Advertisment

ସର୍ଭେ ରିପୋର୍ଟକୁ ନେଇ ରାଜନୀତିରେ ତାତି, ବିଜେଡି କହିଲା ଗୋଟାଏ ସିଟ୍‌ରେ ହାରିବୁ

ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ। ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Narendra Modi Prime Minister of India

Narendra Modi Prime Minister of India

ଆଜିର ଦିନରେ ନିର୍ବାଚନ ହେଲେ ଦେଶରେ ସରକାର ଗଢ଼ିବ ଏନଡିଏ। ନରେନ୍ଦ୍ର ମୋଦୀ ପୁଣି ହୋଇପାରନ୍ତି ଦେଶର ପ୍ରଧାନମନ୍ତ୍ରୀ। ଇଣ୍ଡିଆ ଟିଭି-ସିଏନଏକ୍ସ ପୋଲ୍ ସର୍ଭେ ଅନୁଯାୟୀ, ଲୋକସଭା ନିର୍ବାଚନରେ ଏନଡିଏକୁ ୩୧୮ ଆସନ ମିଳିପାରେ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ଏହି ସର୍ଭେ ଆକଳନ କରିଛି।

Advertisment

ଅନ୍ୟାନ୍ୟ ଆଂଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୫୦ଟି ଆସନ ମିଳିପାରେ। ଏସବୁ ଭିତରେ ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ। ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି। ଏବେ ସର୍ଭେ ଆକଳନକୁ ନେଇ ତେଜିଛି ରାଜନୀତି। ବିଜେଡି-ବିଜେପି ମଧ୍ୟରେ କଥା କଟାକଟି ହୋଇଛନ୍ତି।

ରାଜ୍ୟସଭା ସାଂସଦ ମୁନା ଖାଁ କହିଛନ୍ତି, ବିଭିନ୍ନ ସମୟରେ ବିଭିନ୍ନ ନ୍ୟୁଜ୍‌ ସଂସ୍ଥା ପକ୍ଷରୁ ଏଭଳି ସର୍ଭେ ରିପୋର୍ଟ ଆସିଥାଏ। ସେମାନଙ୍କ ସବୁ ଅନୁମାନ ଠିକ୍‌ ହେବ ସେଭଳି କିଛି ମାନେ ନାହିଁ। ଓଡ଼ିଶା କଥା ଦେଖିଲେ ୨୦୨୪ ଲୋକସଭା ନିର୍ବାଚନ ୨୦୧୪ ଭଳି ହେବ। ବିଜେଡି ୨୦ଟି ଲୋକସଭା ସିଟ ନେବ ଓ ଗୋଟିଏ ସିଟ ବିଜେପି ବା କଂଗ୍ରେସ ନେବେ। ଏହା ସହ ୨୦୨୪ରେ ବିଜେଡି ପୁଣି ରାଜ୍ୟରେ ସରକାର ଗଢିବ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ।

Advertisment

ତେଣୁ ଗୋଟିଏ ସିଟ୍‌ରେ ବିଜେଡି ହାରିବ ବୋଲି ମୁନାଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି। ତେବେ ଏହି ଲୋକସଭା ଆସନ କେଉଁ ସ୍ଥାନ ସେ ସ୍ପଷ୍ଟ କରିନାହାନ୍ତି।

ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆଗାମୀ ଦଶ ମାସରେ ମହାନଦୀ ଓ ସୁବର୍ଣ୍ଣରେଖାରେ ବହୁତ ପାଣି ବହିବ। ସମୟ ବହୁତ ଅଛି। ସର୍ଭେ କାମ କରିବାକୁ ଉତ୍ସାହିତ କରିଛି, ଆମେ ଆଗକୁ ଯିବୁ। ସଂଗଠନ ସୁଦୃଢ଼ ମଧ୍ୟ ରହିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। 

ଅନ୍ୟପଟେ ଓପିନିୟନ ପୋଲକୁ କପୋଳକଳ୍ପିତ କହିଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଗତଥର କର୍ଣ୍ଣାଟକ ସର୍ଭେ ରିପୋର୍ଟ ଠିକ୍‌ ହୋଇନି। ସେଠାରେ କଂଗ୍ରେସ ସରକାର କଲା। ସର୍ଭେରେ ବିଜେପି ସରକାର କରିବ ବୋଲି ରିପୋର୍ଟ ଆସିଥିଲା। ହିମାଚଳପ୍ରଦେଶରେ ମଧ୍ୟ ସମାନ ସର୍ଭେ ରିପୋର୍ଟ ଆସିଥିଲା। ଏଠାରେ କଂଗ୍ରେସ ନଆସି ବିଜେପି କ୍ଷମତାକୁ ଆସିବ ବୋଲି ରିପୋର୍ଟରେ କୁହାଯାଇଥିଲା। ଏଠାରେ କଂଗ୍ରେସ ସରକାର ହେଲା। ୧୯୯୫ ମସିହାରେ ଓଡ଼ିଶାରେ ବିଜୁବାବୁ ସରକାର କରିବ ବୋଲି ସର୍ଭେ ରିପୋର୍ଟ ଆସିଥିଲା। ସେତେବେଳେ କିନ୍ତୁ କଂଗ୍ରେସ ସରକାରକୁ ଆସିଥିଲା। ଏଭଳି ସର୍ଭେ ରିପୋର୍ଟ ମନଗଢ଼ା। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବ। ୮ରୁ ୧୦ଟି ଲୋକସଭା ଆସନ କଂଗ୍ରେସ ଜିତିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

Political News Power Politics Bjp Bjd Politics