ଦେଶରେ ଆଜି ଶେଷ ପର୍ଯ୍ୟାୟ ଭୋଟ ଚାଲିଛି। ଅନ୍ତିମ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟିଂ ସନ୍ଧ୍ୟା ୬ଟାରେ ଶେଷ ହେବ। ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହାପୂର୍ବରୁ ଆଜି ସନ୍ଧ୍ୟା ୬.୩୦ରୁ ବିଭିନ୍ନ ଗଣମାଧ୍ୟ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ଜାରି କରାଯିବ।
ଏକଜିଟ ପୋଲ ଓ ଫଳାଫଳ ପୂର୍ବରୁ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ବୈଠକ ଆରମ୍ଭ ହୋଇଛି। ରଣନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱବହନ କରୁଥିବା ଏହି ବୈଠକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚାଲିଛି।
ବୈଠକରେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ସଞ୍ଜୟ ସିଂହ, ରାଘବ ଚଡ୍ଡା, ସିପିଏମର ସୀତାରାମ ୟେଚୁରୀ, ଏନସିର ଫାରୁକ ଅବଦୁଲ୍ଲା, ଏନସିପିର ଶରଦ ପାୱାର, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ, ଝାରଖଣ୍ଡର କ୍ଷମତାସୀନ ଜେଏମଏମର କଳ୍ପନା ସୋରେନ ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି। ଏହାବାଦ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି।
ତେବେ ବୈଠକରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଯୋଗ ଦେଇ ନାହାନ୍ତି। ବେଙ୍ଗଲରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବାତ୍ୟା ରେମାଲ ଜନିତ କ୍ଷୟକ୍ଷତିର ଆକଳନ କରାଯାଉଛି। ତେଣୁ ମମତା ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ସାରିଥିଲେ।
ବୈଠକର ଏଜେଣ୍ଡ ଜଣାପଡ଼ି ନଥିଲେ ହେଁ ସବୁ ବିରୋଧୀଙ୍କୁ ଏକାଠି ରଖିବା ହିଁ ଏହାର ଉଦ୍ଦେଶ୍ୟ। ସେହିପରି ଭୋଟ ଗଣତି ଯେମିତି ଠିକ ଭାବେ ହେବ ଓ ଇଭିଏମ ଟ୍ୟାମ୍ପରିଂକୁ କେମିତି ରୋକା ଯାଇ ପାରିବ, ସେବିଷୟରେ ମଧ୍ୟ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଆଲୋଚନା କରିବେ।
The leaders of INDIA parties are informally meeting today to take stock of the preparations leading up to the counting day.
— Mallikarjun Kharge (@kharge) June 1, 2024
The fight is still not over, and the leaders and workers of all the parties are extremely alert.
I thank each one of them for their esteemed presence.… pic.twitter.com/EjcpNAktlT
ବିଜେପି ନେତୃତ୍ୱାଧୀନ ଏନଡିଏ ମ୍ୟାଜିକ ନମ୍ବର ୨୭୨ ଅତିକ୍ରମ କରିପାରିବ ନାହିଁ ବୋଲି କଂଗ୍ରେସ ଆଶା କରିଛି। ଏନଡିଏ ଅତିବେଶରୀର ୨୬୦ ଆସନ ଜିତିବାକୁ ସକ୍ଷମ ହେବ। ଏପରି ସ୍ଥିତିରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ବିଜେପିକୁ ସରକାର ଠାରୁ ଦୂରେଇ ରଖିବାକୁ ରଣନୀତି କରୁଛନ୍ତି।
ରେଜଲ୍ଟ ଯଦି ବିଜେପି ସପକ୍ଷରେ ନ ଯିବ, ତା’ହେଲେ ବିରୋଧୀଙ୍କ ପାଖର ସରକାର ଗଠନ କରିବାର ସୁଯୋଗ ରହିବ। ହେଲେ ସମସ୍ତେ ଏଥିପାଇଁ ଏକାଠି ହେବା ଅତ୍ୟନ୍ତ ଜରୁରୀ।
ବୈଠକ ପୂର୍ବରୁ ଖଡଗେ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ “ଲଢ଼େଇ ଏଯାଏ ଶେଷ ହୋଇନି। ସବୁ ଦଳର ନେତା ଓ କର୍ମୀ ଅତ୍ୟନ୍ତ ସତର୍କ ହୋଇ ରହିଛନ୍ତି। ଆମେ ଲୋକସଭା ନିର୍ବାଚନ ୨୦୨୪ ଏକାଠି ହୋଇ ଲଢ଼ିଛୁ ଓ ବିଶ୍ୱାସ ଅଛି ସକାରାତ୍ମକ ଫଳ ମିଳିବ। କାରଣ ଭାରତର ଲୋକଙ୍କ ସମର୍ଥନ ଆମ ସହ ରହିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।