Advertisment

ନବୀନଙ୍କୁ ରଥଯାତ୍ରାକୁ ନିମନ୍ତ୍ରଣ: ଚାଲିଛି ପତିଆରା ଲଢ଼େଇ,ସାଂସଦ ଆସିଲେ, ଦୂରେଇ ରହିଲେ ବିଧାୟକ

ପୁରୀ ବିଜେଡିରେ ଚାଲିଥିବା ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ମଧ୍ୟରେ ସାଂସଦ ଶୁଭାଶୀଷ ଖୁଂଟିଆ ନିଜର ପତିଆରା ଦେଖାଇବା ପାଇଁ ମହାପ୍ରଭୁଙ୍କ ରଥଯାତ୍ରାକୁ ଆୟୁଧ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

author-image
Ordigital Desk
Naveen Patnaik

Naveen Patnaik

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀରୁ ସେବାୟତମାନଙ୍କ ଏକ ପ୍ରତିନିଧି ଦଳ ମଙ୍ଗଳବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ନିମନ୍ତ୍ରଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଂଟିଆ ଓ ଅନ୍ୟ କିଛି ସେବାୟତ ନବୀନ ନିବାସ ଆସି ନବୀନଙ୍କୁ ଭେଟି ନିଜର ପତିଆରା ଜାହିର କରିଥିବାବେଳେ ଦଳୀୟ ବିଧାୟକ ସୁନୀଲ ମହାନ୍ତି ଅନୁପସ୍ଥିତ ରହିଥିଲେ । ତେବେ ନବୀନଙ୍କୁ ବିଗତ ଦୁଇବର୍ଷ ଧରି ଶୁଭାଶୀଷଙ୍କ ନେତୃତ୍ୱରେ ନିମନ୍ତ୍ରଣ କରାଯିବା ଓ ଦଳ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ପ୍ରେସ୍ ରିଲିଜ୍ ହିଁ ମହାପ୍ରଭୁଙ୍କୁ ନେଇ ବିଜେଡିର ହୀନ ରାଜନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାରେ ଲାଗିଛି ।

Advertisment

କେବଳ ନବୀନଙ୍କୁ ନିମନ୍ତ୍ରଣ, ୟେ କ’ଣ ନୂଆ ପରମ୍ପରା କି?

ବିଜେଡିର ପ୍ରେସ୍ ରିଲିଜ୍ ଅନୁସାରେ “ ପୁରୀ ଛତିଶା ନିଯୋଗ ସେବାୟତମାନଙ୍କ ଏକ ପ୍ରତିନିଧି ଦଳ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟି ରଥଯାତ୍ରାକୁ ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଶ୍ରୀମନ୍ଦିର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଶ୍ରୀ ପଟ୍ଟନାୟକ ସେବାୟତମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି  ସାକ୍ଷାତ ସମୟରେ ବିଜେଡି ସାଇନା ଖୁଂଟିଆ, ଗୌରହରି ପ୍ରଧାନ, ଲୋକନାଥ ମହାସୁଆର, ରବିଶଙ୍କର ପଢିଆରୀ, କାଶୀନାଥ ମହାସୁଆର, ଦାମୋଦର ପ୍ରତିହାରୀ, ହରିଆ ସୁଆର, ଅସିତ୍ ମେକାପ, କୃଷ୍ଣଚନ୍ଦ୍ର ଗୋଚ୍ଛିକାର ଓ ଜମେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ପ୍ରେସ୍ ରିଲିଜରେ ଦର୍ଶାଯାଇଛି । ଗତବର୍ଷ ରଥଯାତ୍ରା ପାଇଁ ମଧ୍ୟ ଶୁଭାଶୀଷଙ୍କ ନେତୃତ୍ୱରେ ସେବାୟତମାନଙ୍କ ଏକ ପ୍ରତିନିଧି ଦଳ ନବୀନ ନିବାସ ଆସି ନବୀନଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ନବୀନ ରଥଯାତ୍ରାରେ ସାମିଲ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଅନ୍ୟ ପ୍ରମୁଖ ରାଜନୀତିକ ଦଳର ନେତୃତ୍ୱ ଥିଲେ ମଧ୍ୟ ସେମାନଙ୍କୁ ଭେଟି ରଥଯାତ୍ରା ପାଇଁ ସେବାୟତଙ୍କ ପ୍ରତିନିଧି ଦଳମାନେ ନିମନ୍ତ୍ରଣ ଦେବା ଦେଖିବାକୁ ମିଳୁନି । ଏପରିକି ନବୀନ ସରକାର ଥିବାବେଳେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ରଥଯାତ୍ରାକୁ ଯିବା ପାଇଁ ସେବାୟତମାନଙ୍କ ପ୍ରତିନିଧି ଦଳ ନିମନ୍ତ୍ରଣ କରିବାର  ନଜିର ମଧ୍ୟ ନାହିଁ ।

ପୁରୀ ବିଜେଡିରେ ପତିଆରା ଲଢ଼େଇ, ବିଧାୟକଙ୍କୁ କୋଣଠେସା

ପୁରୀ ବିଜେଡିରେ ଚାଲିଥିବା ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ମଧ୍ୟରେ ସାଂସଦ ଶୁଭାଶୀଷ ଖୁଂଟିଆ ନିଜର ପତିଆରା ଦେଖାଇବା ପାଇଁ ମହାପ୍ରଭୁଙ୍କ ରଥଯାତ୍ରାକୁ ଆୟୁଧ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ପୁରୀରେ ଦଳୀୟ ବିଧାୟକ ସୁନୀଲ ମହାନ୍ତି ଥିବା ସତ୍ତ୍ୱେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା ପାଇଁ ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ ଦେବାକୁ ଆସିଥିବା ପ୍ରତିନିଧି ଦଳରେ ସେ ଅନୁପସ୍ଥିତ ରହିବା ପୁରୀ ବିଜେଡିରେ ସବୁକିଛି ଠିକଠାକ୍ ନଥିବା ସ୍ପଷ୍ଟ ହୋଇଛି । ପୂର୍ବରୁ ପ୍ରତାପ ଦେବଙ୍କ ଘରେ ପୁରୀ ବିଜେଡିର ଏକ ବୈଠକ ବସିବାକୁ ନେଇ ସୁନୀଲ ଗଣମାଧ୍ୟମରେ ମୁହଁ ଖୋଲି ନିଜର ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ସୁନୀଲଙ୍କୁ ସୁଚିନ୍ତିତ ଢଙ୍ଗରେ ଦଳରେ କୋଣଠେସା କରି ରଖିବା ଓ  ନିଜର ଅସ୍ତିତ୍ୱ ରକ୍ଷା ସହ ପତିଆରା ଦେଖାଇବା ନିମନ୍ତେ ଶୁଭାଶୀଷ ଆଗୁଆ ରଥଯାତ୍ରା ନିମନ୍ତ୍ରଣ ଦେବାକୁ ନବୀନ ନିବାସ ଆସିଥିଲେ ବୋଲି ଚର୍ଚ୍ଚା ହେଉଛି । ସୁନୀଲ ଓ ଶୁଭାଶୀଷ ମଧ୍ୟରେ ଚାଲିଥିବା ଛକାପଞ୍ଝାକୁ ନେଇ ଏବେ ପୁରୀରେ ଦଳୀୟ କର୍ମୀ ମହଲରେ ଅସନ୍ତୋଷ ଓ ଦ୍ୱନ୍ଦ୍ୱ ମଧ୍ୟ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି ।

Advertisment

ଶ୍ରୀମନ୍ଦିର ପ୍ରଶାସନର ଭୂମିକା ଉପରେ ଉଠିଲା ପ୍ରଶ୍ନ

ମହାପ୍ରଭୁଙ୍କ ରଥଯାତ୍ରାର କାର୍ଯ୍ୟସୂଚୀ ସଂକ୍ରାନ୍ତରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କୁ ଅବଗତ କରିବା ଏବଂ ନିମନ୍ତ୍ରଣ ଦେବା ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱ ଓ ପରମ୍ପରା ମଧ୍ୟ । ଏହାବ୍ୟତୀତ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ସମେତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଭିଭିଆଇପିମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିମନ୍ତ୍ରଣ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ସମ୍ପୃକ୍ତ ଭିଭିଆଇପିଙ୍କ ସୁରକ୍ଷା ମଧ୍ୟ ତଦାରଖ ହୁଏ । କିନ୍ତୁ ମନ୍ଦିରର ସେବାୟତମାନେ ବ୍ୟକ୍ତିଗତ ଭାବେ ଭିଭିଆଇପିଙ୍କୁ ନିମନ୍ତ୍ରଣ ଦେବା ଏକ ନୂଆ ପରମ୍ପରାକୁ ଜନ୍ମ ଦେଇଛି । ଶ୍ରୀମନ୍ଦିର ପ୍ରଶାସନର ଜାଣତରେ ଭିଭିଆଇପିଙ୍କୁ ନିମନ୍ତ୍ରଣ ଦିଆଯାଉଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଯଦି ସେବାୟତମାନେ ଏଭଳି ମନମୁଖୀ ଭାବେ ଭିଭିଆଇପିଙ୍କୁ ନିମନ୍ତ୍ରଣ କରିବେ ତା’ହେଲେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ରଥଯାତ୍ରାରେ ସମସ୍ୟା ଉପୁଜିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ରଥଯାତ୍ରା ଭଳି ଏକ ପବିତ୍ର ଉତ୍ସବକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଥିବା ସାଧାରଣରେ ଦାବି ହୋଇଛି ।

କ’ଣ କହୁଛନ୍ତି ସେବାୟତ

ତେବେ ଏ ସମ୍ପର୍କରେ ‘ପ୍ରତିହାରୀ ନିଯୋଗ’ର ବରିଷ୍ଠ ସେବାୟତ ଇପସିତ ପ୍ରତିହାରୀ କହିଛନ୍ତି ଯେ,“ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଉତ୍ସବ ହୋଇଥିବାବେଳେ ଏହାର ପବିତ୍ରତା ଓ ଶୃଙ୍ଖଳାକୁ ଅକ୍ଷୂଣ୍ଣ ରଖିବା ସମସ୍ତଙ୍କର ଦାୟିତ୍ୱ । ରଥଯାତ୍ରାକୁ ସେବାୟତମାନେ ବିଭିନ୍ନ ବର୍ଗର ଲୋକଙ୍କୁ ନିମନ୍ତ୍ରଣ କରିଥାନ୍ତି । ବିଜେଡି ସମର୍ଥିତ କିଛି ସେବାୟତ ନବୀନ ନିବାସ ଯାଇ ତାଙ୍କ ନେତାଙ୍କୁ ରଥଯାତ୍ରାକୁ ନିମନ୍ତ୍ରଣ କରଛନ୍ତି । ଏଥିରେ ଅନ୍ୟମାନେ ବ୍ୟଥିତ ହେବାର ଆବଶ୍ୟକତା ନାହିଁ । କିନ୍ତୁ ସମ୍ପୂର୍ଣ୍ଣ ସେବାୟତଙ୍କ ପ୍ରତିନିଧି ବା ‘ଛତିଶା ନିଯୋଗ’ଙ୍କ ପ୍ରତିନିଧିମାନେ ନିମନ୍ତ୍ରଣ କରିଛନ୍ତି ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ । ନବୀନ ନିବାସ ଯାଇଥିବା ସେବାୟତମାନେ ମହାପ୍ରଭୁଙ୍କ ସେବାୟତ ସମୁଦାୟ ମଧ୍ୟରୁ କିଛି ସେବାୟତ ପରିବାରର ସଦସ୍ୟ ହୋଇଥାଇପାରନ୍ତି କିନ୍ତୁ ସେମାନେ ଛତିଶା ନିଯୋଗର ପ୍ରତିନିଧି ନୁହଁନ୍ତି । ରଥଯାତ୍ରାକୁ ନେଇ ଏଭଳି କାର୍ଯ୍ୟ କରାଯିବା ଉଚିତ୍ ନୁହେଁ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି ।”

BjD Naveen Patnaik Puri Ratha Yatra