INDIA
ବିଜେପି ବିରୋଧରେ ଲଢ଼ିବାକୁ ୨୬ଟି ବିରୋଧୀ ଦଳ ଗଠନ କରିଥିବା ଇଣ୍ଡିଆ ମେଣ୍ଟ ନିଜର ରଣନୀତିକୁ ଆଉ ପାଦେ ଆଗକୁ ବଢ଼ାଇଛି। ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ଦୁଇ ଦିନିଆ ମେଗା ବୈଠକରେ ୧୩ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ ଦଳର ଜଣେ ଲେଖାଏ ସଦସ୍ୟ ଏହି କମିଟିରେ ଅଛନ୍ତି। କିନ୍ତୁ ବିରୋଧୀଙ୍କ ଚେହେରା କୁହାଯାଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କିମ୍ବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମନ୍ୱୟ କମିଟିରେ ନାହାନ୍ତି।
୧୩ ଜଣିଆ ସମନ୍ୱୟ କମିଟିରେ କଂଗ୍ରେସର କେସି ଭେନୁଗୋପାଲ, ଏନସିପିର ଶରଦ ପାୱାର, ଡିଏମକେର ଏମକେ ଷ୍ଟାଲିନ, ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସଞ୍ଜୟ ରାଉତ, ଜେଡିୟୁର ଲଲନ ସିଂହ, ଆରଜେଡିର ତେଜସ୍ୱୀ ଯାଦବ, ଟିଏମସିର ଅଭିଷେକ ବାନାର୍ଜୀ, ଆପ୍ର ରାଘବ ଚଡ୍ଡା, ସପାର ଜାଭେଦ ଅଲୀ ଖାନ, ଜେଏମଏମର ହେମନ୍ତ ସୋରେନ, ସିପିଆଇର ଡି ରାଜା, ଏନସିର ଓମାର ଅବଦୁଲ୍ଲା ଓ ପିଡିପିର ମେହବୁବା ମୁଫତି ରହିଛନ୍ତି। ଏହି ସମନ୍ୱୟ କମିଟିର ଦଳର ଯୋଗାଯୋଗ ଓ ପ୍ରଚାର ରଣନୀତି ପ୍ରସ୍ତୁତ କରିବ। ଏଥିସହ ବିଭିନ୍ନ ପ୍ରକାରର ବୈଠକ ଓ ରାଲି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନେବ।
ଅନ୍ୟପକ୍ଷରେ ମୁମ୍ବାଇରେ ଅନୁଷ୍ଠିତ ଦୁଇ ଦିନିଆ ବୈଠକରେ ଏକାଧିକ ସଂକଳ୍ପ ମଧ୍ୟ ଇଣ୍ଡିଆ ମେଣ୍ଟ ପାରିତ କରିଛି। ସଂକଳ୍ପରେ ସବୁ ଦଳ ଯଥା ସମ୍ଭବ ଏକାଠି ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ। ମେଣ୍ଟର ଥିମ ବା ନାରା ରହିବ ‘ଜୁଡେଗା ଭାରତ, ଜିତେଗା ଇଣ୍ଡିଆ।’ ଏହାକୁ ବିଭିନ୍ନ ଭାଷାରେ ପ୍ରଚାର ଅଂଶ ବିଶେଷ କରାଯିବ।
ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ଦେଶର ବିଭିନ୍ନ ପ୍ରାନ୍ତରେ ଏକାଠି ରାଲି କରିବେ। ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଓ ଗୁରୁତ୍ୱ ବହନ କରୁଥିବା ବିଷୟବସ୍ତୁ ହିଁ ଫୋକସରେ ରହିବ ବୋଲି ପାରିତ ହୋଇଥିବା ସଂକଳ୍ପରେ କୁହାଯାଇଛି।
ତେବେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୁମ୍ବାଇରେ ଆୟୋଜିତ ବୈଠକରେ ମଧ୍ୟ ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇପାରନି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ସବୁ କଥା କରାଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ବିରୋଧୀ ମେଣ୍ଟ ଇଣ୍ଡିଆ ଗୋଟିଏ ନୂଆ ପ୍ୟାନେଲ ଗଠନ କରିବ। ଏହି ପ୍ୟାନେଲ ହିଁ ମେଣ୍ଟର ସିଟ୍ ଶେୟାରିଂ ଫର୍ମୁଲା କଥା ବୁଝିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/INDIA_1693562446.jpg)