ସତରେ କ’ଣ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ସୁପରିକଳ୍ପିତ? ୮ ସମ୍ଭାବ୍ୟ କାରଣ

ଯଦିଓ ସର୍ବସମ୍ମୁଖରେ ପୁଲିସ ଏଏସଆଇ ଗୋପାଳ ତାଙ୍କୁ ଗୁଳି କରି ହତ୍ୟା କରିଥିବା ନେଇ ସଙ୍ଗେ ସଙ୍ଗେ ପୁଲିସ ଏସଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି ଓ ବ୍ରଜରାଜନଗର ଥାନା ଆଇଆଇସି ଦାଖଲ କରିଥିବା ଏତଲାରେ ଗୋପାଳଙ୍କୁ ହତ୍ୟାକାରୀ ଦର୍ଶାଯାଇଛି, ତଥାପି ଗୋପାଳଙ୍କୁ ନିର୍ଦ୍ଦୋଷରେ ଖସାଇ ଦେବା ପାଇଁ ମଧ୍ୟ ଅତ୍ୟନ୍ତ ଚତୁରତାର ସହ ଗତକାଲିଠୁ ପ୍ରୟାସ ଜୋରଦାର ହୋଇଛି ।

Naba Das PhotoTwitter

ସ୍ୱର୍ଗତ ନବ ଦାସ (ଫାଇଲ ଫଟୋ)

Ordigital Desk
  • Published: Monday, 30 January 2023
  • Updated: 30 January 2023, 06:53 PM IST

Sports

Latest News

ପଶ୍ଚିମ ଓଡ଼ିଶାର ସର୍ବାଧିକ ପ୍ରଭାବଶାଳୀ ତଥା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗତକାଲି ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ଗୁଳିରେ ନିହତ ହୋଇଛନ୍ତି। ଗୋପାଳ ତାଙ୍କୁ ହତ୍ୟା କରିବା ପଛର ସମ୍ଭାବ୍ୟ କାରଣକୁ ନେଇ ନାନାଦି ଚର୍ଚ୍ଚା ଓ ଆଲୋଚନା ହେଉଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଓ ଜିଲ୍ଲା ପୁଲିସର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲାବେଳେ ପରିବାର ସଦସ୍ୟ ଓ ବିରୋଧୀ ଦଳଗୁଡ଼ିକ ହତ୍ୟା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିବା ପରେ ରାଜ୍ୟ ପୁଲିସର ତଦନ୍ତ ପ୍ରକ୍ରିୟା ଓ ବିଶ୍ୱସନୀୟତା ଉପରେ ଅଙ୍ଗୁଳି ଉଠିଛି । ଅଭିଯୁକ୍ତ ଗୋପାଳ ଦାସଙ୍କୁ ମାନସିକ ରୋଗୀ ଦର୍ଶାଇବାକୁ ଚାଲିଥିବା ଜୋରଦାର ଉଦ୍ୟମ ଓ ଅନ୍ୟ ପାରିପାଶ୍ୱିର୍କ ପରିସ୍ଥିତି ହିଁ ନବଙ୍କ ମୃତ୍ୟୁ ସୁପରିକଳ୍ପିତ ଥିବା ଆଡ଼କୁ ଇଙ୍ଗିତ କରୁଛି ।

ନବଙ୍କୁ ଗୁଳିମାଡ଼ଠୁ ଆରମ୍ଭ କରି ତାଙ୍କ ଶବ ସଂସ୍କାର କରାଯିବା ପର୍ଯ୍ୟନ୍ତ ଘଟଣାକ୍ରମ ଓ ପାରିପାଶ୍ୱିର୍କ ସ୍ଥିତି ଏବଂ ବିଶେଷକରି ପୁଲିସର ନିରବତା ହିଁ ଗୋପାଳଙ୍କ କାନ୍ଧରେ ବନ୍ଧୁକ ରଖି କେହି ତାଙ୍କୁ ହତ୍ୟା କରିଥାଇପାରେ ବୋଲି ଆଶଙ୍କା କରାଯାଉଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ପଶ୍ଚିମଓଡ଼ିଶାରେ ସର୍ବାଧିକ ପ୍ରଭାବଶାଳୀ ନେତା ଭାବେ ଉଭା ହୋଇଥିବା ନବଙ୍କ ରାଜନୀତିକ ପତିଆରା ବୃଦ୍ଧି, କିଛି ପାୱାରଫୁଲ ନେତା ଓ ଅଫିସରଙ୍କ ସହ କୋଇଲା ପରିବହନ ବ୍ୟବସାୟ ହିଁ ତାଙ୍କ ହତ୍ୟାର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ସନ୍ଦେହ ଓ ଚର୍ଚ୍ଚା ହେଉଛି । ଯଦିଓ ସର୍ବସମ୍ମୁଖରେ ପୁଲିସ ଏଏସଆଇ ଗୋପାଳ ତାଙ୍କୁ ଗୁଳି କରି ହତ୍ୟା କରିଥିବା ନେଇ ସଙ୍ଗେ ସଙ୍ଗେ ପୁଲିସ ଏସଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି ଓ ବ୍ରଜରାଜନଗର ଥାନା ଆଇଆଇସି ଦାଖଲ କରିଥିବା ଏତଲାରେ ଗୋପାଳଙ୍କୁ ହତ୍ୟାକାରୀ ଦର୍ଶାଯାଇଛି, ତଥାପି ଗୋପାଳଙ୍କୁ ନିର୍ଦ୍ଦୋଷରେ ଖସାଇ ଦେବା ପାଇଁ ମଧ୍ୟ ଅତ୍ୟନ୍ତ ଚତୁରତାର ସହ ଗତକାଲିଠୁ ପ୍ରୟାସ ଜୋରଦାର ହୋଇଛି ।

 

ଆସନ୍ତୁ ଜାଣିବା, କାହିଁକି ନବ ଦାସଙ୍କୁ ଗୁଳି କରି ହତ୍ୟା ସ୍ୱାଭାବିକ ନୁହେଁ ଷଡ଼ଯନ୍ତ୍ର....

Also Read

- ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ସୁରକ୍ଷା ପୁଲିସ ଏଏସଆଇ ଗୋପାଳ ଦାସ ପ୍ରାୟ ୧୨ଟା ୧୦-୧୨.୧୫ ମିନିଟରେ ନବ ଦାସଙ୍କୁ ଗୁଳିମାଡ଼ କରିଥିଲେ । ଅଚେତ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନବଙ୍କୁ ୧୨ଟା ୩୦ ସୁଦ୍ଧା ସ୍ଥାନୀୟ ଝାରସୁୁଗୁଡ଼ା ଜିଲ୍ଲା ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଘୋଷଣା କରିଥିଲେ । ଡାକ୍ତରଙ୍କ ଏକ ଟିମ୍ ସହ ଲାଇଫ ସର୍ପୋଟ୍ ସିଷ୍ଟମ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିନ ପ୍ରାୟ ୧ଟା ସମୟରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ଅଣାଯାଇଥିଲା । ସେଠାରୁ ୨ଟା ୧୦ ମିନିଟରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା ଓ ପ୍ରାୟ ୩ଟା ପରେ ସେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ତେବେ ପ୍ରଶ୍ନ ଉଠୁଛି, ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ରାଜ୍ୟ ସରକାର କ’ଣ ଗୁରୁତ୍ୱର ସହ ନେଇନଥିଲେ କି? କାରଣ ଏହି ଗୁଳିମାଡ଼ ଘଟଣା ସମ୍ପର୍କରେ ସଙ୍ଗେସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିବ । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳିମାଡ଼କୁ ସରକାର କଦାପି ହାଲକା ଭାବେ ନେଇନଥିବେ ଓ ସଙ୍ଗେ ସଙ୍ଗେ ସ୍ଥିତି ସମ୍ଭାଳିବାକୁ ଆଗେଇ ଆସିଥିବେ । ଯଦି ଏହା ଠିକ୍ ତା’ହେଲେ ନବ ଦାସ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅଚେତ ଅବସ୍ଥାରେ ହସ୍ପିଟାଲକୁ ଆସିବା ପରେ ତାଙ୍କର ପ୍ରାଥମିକ ଚିକିତ୍ସା ସହ ତାଙ୍କୁ ଏୟାର ଲିଫ୍ଟ କରାଯିବା ପର୍ଯ୍ୟନ୍ତ ହସ୍ପିଟାଲର ଆଇସିୟୁରେ କାହିଁକି ରଖାଯାଇ ନଥିଲା? କାହା ନିର୍ଦ୍ଦେଶରେ ସଙ୍କଟାପନ୍ନ ସ୍ଥିତିରେ ଥିବା ନବ ଦାସଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଆମ୍ବୁଲାନ୍ସ ଭିତରେ ପ୍ରାୟ ୧ ଘଣ୍ଟା ୧୫ମିନିଟ ରହିବାକୁ ଦିଆଗଲା? ଜୀବନ ସହ ସଂଗ୍ରାମ କରୁଥିବା ନବ ଦାସଙ୍କୁ ସେତେବେଳେ ଚିକିତ୍ସାର ତ୍ୱରିତ୍ ଆବଶ୍ୟକ ରହିଥିଲେ ମଧ୍ୟ ତାଙ୍କୁ ସେଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଦେବା ପଛର କାରଣ କ’ଣ?

- ନବ ଦାସଙ୍କ ଉପରକୁ ଏଏସଆଇ ଗୋପାଳ ଦାସ ଗୁଳି ମାଡ଼ କରିବାବେଳେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସଓ) କାହିଁକି ନିରବ ରହିଥିଲେ । ତାଙ୍କ ଜୀବନ ବଂଚାଇବା ଓ ଗୁଳିମାଡ଼ରୁ ବର୍ତ୍ତିବ ପାଇଁ ସେ କ’ଣ ପଦକ୍ଷେପ ନେଇଥିଲେ । ମନ୍ତ୍ରୀଙ୍କ ସୁରକ୍ଷା ଦେବାକୁ ସେ ପ୍ରଶିକ୍ଷିତ ଥିଲେ ମଧ୍ୟ ଡ୍ୟୁଟିରେ ଖିଲାପ କରିଥିବାରୁ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି? କିଏ ଓ କାହିଁକି ମନ୍ତ୍ରୀଙ୍କ ପିଏସଓକୁ ଏପର୍ଯ୍ୟନ୍ତ ସୁରକ୍ଷା ଦେଉଛନ୍ତି?

- ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରାଯିବା ପରଠୁ ଏପର୍ଯ୍ୟନ୍ତ ଜିଲ୍ଲା ପୁଲିସ ଏସପି ରାହୁଲ ଜୈନ ସମ୍ପୂର୍ଣ୍ଣ ନିରବ ରହିଛନ୍ତି । କ୍ରାଇମବ୍ରାଂଚ ଟିମକୁ ଘଟଣାର ମାତ୍ର ୪ଘଂଟା ମଧ୍ୟରେ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ପଠାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇଥିଲେ ମଧ୍ୟ ୨୪ଘଣ୍ଟା ପରେ ବି କ୍ରାଇମବ୍ରାଂଚ ନିରବ ରହିଛି । ନବଙ୍କ ଶବ ସଂସ୍କାରବେଳେ ଜିଳ୍ଲା ପୁଲିସ ହାଏ ହାଏ ସ୍ଲୋଗାନ ଦିଆଯାଉଥିଲେ ମଧ୍ୟ ସାଧାରଣ ଲୋକଙ୍କର ପୁଲିସ ଉପରେ ବିଶ୍ୱସନୀୟତାକୁ କାଏମ ରଖିବା ପାଇଁ ଏପର୍ଯ୍ୟନ୍ତ ସେଭଳି କିଛି ଠୋସ୍ ବୟାନ ପୁଲିସ କିମ୍ବା କ୍ରାଇମବ୍ରାଂଚ ପକ୍ଷରୁ ଆସିନି? ତଦନ୍ତରେ ବିଭ୍ରାଟ ହେବାର ଆଳ ଦେଖାଇ ପୁଲିସ ନିରବ ରହି ଘଟଣାର ଗୁରୁତ୍ୱକୁ ହ୍ରାସ କରିବାକୁ ଉଦ୍ୟମ ଚାଲିଛି କି?

- ଦିନ ପ୍ରାୟ ୧୨ଟା ୧୦ମିନିଟରେ ନବଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୋପାଳ ଗୁଳି କରିଥିଲେ । ଆଉ ଗଣମାଧ୍ୟମରେ ଖବର ପ୍ରଚାର ହେବାର ମାତ୍ର ୨ଘଂଟା ମଧ୍ୟରେ ଅର୍ଥାତ୍ ଝାରସୁଗୁଡ଼ା ଏୟାରପୋର୍ଟ ଭିତରେ ନବଙ୍କ ରକ୍ତ ଜୁଡୁବୁଡ଼ୁ ଶରୀର ରହିଥିବାବେଳେ ହିଁ ଗୋପାଳ ଜଣେ ମାନସିକ ରୋଗୀ ଥିଲେ ବୋଲି ସୁଚିନ୍ତିତ ପ୍ରଚାର ଆରମ୍ଭ ହେଲା । ଗୋପାଳଙ୍କୁ ତାଙ୍କ ପତ୍ନୀ ଓ ପୁଅ ସମାନ ଢଙ୍ଗରେ ମାନସିକ ରୋଗୀ ବୋଲି ଦର୍ଶାଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ବ୍ରହ୍ମପୁର ଏମକେସିଜି ମେଡିକାଲ କଳେଜର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ଆଗକୁ ଆସିଥିଲେ । ଦିନକୁ ଶହ ଶହ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତ୍ରିପାଠୀ ଗଣମାଧ୍ୟମ ଆଗକୁ ଆସି ଗୋପାଳଙ୍କ କେସ୍ ହିଷ୍ଟ୍ରିର ବିସ୍ତୃତ ବିବରଣୀ ଦେଇଥିଲେ। ଡାକ୍ତର ତ୍ରିପାଠୀ ଓ ଗୋପାଳଙ୍କ ପରିବାର ସଦସ୍ୟଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ବି ଗୋପାଳ ଜଣେ ମାନସିକ ରୋଗୀ ବୋଲି ଜାଣି ପାରିନଥିଲେ । ଏପରିକି ଗୋପାଳ ଯେଉଁ ଫାଣ୍ଡି ଦାୟିତ୍ୱରେ ରହିଥିଲେ ସେଠାର ସହକର୍ମୀମାନେ, ସେଠାକୁ ଯାଉଥିବା ସ୍ଥାନୀୟ ସାଧାରଣ ଲୋକ, ତାଙ୍କ ସହ ପ୍ରତ୍ୟେକ ଦିନ ଫୁଟବଲ ଖେଳୁଥିବା ଲୋକ ଓ ସ୍ଥାନୀୟ ବଜାରର ବାସିନ୍ଦା କେହି ବି ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ନଥିବା ପରଖି ପାରିନଥିଲେ । ତା’ଛଡ଼ା ଗୋପାଳଙ୍କ ସର୍ଭିସ ବୁକ୍ ଓ ଉପରିସ୍ଥ ଅଧିକାରୀମାନେ ବି ତାଙ୍କର ମାନସିକ ସ୍ଥିତିକୁ ନେଇ କିଛି ଜାଣିନଥିଲେ । ସମ୍ଭବତଃ ବିରୋଧୀ ଦଳ ଯାହା ଅଭିଯୋଗ କରୁଛି ସେଥିରେ ସତ୍ୟତା ରହିଛି । ଗୋପାଳଙ୍କ ମାଧ୍ୟମରେ ନବଙ୍କୁ ହତ୍ୟା କରାଯାଇ ତାଙ୍କୁ ଜଣେ ମାନସିକ ରୋଗୀ ଭାବେ ଚିତ୍ରଣ କରାଯିବାର ଜୋରଦାର ପ୍ରୟାସ ହେଉଛି । ଭାରତୀୟ ପିଙ୍ଗଳ କୋଡ୍ ଧାରା-୮୪ରେ ଜଣେ ମାନସିକ ରୋଗୀ ଯାହାବି ଅପରାଧ କଲେ ତାହା ଅପରାଧ ଭାବେ ଗ୍ରହଣୀୟ ହେବନି । ବୋଧହୁଏ ଆଇନର ଏହି ଫାଙ୍କ ଦେଇ ଅପରାଧୀକୁ ଖସାଇ ଦେବାକୁ ଷଡ଼ଯନ୍ତ୍ର ହୋଇଛି?

- ଯେଉଁ ପୁଲିସ କର୍ମଚାରୀ ତା’ର ୩୦ବର୍ଷର ଚାକିରି କାଳ ଭିତରେ ନିଜର ଭଲ କାମ ଓ ପ୍ରଦର୍ଶନ ପାଇଁ ୧୨ଥର ପୁରସ୍କାର, ୧୮ଟି ମେଡାଲ ସହ ୮ଥର ଆର୍ଥିକ ପୁରସ୍କାର ପାଇଛନ୍ତି ଓ ତାଙ୍କ ସର୍ଭିସ ବୁକରେ ସେ ଜଣେ ଉତ୍ତମ କର୍ମଚାରୀ ବୋଲି ଉଲ୍ଲେଖ ଅଛି, ସେ କିଭଳି ରାତାରାତି ମାନସିକ ରୋଗୀ ପାଲଟିଗଲେ । ତାଙ୍କ ସହକର୍ମୀଙ୍କଠୁ ଆରମ୍ଭ କରି ପଡ଼ିଶା ପର୍ଯ୍ୟନ୍ତ କେହି ତାଙ୍କର ମାନସିକ ସ୍ଥିତିକୁ ନେଇ ସନ୍ଦେହରେ ନଥିବାବେଳେ ସେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିବା ପରଠୁ ତାଙ୍କୁ ମାନସିକ ରୋଗୀ ସଜାଇବାକୁ କିଏ ପ୍ରୟାସ କରୁଛି ଓ ପୁଲିସର ତଦନ୍ତ ପ୍ରକ୍ରିୟାକୁ ସେହି ଦିଗରେ ବେଶୀ ନେବାକୁ କାହିଁକି ଚାହୁଁଛି? ପ୍ରଥମରୁ ଜଣେ ଅଭିଯୁକ୍ତକୁ ମାନସିକ ରୋଗୀ ସଜାଇ ଦିଆଯିବା ପରେ ପୁଲିସ ତା’ଠୁ ଆଉ ଅଧିକ କ’ଣ ଆଶା ରଖିଛି? କାହିଁକି ପୁଲିସ ଓ କ୍ରାଇମବ୍ରାଂଚ ଆଗକୁ ଆସି ଅଭିଯୁକ୍ତ ଗୋପାଳ ଜଣେ ମାନସିକ ରୋଗୀ ନୁହେଁ ଓ ସୁସ୍ଥ ବ୍ୟକ୍ତି ବୋଲି ବୟାନ ଦେଉନି? ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରୁ ବିଶେଷଜ୍ଞଙ୍କୁ ଆଣି ଗୋପାଳର ମାନସିକ ସ୍ଥିତିିକୁ ଯାଂଚ କରିପାରନ୍ତା? ଆଉ ତା’ ନକରି ନବଙ୍କୁ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ରକୁ ସେଭଳି ରହସ୍ୟମୟ କରି ରଖିବାକୁ ପୁଲିସ ଓ ରାଜ୍ୟ ସରକାର ଚାହୁଁଛନ୍ତି କି?

- ନବ ଗତକାଲି ଯେଉଁ ଚାର୍ଟର ପ୍ଲେନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଇଥିଲେ, ତାହା ତାଙ୍କୁ ଧରି ଅପରାହ୍ନ ୪ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଥିଲା । ସେହି ଚାର୍ଟର ପ୍ଲେନ ଝାରସୁଗୁଡ଼ା ବିମାନ ବନ୍ଦରରେ ଡେରା ପକାଇଥିଲା । ସରକାର ଚାହିଁଥିଲେ ସେହି ୪ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟରେ ନବଙ୍କୁ ଗୁଳିମାଡ଼ର ୩୦ମିନିଟ୍ ଭିତରେ ଏୟାରଲିଫ୍ଟ କରିପାରିଥାନ୍ତେ। ଅବା ତାଙ୍କୁ ତତ୍କାଳ ଉଚ୍ଚମାନର ଚିକିତ୍ସା ପାଇଁ ସ୍ଥାନୀୟ ରାୟପୁର , ହାଇଦ୍ରାବାଦ କିମ୍ବା ନୂଆଦିଲ୍ଲୀ ପଠାଇ ପାରିଥାନ୍ତେ । ତା’ ନକରି ଭୁବନେଶ୍ୱରରୁ ଗୋଟିଏ ବିମାନ ପଠାଇ ନବଙ୍କୁ ସେଭଳି ଅବସ୍ଥାରେ ପ୍ରାୟ ୩ଘଣ୍ଟା ରହିବାକୁ ଦିଆଗଲା କାହିଁକି?

- ଚର୍ଚ୍ଚା ହେଉଛି , ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ନବ ଜିଦ୍ କରି ସୁନ୍ଦରଗଡ଼ ଲୋକସଭା ଓ ବିଧାନସଭା ଟିକେଟ୍ ନେଇଥିଲେ । ଯଦିଓ ଏହି ଦୁଇଟି ସିଟରେ ବିଜେଡି ହାରିଥିଲା, କିନ୍ତୁ ନବଙ୍କ ପାରିବାପଣିଆ ଓ ଆର୍ଥିକ କାରବାର ଦଳ ପାଇଁ ଆସେଟ୍ ପାଲଟି ଯାଇଥିଲା । ଆଉ ଦଳ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପୁରସ୍କୃତ କରି ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ନ୍ୟସ୍ତ କରିଥିଲା । ସେବେଠୁ ଦଳ ପାଇଁ ପାଣ୍ଠି ଯୋଗାଡ଼ କରିବା ଦାୟିତ୍ୱ ମଧ୍ୟ ନବ ତୁଲାଉଥିଲେ । ଆଉ ପଶ୍ଚିମ ଓଡ଼ିଶାରେ ଅଧିକ ପ୍ରଭାବଶାଳୀ ପାଲଟି ଯାଇଥିଲେ । ମନ୍ତ୍ରିମଣ୍ଡଳ ଅଦଳବଦଳବେଳେ ବି ନବଙ୍କ ମନ୍ତ୍ରୀ ପଦ ସୁରକ୍ଷିତ ରହିଥିଲା । ନବଙ୍କ ଏଭଳି ଉତଥାନ ପଶ୍ଚିମ ଓଡ଼ିଶାର କିଛି ପ୍ରଭାବଶାଳୀ ବୋଲାଉଥିବା ବିଜେଡି ନେତାଙ୍କୁ ହଜମ ହୋଇନଥିଲା । ନବଙ୍କ ସହ ଛାୟା ଯୁଦ୍ଧରେ ଲିପ୍ତ ରହିଥିଲେ । ଯାହାର ଝଲକ ବ୍ରଜରାଜନଗର ଉପନିର୍ବାଚନ ଓ ପଦ୍ମପୁର ଉପନିର୍ବାଚନରେ ବି ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ, ନବଙ୍କ ପାରିବାରିକ କମ୍ପାନୀ ସହ ମିଶି ସୁନ୍ଦରଗଡ଼ର ମନୋହରପୁର ଡିପସାଇଟରେ କୋଇଲା ପରିବହନ କାରବାର କରୁଥିବା ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କ ପରିବାର ବି ନବଙ୍କ ଏଭଳି ଏକଛତ୍ରବାଦୀ ମନୋଭାବ(ସମ୍ପୃକ୍ତ ନେତାଙ୍କୁ ମାନୁନଥିଲେ)କୁ ନେଇ ଈର୍ଷାନ୍ୱିତ ଥିଲେ । ବିଜେଡିରେ ସମସ୍ତେ ତାଙ୍କୁ ମାନୁଥିବାବେଳେ ନବ ବ୍ୟତିକ୍ରମ ଥିଲେ । ତେଣୁ ପଶ୍ଚିମ ଓଡ଼ିଶାରେ ପ୍ରଭାବ ବିସ୍ତାର ପାଇଁ ନବ ବୋଧହୁଏ କଂଟା ସାଜିଥିଲେ ବୋଲି ଚର୍ଚ୍ଚା ହେଉଛି ।

- ବିଜେଡିର ବାହୁବଳୀ ଓ ଧନୀ ନେତା ଭାବେ ନବ ପରିଚିତ ଥିଲେ । ଝାରସୁଗୁଡ଼ା ଜିଲ୍ଲାରେ ନବଙ୍କ ଦବଦବା ଏଭଳି ଯେ, ତାଙ୍କ ଅଗୋଚରରେ ପ୍ରଶାସନରେ ସାମାନ୍ୟ କାର୍ଯ୍ୟ ବି ସମ୍ଭବପର ନୁହେଁ । ଝାରସୁଗୁଡ଼ାରେ କାର୍ଯ୍ୟ କରୁଥିବା ବିଭିନ୍ନ ଶିଳ୍ପ ସଂସ୍ଥାରେ ନବଙ୍କ ଅବାଧ ହସ୍ତକ୍ଷେପ ରହିଥିଲା । ଏପରିକି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଖଣିଜ ପରିବହନ ନବଙ୍କ ବିନା ଅଗୋଚରରେ ସମ୍ଭବପର ନଥିବା ଚର୍ଚ୍ଚା ହୁଏ ।

ସମ୍ଭବତଃ ଏସବୁ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଲାଗୁଛି, ଗୋପାଳଙ୍କୁ ମୋହରା କରାଯାଇନି ତ? ନବଙ୍କୁ ହତ୍ୟା କରିବାକୁ ନେଇ ଗୋପାଳଙ୍କ ପାଖରେ କୌଣସି ବଳିଷ୍ଠ କାରଣ ନଥିବା ନବଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି । ଆଉ ହତ୍ୟା ପଛର କାରଣକୁ ନେଇ ଯେଉଁ ସବୁ ଗୁଜବ ଓ ଚର୍ଚ୍ଚା ଚାଲିଛି ସେଥିରେ ଦମ୍ ନଥିବା କୁହାଯାଉଛି । କାରଣ ଶହ ଶହ କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିବା ଓ ରାଜ୍ୟ ସରକାରରେ ସର୍ବାଧିକ ପ୍ରଭାବଶାଳୀ ମନ୍ତ୍ରୀ ନବଙ୍କ ପାଇଁ ସେସବୁ କାରଣ ମୂଲ୍ୟହୀନ ସଦୃଶ । ଯଦି ବିରୋଧୀ ଦଳ ନେତାଙ୍କ କଥାରେ ସତ୍ୟତା ଥାଏ ତା’ହେଲେ ରାଜ୍ୟ ସରକାରଙ୍କ ଅଫିସରଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ହେବା ସହଜ ନୁହେଁ । ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ଅବା ହାଇକୋର୍ଟ-ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ତଦନ୍ତର ଆବଶ୍ୟକତା ରହିଛି । କାରଣ ବିଜେଡି ଯୁବନେତା ଅଭିମନ୍ୟୁ ସାହୁ ହତ୍ୟାକୁ ୧୦ବର୍ଷ ପୂରିବାକୁ ବସିଥିବାବେଳେ ତା’ର ତଦନ୍ତଭାର କ୍ରାଇମବ୍ରାଂଚ ନେଇଥିଲା । ଅଭିମନ୍ୟୁଙ୍କ ପତ୍ନୀ ଟୁକୁନି ୨ଥର ଟିଟିଲାଗଡ଼ର ବିଧାୟିକା ଓ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇଥିଲେ ବି ଏପର୍ଯ୍ୟନ୍ତ ଉକ୍ତ ହତ୍ୟାରେ ସମ୍ପୃକ୍ତି ଥିବା ଅଭିଯୁକ୍ତମାନଙ୍କୁ ଧରିବାରେ ରାଜ୍ୟ ପୁଲିସ ସକ୍ଷମ ହୋଇନି । ତେଣୁ ନବଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ରକାରୀ ଓ ପ୍ରକୃତ କାରଣକୁ କ୍ରାଇମବ୍ରାଂଚ ଉଜାଗର କେବେ କରିବ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ନବଙ୍କୁ ଗୋପାଳ ଗୁଡ଼ିମାଡ଼ କରିଥିଲେ ବି ଟ୍ରିଗରରେ ରାଜ୍ୟର ବଡ଼ବଡ଼ିଆଙ୍କ ହାତ ଥିବାର କଳଙ୍କ ଓ ଚର୍ଚ୍ଚା ସର୍ବଦା ଲାଗି ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos