Advertisment

ରାଜ୍ୟରେ ବିପର୍ଯ୍ୟସ୍ତ ହେଲାଣି ଆଇପିଏସ୍ କ୍ୟାଡ଼ର: ବିବାଦୀୟଙ୍କୁ କ୍ଲିନଚିଟ୍‌, ଦକ୍ଷ ଅଫିସରଙ୍କ ଉପରେ ଆକ୍ରୋଶର ଛାଟ

ରାଜ୍ୟରେ ମୋଟ ୧୯୫ଟି ସ୍ୱୀକୃତିପ୍ରାପ୍ତ ଆଇପିଏସ୍ ପଦବୀ ଥିବାବେଳେ ସେଥିରୁ ୫୫ଟି ପଦୋନ୍ନତିଭିତ୍ତିକ ପଦବୀ ଦୀର୍ଘବର୍ଷ ଧରି ଖାଲି ରହିଛି ।

author-image
Ordigital Desk
Odisha Police DG

Odisha Police DG

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ କ୍ରମାଗତ ଅବନତି ଓ ଆଇପିଏସ୍ ଅଫିସରଙ୍କ ଉତ୍କଟ ଅଭାବ ମଧ୍ୟରେ ରାଜ୍ୟ ସରକାରଙ୍କ ଆଇପିଏସ୍ କ୍ୟାଡ଼ର ମ୍ୟାନେଜମେଂଟର ବିକଟାଳ ଚିତ୍ର ପଦାକୁ ଆସିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଓ ପୁଳାପୁଳା ଅଭିଯୋଗ ଥିବା ବିବାଦୀୟ ଆଇପିଏସ୍ ଅଫିସରମାନଙ୍କ ବିରୁଦ୍ଧରେ ୧୫ମାସ ପରେ ବି କାର୍ଯ୍ୟାନୁଷ୍ଠାନ ନେଇପାରିନଥିବା ରାଜ୍ୟ ସରକାର ଓଲଟା ଦକ୍ଷ ଅଫିସରମାନଙ୍କ ଉପରେ ବିଭିନ୍ନ କାରଣରୁ ଆକ୍ରୋଶର ଛାଟ ମାରିବାରେ ଲାଗିଥିବା ପାୱାର କରିଡ଼ରରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାର, ଗୃହ ସଚିବ ଓ ପୁଲିସ ଡିଜିଙ୍କ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁ ଦକ୍ଷ ଆଇପିଏସ୍ ଅଫିସରମାନେ ଉପଯୁକ୍ତ ସେବା ଯୋଗାଇବାରେ ବିଫଳ ହୋଇଥିବା ଜଣାପଡ଼ିଛି ।

Advertisment

କାହିଁକି ବିପର୍ଯ୍ୟସ୍ତ ଆଇପିଏସ୍ କ୍ୟାଡ଼ର ମ୍ୟାନେଜମେଂଟ

ରାଜ୍ୟରେ ମୋଟ ୧୯୫ଟି ସ୍ୱୀକୃତିପ୍ରାପ୍ତ ଆଇପିଏସ୍ ପଦବୀ ଥିବାବେଳେ ସେଥିରୁ ୫୫ଟି ପଦୋନ୍ନତିଭିତ୍ତିକ ପଦବୀ ଦୀର୍ଘବର୍ଷ ଧରି ଖାଲି ରହିଛି । ବାକି ଆଇପିଏସ୍ ପଦବୀ ମଧ୍ୟରୁ ଏବେ ଓଡ଼ିଶା କ୍ୟାଡ଼ରରେ ମୋଟ ୧୨୯ଜଣ ଆଇପିଏସ୍ ଅଫିସର ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୭ଜଣ ଅର୍ଥାତ୍ ୨୦୨୧ ବ୍ୟାଚର ୨ଜଣ ଆଇପିଏସଙ୍କ ସମେତ ମୋଟ ୮ଜଣ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣରେ ଓ ୯ଜଣ ହାଇଦ୍ରାବାଦସ୍ଥିତ ପୁଲିସ ଏକାଡେମୀରେ ପ୍ରଶିକ୍ଷଣରେ ଅଛନ୍ତି । ବାକି ୧୧୨ଜଣ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୨୮ଜଣ ଆଇପିଏସ୍ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଅନ୍ୟ ଦୁଇଜଣ

୧୯୯୮ ବ୍ୟାଚ୍ ଆଇପିଏସ୍ ଏନବି ଭାରତୀ ଦୀର୍ଘ ୯ବର୍ଷ ଧରି ବେଆଇନ ଭାବେ ଛୁଟିରେ ରହିଥିବାବେଳେ ୨୦୦୭ ବ୍ୟାଚର ଆଇପିଏସ୍ ପଣ୍ଡିତ ପଣ୍ଡିତ ରାଜେଶ ଉତ୍ତମରାଓ ୧୪ମାସ ଧରି ନିଲମ୍ବିତ ଅଛନ୍ତି । ଅନ୍ୟ ୩ଜଣ ଆଇପିଏସ୍ ରୀତୁ ଅରୋରା, ଦୀପ୍ତେଶ ପଟ୍ଟନାୟକ ଓ ଅମିତାଭ ଠାକୁର ଏବେ ଅଣପୁଲିସ ସେବାରେ ନିୟୋଜିତ ଅଛନ୍ତି ।

Advertisment

ରାଜ୍ୟରେ ଏବେ ପୁଲିସ ସେବାରେ ମୋଟ ୭୯ଜଣ ଆଇପିଏସ୍ କାର୍ଯ୍ୟରତ ଅଛନ୍ତି ସେମାନଙ୍କ ମଧ୍ୟରୁ ୭୬ଜଣ ସିନିୟର ଡ୍ୟୁଟି ଲେଭଲ ଅଫିସର ପଦବୀରେ କାର୍ଯ୍ୟରତ । ଯଦିଓ ରାଜ୍ୟରେ ସିନିୟର ଡ୍ୟୁଟି ଲେଭଲ ଅଫିସର ପଦବୀ ୧୦୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ଏତେ ସଂଖ୍ୟକ ସିନିୟର ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ଏସବୁ ପୂରଣ ଦିଗରେ ବିଗତ ୧୫ମାସ ମଧ୍ୟରେ ସାମାନ୍ୟତମ ପ୍ରୟାସ କରିନଥିବା ଜଣାପଡ଼ିଛି ।

ପ୍ରବୀଣ କୁମାର ଓ ପଣ୍ଡିତ ରାଜେଶଙ୍କ ଉପରେ ଆକ୍ରୋଶର ଛାଟ

୨୦୦୨ ବ୍ୟାଚ୍ ଆଇପିଏସ୍ ଏସ. ପ୍ରବୀଣ କୁମାର ଓ ୨୦୦୭ ବ୍ୟାଚ୍ ଆଇପିଏସ୍ ପଣ୍ଡିତ ରାଜେଶଙ୍କ ଉପରେ ପ୍ରଶାସନିକ ଆକ୍ରୋଶର ଛାଟ ପଡ଼ିଛି । ଆଇଜି ର‌୍ୟାଙ୍କ ଅଫିସର୍ ପ୍ରବୀଣ କୁମାରଙ୍କୁ ବିଗତ ୬ମାସ ମଧ୍ୟରେ ୩ଥର ବଦଳିର ସମ୍ମୁଖୀନ ହେବାକୁ ପଡ଼ିଛି ।  କେବଳ ସେତିକି ନୁହେଁ ଏବେ ସେ ଆଇଜି(ପର୍ସେନାଲ) ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କୁ ସେଠାରେ ଅପମାନିତ କରିବା ଭଳି ଦାୟିତ୍ୱ ସବୁ ନ୍ୟସ୍ତ ହୋଇଛି । ତାଙ୍କଠୁ ୯ବର୍ଷ ଜୁନିୟର ଡିଆଇଜି(ପର୍ସେନାଲ) ୨୦୧୧ ବ୍ୟାଚର ଯୁଗଳ କିଶୋର ବାନୋଥଙ୍କୁ  ପୁଲିସ ଅଫିସରମାନଙ୍କ(ଏଏସଆଇ,ଏସଆଇ ଓ ଇନ୍ସପେକ୍ଟର) ଟ୍ରାନ୍ସଫର,ପୋଷ୍ଟିଂ, ପ୍ରମୋସନ, ଗ୍ରିଭାନ୍ସ ଓ ଅପିଲ ଆଦି(ପର୍ସେନାଲ-୧ ସେକ୍ସନ)ର ଦାୟିତ୍ୱ ନ୍ୟସ୍ତ ଥିବାବେଳେ ପ୍ରବୀଣଙ୍କୁ ସିପାହୀ ଓ କନେଷ୍ଟବଳଙ୍କ ଟ୍ରାନ୍ସଫର,ପୋଷ୍ଟିଂ ଓ ପ୍ରମୋସନ ଆଦି(ପର୍ସେନାଲ-୨ ସେକ୍ସନ)ଦାୟିତ୍ୱ ମିଳିଛି । ତା’ପୁଣି ନାଟକୀୟ ଢଙ୍ଗରେ । ରାଜ୍ୟ ସରକାର ଗତ ଅଗଷ୍ଟ ୨୧ତାରିଖରେ  ପ୍ରବୀଣଙ୍କୁ କେନ୍ଦ୍ରାଂଚଳ ଆଇଜି ପଦବୀରୁ ହଟାଇ ଆଇଜି(ପ୍ରୋଭିଜିନିଂ) ଭାବେ ବଦଳି କରିଥିଲେ । ତେବେ ୨ଦିନ ନପୁରୁଣୁ ସେହି ବଦଳି ନିର୍ଦ୍ଦେଶ ବାତିଲ କରି ତାଙ୍କୁ ଆଇଜି(ପର୍ସେନାଲ) ଭାବେ ନିଯୁକ୍ତି ଦିଆଗଲା । ଆଉ ପୁଲିସ ଡିଜି ୱାଇବି ଖୁରାନିଆ ଅଗଷ୍ଟ ୩୦ତାରିଖରେ ବରିଷ୍ଠ ଅଫିସରମାନଙ୍କ ମଧ୍ୟରେ ଡ୍ୟୁଟି ଆବଂଟନ କଲେ । ଯେଉଁଥିରେ ପ୍ରବୀଣଙ୍କୁ (ପର୍ସେନାଲ-୧ ସେକ୍ସନ) ଦାୟିତ୍ୱ ସହ ଅନ୍ୟାନ୍ୟ ଡ୍ୟୁଟି ନ୍ୟସ୍ତ କଲେ । କିନ୍ତୁ ମାତ୍ର ୨୪ଘଣ୍ଟା ନପୁରୁଣୁ ପୁଲିସ ଡିଜି ଶ୍ରୀ ଖୁରାନିଆ ପୁଣି ଏକ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରି ପ୍ରବୀଣଙ୍କଠୁ ‘ପର୍ସେନାଲ-୧ ସେକ୍ସନ’ କାଢ଼ି ନେଇ ତାଙ୍କଠୁ ଢ଼େର ଜୁନିୟର ଡିଆଇଜି ପାହ୍ୟାର ଯୁଗଳଙ୍କୁ ନ୍ୟସ୍ତ କରିଛନ୍ତି । ଯଦିଓ ଜାତୀୟ ତଦନ୍ତ ଏଜେନ୍ସୀରେ କାର୍ଯ୍ୟ କରି ୨୦୨୦ ମେ’ମାସରେ ଓଡ଼ିଶା ଫେରିବା ପରେ ପ୍ରବୀଣଙ୍କୁ ଆଇଜି ପର୍ସେନାଲ ଭାବେ ନିଯୁକ୍ତି ମିଳିଥିଲା । ସେବେଠୁ ସେହି ପଦବୀରେ କାର୍ଯ୍ୟ କରିଥିଲେ । ମଝିରେ କିଛିଦିନ ଆଇଜି ଆଇନଶୃଙ୍ଖଳା ଦାୟିତ୍ୱରେ ଥାଇ ମଧ୍ୟ ସେ ଆଇଜି ପର୍ସେନାଲ କାର୍ଯ୍ୟ ଜାରି ରଖିଥିଲେ । ୨୦୨୫ ଫେବୃୟାରୀ ୨୮ରେ ରାଜ୍ୟ ସରକାର ତାଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ବଦଳି କଲେ । ସେଠାରେ ୬ମାସ ନପୁରୁଣୁ ଅଗଷ୍ଟ ୨୧ରେ ଆଇଜି ପ୍ରୋଭଜନିଂକୁ ବଦଳି କଲେ । ପୁଣି ୨ଦିନ ନପୁରୁଣୁ ଆଇଜି ପର୍ସେନାଲକୁ ବଦଳି ହେଲେ । ଆଉ ପୁଲିସ ବିଭାଗର ପର୍ସେନାଲରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ଥାଇ ମଧ୍ୟ ତାଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କୁ କାହିଁକି ଏବେ ନିଜ ଜୁନିୟରଙ୍କ ପାଖରେ ଅପମାନିତ କରାଯାଉଛି ଓ ତାଙ୍କୁ କାହା ଆକ୍ରୋଶର ଶିକାର ହେବାକୁ ପଡ଼ିଛି ତାକୁ ନେଇ ପୁଲିସ ମହକୁମାରେ ଚର୍ଚ୍ଚା ।

ସେହିପରି ସରକାରୀ ଖର୍ଚ୍ଚରେ ବିଦେଶରେ ପ୍ରଶିକ୍ଷଣପ୍ରାପ୍ତ ଆଇପିଏସ୍ ପଣ୍ଡିତ ରାଜେଶଙ୍କୁ ରାଜ୍ୟ ସରକାର ୨୦୨୪ ଜୁଲାଇ ୩୦ତାରିଖରୁ ନିଲମ୍ବନ କରିଛନ୍ତି ଓ ବିଗତ ୧୪ମାସ ଧରି ଏହି ନିଲମ୍ବନ ଅବଧିକୁ ବାରମ୍ବାର ବଢ଼ାଇ ଚାଲିଛନ୍ତି । ଆଶ୍ଚର୍ଯ୍ୟର କଥା, ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ରହିଛି ସେଥିରେ ତାଙ୍କୁ ଜାତୀୟ ମାନବାଧିକାର ଆୟୋଗଙ୍କ କ୍ଲିନଚିଟ୍ ମିଳିସାରିଛି । ଏପରିକି ଯେଉଁ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ସେ ଗଣ୍ଡଗୋଳ କରିଥିବା ନେଇ ତାଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଏହି ‘କାର୍ଯ୍ୟାନୁଷ୍ଠାନ’ ନେଉଛନ୍ତି,ସେ ସମସ୍ତ ଅଭିଯୋଗକୁ ମଧ୍ୟ ସଂପୃକ୍ତ ପୀଡ଼ିତା ମହିଳା ଇନ୍ସପେକ୍ଟର ୨୦୨୪ ନଭେମ୍ବର ୬ତାରିଖରେ ଅତିରିକ୍ତ ପୁଲିସ ଡିଜିଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରି ଖଣ୍ଡନ କରିସାରିଛନ୍ତି । ଏହାସହିତ ଉକ୍ତ ମାମଲାକୁ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ମହିଳା ଇନ୍ସପେକ୍ଟର ଅନୁରୋଧ କରିଥିବା ନେଇ ପୁଲିସ ପକ୍ଷରୁ ଜାତୀୟ ମାନବାଧିକାର ଆୟୋଗଙ୍କୁ ମଧ୍ୟ ୨୦୨୪ ନଭେମ୍ବର ୧୪ତାରିଖରେ ଅବଗତ କରାଯାଇସାରିଛି । ତଥାପି କେଉଁ କାରଣରୁ ଓ କାହା ଆକ୍ରୋଶ ପାଇଁ ପଣ୍ଡିତ ରାଜେଶଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଉନାହିଁ ଓ ବିନା କାର୍ଯ୍ୟରେ ରାଜକୋଷରୁ ଦରମା- ଭତ୍ତା ଆଦି ତାଙ୍କୁ ଦିଆଯାଉଛି, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେବଳ ଏହି ଦୁଇ ଅଫିସର ନୁହଁନ୍ତି ଏବେ ରାଜ୍ୟରେ ଆଇପିଏସ ଅଫିସରଙ୍କ ଉତ୍କଟ ଅଭାବ ଥିବା ସତ୍ତ୍ୱେ ଦକ୍ଷତା ଓ ଭଲ ଟ୍ରାକ୍ ରେକର୍ଡ ନଥିବା ନିର୍ଦ୍ଦିଷ୍ଟ ପୁଲିସ ଅଫିସରଙ୍କୁ ଏବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସିନିୟର ଅଫିସରଙ୍କୁ ଅଣଦେଖା କରାଯାଇ ଗୁରୁତ୍ୱପୂର୍ଣ୍ଣ ଡ୍ୟୁଟିରେ ଜୁନିୟର ଅଫିସର ଓ କେତେକ ନିର୍ଦ୍ଦିଷ୍ଟ ଅଫିସରଙ୍କୁ ଏକାଧିକ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏସପି ପାହ୍ୟାରୁ ଡିଜି ପାହ୍ୟା ପର୍ଯ୍ୟନ୍ତ  କେତେକ ଦକ୍ଷ ଅଫିସରଙ୍କୁ କୋଣଠେସା କରି ରଖାଯାଇଥିବା ଚର୍ଚ୍ଚା ହେଉଛି । ଯାହାକି ଆଇପିଏସ୍ କ୍ୟାଡ଼ର ମ୍ୟାନଜେମେଂଟକୁ ବିପର୍ଯ୍ୟସ୍ତ କରିଦେଇଥିବା ଜଣାପଡ଼ିଛି । ଗୋଟିଏପଟେ ବିଜେଡି ସରକାର ଅମଳରେ ବିବାଦୀୟ ଡିଏସ୍ କୁଟ୍ଟେ, ଆଶୀଷ ସିଂ, ରବିକାନ୍ତ ଓ ମିତ୍ରଭାନୁ ମହାପାତ୍ରଙ୍କ ଭଳି ଆଇପିଏସ୍ ଅଫିସରମାନଙ୍କୁ କ୍ଲିନଚିଟ୍ ଦେଇଥିବା ରାଜ୍ୟ ସରକାର ଏବେଠୁ ଯଦି ଆଇପିଏସ୍ କ୍ୟାଡ଼ର ପରିଚାଳନାରେ ସୁଧାର ନଆଣନ୍ତି ତା’ହେଲେ ଆଗାମୀ ଦିନରେ ପୁଲିସ ଫୋର୍ସ ନିଜର ଦକ୍ଷତା ପ୍ରତିପାଦନ ବଦଳରେ କେବଳ ଚାଟୁକାରିତାରେ ସୀମିତ ହୋଇ ରହିଯିବ । ଯାହାକି ଉଭୟ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଉଦବେଗର ବିଷୟ ପାଲଟିବ ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ।