Advertisment

5ଟି ସଚିବଙ୍କୁ କାଳି ମାଡ଼ ଘଟଣାକୁ ପ୍ରାୟୋଜିତ କହିଲା କଂଗ୍ରେସ

ଶନିବାର ୫ଟି ସଚିବ ପାଣ୍ଡିଆନ ସତ୍ୟବାଦୀ ଯାଇଥିଲେ। ଏହି ସମୟରେ ଭାସ୍କର ସାହୁ ନାମକ ଜଣେ କ୍ତି ପାଣ୍ଡିଆନଙ୍କୁ କାଳି ମାଡ଼ କରିଥିଲେ।

author-image
Hemant Lenka
Pandian

Pandian

ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳି ମାଡ଼ ଘଟଣାକୁ ପ୍ରାୟୋଜିତ କହିଛି ରାଜ୍ୟ କଂଗ୍ରେସ। ଶନିବାର ୫ଟି ସଚିବ ପାଣ୍ଡିଆନ ସତ୍ୟବାଦୀ ଯାଇଥିଲେ। ଏହି ସମୟରେ ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି ପାଣ୍ଡିଆନଙ୍କୁ କାଳି ମାଡ଼ କରିଥିଲେ।

Advertisment

କାଳି ଛିଟା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ ପଡ଼ିଥିଲା। ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି କାଳିମାଡ଼ ହେଉଛି ପ୍ରାୟୋଜିତ କାର୍ଯ୍ୟକ୍ରମ। କାରଣ ଯେଉଁ ବ୍ୟକ୍ତି କାଳିମାଡ଼ କରିଥିଲା, ତା’କୁ ପୋଲିସ ମୁକ୍ତ କରିସାରିଛି।

ଅନ୍ୟପଟେ ରାଜ୍ୟବାସୀ ଜାଣିଛନ୍ତି ବିଜେଡି ଓ ବିଜେପି ଭାଇ ଭାଇ। ତେଣୁ ସେମାନେ(ବିଜେପି) କାଳିମାଡ଼ କରିବେ କାହିଁକି? କେବଳ ସମବେଦନା ହାସଲ କରିବାକୁ ଚେଷ୍ଟା କରାଯାଉଛି। ବିଜେଡି ଓ ବିଜେପି ଭାଇ ଭାଇ ନୁହନ୍ତି, ବରଂ ଅଲଗା ଅଛନ୍ତି ବୋଲି ଦେଖାଇବା ପାଇଁ ହିଁ ଏହି କାଳିମାଡ଼ ହୋଇଛି। କିନ୍ତୁ ସେମାନେ ଯେଉଁ କୌଶଳ ଆପଣାଇଲେ ବି ଜନତା କଂଗ୍ରେସକୁ ହିଁ ଭୋଟ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment

ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ସଚିବଙ୍କୁ ଲକ୍ଷ୍ମଣ ରେଖା ମଧ୍ୟରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ସେ(୫ଟି ସଚିବ) ଜଣେ ସରକାରୀ କର୍ମଚାରୀ। ତାଙ୍କୁ ଲୋକେ କିଭଳି ବ୍ୟବହାର କଲେ ତାହା ରାଜନୀତିକ ଚର୍ଚ୍ଚାକୁ ଆସିବା କଥା ନୁହେଁ। କିନ୍ତୁ ଜଣେ ସିନିୟର୍ ଆଇଏଏସ ଅଫିସର ଭାବେ ଓ ଜଣେ ବଡ଼ ଭାଇ ଭାବେ ଏତିକି ପରାମର୍ଶ ଦେବାକୁ ଚାହେଁ ଯେ ସେ ଲକ୍ଷ୍ମଣ ରେଖା ଭିତରେ ରହି କାମ କରନ୍ତୁ।

ସୀମା ଉଲ୍ଲଂଘନ କରନ୍ତୁ ନାହିଁ। କ୍ଷମତାକୁ ଦୁରୁପଯୋଗ କରନ୍ତୁ ନାହିଁ। ଗୋଟିଏ ଜିନିଷ ଏଠି ସ୍ପଷ୍ଟ ଯେ ପାଣ୍ଡିଆନ ଯେଉଁ ସବୁ ଚାରିଆଡ଼େ ବୁଲୁଛନ୍ତି ତାହା କେବଳ ଡ୍ରାମା। ଏହି ଡ୍ରାମାରେ ମୁଖ୍ୟମନ୍ତ୍ରୀ ବି ସାମିଲ ଅଛନ୍ତି। ବିଭିନ୍ନ ଜାଗାରେ ସଭାକୁ ପ୍ରାୟୋଜିତ ଭାବେ ଲୋକଙ୍କୁ ଅଣା ଯାଉଛି।

ସରକାରୀ ଅଧିକାରୀଙ୍କୁ ଟାର୍ଗେଟ ଦିଆଯାଉଛି। ଯେଉଁ ସବୁ ଅଭିଯୋଗ ଲୋକଙ୍କ ଠାରୁ ଗ୍ରହଣ କରାଯାଉଛି, ତା’ହା ପ୍ରକୃତ ଅଭିଯୋଗ ନୁହେଁ। ଲୋକଙ୍କ ପାଖରେ ଯେଉଁ ପ୍ରକୃତ ଅଭିଯୋଗ ଅଛି ତାକୁ ଗ୍ରହଣ କରିବାକୁ କେହି ନାହାନ୍ତି। ଏ ଯେଉଁ ଡ୍ରାମା ବା ପ୍ରହସନ ଚାଲିଛି, ଗତକାଲି ଘଟଣା ସେ ଡ୍ରାମାର ଅଂଶ ବିଶେଷ ହୋଇଥାଇପାରେ।”

ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ଫାଇଭଟି ସଚିବ ଭିକେ ପାଣ୍ଡିଆନ ଦୁଇ ଦିନ ଧରି ପୁରୀ ଜିଲ୍ଲା ଗସ୍ତରେ ରହିଥିଲେ । ଗତକାଲି ସତ୍ୟବାଦୀ କଲେଜ ପଡ଼ିଆଠାରେ ଏକ ସାଧାରଣ ସଭା (ଅଭିଯୋଗ ଶୁଣାଣି) କାର୍ଯ୍ୟକ୍ରମ ଥିଲା। ସଭାସ୍ଥଳକୁ ଯିବାବେଳେ ହିଁ ପଡ଼ିଆ ନିକଟରେ କଣାସ ଅଂଚଳର ଭାସ୍କର ସାହୁ ତାଙ୍କ ଉପରକୁ କାଳିମାଡ଼ କରିଥିଲେ। ଲୋକଙ୍କ ଗହଳି ମଧ୍ୟରେ ଥାଇ ସେ ଯେଉଁ କାଳି ଫୋପାଡ଼ି ଥିଲେ ତାହା ଉଭୟ ଶ୍ରୀ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ଓ ଦେହରେ ପଡ଼ିଥିଲା।

କାଳିମାଡ଼ ପରେ ପୁଲିସ ସଙ୍ଗେ ସଙ୍ଗେ ଭାସ୍କରଙ୍କୁ କାବୁ କରି ଗିରଫ କରିଥିଲା। ଆଉ ୫ଟି ସଚିବ ଚିରାଚରିତ ଢଙ୍ଗରେ ସେଠାରେ ଉପସ୍ଥିତ ଲୋକଙ୍କୁ ଭେଟିଥିଲେ। ମାତ୍ର ଏତେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଥାଇ ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ କାଳିମାଡ଼ କରାଯିବାକୁ ନେଇ ରାଜ୍ୟ ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରାଯିବା ପରଠୁ ତାଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଥିଲା।

Puri 5T Vk Pandian