁ ପ୍ରସ୍ତାବିତ ଆଇନରେ ପରିବର୍ତ୍ତନ ହେଉ। ଆସନ୍ତାବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ମସଲିମ ଜନସଂଖ୍ୟା ହେଉଛି ୧୮%।
ତେଣୁ ପ୍ରାରମ୍ଭିକ ସମର୍ଥନ ପରେ ଏବେ ଜେଡିୟୁ ବିଲ୍କୁ ନାଲି ପତାକା ଦେଖାଇଥିବା କୁହାଯାଉଛି। ଜେଡିୟୁ ସାଂସଦ ରାଜୀବ ରଞ୍ଜନ ଲୋକସଭାରେ ବିଲ୍ ଉପରେ ବିତର୍କ ବେଳେ ଏହାକୁ ସମର୍ଥନ କରିଥିଲେ। ସ୍ୱଚ୍ଛତା ପାଇଁ ୱାକଫ ସଂଶୋଧନ ବିଲ ନିହାତି ଆବଶ୍ୟକ ମତ ରଖିଥିଲେ।
ତେବେ ରାଜୀବନଙ୍କ ଏପରି ମତ ସହ ଜେଡିୟୁ ସିଧାସଳଖ ଏକମତ ହୋଇପାରିନି। ନୀତୀଶ ସରକାରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ଜାମା ଖାନ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଭେଟିଥିଲେ।
ବିଲ୍ରେ ଥିବା କେତେକ ବ୍ୟବସ୍ଥାରେ ସେ ପରିବର୍ତ୍ତନ ପାଇଁ ମତ ରଖିଥିଲେ। କେବଳ ଖାନ ନୁହନ୍ତ, ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଧ୍ୟ ବିଲକୁ ନେଇ ମୁସଲିମ ସଂପ୍ରଦାୟର ଲୋକମାନେ କରୁଥିବା ଆଶଙ୍କା ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲେ। ଶ୍ରୀ ଚୌଧୁରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ। ବିଧାୟକ ଗୁଲାମ ମଧ୍ୟ ବିଲକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।
ବିଲ୍ରେ ଜେଡିୟୁ ଯେଉଁ ସବୁ ପରିବର୍ତ୍ତନ କରିବାକୁ ଚାହୁଁଛି ସେନେଇ ଦଳର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଓ ମନ୍ତ୍ରୀ ଖାନ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରଜିଜୁଙ୍କୁ ଭେଟିଥିଲେ।
ୱାକଫ ବିଲ୍ରେ ସରକାର ୪୪ଟି ପରିବର୍ତ୍ତନ କରିଛନ୍ତି। ଏଥିରେ ୱାକଫ ବୋର୍ଡରେ ମୁସଲିମ ମହିଳା ଓ ଅଣ ମୁସଲିମ ସଦସ୍ୟ ବାଧ୍ୟମୂଳକ ବ୍ୟବସ୍ଥା ରହିଛି। କେନ୍ଦ୍ର ଓ ରାଜ୍ୟ ୱାକଫ ବୋର୍ଡରେ ସ୍ୱଚ୍ଛତା ଆଣିବା ସରକାର ୱାକଫ ସଂଶୋଧିତ ବିଲ ଆଣିଥିବା ଦାବି କରିଛନ୍ତି।
୧୯୯୫ ଓ ୨୦୨୩ର ୱାକଫ୍ ନିୟମରେ ସଂଶୋଧନ କରିବା ପାଇଁ ବିଲରେ ବ୍ୟବସ୍ଥା ହୋଇଛି। ଏହି ବିଲରେ ୧୯୯୫ର ୱାକଫ ଆକ୍ଟର ନାମକୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ ରଖାଯିବ।
ଏହି ବିଲ୍ରେ ଦର୍ଶାଯାଇଛି ଯେ ୧୯୯୫ ଓ ୨୦୧୩ର ଆଇନ ସତ୍ତ୍ୱେ ରାଜ୍ୟ ୱାକଫ ବୋର୍ଡର କାର୍ଯ୍ୟରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନାହିଁ ଏବଂ ୱାକଫ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତାର ଅଭାବ ରହିଛି। ତେଣୁ ସଂଶୋଧନ ମାଧ୍ୟମରେ ଏସବୁର ସୁଧାର ଆଣିବାକୁ କେନ୍ଦ୍ର ସରକାର ଏହି ବିଲ୍ ଉପସ୍ଥାପନ ଆଣିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
