ନିର୍ବାଚନରେ ବିପର୍ଯ୍ୟୟ ପରଠୁ ବିଜେଡିରେ କନ୍ଦଳ ଥମିବାର ନାଁ ଧରୁନି । ପୁରୁଖା ନେତାମାନଙ୍କୁ ହତାଦର କରି ଆମଦାନୀ ନେତାମାନଙ୍କୁ ଗୁରୁତ୍ୱ ଦିଆଯିବା ପ୍ରକ୍ରିୟା ଜାରି ରହିଥିବାରୁ ଦଳରେ ଏହି କନ୍ଦଳ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ବିଜେଡିର ଅଘୋଷିତ ମୁଖିଆ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଟିମ ସଦସ୍ୟମାନେ ନିର୍ବାଚନ ପୂର୍ବରୁ ଯେଉଁ ନେତାମାନଙ୍କୁ ଆମଦାନୀ କରିଥିଲେ ସେମାନଙ୍କୁ ଦଳରେ ପୁରୁଖା ନେତାମାନଙ୍କ ତୁଳନାରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି । ଯାହାକି ବିଜେଡି କନ୍ଦଳର ଆଉ ଏକ ନୂଆଦିଗକୁ ରେଖାଙ୍କିତ କରିଛି ତଥା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବସମ୍ମତି ଯୋଗୁ ଏବେ ଦଳ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଆଜି ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମ ବିଜେଡିର କନ୍ଦଳ ପଦାକୁ ଆସିବାପରେ ନିଜେ ନବୀନ ହିଁ ବିଜେଡିରେ ଏଭଳି ବିଶୃଙ୍ଖଳାର ମୁଖ୍ୟ ସୂତ୍ରଧର ବୋଲି ଚର୍ଚ୍ଚା ଜୋର ଧରିଲାଣି । ଦଳର ସୁପ୍ରିମୋ ହୋଇ ମଧ୍ୟ ନବୀନ ସାଂଗଠନିକ କାର୍ଯ୍ୟରେ ହସ୍ତକ୍ଷେପ ନକରି ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଉପରେ ନିମୂଳୀଲତା ଭଳି ନିର୍ଭରଶୀଳ ହୋଇପଡ଼ିଥିବାରୁ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିିଛି । ପାଣ୍ଡିଆନଙ୍କ ଇଙ୍ଗିତରେ ଏବେ ଦଳର ପୁରୁଖା ନେତାମାନଙ୍କୁ କୋଣଠେସା କରାଯାଇ ଆମଦାନୀ ଓ ବଚସ୍କର ନେତାମାନଙ୍କ ମାଧ୍ୟମରେ ବିଜେଡିକୁ ପରିଚାଳନା ପାଇଁ ରଣନୀତି ହୋଇଥିବା ଜଣାପଡ଼ିଛି ।
ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆଜି ସିଧାସଳଖ ତାଙ୍କ ପରାଜୟ ପଛରେ ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଦାୟୀ କରିଥିଲେ । ରଞ୍ଜିତା ଗୃହଭେଦୀ ବିଭୀଷଣ ଭଳି ବିଜେପି ସହ ମିଶି କାର୍ଯ୍ୟ କରୁଛନ୍ତି ବୋଲି ଲତିକା ଗଣମାଧ୍ୟମରେ ଅଭିଯୋଗ କରିବା ପରେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଛାୟା ଟିମ୍ ଅଚାନକ ସକ୍ରିୟ ହୋଇପଡ଼ିଥିଲା । ଦଳର ପୁରୁଖା ନେତ୍ରୀ ଲତିକାଙ୍କୁ ଗୁରୁତ୍ୱହୀନ ଦର୍ଶାଇବା ପାଇଁ ରଞ୍ଜିତାଙ୍କୁ ଧରି ଡୁମଡୁମାସ୍ଥିତ ଏକ ଅନାଥ ଆଶ୍ରମରେ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିବାକୁ ଯାଇଥିଲା ଏହି ଛାୟା ଟିମ୍ । ଯଦିଓ ରଞ୍ଜିତାଙ୍କୁ ଆଜିପର୍ଯ୍ୟନ୍ତ ଭୁବନେଶ୍ୱରର କୌଣସି ଦଳୀୟ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ଖାସ୍ ଲତିକାଙ୍କୁ ସନ୍ଦେଶ ଦେବା ପାଇଁ ରଞ୍ଜିତାଙ୍କୁ ଆଜିର କାର୍ଯ୍ୟକ୍ରମକୁ ନିଆଯାଇଥିବା ଜଣାପଡ଼ିଛି । ଆସିକାରୁ ରଞ୍ଜିତାଙ୍କୁ ଦଳୀୟ ପ୍ରାର୍ଥୀ କରିବା ପଛରେ ବିଜେଡି ସ୍ୱାର୍ଥ ତୁଳନାରେ ପାଣ୍ଡିଆନ ଓ ତାଙ୍କ ଟିମ୍ ସଦସ୍ୟଙ୍କ ବ୍ୟକ୍ତିଗତ ଫାଇଦା ବେଶୀ ରହିଥିଲା ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ।
ବିଜେଡିର ଗୋଟିଏ ଗୋଷ୍ଠୀର କହିବା ଅନୁସାରେ, ନବୀନଙ୍କ ସହମତିରେ ହିଁ ପାଣ୍ଡିଆନ ଓ ତାଙ୍କ ଟିମ୍ ବିଜେଡିର ବହୁ ପୁରୁଖା ନେତାମାନଙ୍କୁ କୋଣଠେସା କରି ରଖିଥିଲେ । “ଆପଣା ସୁନା ତ ଭେଣ୍ଡି, କହିବା କାହାକୁ” ନ୍ୟାୟରେ ନବୀନ ତ ନିଜେ ପାଣ୍ଡିଆନଙ୍କ ପାଖରେ ଆତ୍ମସମର୍ପଣ କରିଦେଇଛନ୍ତି । ଯେଉଁଥିପାଇଁ ସେ ଦଳର ନେତାଙ୍କୁ ଭେଟିବା କି ସଂଗଠନର ପରିଚାଳନାକୁ ନେଇ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି । ତେଣୁ ପାଣ୍ଡିଆନଙ୍କୁ ଦାୟୀ କରିବା ବଦଳରେ ମୁଖ୍ୟ ସୂତ୍ରଧର ନବୀନଙ୍କୁ ହିଁ ଏସବୁ କନ୍ଦଳ ପାଇଁ ଦାୟୀ କରାଯିବା ସହ ତାଙ୍କର ଅସଲ ଚେହେରାକୁ ଗଣମାଧ୍ୟମ ପଦାକୁ ଆଣୁ ବୋଲି ବିଜେଡିର ଏହି ଗୋଷ୍ଠୀ ଦାବି କରିଛି । ନବୀନଙ୍କ ଅଭୟ ଆଶୀର୍ବାଦରେ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ନିଜର ଟିମ୍ ମାଧ୍ୟମରେ ସମାନ୍ତରାଳ ସଂଗଠନ କରି ଆମଦାନୀ ଓ ବଚସ୍କର ନେତାମାନଙ୍କୁ ଦଳୀୟ କାର୍ଯ୍ୟରେ ଅଗ୍ରାଧିକାର ଦେବାରେ ଲାଗିଥିଲେ । ଏବେ ଠିକ୍ ସେହି ଢଙ୍ଗରେ ପାଣ୍ଡିଆନ ନିଜର ଟିମ୍ ମାଧ୍ୟମରେ ଦଳର ପୁରୁଖା ନେତାମାନଙ୍କୁ ହତାଦର କରିବାରେ ଲାଗିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ସମୀର ରଞ୍ଜନ ଦାଶ, ଦେବାଶୀଷ ନାୟକଙ୍କ ଭଳି ବହୁ ପୁରୁଖା ବିଜେଡି ନେତାଙ୍କୁ ହତାଦର କରିବାରୁ ସେମାନେ ଦଳ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ।
ଏବେ ନିର୍ବାଚନ ପରେ ମଧ୍ୟ ପାଣ୍ଡିଆନ ଦଳରେ ଆମଦାନୀ ନେତାଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ରବିନ୍ଦ୍ର ଜେନା, ଅମର ଶତପଥୀ, ଲତିକା ପ୍ରଧାନ, ଶ୍ରୀମୟୀ ମିଶ୍ରଙ୍କ ଭଳି ଦଳ ସହ ଜଡ଼ିତ ପୁରୁଖାଙ୍କୁ ହତାଦର କରିବାରେ ଲାଗିଛନ୍ତି । ଯଥାକ୍ରମେ ଲେଖାଶ୍ରୀ ସାମନ୍ତସିଂହାର, ବର୍ଷା ପ୍ରିୟଦର୍ଶିନୀ, ରଞ୍ଜିତା ସାହୁ ଓ ମନ୍ମଥ ରାଉତରାୟଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ଦଳର ଏହି ପୁରୁଖାମାନଙ୍କୁ ହତାଦର କରାଯାଇଥିବା ନିକଟ ଅତୀତରେ ଦେଖିବାକୁ ମିଳିଛି ।
କେବଳ ଏହି ନେତାମାନେ ନୁହଁନ୍ତି, ଦଳର ଯେଉଁ କିଛି ନେତା ପରୋକ୍ଷ ଅବା ପ୍ରତ୍ୟକ୍ଷ ଭାବେ ପାଣ୍ଡିଆନ ଓ ତାଙ୍କ ଟିମ୍ ସଦସ୍ୟଙ୍କ ନେତାଗିରିକୁ ବିରୋଧ କରିଥିଲେ ନିର୍ବାଚନରେ ଦଳର ପରାଜୟ ପରେ ମଧ୍ୟ ଏବେ ସେମାନଙ୍କୁ ମ୍ୟାନେଜ୍ ନଚେତ୍ କୋଣଠେସା କରି ରଖାଯାଇଛି । ଏହି ତାଲିକାରେ ଦଳର ୫୦ରୁ ଅଧିକ ଆଗଧାଡ଼ିର ନେତା ରହିଥିବା ଜଣାପଡ଼ିଛି । ତେବେ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କୁ ଖୋଲାଖୋଲି ନେତା ସ୍ୱୀକାର କରି ତାଙ୍କର ସଭା ଓ ରୋଡଶୋ’ ପାଇଁ ଟେଣ୍ଟ ବାନ୍ଧୁଥିବା ନେତାମାନେ ଏବେ ପାଣ୍ଡିଆନ ଆମର ନେତା ନୁହଁନ୍ତି ବୋଲି କହି ନିଜର ଚାଟୁକାରିତାର ପ୍ରମାଣ ଦେବାରେ ଲାଗିଛନ୍ତି ।
ତେଣୁ ପ୍ରଶ୍ନ ଉଠୁଛି, ଯଦି ବିଜେଡି ସତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ହେଉଛି ତା’ହେଲେ କ’ଣ ଦଳର ପୁରୁଖା ନେତାମାନଙ୍କୁ ହତାଦର ଓ ଅସମ୍ମାନ କରିବା ଭଳି ମତ-ମନ୍ତବ୍ୟ ଦେବା ପାଇଁ ନବୀନ ନିଜେ ନିର୍ଦ୍ଦେଶ ଦେଉଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ୟାରୀମୋହନ ମହାପାତ୍ର ଓ ପରେ ପାଣ୍ଡିଆନଙ୍କ ମାଧ୍ୟମରେ ଦଳକୁ ପରିଚାଳନା କରୁଥିବା ନବୀନ ନିଜେ ଶାସନଗାଦିରୁ ହଟିବା ପରେ ଏବେ ସଂଗଠନକୁ ନେତୃତ୍ୱ ଦେବା ତାଙ୍କ ପାଇଁ କାଠିକର ପାଠ ହେଲାଣି । ନିଜର ରାଜନୀତିକ ଚିତ୍ର ଚରିତ୍ରକୁ ଏକ ରହସ୍ୟମୟ ଖୋଳପା ଭିତରେ ରଖି ନବୀନ ଯେଉଁ ଗୋଟିଚାଳନା କରୁଛନ୍ତି ତାହା ଧୀରେଧୀରେ ରାଜ୍ୟବାସୀଙ୍କ ସାମ୍ନାକୁ ଆସିବାରେ ଲାଗିଲାଣି । ଆଉ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟ ସେହି ପରିମାଣରେ ବଢ଼ିବାରେ ଲାଗିଛି, ନିକଟ ଭବିଷ୍ୟତରେ ଯେଉଁଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ବି କ୍ଷୀଣ ବୋଲି ଚର୍ଚ୍ଚା ହେଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।