ମହଙ୍ଗା ପଡ଼ୁଛି ପାଣ୍ଡିଆନ-ବବିଙ୍କ ମାମଲାତି, ବିଜେଡିରେ ଉପୁଜିଲାଣି ‘ଗୃହଯୁଦ୍ଧ’ ଭଳି ପରିସ୍ଥିତି

ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ଫଳାଫଳ ବିପର୍ଯ୍ୟୟ ପରଠୁ ବିଜେଡି ମୁରବୀବିହୀନ ହୋଇପଡ଼ିଛି । ଦଳକୁ ଶୃଙ୍ଖଳିତ ଓ ନିୟନ୍ତ୍ରିତ କରି ରଖିବା ପାଇଁ  ସେଭଳି ଆଖିଦୃଶିଆ ପ୍ରୟାସ ହେଉନି କିମ୍ବା କେହି କାହାରିକୁ ମାନିବା ସ୍ଥିତିରେ ମଧ୍ୟ ନାହାନ୍ତି ।

ପାଣ୍ଡିଆନ ଓ ବବି (ଫାଇଲ ଫଟୋ)

  • Published: Thursday, 10 October 2024
  • , Updated: 10 October 2024, 10:13 PM IST

ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରଠୁ ଦଳରେ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀକନ୍ଦଳ । ଦିନ ଗଡ଼ୁଥିଲେ ମଧ୍ୟ ଦଳରେ କନ୍ଦଳ ଥମିବାର ନାଁ ନେଉନି । ସେହି ପୁରୁଣା ଫର୍ମାଟରେ ଏବେବି ଦଳକୁ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ(ବବି) ପରଦା ପଛରେ ରହି ପ୍ରତ୍ୟକ୍ଷ ନିୟନ୍ତ୍ରଣ କରୁଥିବାରୁ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବତା ଓ ନିର୍ଭରଶୀଳତା ଯୋଗୁ ପାଣ୍ଡିଆନ ଓ ବବି ପୂର୍ବଭଳି ମାମଲାତି ଜାରି ରଖିବା ଦଳକୁ ଏବେ ବାରୁଦଗଦା ଉପରେ ଛିଡ଼ା କରାଇ ଦେଇଛି । ଶଙ୍ଖଭବନରେ ଦଳର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ବିଭିନ୍ନ ଜିଲ୍ଲାରେ ଦଳର ଜନସମ୍ପର୍କ ପଦଯାତ୍ରା ଓ ଏବେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମବେଳେ ଏହି କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଆଉ ଏହି ଗୋଳିଆ ପାଣିରୁ ଫାଇଦା ଉଠାଇ ନିଜର ନେତାଗିରି ଓ ପତିଆରା ଦେଖାଇବାକୁ ‘ପାଣ୍ଡିଆନ-ବବି ଯୋଡ଼ି’ ଏବେ ‘ଏଘରେ ମାଉସୀ ସେଘରେ ପିଉସୀ’ ଭୂମିକାରେ ଅବତୀର୍ଣ୍ଣ ହୋଇ ଅଧିକାଂଶ ସ୍ଥାନରେ ଗୋଷ୍ଠୀକନ୍ଦଳକୁ ଉସକାଇବା ସହ ବିଜେଡିକୁ ବିଭାଜନ ଆଡ଼କୁ ଟାଣି ନେଉଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ଫଳାଫଳ ବିପର୍ଯ୍ୟୟ ପରଠୁ ବିଜେଡି ମୁରବୀବିହୀନ ହୋଇପଡ଼ିଛି । ଦଳକୁ ଶୃଙ୍ଖଳିତ ଓ ନିୟନ୍ତ୍ରିତ କରି ରଖିବା ପାଇଁ  ସେଭଳି ଆଖିଦୃଶିଆ ପ୍ରୟାସ ହେଉନି କିମ୍ବା କେହି କାହାରିକୁ ମାନିବା ସ୍ଥିତିରେ ମଧ୍ୟ ନାହାନ୍ତି । ନବୀନ ପଟ୍ଟନାୟକ ଦଳର ନେତା ଅଛନ୍ତି ସତ କିନ୍ତୁ ସେ ପୂର୍ବଭଳି ପାଣ୍ଡିଆନଙ୍କ ହାତକଣ୍ଢେଇ ଭଳି ରହିଥିବାରୁ ବିଜେଡି ନେତାମାନଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି । ଧର୍ମକୁ ଆଖିଠାର ମାରିବା ଭଳି ସଂଗଠନକୁ ପରିଚାଳନା କରିବା ପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ସମନ୍ୱୟ କମିଟି ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଉପଦେଷ୍ଟା କମିଟି ଗଢ଼ା ହୋଇଛି । ମାତ୍ର ବାସ୍ତବପକ୍ଷେ ପାଣ୍ଡିଆନ ହିଁ ନବୀନ ନିବାସରୁ ରହି ନିଜର ଖାସ୍ ଅନୁଗତ ବବିଙ୍କ ମାଧ୍ୟମରେ ଦଳକୁ ଖୋଲାଖୋଲି ନିୟନ୍ତ୍ରଣ କରୁଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଯେଉଁ ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷୀ ଓ ବବିଙ୍କ ମାମଲାତି ପାଇଁ ବିଜେଡିର ୨୪ବର୍ଷର ଶାସନର ଅନ୍ତ ହେଲା ଏବେ ସେହି ଦୁଇଜଣ ଦଳରେ ବିଶୃଙ୍ଖଳା ଭିଆଇ ନିଜର ଗୁରୁତ୍ୱ ବଢ଼ାଇବାକୁ ଚାହୁଁଥିବା ଜଣାପଡ଼ିଛି । ନିକଟ ଅତୀତର କିଛି ଘଟଣାକ୍ରମ ଦେଖିଲେ ଯେକେହି ସହଜରେ ଅନୁମେୟ କରିପାରିବ ବୋଲି ବିଜେଡି ମହଲରେ ଚର୍ଚ୍ଚା ।

୧- ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ମୁଖ୍ୟାଳୟ ବିଧାୟକ ଅବା ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ ପାଣ୍ଠି ବାଂଟିବାବେଳେ  ବବି ନିଜର ପତିଆରା ଦେଖାଇଛନ୍ତି ଆଉ ଦେବୀ ମିଶ୍ରଙ୍କ ଅସହାୟତା ପଦାରେ ପଡ଼ିଛି । ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ପାଇଁ ଦଳର ନେତାମାନେ ଅନିଚ୍ଛା ସତ୍ତ୍ୱେ ବବିଙ୍କ ଘରକୁ ଯାଇ ଏହି ପାଣ୍ଠି ଆଣିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି । ବବି କୌଣସି ପଦପଦବୀରେ ନଥିଲେ ମଧ୍ୟ ତାଙ୍କ ମାଧ୍ୟମରେ କାହିଁକି ପାଣ୍ଠି ବଂଟନ କରାଗଲା ତା’ର ଉତ୍ତର ମଧ୍ୟ ଦଳୀୟ ନେତାମାନଙ୍କ ପାଖେ ନାହିଁ ।

୨- ଭୁବନେଶ୍ୱରଠୁ ବଡ଼ଚଣା ପର୍ଯ୍ୟନ୍ତ ସବୁଠି ବବି ହିଁ ଦଳରେ ଅସ୍ଥିରତା ସୃଷ୍ଟି କରିବା କାର୍ଯ୍ୟ କରୁଥିବା ସ୍ପଷ୍ଟ ହେବାରେ ଲାଗିଛି । ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଏସବୁ ବିଶୃଙ୍ଖଳା ଦଳରେ ଚାଲିଛି । ବଡ଼ଚଣାରେ ବରିଷ୍ଠ ନେତା ଅମର ଶତପଥୀଙ୍କୁ କୋଣଠେସା କରି ରାଜନୀତିର ‘ର’ ଅକ୍ଷର ଜାଣିନଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଦଳର ଜନସମ୍ପର୍କ ପଦଯାତ୍ରା କରିବା ପଛରେ ବବିଙ୍କ ମନ୍ଦବୁଦ୍ଧି ଓ ବାଧ୍ୟବାଧକତା ରହିଥିବା ଜଣାପଡ଼ିଛି । ଅଦୃଶ୍ୟ କାରଣରୁ ବର୍ଷାଙ୍କୁ ଅଭିନେତ୍ରୀରୁ ନେତ୍ରୀ କରିବା ପାଇଁ ବିଜେଡି ଟିକେଟ୍ ଧରାଇଥିବା ବବି ଓ ପାଣ୍ଡିଆନ ଏବେବି ନିଜର ଗୁମର ପଦାରେ ପଡ଼ିବା ଭୟରେ ତାଙ୍କୁ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ହେଉଛି । ସେହିପରି ଭୁବନେଶ୍ୱର ସଂଗଠନରେ ଦଳର ବରିଷ୍ଠ ନେତା ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଖୋଲାଖୋଲି ଗଣମାଧ୍ୟମରେ ବିରୋଧ କରୁଥିବା ଦୁଇ କର୍ପୋରେଟର ଅମରେଶ ଜେନା(ବାଇଁଆ) ଓ ବିରଂଚି ନାରାୟଣ ମହାସୁପକାର(ଲିଟୁ)ଙ୍କୁ ନିଜର ରାଜନୀତିକ ଫାଇଦା ପାଇଁ ପାଣ୍ଡିଆନ ଓ ବବି ହିଁ ସୁରକ୍ଷା ଦେଉଥିବା କୁହାଯାଉଛି । ଯେଉଁଥିପାଇଁ ଏହି ଦୁଇଜଣଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିଜେଡି ନେତୃତ୍ୱ ଅସହାୟ ହୋଇପଡ଼ିଛି । ଆଉ ଉଭୟଙ୍କୁ ଜିଲ୍ଲା ସଭାପତିଙ୍କ ଦ୍ୱାରା କାରଣଦର୍ଶାଅ ନୋଟିସ ଜାରି ହୋଇଛି । ଏପରିକି ନୋଟିସ୍ ଅବଧି ମଧ୍ୟରେ ବାଇଁଆ କିଭଳି ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଓ ସେଥିପାଇଁ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ବବି-ପାଣ୍ଡିଆନ ଯୋଡ଼ି ଏଭଳି କରି କନ୍ଦଳକୁ ତୀବ୍ର କରାଇବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

୩- ବିଜେଡିରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣିବାରେ ଲାଗିଛନ୍ତି । ପାଣ୍ଡିଆନଙ୍କ ଛତ୍ରଛାୟାରେ ବବିଙ୍କ ମାମଲାତିକୁ ଦଳର ବୃହତ୍ ଯୁବ ଓ ଛାତ୍ରଗୋଷ୍ଠୀ ସହଜରେ ହଜମ କରିପାରୁନି । ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି କଂଗ୍ରେସରୁ ବହିଷ୍କୃତ ସୁର ରାଉତରାୟ ନିୟମିତ ଭାବେ ଅଶାଳୀନ ଓ ଅରୁଚିକର ଟିପ୍ପଣୀ ଦେଉଥିଲେ ବି ବିଜେଡି ଚୁପ୍ ରହିଛି । ମହିଳା ସଶକ୍ତିକରଣ ଓ ସମ୍ମାନ କଥା କହୁଥିବା ବିଜେଡି ଏପର୍ଯ୍ୟନ୍ତ ନିଜ ଦଳର ନେତ୍ରୀଙ୍କ ସପକ୍ଷରେ ପଦୁଟିଏ ମୁହଁ ଖୋଲିବାକୁ ସକ୍ଷମ ହୋଇନି । ନିର୍ବାଚନବେଳେ ଯେଉଁ କବାଟକିଳା ଆଲୋଚନା ମାଧ୍ୟମରେ ସୁରଙ୍କ ପୁଅକୁ ବିଜେଡି ରାତରାତି ଦଳରେ ମିଶାଇ ଟିକେଟ୍ ଦେଇଥିଲା ଏବେ ସେହି ଗୁମର କାଳେ ପଦାରେ ପଡ଼ିଯିବ ସେହି ଭୟରେ ବବି-ପାଣ୍ଡିଆନ ଯୋଡ଼ି ‘ଶ୍ରୀମୟୀ’ଙ୍କ ପ୍ରତି ଗଣମାଧ୍ୟମରେ ସୁର ଦେଉଥିବା ଅଶାଳୀନ ମନ୍ତବ୍ୟକୁ ବିଜେଡି ହଜମ କରିବାକୁ ବାଧ୍ୟ ହେଉଛି ବୋଲି ଚର୍ଚ୍ଚା ।

୪- ବିଜେଡି ଶାସନକାଳରେ ବହୁ ପ୍ରକାରର କେଳେଙ୍କାରୀ ଓ ଅନିୟମିତତାରେ ସମ୍ପୃକ୍ତ ଥିବାର ଅଭିଯୋଗ ପାଣ୍ଡିଆନ ଓ ବବିଙ୍କ ବିରୁଦ୍ଧରେ ରହିଛି । ରାଜ୍ୟର ବିଜେପି ସରକାର ଏସବୁ ଖୋଳତାଡ଼ କଲେ ଉଭୟଙ୍କ ପ୍ରତି ବିପଦ ଅଛି । ତେଣୁ ସେମାନେ ବିଜେଡିକୁ ବିଭାଜନ କରି ବିଜେପିକୁ ସୁହାଇବା ଭଳି ରାଜନୀତି କରିବାକୁ ଚାହୁଁଥିବା ଚର୍ଚ୍ଚା । ଯେଉଁଥିପାଇଁ ଅନୁଗୁଳ ଓ କଟକରେ ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଖୋଲାଖୋଲି ଦଳୀୟ ନେତାମାନେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । କଟକ ସଦର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ବିଜେଡିକୁ ତଳିତଳାନ୍ତ କରିବାକୁ ପ୍ରୟାସ ହେଉଥିବା ଓ ତାଙ୍କୁ ହରାଇବାକୁ ଦଳର ଏହି ତଥାକଥିତ ମୁଣ୍ଡିଆଳ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବା ସେ କହିବାକୁ ପଛାଇନଥିଲେ । ପ୍ରାୟତଃ ସବୁ ଜିଲ୍ଲାରେ ବିଜେଡି ସଂଗଠନରେ ତୀବ୍ର କନ୍ଦଳ ଲାଗିଛି ଓ ନେତାମାନେ ଯୁଦ୍ଧଦେହିଂ ଡାକରା ଦେଉଛନ୍ତି । ମାତ୍ର ସେସବୁ ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପରିବର୍ତ୍ତେ ପାଣ୍ଡିଆନଙ୍କ ଇଙ୍ଗିତରେ ବବି ସମାନ୍ତରାଳ ଗୋଷ୍ଠୀ କରି ଏସବୁ କନ୍ଦଳକୁ ଉସକାଉଥିବା ଚର୍ଚ୍ଚା ହେଉଛି ।

୫- କୋଟିଏ ସଦସ୍ୟଙ୍କ ଦଳ ବିଜେଡିର ବିପର୍ଯ୍ୟୟର କାରଣ ସାଜିଥିବା ପାଣ୍ଡିଆନ ଓ ବବିଙ୍କ ମାମଲାତି ଏବେ ମହଙ୍ଗା ପଡ଼ୁଥିଲେ ମଧ୍ୟ ଆଗଧାଡ଼ିର ନେତାମାନେ କିଭଳି ସେସବୁକୁ ହଜମ କରୁଥିବାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୯୯୭ ମସିହାରୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦିନରାତି ପରିଶ୍ରମ କରିଥିବା ନେତାମାନେ କାହିଁକି ପାଣ୍ଡିଆନଙ୍କ ଆଗରେ ବିବଶ ହୋଇ ବବିଙ୍କ ମାମଲାତିକୁ ମୁଣ୍ଡ ପୋତି ସହୁଛନ୍ତି ତଥା ଦଳକୁ ବିଭାଜନ ଆଡ଼କୁ ଯିବାକୁ ଦେଉଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ । ଉପରକୁ ସାମାନ୍ୟ କେଁ -କାଁ ଦେଖାଯାଉଥିବା ବିଜେଡି କନ୍ଦଳ ଇତିମଧ୍ୟରେ ଗୃହଯୁଦ୍ଧର ପରିସ୍ଥିତିର ରୂପ ନେଇସାରିଲାଣି ଓ ଦଳକୁ ବିଭାଜନ ଆଡ଼କୁ ଟାଣି ନେଉଛି । କୁରୁବଂଶ ଧ୍ୱଂସ ଭଳି ବିଜେଡିରେ ବଢ଼ୁଥିବା ଗୃହଯୁଦ୍ଧ ଦଳୀୟ ସଂଗଠନକୁ ଦୁର୍ବଳ କରାଉଛି । ଆଉ ଦଳର ଏହି ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ନବୀନ ଓ ତାଙ୍କ ମାଷ୍ଟରଟ୍ରେନର ପାଣ୍ଡିଆନ ସବୁଜାଣି ମଧ୍ୟ ନିରବ ରହିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି ।

Related story