Advertisment

କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର

ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।

author-image
Debadatta Aryashrestha
Sharad Pawar

Sharad Pawar

କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ। ଏଭଳି କହିଛନ୍ତି ବିରୋଧୀ ମେଣ୍ଟର ବରିଷ୍ଠ ସଦସ୍ୟ ଶରଦ ପାୱାର। ଲୋକସଭାରେ ବିଜେପିକୁ ମାତ ଦେବା ପାଇଁ ଗଠନ ହୋଇଥିବା ବିରୋଧୀ ମେଣ୍ଟରେ ସବୁକିଛି ଠିକ ଚାଲିନଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଶରଦ ପାୱାରଙ୍କ ଏଭଳି ପ୍ରତିକ୍ରିୟା ଜାତୀୟ ରାଜନୀତିକୁ ସରଗରମ କରିଛି।

Advertisment

ଶରଦ ପାୱାର କହିଛନ୍ତି ଯେ ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଣ୍ଡିଆ ମେଣ୍ଟରେ କୌଣସି ଆଲୋଚନା ହୋଇନଥିଲା। ତେବେ ଆମେ ସମସ୍ତେ ଆଗାମୀ ୧୦ ଦିନ ଭିତରେ ଏକାଠି ହେବୁ ଏବଂ ଆଞ୍ଚଳିକ ନିର୍ବାଚନ ବିଷୟରେ ଆଲୋଚନା କରିବୁ ବୋଲି କହିଛନ୍ତି ଶରଦ ପାୱାର। ଦିଲ୍ଲୀରେ ଆପ୍ ଓ କଂଗ୍ରେସ ପରସ୍ପର ବିରୋଧରେ ଲଢ଼ିବା ବିଷୟରେ ପାୱାର କହିଛନ୍ତି ଯେ, କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ। ଦିଲ୍ଲୀ ହେଉଛି ଅରବିନ୍ଦ କେଜ୍ରିୱାଲଙ୍କ ଗଡ଼। ସେଠାରେ ଲୋକ ତାଙ୍କୁ ଦୁଇଥର ବହୁମତ ଦେଇଛନ୍ତି। ତେଣୁ ଯଦି ସେଠାରେ ସେ ଆତ୍ମବିଶ୍ୱାସର ସହ ଏକା ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି, ଏହା ବହୁତ ଭଲ।

ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ 'ଇଣ୍ଡିଆ' ମେଣ୍ଟର ଦୁଇ ସହଯୋଗୀ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇବା ପରେ ମେଣ୍ଟରେ ସବୁକିଛି ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ ସମାଜବାଦୀ ପାର୍ଟି, ଟିଏମସି ଓ ଶିବସେନା (ଉଦ୍ଧବ ଗୋଷ୍ଠୀ) କଂଗ୍ରେସକୁ ଏକ ପାଖିଆ କରି ଆପକୁ ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପଟେ ନିକଟରେ ମହାରାଷ୍ଟ୍ରରେ ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ଭଳି ଆଞ୍ଚଳିକ ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ଏପଟେ ଦିଲ୍ଲୀରେ ରାହୁଲ ଗାନ୍ଧି ଓ ଅରବିନ୍ଦ କେଜ୍ରିୱାଲ ପରସ୍ପରକୁ ଜୋରଦାର ଟାର୍ଗେଟ ଜାରି ରଖିଛନ୍ତି। ଯାହା ଇଣ୍ଡିଆ ମେଣ୍ଟର ଅସ୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଛି।

Advertisment
Congress Rahul Gandhi Arvind Kejriwal Sharad Pawar AAP INDIA Alliance Delhi Election Shiv Sena UBT NCP SCP