Advertisment

Is Arun’s ‘Peeda’ Targets Naveen: ଓଡ଼ିଆ ପଢ଼ି ନଆସିବାକୁ ‘ଅପମାନ' କହି ଗୁମର ଖୋଲିଲେ, ମୂକଦର୍ଶକ ସାଜିଲେ ବିଜେଡି ହେଭିୱେଟ୍‌

ନୂଆପଡ଼ା ଉପନିର୍ବାଚନବେଳେ ‘ନୋଚା ଲାଖି’ ଚରିତ୍ରରୁ ପ୍ରେରଣା ପାଇଥିବା ଅରୁଣ ଏବେ ‘ପୀଡ଼ା’ ପୁସ୍ତକ ଓ ‘ଶୀତୁଆ ସନ୍ଧ୍ୟା’ ଆଲବମ୍ ପ୍ରକାଶ କରି ନିଜର ରାଜନୀତିକ ଜୀବନରେ ସାହିତ୍ୟ ଛୁଙ୍କ ଦେଇଥିଲେ ମଧ୍ୟ ଅନେକ ଅନାଲୋଚିତ ଦିଗ ଓ ନିଷ୍ଠୁର ସତ୍ୟକୁ ବିଳମ୍ବରେ ସ୍ୱୀକାର କରିଥିବା ଚର୍ଚ୍ଚା ହେଉଛି ।

author-image
Prakaash Sethi
Arun-Sahoo

ସେବେ ‘ସାଇତା ସତ’ ଏବେ ‘ପୀଡ଼ା’ । ସେବେ ଅଣଓଡ଼ିଆ ପ୍ରସଙ୍ଗ ଉଠାଇ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ବୁଲେଇବଙ୍କେଇ ଟାର୍ଗେଟ୍ , ଆଉ ଏବେ ଓଡ଼ିଆ ପଢ଼ି ନଆସିବା ଓ ଅନ୍ତରାତ୍ମାକୁ ମାରିଦେଇ ଆନ୍ତର୍ଜାତିକସ୍ତରକୁ ଯିବାର ମାନେ କ’ଣ କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତେରଛା ବାଣ । ବିଜେଡି କ୍ଷମତାଚ୍ୟୁତ ହେବାପରେ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ମାତ୍ର ବର୍ଷକ ବ୍ୟବଧାନରେ ନିଜର ପୁସ୍ତକ ମାଧ୍ୟମରେ ଦଳୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । 

Advertisment

ଗତକାଲି ଉତ୍କଳ ମଣ୍ଡପରେ ବିଜେଡି ବିଧାୟକ ଶ୍ରୀ ସାହୁଙ୍କ ନୂଆ ପୁସ୍ତକ ‘ପୀଡ଼ା’ ଉନ୍ମୋଚନ ହୋଇଛି । ଆଉ ଓଡ଼ିଆ ପଢ଼ି ନଆସିବା ଓ ଲେଖି ନଆସିବା ଠାରୁ ବଳି ଅପମାନଜନକ କଥା କିଛି ନାହିଁ ବୋଲି ଲେଖି ଅରୁଣ ପରୋକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ଆକ୍ଷେପ ସହ ନୂଆପଡ଼ାର ‘ନୋଚା ଲାଖି’ର ଯନ୍ତ୍ରଣାକୁ ଅବତାରଣା କରି ନବୀନ ଶାସନର ୨୪ବର୍ଷର ବିକାଶର ଗୁମରକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି । ଆଉ ଅରୁଣଙ୍କ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଜେଡିର ବହୁ ହେଭିୱେଟ୍ ନେତା ଉପସ୍ଥିତ ଥିଲେ ମଧ୍ୟ ନିଜ ନେତାଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯିବାକୁ ଏହି ନେତାମାନେ ନିରବ ରହିବା ମଧ୍ୟ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ଅରୁଣଙ୍କ ନୂଆ ପୁସ୍ତକ ‘ପୀଡ଼ା' ଓ ନବୀନଙ୍କ ଓଡ଼ିଆ ଭାଷା 

ବିଧାୟକ ଅରୁଣ ସାହୁ ନିଜର ପୁସ୍ତକ ‘ପୀଡ଼ା’ରେ ସିଧାସଳଖ ନବୀନ ପଟ୍ଟନାୟକ କିମ୍ବା କୌଣସି ବ୍ୟକ୍ତିଙ୍କ ନାଁ ନେଇ ଓଡ଼ିଆ ଭାଷା ପ୍ରତି ହେଉଥିବା ଅପମାନକୁ ଚତୁରତାର ଶୈଳୀରେ ଉପସ୍ଥାପନ କରିଛନ୍ତି । ପୁସ୍ତକର ପୃଷ୍ଠା-୭୪ରେ ଅରୁଣ ଲେଖିଛନ୍ତି ଯେ,  "ସହରୀ ସଭ୍ୟତାରେ କଥା କଥାରେ କହନ୍ତି - ମୋତେ ଭଲରେ ଓଡ଼ିଆ ପଢ଼ି ଆସେନି, ଲେଖି ଆସେନି । ଏହାଠାରୁ ବଳି ଆଉ ଅଧିକା କ'ଣ ଅପମାନଜନକ କଥା ହୋଇପାରେ? ତଥାପି ସେମାନଙ୍କୁ ଦୋଷ ଦିଆଯାଇପାରେନା କାରଣ ସେମାନେ ଉଚ୍ଚସୋପାନର ମଣିଷ ।”ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ମଧ୍ୟ ଶୁଦ୍ଧ ଓଡ଼ିଆ କହିବା ବା ପଢ଼ିବାରେ ଅସମର୍ଥ ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି ଅରୁଣ ଏଭଳି ଚିତ୍ରଣ କରିଥାଇପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

Advertisment

କେବଳ ସେତିକି ନୁହେଁ, “ଉଚ୍ଚ ଆକାଂକ୍ଷା କିନ୍ତୁ ଅନ୍ତରାତ୍ମାକୁ ମାରିଦେଇ ଆନ୍ତର୍ଜାତିକସ୍ତରକୁ ଯିବାର ମାନେ କ'ଣ ବୋଲି ପ୍ରଶ୍ନ କରି ପରୋକ୍ଷରେ ବିଜେଡି ଶାସନ ସମୟରେ ନବୀନଙ୍କ ବିଶ୍ୱସ୍ତରୀୟ ବ୍ରାଣ୍ଡିଂ ପାଇଁ ହେଉଥିବା ଉଦ୍ୟମ ଉପରେ ମଧ୍ୟ ପ୍ରଶ୍ନ କରିବାକୁ ପଛାଇ ନଥିବା ଚର୍ଚ୍ଚା ହେଉଛି । ଅରୁଣ ଆହୁରି ମଧ୍ୟ ଲେଖିଛନ୍ତି ଯେ “ମାଟି ମା' ପ୍ରତି ମମତା ଓ ଭାଷା ପ୍ରତି ସମ୍ମାନ ନରହିଲେ ପିଣ୍ଡରୁ ପ୍ରାଣ ଛାଡ଼ିଗଲା ଭଳି ଯଦି ହୃଦବୋଧ ନହେବ ସେତେବେଳେ ଯାଏ ଆମ ଜାତିର ଉତଥାନ ହୋଇନାହିଁ ବୋଲି ଧରିନିଆଯିବ ।”


ସୁପ୍ରିମୋଙ୍କ ଅପମାନକୁ ହଜମ କରିଗଲେ ବିଜେଡି ହେଭିୱେଟ୍ , ଚାଲିଛି କି ଷଡ଼ଯନ୍ତ୍ର?

ଅରୁଣଙ୍କ ଏହି ପୁସ୍ତକ ‘ପୀଡ଼ା’ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେଡିର ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଓ ରୁଦ୍ର ମହାରଥୀଙ୍କ ଭଳି ନେତାମାନେ ଉପସ୍ଥିତ ଥିଲେ । ଦଳର ଆଗଧାଡ଼ିର ଯୁବ ଓ ଛାତ୍ରନେତାଙ୍କ ସମେତ କିଛି ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ଅରୁଣ ନିଜ ପୁସ୍ତକରେ ଓଡ଼ିଆ ଭାଷା ପ୍ରତି ଥିବା ଦୁର୍ବଳତାକୁ ଅତି ନିଷ୍ଠୁର ଭାବେ ସର୍ବସମ୍ମୁଖକୁ ଆଣିବା ସହ ନୂଆପଡ଼ା ଉପନିର୍ବାଚନ ବେଳର ରହଣୀ କଥା କହି ନୋଚା ଲାଖି ଭଳି ଜଣେ ସାଧାରଣ ବ୍ୟକ୍ତିର ଯନ୍ତ୍ରଣାକୁ ମଧ୍ୟ ପୁସ୍ତକରେ ସ୍ଥାନିତ କରି ବ୍ୟବସ୍ଥା ଓ ବିକାଶ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଯଦିଓ ଅରୁଣଙ୍କ ଦଳ ରାଜ୍ୟରେ ୨୪ବର୍ଷ ଧରି ଶାସନରେ ଥିଲା ଓ ସେ ନିଜେ ମଧ୍ୟ ଏକ ଦଶନ୍ଧି ଧରି ମନ୍ତ୍ରୀ ଥିଲେ । ଅରୁଣଙ୍କ ପୁସ୍ତକରେ ନବୀନଙ୍କ ଓଡ଼ିଆ ଭାଷା ଶିକ୍ଷା ଓ ନବୀନଙ୍କ ଶାସନ କାଳ ବିକାଶର କରୁଣଚିତ୍ରକୁ ଉଜାଗର କରାଯାଇଥିଲେ ମଧ୍ୟ ଦଳର ହେଭିୱେଟ୍ ନେତାମାନେ କିଭଳି ନିଜ ସୁପ୍ରିମୋଙ୍କ ଅପମାନକୁ ନିରବରେ ସହିଗଲେ ତାକୁ ନେଇ ପ୍ରଶ୍ନ ଉଠିଛି । 

ଦଳର ସୁପ୍ରିମୋଙ୍କ ଅପମାନକୁ ଚୁପଚାପ୍ ସହିଯିବା ପଛରେ କୌଣସି ଗୁପ୍ତ ରଣନୀତି ଅଛି ନା ରାଜ୍ୟସଭା ନିର୍ବାଚନ ପୂର୍ବରୁ ନବୀନଙ୍କ ଉପରେ ଚାପ ସୃଷ୍ଟି ପାଇଁ ଏକଜୁଟ୍ ହେବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  କଥାକଥାକେ ଦଳବିରୋଧୀର ସଂଜ୍ଞା ଦେଇ ନେତାମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରୁଥିବା ବିଜେଡି ନେତୃତ୍ୱ ଏବେ ସୁପ୍ରିମୋଙ୍କୁ ଆକ୍ଷେପକୁ ନେଇ କାହିଁକି ନିରବ ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅବଶ୍ୟ ଅରୁଣଙ୍କ ପୁସ୍ତକରେ ଓଡ଼ିଆ ଭାଷା ଓ ନୋଚା ଲାଖି ଭଳି ଚରିତ୍ରର ଅବତାରଣା କରାଯିବା ସମ୍ପର୍କରେ ବିଜେଡି ନେତାମାନେ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡ଼ିଛି ।


ଅରୁଣଙ୍କ ରାଜନୀତିରେ ସାହିତ୍ୟ ଛୁଙ୍କ

ବିଜେଡି ଶାସନ କାଳରେ ଦୀର୍ଘ ଏକ ଦଶନ୍ଧି ଧରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିବା ଅରୁଣ(Arun Sahoo MLA) ଏବେ ନୟାଗଡ଼ର ବିଧାୟକ ଅଛନ୍ତି । ସାଧାରଣ ଲୋକଙ୍କ ଜୀବନଜୀବିକା ଓ ବିକାଶ ସହ ଜଡ଼ିତ ବିଭାଗ ଯଥା- ରାଜ୍ୟ ସରକାରଙ୍କ ପଂଚାୟତିରାଜ, କୃଷି ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ବିଜେଡିର ୨୪ବର୍ଷର ଶାସନର ଅନ୍ତ ହେବାପରେ ଅରୁଣ ଗତବର୍ଷ ‘ସାଇତା ସତ’ ପୁସ୍ତକ ଓ ‘ବେହାଲ ବର୍ଷା’ ସଙ୍ଗୀତ ଆଲବମ୍ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ।

ନୂଆପଡ଼ା ଉପନିର୍ବାଚନବେଳେ ‘ନୋଚା ଲାଖି’ ଚରିତ୍ରରୁ ପ୍ରେରଣା ପାଇଥିବା ଅରୁଣ ଏବେ ‘ପୀଡ଼ା’ ପୁସ୍ତକ ଓ ‘ଶୀତୁଆ ସନ୍ଧ୍ୟା’ ଆଲବମ୍ ପ୍ରକାଶ କରି ନିଜର ରାଜନୀତିକ ଜୀବନରେ ସାହିତ୍ୟ ଛୁଙ୍କ ଦେଇଥିଲେ ମଧ୍ୟ ଅନେକ ଅନାଲୋଚିତ ଦିଗ ଓ ନିଷ୍ଠୁର ସତ୍ୟକୁ ବିଳମ୍ବରେ ସ୍ୱୀକାର କରିଥିବା ଚର୍ଚ୍ଚା ହେଉଛି ।

Arun Sahoo MLA