TV Anchors
ବଡ଼ବଡ଼ ଟିଭି ଚ୍ୟାନେଲରେ ବସି ପ୍ରତିଦିନ ବିତର୍କ କରୁଥିବା କିଛି ନିର୍ଦ୍ଦିଷ୍ଟ ଆଙ୍କର ମାନଙ୍କ ଶୋ’କୁ ବୟକଟ କରିବ ବିରୋଧୀ ମେଣ୍ଟ ଇଣ୍ଡିଆ। ମେଣ୍ଟରେ ଥିବା ଦଳଗୁଡ଼ିକର କୌଣସି ନେତା ଏପରି ଆଙ୍କରମାନଙ୍କ ଶୋ’କୁ ଯିବେ ନାହିଁ।
ତାଲିକାରେ କେଉଁ ସବୁ ନ୍ୟୁଜ ଉପସ୍ଥାପକ ଓ ଉପସ୍ଥାପିକା ରହିବେ, ସେମାନଙ୍କ ନାଁ ଖୁବଶୀଘ୍ର ପ୍ରକାଶ ପାଇବ। ଇଣ୍ଡିଆ ମେଣ୍ଟର ମିଡିଆ ସବ କମିଟି ନିଷ୍ପତ୍ତି ଅନୁସାରେ ଇଣ୍ଡିଆ ମେଣ୍ଟର ନେତାମାନେ ଏଣିକି ବିଭିନ୍ନ ଚ୍ୟାନେଲ ଓ ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଯିବେ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଣ୍ଡିଆ ମେଣ୍ଟର ସମ୍ବନୟ କମିଟି ବୈଠକ ବସିଥିଲା। ଏଥିରେ ଜାତି ଭିତ୍ତିକ ଜନଗଣନା ଠାରୁ ଆରମ୍ଭ କରି ଶିଟ ଶେୟାରିଂ ଆଦି ପ୍ରସଙ୍ଗ ଆଲୋଚନା ହୋଇଥିଲା। ଏଥିସହ ଗଣମାଧ୍ୟମର ଭୂମିକା ସମ୍ପର୍କରେ ମଧ୍ୟ ନେତାମାନେ କଥା ହୋଇଥିଲେ।
ବିଭିନ୍ନ ଟିଭି ଚ୍ୟାନେଲ ଓ ଏହାର ତଥାକଥିତ ବଡ଼ବଡ଼ ଆଙ୍କରମାନେ ବିରୋଧୀ ଦଳର ନେତାମାନଙ୍କୁ ଉପଯୁକ୍ତ ବ୍ୟବହାର କରୁ ନାହାନ୍ତି। ସେମାନେ ଏକପାଖିଆ ଖବର ପ୍ରସାରଣ କରିବା ସହ ବିତର୍କରେ କେବଳ ଘୃଣା ସୃଷ୍ଟି କରିବା ଭଳି କଥା କହୁଛନ୍ତି। ଏଥିପାଇଁ ସେଭଳି ଚ୍ୟାନେଲ ଓ ଆଙ୍କରମାନଙ୍କୁ ଇଣ୍ଡିଆ ମେଣ୍ଟର ନେତାମାନେ ବୟକଟ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ସମନ୍ୱୟ କମିଟିରେ ଥିବା କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲ ବୈଠକ ପରେ କହିଛନ୍ତି ଯେ “କେଉଁ ସବୁ ନ୍ୟୁଜ ଅର୍ଗାନାଇଜେସନକୁ ବୟକଟ କରାଯିବ, ତା’ର ନିଷ୍ପତ୍ତି ନେବାକୁ ଗୋଟିଏ ସବ କମିଟି ଗଠନ କରାଯାଇଛି। ମିଡିଆ ପାଇଁ ଗଠନ ହୋଇଥିବା ସବ ଗ୍ରୁପ୍ କେଉଁ ସବୁ ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ବି ନେତା ଯିବେ ନାହିଁ, ତା’ର ନିଷ୍ପତ୍ତି ନେବ। ଖୁବଶୀଘ୍ର ସେଭଳି ଆଙ୍କରମାନଙ୍କ ତାଲିକା ପ୍ରକାଶ କରାଯିବ।” ମିଡିଆ ସବ ଗ୍ରୁପ୍ରେ ୧୯ ଜଣ ସଦସ୍ୟ ରହିଛନ୍ତି।
ବିରୋଧୀ ଦଳଗୁଡ଼ିକ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଯେ ବିଭିନ୍ନ ଗଣମାଧ୍ୟମ କେବଳ ସରକାରଙ୍କ ପ୍ରଚାର କରୁଛନ୍ତି। ସେମାନେ ଦିନ ରାତି ହିନ୍ଦୁ ମୁସଲିମ ଶୋ’ କରି ଦେଶରେ ଘୃଣାର ପରିବେଶ ସୃଷ୍ଟି କରୁଛନ୍ତି। ବିରୋଧୀଙ୍କୁ ମଧ୍ୟ ସେମାନେ ଠିକ ଭାବେ ନିଜ ଚ୍ୟାନେଲରେ ସ୍ଥାନ ଦେଉ ନାହାନ୍ତି। ତେଣୁ ସେମାନେ ଏବେ ବୟକଟ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/TV_Anchors_1694616804.jpg)