Advertisment

ନବୀନଙ୍କ ନିର୍ଦ୍ଦେଶରେ ବିଜେଡିରେ ଚାଲିଛି କି ପୁରୁଖାଙ୍କୁ ହତାଦର, ଆମଦାନୀଙ୍କୁ ଆଦର

ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆଜି ସିଧାସଳଖ ତାଙ୍କ ପରାଜୟ ପଛରେ ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଦାୟୀ କରିଥିଲେ ।

Naveen Patnaik

Naveen Patnaik

Advertisment

ନିର୍ବାଚନରେ ବିପର୍ଯ୍ୟୟ ପରଠୁ ବିଜେଡିରେ କନ୍ଦଳ ଥମିବାର ନାଁ ଧରୁନି । ପୁରୁଖା ନେତାମାନଙ୍କୁ ହତାଦର କରି ଆମଦାନୀ ନେତାମାନଙ୍କୁ ଗୁରୁତ୍ୱ ଦିଆଯିବା ପ୍ରକ୍ରିୟା ଜାରି ରହିଥିବାରୁ ଦଳରେ ଏହି କନ୍ଦଳ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ବିଜେଡିର ଅଘୋଷିତ ମୁଖିଆ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଟିମ ସଦସ୍ୟମାନେ ନିର୍ବାଚନ ପୂର୍ବରୁ ଯେଉଁ ନେତାମାନଙ୍କୁ ଆମଦାନୀ କରିଥିଲେ ସେମାନଙ୍କୁ ଦଳରେ ପୁରୁଖା ନେତାମାନଙ୍କ ତୁଳନାରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି । ଯାହାକି ବିଜେଡି କନ୍ଦଳର ଆଉ ଏକ ନୂଆଦିଗକୁ ରେଖାଙ୍କିତ କରିଛି ତଥା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବସମ୍ମତି ଯୋଗୁ ଏବେ ଦଳ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଆଜି ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମ ବିଜେଡିର କନ୍ଦଳ ପଦାକୁ ଆସିବାପରେ ନିଜେ ନବୀନ ହିଁ ବିଜେଡିରେ ଏଭଳି ବିଶୃଙ୍ଖଳାର ମୁଖ୍ୟ ସୂତ୍ରଧର ବୋଲି ଚର୍ଚ୍ଚା ଜୋର ଧରିଲାଣି । ଦଳର ସୁପ୍ରିମୋ ହୋଇ ମଧ୍ୟ ନବୀନ ସାଂଗଠନିକ କାର୍ଯ୍ୟରେ ହସ୍ତକ୍ଷେପ ନକରି ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଉପରେ ନିମୂଳୀଲତା ଭଳି ନିର୍ଭରଶୀଳ ହୋଇପଡ଼ିଥିବାରୁ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିିଛି । ପାଣ୍ଡିଆନଙ୍କ ଇଙ୍ଗିତରେ ଏବେ ଦଳର ପୁରୁଖା ନେତାମାନଙ୍କୁ କୋଣଠେସା କରାଯାଇ ଆମଦାନୀ ଓ ବଚସ୍କର ନେତାମାନଙ୍କ ମାଧ୍ୟମରେ ବିଜେଡିକୁ ପରିଚାଳନା ପାଇଁ ରଣନୀତି ହୋଇଥିବା ଜଣାପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଆଜି ସିଧାସଳଖ ତାଙ୍କ ପରାଜୟ ପଛରେ ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ଦାୟୀ କରିଥିଲେ । ରଞ୍ଜିତା ଗୃହଭେଦୀ ବିଭୀଷଣ ଭଳି ବିଜେପି ସହ ମିଶି କାର୍ଯ୍ୟ କରୁଛନ୍ତି ବୋଲି ଲତିକା ଗଣମାଧ୍ୟମରେ ଅଭିଯୋଗ କରିବା ପରେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଛାୟା ଟିମ୍ ଅଚାନକ ସକ୍ରିୟ ହୋଇପଡ଼ିଥିଲା । ଦଳର ପୁରୁଖା ନେତ୍ରୀ ଲତିକାଙ୍କୁ ଗୁରୁତ୍ୱହୀନ ଦର୍ଶାଇବା ପାଇଁ ରଞ୍ଜିତାଙ୍କୁ ଧରି ଡୁମଡୁମାସ୍ଥିତ ଏକ ଅନାଥ ଆଶ୍ରମରେ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିବାକୁ ଯାଇଥିଲା ଏହି ଛାୟା ଟିମ୍ । ଯଦିଓ ରଞ୍ଜିତାଙ୍କୁ ଆଜିପର୍ଯ୍ୟନ୍ତ ଭୁବନେଶ୍ୱରର କୌଣସି ଦଳୀୟ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ଖାସ୍ ଲତିକାଙ୍କୁ ସନ୍ଦେଶ ଦେବା ପାଇଁ ରଞ୍ଜିତାଙ୍କୁ ଆଜିର କାର୍ଯ୍ୟକ୍ରମକୁ ନିଆଯାଇଥିବା ଜଣାପଡ଼ିଛି । ଆସିକାରୁ ରଞ୍ଜିତାଙ୍କୁ ଦଳୀୟ ପ୍ରାର୍ଥୀ କରିବା ପଛରେ ବିଜେଡି ସ୍ୱାର୍ଥ ତୁଳନାରେ ପାଣ୍ଡିଆନ ଓ ତାଙ୍କ ଟିମ୍ ସଦସ୍ୟଙ୍କ ବ୍ୟକ୍ତିଗତ ଫାଇଦା ବେଶୀ ରହିଥିଲା ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ।

Advertisment

ବିଜେଡିର ଗୋଟିଏ ଗୋଷ୍ଠୀର କହିବା ଅନୁସାରେ, ନବୀନଙ୍କ ସହମତିରେ ହିଁ ପାଣ୍ଡିଆନ ଓ ତାଙ୍କ ଟିମ୍ ବିଜେଡିର ବହୁ ପୁରୁଖା ନେତାମାନଙ୍କୁ କୋଣଠେସା କରି ରଖିଥିଲେ । “ଆପଣା ସୁନା ତ ଭେଣ୍ଡି, କହିବା କାହାକୁ” ନ୍ୟାୟରେ ନବୀନ ତ ନିଜେ ପାଣ୍ଡିଆନଙ୍କ ପାଖରେ ଆତ୍ମସମର୍ପଣ କରିଦେଇଛନ୍ତି । ଯେଉଁଥିପାଇଁ ସେ ଦଳର ନେତାଙ୍କୁ ଭେଟିବା କି ସଂଗଠନର ପରିଚାଳନାକୁ ନେଇ ମଧ୍ୟ ଆଗ୍ରହ ଦେଖାଉନାହାନ୍ତି । ତେଣୁ ପାଣ୍ଡିଆନଙ୍କୁ ଦାୟୀ କରିବା ବଦଳରେ ମୁଖ୍ୟ ସୂତ୍ରଧର ନବୀନଙ୍କୁ ହିଁ ଏସବୁ କନ୍ଦଳ ପାଇଁ ଦାୟୀ କରାଯିବା ସହ ତାଙ୍କର ଅସଲ ଚେହେରାକୁ ଗଣମାଧ୍ୟମ ପଦାକୁ ଆଣୁ ବୋଲି ବିଜେଡିର ଏହି ଗୋଷ୍ଠୀ ଦାବି କରିଛି । ନବୀନଙ୍କ ଅଭୟ ଆଶୀର୍ବାଦରେ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ନିଜର ଟିମ୍ ମାଧ୍ୟମରେ ସମାନ୍ତରାଳ ସଂଗଠନ କରି ଆମଦାନୀ ଓ ବଚସ୍କର ନେତାମାନଙ୍କୁ ଦଳୀୟ କାର୍ଯ୍ୟରେ ଅଗ୍ରାଧିକାର ଦେବାରେ ଲାଗିଥିଲେ । ଏବେ ଠିକ୍ ସେହି ଢଙ୍ଗରେ ପାଣ୍ଡିଆନ ନିଜର ଟିମ୍ ମାଧ୍ୟମରେ ଦଳର ପୁରୁଖା ନେତାମାନଙ୍କୁ ହତାଦର କରିବାରେ ଲାଗିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ସମୀର ରଞ୍ଜନ ଦାଶ, ଦେବାଶୀଷ ନାୟକଙ୍କ ଭଳି ବହୁ ପୁରୁଖା ବିଜେଡି ନେତାଙ୍କୁ ହତାଦର କରିବାରୁ ସେମାନେ ଦଳ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ।

ଏବେ ନିର୍ବାଚନ ପରେ ମଧ୍ୟ ପାଣ୍ଡିଆନ ଦଳରେ ଆମଦାନୀ ନେତାଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ରବିନ୍ଦ୍ର ଜେନା, ଅମର ଶତପଥୀ, ଲତିକା ପ୍ରଧାନ, ଶ୍ରୀମୟୀ ମିଶ୍ରଙ୍କ ଭଳି ଦଳ ସହ ଜଡ଼ିତ ପୁରୁଖାଙ୍କୁ ହତାଦର କରିବାରେ ଲାଗିଛନ୍ତି । ଯଥାକ୍ରମେ ଲେଖାଶ୍ରୀ ସାମନ୍ତସିଂହାର, ବର୍ଷା ପ୍ରିୟଦର୍ଶିନୀ, ରଞ୍ଜିତା ସାହୁ ଓ ମନ୍ମଥ ରାଉତରାୟଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ଦଳର ଏହି ପୁରୁଖାମାନଙ୍କୁ ହତାଦର କରାଯାଇଥିବା ନିକଟ ଅତୀତରେ ଦେଖିବାକୁ ମିଳିଛି ।

କେବଳ ଏହି ନେତାମାନେ ନୁହଁନ୍ତି, ଦଳର ଯେଉଁ କିଛି ନେତା ପରୋକ୍ଷ ଅବା ପ୍ରତ୍ୟକ୍ଷ ଭାବେ ପାଣ୍ଡିଆନ ଓ ତାଙ୍କ ଟିମ୍ ସଦସ୍ୟଙ୍କ ନେତାଗିରିକୁ ବିରୋଧ କରିଥିଲେ ନିର୍ବାଚନରେ ଦଳର ପରାଜୟ ପରେ ମଧ୍ୟ ଏବେ ସେମାନଙ୍କୁ ମ୍ୟାନେଜ୍ ନଚେତ୍ କୋଣଠେସା କରି ରଖାଯାଇଛି । ଏହି ତାଲିକାରେ ଦଳର ୫୦ରୁ ଅଧିକ ଆଗଧାଡ଼ିର ନେତା ରହିଥିବା ଜଣାପଡ଼ିଛି । ତେବେ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କୁ ଖୋଲାଖୋଲି ନେତା ସ୍ୱୀକାର କରି ତାଙ୍କର ସଭା ଓ ରୋଡଶୋ’ ପାଇଁ ଟେଣ୍ଟ ବାନ୍ଧୁଥିବା ନେତାମାନେ ଏବେ ପାଣ୍ଡିଆନ ଆମର ନେତା ନୁହଁନ୍ତି ବୋଲି କହି ନିଜର ଚାଟୁକାରିତାର ପ୍ରମାଣ ଦେବାରେ ଲାଗିଛନ୍ତି ।

ତେଣୁ ପ୍ରଶ୍ନ ଉଠୁଛି, ଯଦି ବିଜେଡି ସତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ହେଉଛି ତା’ହେଲେ କ’ଣ ଦଳର ପୁରୁଖା ନେତାମାନଙ୍କୁ ହତାଦର ଓ ଅସମ୍ମାନ କରିବା ଭଳି ମତ-ମନ୍ତବ୍ୟ ଦେବା ପାଇଁ ନବୀନ ନିଜେ ନିର୍ଦ୍ଦେଶ ଦେଉଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ୟାରୀମୋହନ ମହାପାତ୍ର ଓ ପରେ ପାଣ୍ଡିଆନଙ୍କ ମାଧ୍ୟମରେ ଦଳକୁ ପରିଚାଳନା କରୁଥିବା ନବୀନ ନିଜେ ଶାସନଗାଦିରୁ ହଟିବା ପରେ ଏବେ ସଂଗଠନକୁ ନେତୃତ୍ୱ ଦେବା ତାଙ୍କ ପାଇଁ କାଠିକର ପାଠ ହେଲାଣି ।  ନିଜର ରାଜନୀତିକ ଚିତ୍ର ଚରିତ୍ରକୁ ଏକ ରହସ୍ୟମୟ ଖୋଳପା ଭିତରେ ରଖି ନବୀନ ଯେଉଁ ଗୋଟିଚାଳନା କରୁଛନ୍ତି ତାହା ଧୀରେଧୀରେ ରାଜ୍ୟବାସୀଙ୍କ ସାମ୍ନାକୁ ଆସିବାରେ ଲାଗିଲାଣି । ଆଉ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟ ସେହି ପରିମାଣରେ ବଢ଼ିବାରେ ଲାଗିଛି, ନିକଟ ଭବିଷ୍ୟତରେ ଯେଉଁଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ବି କ୍ଷୀଣ ବୋଲି ଚର୍ଚ୍ଚା ହେଉଛି ।

Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe