ଭାରତ ଗୋଟିଏ ବିରାଟ ଦେଶ। ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଭାରତ ଗଠନ ହୋଇଛି। ସବୁ ରାଜ୍ୟ ଓ ଅଧିକାଂଶ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ରହିଛି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଅନେକ ରାଜନେତା ବିଧାୟକ ହୋଇଛନ୍ତି। ତେବେ ଦେଶର ସବୁଠାରୁ ଧନୀ ବିଧାୟକଙ୍କ ସମ୍ପର୍କରେ ଆପଣ ଜାଣିଛନ୍ତି କି? ସମ୍ଭବତଃ ଅଧିକାଂଶ ଲୋକ ଏହାର ଉତ୍ତର ନା କହି ପାରନ୍ତି। ଆଜି ଆମେ ଦେଶର ସବୁଠାରୁ ଧନୀ ବିଧାୟକଙ୍କ ନାଁ ଓ ତାଙ୍କ ସମ୍ପତ୍ତି ସମ୍ପର୍କରେ ଆପଣକୁ କହିବୁ।
ଦେଶର ସବୁଠାରୁ ଧନୀ ବିଧାୟକ ବିଜେପି ପାଖରେ ରହିଛନ୍ତି। ସେ ହେଉଛନ୍ତି ବିଜେପି ନେତା ପରାଗ ଶାହ। ମୁମ୍ବାଇର ଘାଟକୋପରାରୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚିତ ହୋଇଥିବା ପରାଗ ଶାହଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୪୦୦ କୋଟି। ଏହା ଠାରୁ ଅଧିକ ସମ୍ପତ୍ତି ଦେଶର କୌଣସି ବିଧାୟକଙ୍କ ପାଖରେ ନାହିଁ।
ତାଙ୍କ ପଛକୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଡିକେ ଶିବ କୁମାର ରହିଛନ୍ତି। କର୍ଣ୍ଣାଟକାର କନକପୁରାରୁ ଜିତି ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବ କୁମାରଙ୍କ ସମ୍ପତ୍ତିର ମୂଲ୍ୟ ୧୪୧୩ କୋଟି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ପକ୍ଷରୁ ଏପରି ତଥ୍ୟ ସାର୍ବଜନୀନ କରାଯାଇଛି।
ବିଭିନ୍ନ ରାଜନେତା ନିର୍ବାଚନ ଲଢ଼ିବା ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହାକୁ ବିଶ୍ଲେଷଣ କରି ଏଡିଆର ପକ୍ଷରୁ ଏପରି ରିପୋର୍ଟ ଜାରି ହୋଇଛି। ବିଶ୍ଲେଷଣ ବେଳେ ୨୮ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳର ୪୦୯୨ ଜଣ ବିଧାୟକଙ୍କ ସତ୍ୟପାଠକୁ ଯାଞ୍ଚ କରାଯାଇଥିଲା। ୨୪ ଜଣ ବିଧାୟକଙ୍କ ସତ୍ୟପାଠ ପଢ଼ି ହୋଇ ନଥିବା ବେଳେ ୭ଟି ବିଧାନସଭା ଆସନ ଖାଲି ପଡ଼ିଛି।
ସବୁଠାରୁ କୌତହଳର ବିଷୟ ହେଲା, ବିଜେପି ପାଖରେ ଦେଶର ସବୁଠାରୁ ଧନୀ ବିଧାୟକ ପରାଗ ରହିଥିବା ବେଳେ ସବୁଠାରୁ ଗରିବ ବିଧାୟକ ମଧ୍ୟ ପଦ୍ମ ଦଳରୁ ବିଧାନସଭାକୁ ଯାଇଛନ୍ତି। ଦେଶର ସବୁଠାରୁ ଗରିବ ବିଧାୟକ ହେଲେ ବିଜେପିର ନିର୍ମଳ କୁମାର ଧାରା। ସେ ପଶ୍ଚିମବଙ୍ଗର ଇଣ୍ଡୁସରୁ ବିଧାନଭାକୁ ଯାଇଛନ୍ତି। ତାଙ୍କ ପାଖରେ ମୋଟ ୧୭ଶହ ଟଙ୍କାର ସମ୍ପତ୍ତି ରହିଥିବା ସେ ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ଚର୍ଚ୍ଚିତ ଧନୀ ବିଧାୟକ
୧- ଏନ ଚନ୍ଦ୍ରବାବୁ ନାଇଡୁ- ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ- ୯୩୧ କୋଟି
୨- ୱାଇଏସ୍ ଜଗନ ମୋହନ ରେଡ୍ଡୀ- ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ- ୭୫୭ କୋଟି
୩- କେଏଚ ପୁଟ୍ଟାସ୍ୱାମୀ ଗୌଡ଼ା- କର୍ଣ୍ଣାଟକାର ସ୍ୱାଧୀନ ବିଧାୟକ- ୧୨୬୭ କୋଟି
୪- ପ୍ରିୟ କ୍ରିଷ୍ଣା- କର୍ଣ୍ଣାଟକାର କଂଗ୍ରେସ ବିଧାୟକ- ୧୧୫୬ କୋଟି
୫- ପି ନାରାୟଣ- ଆନ୍ଧ୍ରର ଟିଡିପି ବିଧାୟକ- ୮୨୪ କୋଟି
୬- ଭି ପ୍ରଶାନ୍ତୀ ରେଡ୍ଡୀ- ଆନ୍ଧ୍ରର ଟିଡିପି ବିଧାୟକ- ୭୧୬ କୋଟି
ଦେଶର ୧୦ ଧନୀ ବିଧାୟକଙ୍କ ତାଲିକାରେ ଆନ୍ଧ୍ରର ୪ ଜଣ ରହିଛନ୍ତି। ସେହିପରି ଦେଶର ୨୦ ଧନୀ ବିଧାୟକଙ୍କ ମଧ୍ୟରୁ ଆନ୍ଧ୍ରର ୭ ଜଣ ରାଜନେତାଙ୍କ ନାଁ ରହିଛି। ୨୦ ଧନୀଙ୍କ ମଧ୍ୟରେ ଆଇଟି ମନ୍ତ୍ରୀ ନାରା ଲୋକେଶ ଓ ହିନ୍ଦୁପୁର ବିଧାୟକ ଏନ ବାଲାକ୍ରିଷ୍ଣା ରହିଛନ୍ତି।
ବିଧାୟକମାନଙ୍କ ମୋଟ ସମ୍ପତ୍ତିର ପରିମାଣ ରାଜ୍ୟ ଅନୁସାରେ ଅଲଗା ଅଲଗା ରହିଛି। କର୍ଣ୍ଣାଟକାର ୨୨୩ ଜଣ ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୪,୧୭୯ କୋଟି। ଏହା ଦେଶରେ ସର୍ବାଧିକ। ମହାରାଷ୍ଟ୍ରର ୨୮୬ ଜଣ ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ୧୨,୪୨୪ କୋଟି ଓ ଆନ୍ଧ୍ର ପ୍ରଦେଶର ୧୭୪ ବିଧାୟକଙ୍କ ପାଖରେ ମୋଟ ୧୧,୩୨୩ କୋଟି ଟଙ୍କାର ସମ୍ପତ୍ତି ରହିଛି।
କମ ସମ୍ପତ୍ତି ରଖିଥିବା ବିଧାୟକଙ୍କ ତାଲିକାର ୧ ନମ୍ବର ସ୍ଥାନରେ ତ୍ରିପୁରା ରହିଛି। ତ୍ରିପୁରାର ୬୦ ଜଣ ବିଧାୟକ ମିଳିତ ଭାବେ ୯୦ କୋଟିର ମାଲିକ। ମଣିପୁରର ୫୯ ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ୨୨୨ କୋଟି ଓ ପୁଡୁଚେରୀର ୩୦ ବିଧାୟକଙ୍କ ପାଖରେ ୨୯୭ କୋଟି ଟଙ୍କାର ସମ୍ପତ୍ତି ରହିଛି।
ବିଧାୟକଙ୍କ ପିଛା ସର୍ବାଧିକ ହାରାହାରି ସମ୍ପତ୍ତି
ଆନ୍ଧ୍ର ପ୍ରଦେଶ: ୬୫୦୭ କୋଟି
କର୍ଣ୍ଣାଟକା: ୬୩.୫୮ କୋଟି
ମହାରାଷ୍ଟ୍ର: ୪୩.୪୪ କୋଟି
ବିଧାୟକଙ୍କ ପିଛା ସର୍ବନିମ୍ନ ହାରାହାରି ସମ୍ପତ୍ତି
ତ୍ରିପୁରା: ୧.୫୧ କୋଟି
ପଶ୍ଚିମବଙ୍ଗ: ୨.୮୦ କୋଟି
କେରଳ : ୩.୧୩ କୋଟି
ଦେଶରେ ଥିବା ୪୦୯୨ ଜଣ ବିଧାୟକଙ୍କ ପାଖରେ ୭୩,୩୪୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହା ୨୦୨୩-୨୪ରେ ନାଗାଲ୍ୟାଣ୍ଡର ବାର୍ଷିକ ବଜେଟ ୨୩,୦୮୬ କୋଟି, ତ୍ରିପୁରାରର ୨୬,୮୯୨ କୋଟି ଓ ମେଘାଳୟର ୨୨,୦୨୨ କୋଟି ଠାରୁ ଯଥେଷ୍ଟ ଅଧିକ। ରାଜନୀତିକ ଦଳଗୁଡ଼ିକୁ ବିଚାରକୁ ନେଇ ସମ୍ପତ୍ତି ତାଲିକା ଦେଖିଲେ ବିଜେପି ସବୁଠାରୁ ଆଗରେ ରହିଛି। ବିଜେପିର ୧୬୫୩ ଜଣ ବିଧାୟକ ୨୬,୨୭୦ କୋଟି ଟଙ୍କାର ମାଲିକ।
କଂଗ୍ରେସର ପାଖରେ ୬୪୬ ଜଣ ବିଧାୟକ ରହିଛନ୍ତି। ସେମାନଙ୍କ ସମ୍ପତ୍ତିର ମୂଲ୍ୟ ୧୭,୩୫୭ କୋଟି। ଟିଡିପିର ୧୩୪ ବିଧାୟକଙ୍କ ପାଖରେ ୯,୧୦୮ କୋଟି, ଶିବସେନାର ୫୯ ବିଧାୟକଙ୍କ ପାଖରେ ୧୭୫୮ କୋଟି ଓ ଆପ୍ର ୧୨୩ ଜଣ ବିଧାୟକଙ୍କ ପାଖରେ ୯୦୧ କୋଟି ଟଙ୍କାର ସମ୍ପତ୍ତି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।