ରାଜ୍ୟ ପୁଲିସ ପ୍ରଶାସନରେ ଆଇପିଏସ ଅଫିସରମାନଙ୍କୁ ଗୋଟିଏ ପଦବୀରେ ୩ରୁ ୫ ମାସ ବି କାମ କରିବାର ସୁଯୋଗ ମିଳୁନି। କେଉଁ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମାତ୍ର ୩ ମାସରେ ବଦଳି ତ ଆଉ କାହାକୁ ୫ ମାସରେ ବଦଳି କରିଦିଆଯାଉଛି। ଆଇପିଏସ୍ ଅଫିସରଙ୍କ ତୁହାକୁ ତୁହା ବଦଳି ନିଷ୍ପତ୍ତି ବାସ୍ତବରେ ପ୍ରଶାସନିକ ଆବଶ୍ୟକତା ନା ଅଫିସରଙ୍କ ଅପାରଗତାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଯେଉଁ ଢଙ୍ଗରେ ଆଇପିଏସ୍ ଅଫିସରମାନଙ୍କ ବଦଳି ହେଉଛି ତାହା ସମ୍ପୃକ୍ତ ଅଫିସରମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇବା ସହ ପ୍ରଶାସନର ଅପରିପକ୍ୱତା ଆଡ଼କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏଭଳି କେଉଁ ଆବଶ୍ୟକତା ପାଇଁ ସରକାର ଟୁଇନସିଟିର ପୁଲିସ ଡିସିପିଙ୍କୁ ବଦଳାଇ ଦେଲେ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଥରକରେ ୨୬ ଆଇପିଏସଙ୍କ ବଦଳି
ବିଳମ୍ବିତ ରାତ୍ରିରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୨୬ ଜଣ ଆଇପିଏସ ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେଲା। ଏହି ବଦଳିରେ ସରକାର ମାତ୍ର ୫ ମାସ ତଳେ ଭୁବନେଶ୍ୱର ଓ କଟକରେ ନିଯୁକ୍ତି ଦେଇଥିବା ପୁଲିସ୍ ଡିସିପିଙ୍କୁ ବଦଳାଇ ଦେଇଛନ୍ତି। ୨୦୨୪ ସେପ୍ଟେମ୍ବର ୨୯ ତାରିଖରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଆଣି ଭୁବନେଶ୍ୱର ଡିସିପି ଏବଂ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରିଥିଲେ। କିନ୍ତୁ ଫେବୃଆରୀ ୨୮ ତାରିଖ ରାତିରେ ଅଚାନକ ଉଭୟ ଅଫିସରଙ୍କୁ ସରକାର ବଦଳି କରିଛନ୍ତି। ୨୦୧୧ ବ୍ୟାଚ୍ ଆଇପିଏସ୍ ପିନାକଙ୍କୁ ଏସଟିଏଫ ଡିଆଇଜି ଓ ୨୦୧୩ ବ୍ୟାଚ୍ ଆଇପିଏସ୍ ଜଗମୋହନଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଛି। ଯଦିଓ ପିନାକ ଗତ ଜାନୁଆରୀ ମାସରେ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି, ତଥାପି ତାଙ୍କୁ ୫ ମାସ ତଳେ ଡିସିପି ଭାବେ ଅବସ୍ଥାପିତ କରାଯିବା ବେଳେ ସରକାର କ’ଣ ଏ ପ୍ରମୋସନ କଥା ଜାଣି ନଥିଲେ କି ପ୍ରଶ୍ନ ଉଠିଛି।
ସେହିପରି ବିଜେଡି ସରକାରରେ ବିନା କାମରେ ଦରମା ନେଉଥିବା ୧୯୮୯ ବ୍ୟାଚ୍ ଆଇପିଏସ ଏସଏମ୍ ନରୱଣେଙ୍କୁ ବିଜେପି ସରକାର ୨୦୨୪ ସେପ୍ଟେମ୍ବର ୨୯ରେ ଗୃହ ବିଭାଗର ଓଏସଡିରୁ ହଟାଇ ଓଡ଼ିଶା ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ। ତାଙ୍କୁ ମଧ୍ୟ ସେଠାରୁ କାଢ଼ି ଦେଇ ଓଡ଼ିଶା ମାନବାଧିକାର ଆୟୋଗରେ ସ୍ପେଶାଲ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଯଦିଓ ଶ୍ରୀ ନରୱଣେଙ୍କ ଚାକିରି ସରିବାକୁ ଆଉ ମାତ୍ର ୩ ମାସ ବାକି ଅଛି।
୨୦୦୫ ବ୍ୟାଚ୍ ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ ଆଇଜି ଏସଟିଏଫ୍ ପଦବୀରୁ ୨୦୨୪ ସେପ୍ଟେମ୍ବର ୨୯ ତାରିଖରେ ହଟାଇ ଗୁରୁତ୍ୱପୂର୍ଣ୍ଣ ଆଇଜି (ଅପରେସନ) ପଦବୀରେ ସରକାର ଅବସ୍ଥାପିତ କରିଥିଲେ। ମାତ୍ର ୫ ମାସ ତଳେ ତାଙ୍କର ବଦଳି ହୋଇଥିଲା। ଏବେ ପୁଣି ଥରେ ତାଙ୍କୁ ସେହି ପଦବୀରୁ ହଟାଇ ଆଇଜି(ଗୁଇନ୍ଦା) ଭାବେ ନିଯୁକ୍ତି ଦେଇଛନ୍ତି।
ଓଡ଼ିଶା କ୍ୟାଡ଼ର ଆଇପିଏସ୍ ଏସ. ସୁଶ୍ରୀଙ୍କୁ ବିବାହ ପରେ ନିଜର ପଶ୍ଚିମବଙ୍ଗ କ୍ୟାଡ଼ର ଛାଡ଼ି ୨୦୨୪ ଜୁଲାଇ ୨୬ରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିବା ୨୦୧୮ ବ୍ୟାଚ୍ ନାଗରାଜ ଦେବକୋଣ୍ଡାଙ୍କୁ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଆଇଜି ଭାବେ ଅବସ୍ଥାପିତ କରାଯାଇଥିଲା। ସେପ୍ଟେମ୍ବର ୨୯ରେ ତାଙ୍କୁ ବୌଦ୍ଧ ଜିଲ୍ଲା ଏସପି ଭାବେ ନିଯୁକ୍ତି ମିଳିଥିଲା। ଏବେପୁଣି ସେଠାରୁ ହଟାଇ ଦେଇ ତାଙ୍କୁ କଳାହାଣ୍ଡି ପୁଲିସ ଏସପି ଭାବେ ଅବସ୍ଥାପିତ କରାଯାଇଛି । ୫ ମାସ ମଧ୍ୟରେ ତାଙ୍କର ୩ ଥର ବଦଳି ହେଲାଣି।
ସେମିତି ଆଉ ଜଣେ ଆଇପିଏସ୍ ହେଉଛନ୍ତି ୨୦୨୦ ବ୍ୟାଚର ରାହୁଲ ଗୋଏଲ। ତାଙ୍କୁ ୨୦୨୪ ସେପ୍ଟେମ୍ବର ୨୯ରେ ତାଙ୍କୁ କଟକସ୍ଥିତ ରେଳବାଇ ଏସପି ଭାବେ ବଦଳି କରାଗଲା। ଏବେ ପୁଣିଥରେ ତାଙ୍କୁ ବୌଦ୍ଧ ଜିଲ୍ଲା ପୁଲିସ୍ ଏସପି ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ଗୋଏଲ ମାତ୍ର ୫ ମାସ ମଧ୍ୟରେ କେସିଙ୍ଗା ଏସଡିପିଓରୁ ରେଳବାଇ ଏସପି ଓ ଏବେ ବୌଦ୍ଧ ଏସପି ହେବେ।
ବିବାଦୀୟଙ୍କୁ ଭରସା, ମିଳିଲା ନିଯୁକ୍ତି
୨୦୧୪ ବ୍ୟାଚ୍ ଆଇପିଏସ୍ ବିବେକାନନ୍ଦ ଶର୍ମାଙ୍କୁ ପ୍ରାୟ ସାଢ଼େ ୬ ବର୍ଷ ପରେ ନିଯୁକ୍ତି ମିଳିଛି। ଶ୍ରୀ ଶର୍ମା ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ପୁଲିସ୍ ଆଇଜି ପଦବୀରେ କାର୍ଯ୍ୟ କରୁଛନ୍ତି। ନବରଙ୍ଗପୁର ଏସପି ଥିବାବେଳେ ତାଙ୍କ ବିରୁଦ୍ଧରେ ସ୍ଥାନୀୟ ହାବିଲଦାର ଓ କନେଷ୍ଟବଳ ସଂଘ ଲିଖିତ ଅଭିଯୋଗ କରିଥିଲେ। ଦଳିତ ଲୋକମାନଙ୍କୁ ଅତ୍ୟାଚାର ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଥିଲା। ଏପରିକି ତତକାଳୀନ କଂଗ୍ରେସ ନେତା ପ୍ରଦୀପ ମାଝୀ (ଏବେ ବିଜେଡିରେ) ତାଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନନେଲେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ରାଜ୍ୟ ସରକାର ତାଙ୍କୁ ୨୦୧୮ ନଭେମ୍ବର ଶେଷ ସପ୍ତାହରେ ଏସପି ପଦରୁ ହଟାଇ ପୁଲିସ ମୁଖ୍ୟାଳୟକୁ ନେଇ ଆସିଥିଲେ। ସେବେଠୁ ସେ ପୁଲିସ ମୁଖ୍ୟାଳୟରେ ଥିଲେ। ଏବେ ତାଙ୍କୁ କଟକସ୍ଥିତ ରେଳବାଇ ଏସପି ଭାବେ ନିଯୁକ୍ତି ମିଳିଛି।
ଅଣପୁଲିସ ପଦବୀରୁ ହଟିଲେ ଆଇପିଏସ୍
ରାଜ୍ୟର ୨ଟି ଗୁରୁତ୍ୱପୂର୍ଣ୍ଣ ଅଣପୁଲିସ୍ ପ୍ରଶାସନିକ ପଦବୀରୁ ଆଇପିଏସ୍ ଅଫିସରଙ୍କୁ ହଟାଇ ଦିଆଯାଇଛି। ତତକାଳୀନ ବିଜେଡି ସରକାର ଏହି ଦୁଇଟି ପଦବୀ ସମେତ ଅନ୍ୟ କିଛି ଅଣପୁଲିସ୍ ପ୍ରଶାସନିକ ପଦବୀକୁ ଆଇପିଏସଙ୍କ ହାତକୁ ଟେକି ଦେଇଥିଲେ। ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଅଧ୍ୟକ୍ଷ ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ କୁମାର ପଟ୍ଟନାୟକ ଓ ରାଜ୍ୟ ଅବକାରୀ କମିଶନର ୨୦୦୨ ବ୍ୟାଚ୍ ଆଇପିଏସ୍ ନରସିଂହ ଭୋଳଙ୍କୁ ବଦଳି କରାଯାଇଛି। ତତକାଳୀନ ବିଜେଡି ସରକାର ଆଇପିଏସ୍ ଶ୍ରୀ ପଟ୍ଟନାୟକଙ୍କୁ ୨୦୨୧ ଜୁନ୍ ମାସରେ ଓଏସଆରଟିସି ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ। ସେବେଠୁ ପ୍ରାୟ ସାଢ଼େ ୪ ବର୍ଷ ଧରି ଏହି ଅଣପୁଲିସ୍ ପ୍ରଶାସନିକ ପଦବୀରେ ଦୀପ୍ତେଶ କାର୍ଯ୍ୟ କରୁଥିଲେ। ଶୁକ୍ରବାର ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇ କଟକସ୍ଥିତ ଓଡ଼ିଶା ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବିଜେଡି ସରକାରଙ୍କ ଦ୍ୱାରା ୨୦୨୩ ମେ’ ମାସରେ ରାଜ୍ୟ ଅବକାରୀ କମିଶନର ଭାବେ ଶ୍ରୀ ଭୋଳଙ୍କୁ ନିଯୁକ୍ତି ମିଳିଥିଲା। ଏବେ ତାଙ୍କୁ ସେହି ଅଣପୁଲିସ୍ ପ୍ରଶାସନିକ ପଦବୀରୁ କାଢ଼ି କମିଶନରେଟ ପୁଲିସରେ ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସରକାର ଡିସପୋଜିସନ୍ ପୁସ୍ତିକା ଅନୁସାରେ ରାଜ୍ୟ ଅବକାରୀ କମିଶନର ଓ ରାଜ୍ୟ ପରିବହନ କମିଶନର ପଦବୀ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ନିମନ୍ତେ ଉଦ୍ଦିଷ୍ଟ। ଅଣ ପୁଲିସ ପ୍ରଶାସନିକ ପଦବୀରେ ଆଇପିଏସଙ୍କୁ ୬ ମାସରୁ ଅଧିକ ସମୟ ନିଯୁକ୍ତି ଦିଆଗଲେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁମୋଦନ ଆବଶ୍ୟକ ହୁଏ। କିନ୍ତୁ ଓଡ଼ିଶା ସରକାର ତା’କୁ ଭୃକ୍ଷେପ କରୁ ନଥିଲେ।
କାହିଁକି ପାଳନ ହେଉନି ସର୍ବନିମ୍ନ ଦୁଇବର୍ଷ ଅବଧି
ସର୍ବଭାରତୀୟ ସେବାର କ୍ୟାଡ଼ର ଅଫିସରମାନଙ୍କ ବଦଳି ଓ ନିଯୁକ୍ତିରେ ରାଜନୀତିକ ହସ୍ତକ୍ଷେପକୁ ହ୍ରାସ କରିବା ନିମନ୍ତେ ସେମାନେ ଅତିକମରେ ଦୁଇବର୍ଷ ଗୋଟିଏ ପଦବୀରେ ରହିବେ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ସର୍କୁଲାର ଜାରି ହୋଇଥିଲା। ଯଦି ଅଫିସରଙ୍କ ପଦୋନ୍ନତି, ଡେପୁଟେସନ କିମ୍ବା ଅବସର ନହୋଇଛି ଅବା ଜରୁରୀ ପ୍ରଶାସନିକ ଆବଶ୍ୟକତା ନଥିଲେ ଗୋଟିଏ ସ୍ଥାନରେ ଦୁଇବର୍ଷ କାର୍ଯ୍ୟ କରିବାର ସୁଯୋଗ ଦେବାର ପ୍ରାବଧାନ ରହିଛି। ସର୍ବଭାରତୀୟ ସେବା ଅଫିସରମାନଙ୍କ ବଦଳି ପାଇଁ ବୋର୍ଡ ଗଠନ କରିବାକୁ ମଧ୍ୟ କୁହାଯାଇଥିଲା। ଆଇପିଏସ୍ ଅଫିସରଙ୍କ ବଦଳି ପାଇଁ ରାଜ୍ୟରେ ପୁଲିସ ଡିଜି ଓ ଗୃହ ସଚିବଙ୍କୁ ନେଇ ଏକ ବୋର୍ଡ କାର୍ଯ୍ୟ କରୁଛି ଯିଏ ଏହି ବଦଳି ପାଇଁ ସରକାରଙ୍କୁ ସୁପାରିଶ କରୁଛନ୍ତି। ତେବେ ରାଜ୍ୟରେ ଗତବର୍ଷ ଜୁନ୍ ମାସରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଫିସରମାନଙ୍କର ବଡ଼ଧରଣର ବଦଳି ହୋଇଥିଲା। କିନ୍ତୁ ସେହି ବଦଳିକୁ ୫ ମାସ ନପୂରୁଣୁ ଏବେ କ’ଣ ଏତେ ଜରୁରୀ ଆବଶ୍ୟକତା ପଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିଛି।
ସରକାରଙ୍କ ସ୍ୱତନ୍ତ୍ର ମିଡିଆ କୋଟେରୀ
ଶୁକ୍ରବାର ବିଳମ୍ବିତ ରାତ୍ରିରେ ଆଇପିଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ ହେଲା। ନିଜର ଖାସ୍ ‘ମିଡିଆ କୋଟେରୀ’ ମାଧ୍ୟମରେ ଏହି ବଦଳି ବିଜ୍ଞପ୍ତିକୁ ପ୍ରଥମେ ସାର୍ବଜନୀନ କରାଗଲା। ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଏହି ବଦଳି ନିର୍ଦ୍ଦେଶକୁ ଗଣମାଧ୍ୟମ ପାଇଁ ଉଦ୍ଦିଷ୍ଟ ହ୍ୱାଟସଅପ୍ ଗ୍ରୁପରେ ଶେୟାର କରାଇଲେ। ବିଜେଡି ଶାସନ କାଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଯେଭଳି ନିଜର ଖାସ୍ ମିଡିଆ ଗ୍ରୁପ୍ ପାଖରେ ଖବର ଆଗୁଆ ପହଂଚାଉଥିଲେ ଏବେ ଠିକ୍ ସେହି ଫର୍ମୂଲାରେ କାର୍ଯ୍ୟ ଚାଲିଛି। ତେବେ କାହା ଇଙ୍ଗିତରେ ବିଜେପି ସରକାରରେ ସୂଚନା ସଂଗ୍ରହ ଓ ପ୍ରଦାନ କ୍ଷେତ୍ରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ମଧ୍ୟରେ କାହିଁକି ଏଭଳି ବାଛବିଚାର କରାଯାଉଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।