Advertisment

ନବୀନ ଭୟଭୀତ କି?

ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହ ବାହାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ କରିଥିବା ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

author-image
Jitendra Garnayak
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହୋଇଛି। ତେବେ ଅଧିବେଶନର ପ୍ରଥମ ଦିନରେ ଗୃହ ବାହାରେ ଦେଖିବାକୁ ମିଳିଥିଲା ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଭିନ୍ନ ରୂପ। ସମସ୍ତଙ୍କ ସମ୍ମୁଖରେ ନିଜ ଦଳର ବରିଷ୍ଠ ବିଧାୟକ ସନାତନ ମହାକୁଡ଼ଙ୍କୁ ନବୀନ ମାରିଥିଲେ ତେରଛା ବାଣ, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତା’ସହିତ ନବୀନ ଭୟଭୀତ କି ବୋଲି ଉଠିଛି ପ୍ରଶ୍ନ।

Advertisment

ନବୀନ ପଟ୍ଟନାୟକଙ୍କୁ ବିଧାନସଭା ଗୃହକୁ ପାଛୋଟି ନେବାକୁ ଅପେକ୍ଷା କରିଥିଲେ ବିଜେଡିର କିଛି ବିଧାୟକ। ସେମାନଙ୍କ ମଧ୍ୟରେ ଥିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ନବୀନ କାରରୁ ଓହ୍ଲାଇ ଗୃହ ଭିତରକୁ ଯାଉଥିବା ବେଳେ ତାଙ୍କ ନଜର ପଡ଼ିଥିଲା ସନାତନଙ୍କ ଉପରେ। ତାଙ୍କୁ ଦେଖି ନବୀନ ତାଗିଦ କରିବା ଶୈଳୀରେ ପଚାରିଥିଲେ ଯେ ଗତକାଲି ସେ କାହିଁକି ବିଜେଡି ବିଧାୟକ ଦଳ ବୈଠକକୁ ଆସି ନଥିଲେ। ଉତ୍ତରରେ ଅସୁସ୍ଥ ଥିଲେ ବୋଲି କହିଥିଲେ ସନାତନ ମହାକୁଡ଼। ତାଙ୍କର ଏହି ଉତ୍ତରରେ ନବୀନ ସନ୍ତୁଷ୍ଟ ହେଲା ଭଳି ଲାଗି ନଥିଲେ। ଏହା ପରେ ଆଗକୁ ବଢୁଥିବା ବେଳେ ନବୀନ ପୁଣି ଅଟକି ଯାଇ ‘ବିଜେପି ଆଡ଼କୁ ଯାଉଛନ୍ତି କି’ ବୋଲି ସନାତନଙ୍କୁ ପଚାରିଥିଲେ। ନବୀନ ତାଙ୍କୁ ଏହି ପ୍ରଶ୍ନ କଲା ବେଳେ ସେଠାରେ କିଛି ବିଜେଡି ବିଧାୟକଙ୍କ ସହିତ ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସାଧାରଣ ନିର୍ବାଚନ ପରଠାରୁ ବିଜେଡି ଭାଙ୍ଗି ଯିବ ବୋଲି ଆଲୋଚନା ହେଉଛି। ବିଭିନ୍ନ ସମୟରେ କିଛି ବିଜେଡି ବିଧାୟକ ଓ ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଛି। ଅନେକ ସମୟରେ ଅନେକ ବିଜେପି ନେତା କହିଛନ୍ତି ଯେ ବିଜେଡି ଭାଙ୍ଗିବ ଓ ତାଙ୍କ ନେତାମାନେ ବିଜେପିରେ ମିଶିବାକୁ ପ୍ରସ୍ତୁତ ହୋଇ ବସିଛନ୍ତି। ଅନେକ ସମୟରେ ବିଭିନ୍ନ ସ୍ଥାନରେ ବିଜେଡି ନେତାଙ୍କ ମେଳି ଏଭଳି ଆଲୋଚନାକୁ ଖୋରାକ ଯୋଗାଇଛି। ଏମିତିକି କଟକରେ କିଛି ବିଜେଡି ନେତା ଏକାଠି ହୋଇଥିବା ବେଳେ ସେଭଳି ମେଳି ନ କରିବାକୁ ନବୀନ ଫୋନ୍ କରି ତାଗିଦ କରିଥିଲେ ବୋଲି ଖବର ଆସିଥିଲା। ଆଉ ଆଜି ସର୍ବସମ୍ମୁଖରେ ବରିଷ୍ଠ ବିଧାୟକ ସନାତନ ମହାକୁଡ଼ଙ୍କୁ ସେ ବିଜେପି ଆଡ଼କୁ ଯାଉଛନ୍ତି କି ବୋଲି ପଚାରିବା ପରେ ଆଲୋଚନା ହେଉଛନ୍ତି ଯେ ନବୀନ ଭୟଭୀତ ଅଛନ୍ତି କି? ଦଳ ଭାଙ୍ଗି ଯିବ ବୋଲି ସେ ମଧ୍ୟ ଆଶଙ୍କା କରୁଛନ୍ତି କି? କେବଳ ଗତକାଲି ବୈଠକରେ ସନାତନ ମହାକୁଡ଼ ଯୋଗ ନଦେବାରୁ ନବୀନ ତାଙ୍କ ଉପରେ ସନ୍ଦେହ କରୁଛନ୍ତି, ନା ଆଉ କିଛି କଥା ଅଛି? ସନାତନ ଭିତରେ ଭିତରେ ସେମିତି କିଛି ଯୋଜନା କରୁଥିବା ନବୀନଙ୍କ କାନରେ ପଡ଼ିଛି କି? ଅନେକ ଦିନ ତଳେ ଚମ୍ପୁଆରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସନାତନ ମହାକୁଡ଼ଙ୍କ ଗାଲରେ କେକ୍ ଲଗାଇବା ତଥା ସନାତନ ମୁଖ୍ୟମନ୍ତ୍ରୀଙ୍କୁ କେକ୍ ଖୁଆଇବା ଘଟଣାକୁ ନେଇ ତାଙ୍କ ଉପରେ ସନ୍ଦେହ କରୁଛନ୍ତି ନବୀନ? ନହେଲେ ସେ ସନାତନ ମହାକୁଡ଼ଙ୍କୁ ଏମିତି ଏକ ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ କ’ଣ?

Advertisment

ଅନ୍ୟପକ୍ଷରେ ସନାତନ ମହାକୁଡ଼ କହିଛନ୍ତି ଯେ ସେ ବିଜେଡି ସହିତ ଅଛନ୍ତି ଓ ରହିବେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସନାତନ ମହାକୁଡ଼ କହିଛନ୍ତି, ମୁଁ ଦଳ ଠାରୁ ଦୂରେଇ ଯାଇନି। ମୁଁ ଦଳ ସହିତ ରହିଛି ଓ ରହିବି। ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ ଓ ଆଲୋଚନା କରୁଛୁ। ସେ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ। ସେ କେବଳ ବିଜେପିର ମୁଖ୍ୟମନ୍ତ୍ରୀ ନୁହନ୍ତି। କାହିଁକି ଦଳୀୟ ବୈଠକକୁ ଆସିଲେନି ବୋଲି ନବୀନ ପଟ୍ଟନାୟକ ପଚାରିଥିଲେ। ଅସୁସ୍ଥତା ହେତୁ ଯୋଗ ଦେଇପାରିଲିନି ବୋଲି କହିଥିଲି। ବିଜେପିକୁ ଯାଉଛନ୍ତି କି ବୋଲି ସେ ପଚାରି ନାହାନ୍ତି। ସେ ଦଳର ମୁରବୀ। ପଚାରିବାର ଅଧିକାର ତାଙ୍କର ଅଛି।

ଆଜିର ଏହି ଘଟଣାକୁ ନେଇ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, କାଳେ ସବୁ ବିଜେପି ପଳାଇବେ ସେ କଥା ଭାବି ନବୀନ ଭୟଭୀତ ହୋଇଗଲେଣି। ଯେଉଁଦିନ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହିଁବେ, ସେହିଦିନ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ। ମୁଁ ଆଗରୁ ବି କହିଥିଲି, ହୁଇସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ। ଏତେବର୍ଷ ଧରି ସେ (ନବୀନ ପଟ୍ଟନାୟକ) କିଛି ବୁଝୁ ନଥିଲେ। କିନ୍ତୁ ରାଜୁତି କରୁଥିଲେ। ତାର ଫଳ ଇଏ।

BjD Naveen Patnaik