/odisha-reporter/media/post_attachments/uploadimage/library/16_9/16_9_0/NCP_1705156755.jpg)
NCP
ବିରୋଧୀ ମେଣ୍ଟ ଇଣ୍ଡିଆର ଚେହେରା କିଏ ହେବେ, ତାକୁ ନେଇ ପୁରୁଣା କଥା ଦୋହରାଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଇଣ୍ଡିଆ ମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ଚେହେରାର ଆବଶ୍ୟକ ନାହିଁ। ମେଣ୍ଟ ନାଁରେ ସବୁଦଳ ଭୋଟ ମାଗିବେ ବୋଲି ସେ କହିଛନ୍ତି।
ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ମେଣ୍ଟର ଅଧ୍ୟକ୍ଷ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ତେବେ ବୈଠକ ପରେ ଶରଦ ପାୱାର କହିଛନ୍ତି, “କୌଣସି ଚେହେରାଙ୍କୁ ସାମ୍ନାକୁ ଆଣିବାର ଆବଶ୍ୟକ ଅଛି ବୋଲି ଆମେ ଭାବୁନୁ। ଆମେ ଇଣ୍ଡିଆ ମେଣ୍ଟ ନାଁରେ ହିଁ ଭୋଟ ମାଗିବୁ। ଆମର ବିଶ୍ୱାସ ଅଛି ଯେ ଆମେ ଦେଶକୁ ଗୋଟିଏ ବିକଳ୍ପ ଦେଇପାରିବୁ।”
ଶରଦ ପାୱାର ଏକଥା କହିବା ବେଳେ ପୂର୍ବରୁ ଘଟିଥିବା ଘଟଣାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ଚେହେରାର ଆବଶ୍ୟକ ନାହିଁ। ଏମିତି ଘଟଣା ୧୯୭୭ରେ ମଧ୍ୟ ଘଟିଥିଲା। ମୋରାଜି ଦେଶାଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସ୍ରେ ନଥିଲେ ଓ ବିରୋଧୀ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲେ। ସାଧାରଣ ନିର୍ବାଚନ ପରେ ଦେଶାଇ ଜନତା ପାର୍ଟି ଅଧୀନରେ ପ୍ରଧାନମନ୍ତ୍ରୀ ହୋଇଥିଲେ।”
ଖଡଗେଙ୍କୁ ଇଣ୍ତିଆ ମେଣ୍ଟର ଅଧ୍ୟକ୍ଷ ଚୟନ କରାଯିବା ସମ୍ପର୍କରେ ପାୱାର କହିଛନ୍ତି, “କିଛି ନେତା ପ୍ରସ୍ତାବ ଦେଇଥିଲେ ଯେ ଖଡଗେ ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ ହୁଅନ୍ତୁ। ଅନେକ ଏଥିରେ ରାଜି ହୋଇଛନ୍ତି। ନୀତୀଶ କୁମାର ମେଣ୍ଟର ଆବାହକ ହୁଅନ୍ତୁ ବୋଲି ମଧ୍ୟ ଅନେକ ପ୍ରସ୍ତାବ ଦେଇଥିଲେ।
କିନ୍ତୁ ନୀତୀଶ କୁମାର ଏହାକୁ ମନା କରିଥିଲେ। ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ନଥିବା ସେ କହିଥିଲେ। ଇଣ୍ଡିଆ ମେଣ୍ଟରେ କୌଣସି ଅସନ୍ତୋଷ ନାହିଁ।” ସିଟ ଶେୟାରିଂ ସମ୍ପର୍କରେ ଖୁବଶୀଘ୍ର ଆଲୋଚନା ଆରମ୍ଭ ହେବ ବୋଲି ମଧ୍ୟ ଏନସିପି ଭେଟରାନ ସୂଚନା ଦେଇଛନ୍ତି।
ଏହାପୂର୍ବରୁ ଡିସେମ୍ବର ୨୫ରେ ମଧ୍ୟ ଶରଦ ପାୱାର ଇଣ୍ଡିଆ ମେଣ୍ଟ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବ ବୋଲି କହିଥିଲେ। ସେତେବେଳେ ମଧ୍ୟ ସେ ୧୯୭୭ ମସିହା ନିର୍ବାଚନର ଉଦାହରଣ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
