ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରିଲା ପୁଲିସ୍‌: ଜୟନାରାୟଣଙ୍କୁ ଭୟ କରୁଛି କି ବିଜେଡି?

ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ନିମନ୍ତେ ବିଜେପିକୁ ଅନୁମତି ଦେଇଥିଲା କିଏ? ଯଦି ପ୍ରତିବାଦ ପାଇଁ ବିଜେପିକୁ ଅନୁମତି ମିଳିଥିଲା, ତା’ହେଲେ ବିଜେପିର ପୁରୁଷ କର୍ମୀମାନଙ୍କୁ ଅଟକାଇବା ନିମନ୍ତେ ମହିଳା ପୁଲିସମାନଙ୍କୁ କାହିଁକି ନିୟୋଜିତ କରାଯାଇଥିଲା ?

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

  • Published: Wednesday, 15 February 2023
  • , Updated: 15 February 2023, 08:23 PM IST

ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗତ ଜୁଲାଇ ମାସରୁ ବିରୋଧୀ ଦଳ ନେତା ଦାୟିତ୍ୱ ନେବାପରଠୁ ତାଙ୍କ ବିରୁଦ୍ଧରେ ଶାସକ ବିଜେଡି କ୍ରମାଗତ ଜୋରଦାର ହାମଲା କରିବାରେ ଲାଗିଛି । ଗତ କିଛିମାସ ଧରି ଯେଉଁ ଢଙ୍ଗରେ ଜୟନାରାୟଣଙ୍କୁ ବିଜେଡି ବିରୋଧ କରୁଛି, ତାହା ଖୋଲାଖୋଲି ଭାବେ ବିଜେଡିର ଭୟକୁ ପଦାରେ ପକାଇ ଦେଇଥିବା ଜଣାପଡ଼ିଛି । ବିଧାନସଭା ଅଧିବେଶନ ସମୟରେ ବିରୋଧୀ ଦଳର ସହଯୋଗ ରାଜ୍ୟ ସରକାରଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଥିବାରୁ ଜୟନାରାୟଣଙ୍କୁ ଯେକୌଣସି ଢଙ୍ଗରେ ବିବାଦରେ ଛନ୍ଦି ଗୃହ କାର୍ଯ୍ୟରୁ ଦୂରେଇ ରଖିବାକୁ ସୁଚିନ୍ତିତ ପ୍ରୟାସ ହେଉଥିବା ସାଧାରଣରେ ଚର୍ଚ୍ଚା । ସମ୍ଭବତଃ ଏଇଥିପାଇଁ ଓଡ଼ିଶା ଇତିହାସରେ ପ୍ରଥମଥର ଜଣେ ବିରୋଧୀ ଦଳ ନେତାଙ୍କୁ ରାଜ୍ୟର ଜଣେ ମହିଳା ପୁଲିସ ଅଫିସର ଧକ୍କା ମାରିବାକୁ ପଛାଇ ନଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଆଚରଣ କରିବାକୁ ସମ୍ପୃକ୍ତ ମହିଳା ପୁଲିସ କିପରି ସାହାସ କଲେ ଓ କିଏ ତାଙ୍କୁ ଏହି ସାହାସ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳି ମାରିବାର ୧୮ଦିନ ପରେ ବି ହତ୍ୟା ପଛର କାରଣ ଉନ୍ମୋଚନ କରିବାରେ ତଦନ୍ତକାରୀ କ୍ରାଇମବ୍ରାଂଚ ବିଫଳ ହୋଇଥିବାରୁ ତା’ର ପ୍ରତିବାଦରେ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ୩ଦିନିଆ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି । ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ମହିଳା ପୁଲିସ ଅଫିସରଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ଧକ୍କା ମରାମରିର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଏହି ଘଟଣାକୁ ନେଇ ରାଜ୍ୟର ଗଣମାଧ୍ୟମ ଓ ସୋସିଆଲ ମିଡିଆ ଦୁଇ ଭାଗ ହୋଇଯାଇଛି ତଥା ଘଟଣାର ଗୁରୁତ୍ୱକୁ ହାଲକା କରିବାକୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି । ବିରୋଧୀ ଦଳ ନେତାଙ୍କୁ ସୁରକ୍ଷା ଯୋଗାଇବା ପରିବର୍ତ୍ତେ ସର୍ବସାଧାରଣରେ ଧକ୍କା ମାରିବା(ଭିଡିଓରେ ସ୍ପଷ୍ଟ ଦେଖାଯାଉଛି) ଏବଂ ତାଙ୍କ ପାଦ ଉପରେ ଚଢ଼ିଯିବା(ଯାହା ଜୟନାରାୟଣ ଅଭିଯୋଗ କରୁଛନ୍ତି)କୁ କିଭଳି ଜଣେ ପୁଲିସ ଅଫିସର ସାହାସ କରୁଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ? ଏହାବ୍ୟତୀତ ରାଜ୍ୟ ବିଜେଡି ଯେଭଳି ସଙ୍ଗେସଙ୍ଗେ ସାମ୍ବାଦିକ ସମ୍ମିଳନୀ କରି ଜୟନାରାୟଣଙ୍କୁ ବ୍ୟକ୍ତିଗତସ୍ତରରେ ଭର୍ତ୍ସନା କରୁଛି ଏବଂ ଶାସକ ଦଳର ହାତବାରିସି ସାଜିଥିବା ସରକାରୀ କର୍ମଚାରୀ ନେତାମାନେ ଆଗକୁ ଆସି ବିରୋଧ କାର୍ଯ୍ୟକ୍ରମ କରୁଛନ୍ତି ତାହା ହିଁ ବିଜେଡିର ଅସହାୟତା ଓ ଭୟକୁ ପଦାରେ ପକାଇଛି । ବିଜେଡିର କେତେକ ଘଟଣାକ୍ରମକୁ ଦେଖିଲେ ଜୟନାରାୟଣ ଏବେ ଶାସକ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ସ୍ପଷ୍ଟ ହୋଇଛି ।

୧- ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ନିମନ୍ତେ ବିଜେପିକୁ ଅନୁମତି ଦେଇଥିଲା କିଏ? ଯଦି ପ୍ରତିବାଦ ପାଇଁ ବିଜେପିକୁ ଅନୁମତି ମିଳିଥିଲା, ତା’ହେଲେ ବିଜେପିର ପୁରୁଷ କର୍ମୀମାନଙ୍କୁ ଅଟକାଇବା ନିମନ୍ତେ ମହିଳା ପୁଲିସମାନଙ୍କୁ କାହିଁକି ନିୟୋଜିତ କରାଯାଇଥିଲା ? ଜୟନାରାୟଣ ଓ ତାଙ୍କ ସମର୍ଥକମାନେ ଯିବା ସମୟରେ ମହିଳା ପୁଲିସ ଅଫିସର ତାଙ୍କ ସହ ମୁହାଁମୁହିଁ ହେବାର ଆବଶ୍ୟକତା କ’ଣ ଥିଲା? ଜିଲ୍ଲାରେ ଅବା ଘଟଣାସ୍ଥଳରେ କ’ଣ ପୁରୁଷ ପୁଲିସ ଅଫିସର ନଥିଲେ କି?

୨- ଜଣେ ବିଧାୟକ ତଥା ବିରୋଧୀ ଦଳ ନେତାଙ୍କ ସହ କିଭଳି ଆଚରଣ କରିବାକୁ ହୁଏ ତାହା କ’ଣ ରାଜ୍ୟ ପୁଲିସ ଜାଣିନି ନା ପୁଲିସ ପାଇଁ ସେଭଳି ପ୍ରୋଟୋକଲ ନାହିଁ?

୩- ଯଦି ସମ୍ପୃକ୍ତ ମହିଳା ପୁଲିସ ଅଫିସରଙ୍କ ଅଭିଯୋଗରେ ସତ୍ୟତା ଥାଏ ଓ ଜୟନାରାୟଣ ତାଙ୍କୁ ପ୍ରଥମେ ଗାଳି ଓ ପରେ ଧକ୍କା ଦେଇଛନ୍ତି ତା’ହେଲେ ଏନେଇ ସେ ନିଜେ ଆଇନର ଆଶ୍ରୟ ନନେଇ କାହିଁକି ଜୟନାରାୟଣଙ୍କ ଉପରକୁ ହାତ ଉଠାଇଲେ । ଏହା କ’ଣ ତାଙ୍କ ଚାକିରି ସର୍ତ୍ତାବଳୀ ଓ ପୁଲିସ ମାନୁଆଲର ଖିଲାପ ନୁହେଁ କି?

୪- ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରାଯିବା ପରଠୁ କ୍ରମାଗତ ଶାଣିତ ସମାଲୋଚନା କରି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଉଥିବା ଜୟନାରାୟଣ ଗତ ସପ୍ତାହରେ ନିଜର ସୁରକ୍ଷାକର୍ମୀ(ଓଡ଼ିଶା ପୁଲିସ)ଙ୍କୁ ଫେରସ୍ତ କରି ଦେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ଓଡ଼ିଶା ପୁଲିସ ଉପରେ ତାଙ୍କର ଭରସା ନାହିଁ କହି ସେ ଚର୍ଚ୍ଚାରେ ଥିଲେ । ଏଥିପାଇଁ ଓଡ଼ିଶା ପୁଲିସ କର୍ମଚାରୀ ମହାସଂଘ ସଙ୍ଗେସଙ୍ଗେ ସାମ୍ବାଦିକ ସମ୍ମିଳନୀ ଡାକି ଜୟନାରାୟଣଙ୍କ ବୟାନକୁ ବିରୋଧ କରିଥିଲେ । କିନ୍ତୁ ସେହି ଓଡ଼ିଶା ପୁଲିସକୁ ଲାଂଚୁଆ ଦର୍ଶାଇ, ପୀଡ଼ିତା-ଅସହାୟଙ୍କଠୁ ଲାଂଚ ନେଉଥିବା କଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବୟାନ ଦେଇଥିଲେ ବି ତାଙ୍କୁ ବିରୋଧ କରିବାର ସାହାସ ପୁଲିସ ଜୁଟାଇ ପାରିନଥିଲା?

୫- ରାଜ୍ୟର ଜଣେ ବିରୋଧୀ ଦଳ ନେତାଙ୍କ ଧକ୍କା ମାରିବା ଘଟଣାରେ ରାଜ୍ୟ ପୁଲିସ ନିଜର ସମ୍ପୃକ୍ତ ମହିଳା ଅଫିସରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି? ନା ବିଜେଡିର ରାଜନୀତିକ ଉଦ୍ଦେଶ୍ୟ ପୂରଣ ପାଇଁ ବିରୋଧୀ ଦଳ ନେତାଙ୍କ ଉପରକୁ ଜଣେ ମହିଳା ପୁଲିସଙ୍କ ହାତ ଉଠାଇବା ଘଟଣାକୁ ଯଥାର୍ଥ ଦର୍ଶାଇବାକୁ ପ୍ରୟାସ କରିବ?

୬- ଅବଶ୍ୟ ଜଣେ ମହିଳାଙ୍କୁ ଧକ୍କା ମାରିବା ଅବା ଗାଳିଗୁଲଜ କରିବା କୌଣସି ଗଣତାନ୍ତ୍ରିକ ରାଷ୍ଟ୍ର ଓ ସଭ୍ୟସମାଜରେ ଗ୍ରହଣୀୟ ନୁହେଁ, କିନ୍ତୁ ଜଣେ ମହିଳା ପୁଲିସ ଅଫିସର କେଉଁ ପରିସ୍ଥିତିରେ ତାଙ୍କ ସହ ମୁହାଁମୁହିଁ ହେଲେ ତାହା ତଦନ୍ତସାପେକ୍ଷ?

ସୂଚନାଯୋଗ୍ୟ, ୨୦୨୨ ଜୁଲାଇ ମାସରୁ ବିରୋଧୀ ଦଳ ନେତା ଦାୟିତ୍ୱ ଜୟନାରାୟଣ ଗ୍ରହଣ କରିଛନ୍ତି । ଆଉ ବିଭିନ୍ନ ସାମ୍ବିଧାନିକ କମିଟିରେ ସଦସ୍ୟ ଭାବେ ବିରୋଧୀ ଦଳ ନେତା ରହିଥିବାବେଳେ ବିଧାନସଭା ଅଧିବେଶନ ଚାଲିବାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥାଏ ।  ଜୟନାରାୟଣଙ୍କ ମନ୍ତବ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ବଢ଼ାଉଥିବାରୁ ଶାସକ ବିଜେଡି ସୁଯୋଗ ପାଇବା ମାତ୍ରେ ତାଙ୍କୁ ଅଭ୍ୟାସଗତ ଅପରାଧୀ, ମହିଳା ବିରୋଧୀ ଆଦି କଥା କହି ଶାସକ ବିଜେଡି ବ୍ୟକ୍ତିଗତସ୍ତରରେ ସମାଲୋଚନା କରୁଛି । ଯଦିଓ ଜୟନାରାୟଣ ଏପର୍ଯ୍ୟନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତସ୍ତରରେ ସମାଲୋଚନା କରିଥିବାର ନଜିର ନାହିଁ । କିନ୍ତୁ ରାଜ୍ୟ ସରକାରଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ନୀତିକୁ କଡ଼ା ବିରୋଧ କରୁଥିବା ଜୟନାରାୟଣଙ୍କୁ ଏଭଳି ବିବାଦରେ ଛନ୍ଦି ତାଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରିବାକୁ ଶାସକ ବିଜେଡି ଏଭଳି ପ୍ରୟାସ କରୁଛି କି ବୋଲି ଏବେ ସାଧାରଣରେ ଚର୍ଚ୍ଚା । 

Related story