Advertisment

‘ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମ, କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ’

‘ପରିବାରବାଦୀମାନେ ଶାସନରେ ରହି ନିଜ ପରିବାରର ଗରିବୀ ହଟାଇଛନ୍ତି। ମୋଦିର ସେବାକାଳରେ ୨୫ କୋଟି ପରିବାର ନିଜକୁ ଗରିବୀରୁ ବାହାର କରିଛନ୍ତି।’

author-image
Jitendra Garnayak
PM Narendra Modi

PM Narendra Modi

‘ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମେ ଆସୁଛି। କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ।’ ଆଜି ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲରେ ଦଳ ତରଫରୁ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି ସମାବେଶ’ ଯୋଗ ଦେଇ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ସେ କହିଥିଲେ, ଦେଶର ବିକାଶ ପାଇଁ ଆମ ସରକାର କରୁଥିବା କାର୍ଯ୍ୟକୁ ଇଣ୍ଡି (INDI) ଗଠବନ୍ଧନର ଦୁର୍ନୀତିଗ୍ରସ୍ତ ନେତାମାନେ ପସନ୍ଦ କରୁ ନାହାନ୍ତି। ଆମର ସଂକଳ୍ପ, ନୀତି ଓ ନିଷ୍ଠାକୁ ଜବାବ ଦେବାକୁ ସେମାନଙ୍କ ପାଖରେ କିଛି ନାହିଁ। ତେଣୁ ଇଣ୍ଡି ଗଠବନ୍ଧନର ଲୋକମାନେ ଏବେ ମୋଦି ଉପରେ ସେମାନଙ୍କ ଆକ୍ରମଣକୁ ବଢ଼ାଇ ଦେଇଛନ୍ତି। ସେମାନେ କହୁଛନ୍ତି- ମୋଦିଙ୍କର ପରିବାର ନାହିଁ। ତେଣୁ ମୋଦିଙ୍କୁ ହଟାଇବା। ପରିବାରବାଦ ଉପରେ ବିଶ୍ୱାସ କରୁଥିବା ଇଣ୍ଡି ଗଠବନ୍ଧନର ଏହି ନେତାମାନେ କହୁଛନ୍ତି ଯେ ସେମାନଙ୍କ ଲଢ଼େଇ ବିଚାରଧାରାର ଲଢ଼େଇ। ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମେ ଆସୁଛି। କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, “ସେମାନେ (ଇଣ୍ଡି ଗଠବନ୍ଧନର ନେତାମାନେ) କେବଳ ସେମାନଙ୍କ ପରିବାର କଥା ଚିନ୍ତା କରନ୍ତି। କିନ୍ତୁ ମୋଦି ଭାରତର ପ୍ରତ୍ୟେକ ପରିବାର ପାଇଁ ଖଟେ। ଏହି ପରିବାରବାଦୀମାନେ ସେମାନଙ୍କ ପୁଅ,ଝିଅ,ନାତି,ନାତୁଣୀ, ଭାଇ ଓ ପୁତୁରାଙ୍କ ଭବିଷ୍ୟତ କଥା ଚିନ୍ତା କରନ୍ତି। ଏହି ଇଣ୍ଡି ଗଠବନ୍ଧନ ସେଥିପାଇଁ ହିଁ ଗଠନ କରାଯାଇଛି। କିନ୍ତୁ ମୋଦି ଦେଶର କୋଟି କୋଟି ପୁଅ,ଝିଅଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ଇଣ୍ଡି ଗଠବନ୍ଧନର ପରିବାରବାଦୀମାନେ କହନ୍ତି ଯେ ସେମାନଙ୍କ ଲକ୍ଷ୍ୟ ହେଉଛି ମୋଦିଙ୍କୁ ହଟାଇବା। କିନ୍ତୁ ମୋଦିର ଲକ୍ଷ୍ୟ ହେଉଛି ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଠନ କରିବା। ଆର୍ଥିକ ଦୃଷ୍ଟିରୁ ଭାରତକୁ ବିଶ୍ୱର ତୃତୀୟ ବୃହତମ ରାଷ୍ଟ୍ର ଭାବେ ତିଆରି କରିବା।

Advertisment

ପରିବାରବାଦୀମାନେ ଶାସନରେ ରହି ନିଜ ପରିବାରର ଗରିବୀ ହଟାଇଛନ୍ତି। ମୋଦିର ସେବାକାଳରେ ୨୫ କୋଟି ପରିବାର ନିଜକୁ ଗରିବୀରୁ ବାହାର କରିଛନ୍ତି। ତେଣୁ ମୁଁ କହେ- ମୋ ଭାରତ ମୋ ପରିବାର। ଆଉ ଏହି କଥାକୁ ଏହି ପରିବାରବାଦୀମାନେ ହଜମ କରି ପାରୁ ନାହାନ୍ତି। କିନ୍ତୁ ଗତକାଲିଠାରୁ ମୁଁ ଦେଖୁଛି, ଦେଶର ପ୍ରତ୍ୟେକ ଗରିବ, କୃଷକ, ଯୁବକଯୁବତୀ ଓ ଝିଅ ଏବଂ ଭଉଣୀ କହୁଛନ୍ତି ‘ମୁଁ ହେଉଛି ମୋଦିଙ୍କ ପରିବାର’।”

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି ଦେଶରେ ଅନେକ ବିକାଶ କାର୍ଯ୍ୟ ହେଉଛି। ଏହା ପୂର୍ବରୁ ବି ହୋଇପାରିଥା’ନ୍ତା। କିନ୍ତୁ ୨୦୧୪ ପୂର୍ବରୁ ବର୍ଷ ବର୍ଷ ଧରି ସରକାରରେ ଥିବା କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକର ପୂରା ଧ୍ୟାନ କେବଳ ନିଜ ସିନ୍ଦୁକରେ ଟଙ୍କା ଭରିବା ଉପରେ ରହିଥିଲା।

‘ମୋଦିଙ୍କ ଗ୍ୟାରେଣ୍ଟି ସମାବେଶ’ରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମିଲ, ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପଲ ସିଂହ ତୋମାର ଓ ସହ ନିର୍ବାଚନ ପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସାଂସଦ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

Bjp PM Narendra Modi