Advertisment

ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ କହି ପ୍ରତିହିଂସାର ରାଜନୀତି କରୁଛି କି ବିଜେଡି

ଶାସକ ଦଳ ସିଧାସଳଖ ବିରୋଧୀ ଦଳ ନେତାଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି ଆକ୍ଷେପ କରିବା ପ୍ରତିବାଦରେ ଏଭଳି ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବା ପାଇଁ ବିରୋଧୀ ଦଳ ବିଧାୟକମାନେ ଅଡ଼ି ବସିଥିଲେ ।

author-image
Ordigital Desk
Jayanarayan Mishra

Jayanarayan Mishra

ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ ବୋଲି ସମ୍ବୋଧିତ କରିବା ଓ ତାହା ବିଧାନସଭାର ଗୃହ ବିବରଣୀରୁ ବାଦ୍ ଦିଆନଯିବା ଶାସକ ବିଜେଡିର ପ୍ରତିହିଂସା ରାଜନୀତିକୁ ପଦାରେ ପକାଇଛି । ଗଣତନ୍ତ୍ରରେ ନିର୍ବାଚିତ ସରକାର ଓ ବ୍ୟବସ୍ଥାଗତ ତ୍ରୁଟିକୁ ଲୋକଲୋଚନକୁ ଆଣିବା ବିରୋଧୀ ଦଳର କାର୍ଯ୍ୟ ହୋଇଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଏବେ ଶାସକ ବିଜେଡି କ୍ରମାଗତ ସମାଲୋଚନା କରି ଆଜି ସବୁ ସୀମାକୁ ଲଘଂନ କରିଛି । ଗତକାଲି ଶ୍ରୀ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଶ୍ରଦ୍ଧା ନାମ୍ନୀ ମହିଳା କିଏ ଓ ସେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହ ସରକାରୀ ଅର୍ଥରେ ଭାଟିକାନ ସିଟି ଯାଇଥିଲେ ଏବଂ ସରକାରୀ କ୍ୱାଟର୍ସ ତାଙ୍କୁ କାହିଁକି ଦିଆଯାଇଛି ବୋଲି ପ୍ରଶ୍ନ କରିବା ପରେ ଶାସକ ବିଜେଡିରେ କମ୍ପନ ସୃଷ୍ଟି ହୋଇଥିଲା । ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ଏଭଳି ସଙ୍ଗୀନ ଅଭିଯୋଗ ଉପରେ ମୁହଁ ଖୋଲୁନଥିବା ଶାସକ ବିଜେଡି କିନ୍ତୁ ଆଜି ବିଧାନସଭା ଭିତରେ ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ ବୋଲି କହିବାକୁ ପଛାଇ ନାହିଁ । ଶାସକ ଦଳ ସିଧାସଳଖ ବିରୋଧୀ ଦଳ ନେତାଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି ଆକ୍ଷେପ କରିବା ପ୍ରତିବାଦରେ ଏଭଳି ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବା ପାଇଁ ବିରୋଧୀ ଦଳ ବିଧାୟକମାନେ ଅଡ଼ି ବସିଥିଲେ । କିନ୍ତୁ ବାଚସ୍ପତି ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ । ଶାସକ ଦଳର ଏଭଳି ଆଭିମୁଖ୍ୟ ହିଁ ପରୋକ୍ଷରେ ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡିର ଅସହିଷ୍ଣୁତା ଓ ପ୍ରତହିଂସା ରାଜନୀତିକୁ ଇଙ୍ଗିତ କରୁଛି ।

Advertisment

ଆଜି ପୂର୍ବାହ୍ନରେ ଗୃହରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ୍ ହୋଇଥିବା ହେଲିକପ୍ଟରକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ  ତଥା ଫାଇଭ-ଟି ସଚିବ କଟକ ଯିବା ପାଇଁ ଉପଯୋଗ କରିଛନ୍ତି । ଫାଇଭ-ଟି ସଚିବଙ୍କ ଗସ୍ତରେ ହେଲିକପ୍ଟର ଭଡ଼ା ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେନେଇ କେହି ପ୍ରଶ୍ନ କରିନଥିଲେ ବି ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ଗୃହରେ ହିସାବ ରଖିଥିଲେ । ସାଢ଼େ ୩ବର୍ଷରେ ୪୦କୋଟି ଟଙ୍କା ବିମାନ ଭଡ଼ା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ବି ଫାଇଭ-ଟି ସଚିବଙ୍କ ଗସ୍ତବେଳେ ସୁରକ୍ଷା ବନ୍ଦୋବସ୍ତ, ଟେଣ୍ଟ ଭଡ଼ା, ଲୋକଙ୍କୁ ସଭାସ୍ଥଳକୁ ଆଣିବା ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେନେଇ ନିରବ ରହିଛନ୍ତି । ବିଧାୟକଙ୍କ ବିବାହ ଭୋଜିରେ ଯୋଗ ଦେବା ପାଇଁ ହେଲିକପ୍ଟର କିଭଳି ଉପଯୋଗ ହୋଇଥିଲା ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାନ ଢଙ୍ଗରେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଭୁବନେଶ୍ୱରର ଲୋଏର ପିଏମଜିରେ ବିଭିନ୍ନ ସଂଗଠନ ନିଜ ନିଜର ଦାବି ପୂରଣ ପାଇଁ ଧାରଣାରେ ବସିଛନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସିଏମଓ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛି ବୋଲି ସରକାର ବିଧାନସଭାରେ କହୁଛନ୍ତି । କିନ୍ତୁ ରାଜଧାନୀରେ ହଜାର ହଜାର ଲୋକ ଦାବି ପୂରଣ ପାଇଁ ଧାରଣାରେ ବସିଛନ୍ତି । କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋଏର ପିଏମଜିକୁ ଯାଇ ସେମାନଙ୍କଗ ଅଭିଯୋଗ ଶୁଣୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଜିଲ୍ଲାକୁ ତାଙ୍କ ଗୁମାସ୍ତା  ଯାଉଥିଲେ । ସମୟ ଆସିବ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଉତ୍ତର ଦେବା ପାଇଁ ଫାଇଭ-ଟି ସଚିବ ଆସିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Advertisment

ତେବେ ବିରୋଧୀ ଦଳକୁ କଡ଼ା ସମାଲୋଚନା କରି ଶାସକ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ କହିôଥଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଏଭଳି ପ୍ରୟାସ ଯୋଗୁ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ବିରୋଧୀଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ବିଧାନସଭାରେ ଜ୍ଞାନ ବିତରଣ କରୁଥିବା ବିରୋଧୀ ଦଳର ୨ଜଣ ବରିଷ୍ଠ ନେତା ଜ୍ଞାନ ଆହରଣ କରିବାକୁ ସକ୍ଷମ ନୁହଁନ୍ତି । ଖବରର ଶିରୋନାମାରେ ରହିବାକୁ ସବୁବେଳେ ଅପଚେଷ୍ଟା କରୁଛନ୍ତି । ବିଧାନସଭା ଜ୍ଞାନ ବିତରଣ କରିବା ସଭା ନୁହେଁ । ଜୀବନକାଳରେ ଯାହା କରିନଥିଲେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଫାଇଭ-ଟି ତାହା କରିଛନ୍ତି ବୋଲି କହିଛନ୍ତି ।

ଶାସକ ଦଳ ଦ୍ୱାରା ବିରୋଧୀ ଦଳକୁ ମାନସିକ ବିକାରଗ୍ରସ୍ତ ବୋଲି କୁହାଯିବାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ବିଜେପି ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରିଥିଲେ ମଧ୍ୟ ବାଚସ୍ପତି ନିରବ ରହିଥିଲେ । ଆଉ ଉଭୟ କଂଗ୍ରେସ ଓ ବିଜେପିର ଏଭଳି ହଟ୍ଟଗୋଳ ମଧ୍ୟରେ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଆଉ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଏହି ହଟ୍ଟଗୋଳ ଜାରି ରହିବାରୁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଆଉ ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଗୃହରେ  ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଥିଲା । ତେବେ ମାନସିକ ବିକାରଗ୍ରସ୍ତ ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବା ପାଇଁ ବାଚସ୍ପତି କୌଣସି ନିଷ୍ପତ୍ତି ନନେବାରୁ ବିଜେପି ସଦସ୍ୟମାନେ ପଲିଥିନରେ ଆଣିଥିବା ଡାଲିକୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଆଉ ଏହି କାରଣରୁ ବିଜେପିର ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ଅଧିବେଶନର ପରବର୍ତ୍ତୀ କାର୍ଯ୍ୟଦିବସ ପାଇଁ ନିଲମ୍ବନ କରିଛନ୍ତି । ତେବେ ସେମାନେ କୌଣସି ଡାଲି ଫିଙ୍ଗିନଥିବା ମୋହନ ମାଝୀ କହିଛନ୍ତି । ସେହିପରି ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆମେ ବିରୋଧୀ ଦଳ ନେତାଙ୍କୁ ଶାସକ ଦଳ ମାନସିକ ବିକାରଗ୍ରସ୍ତ ଶବ୍ଦ କହିଥିବାରୁ ଏହି ଶବ୍ଦକୁ ବିବରଣୀରୁ ବାଦ୍ ଦେବାକୁ ଦାବି କରିଥିଲୁ । କିନ୍ତୁ ବାଚସ୍ପତି ଏହା ଶୁଣିନଥିଲେ କିମ୍ବା ଆମେ ପ୍ରତିବାଦ ଜାରି ରଖିଥିଲେ ମଧ୍ୟ ସର୍ବଦଳୀୟ ବୈଠକ ଡାକିନଥିଲେ । ତେଣୁ ବାଚସ୍ପତି ଯେତେବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ସେ  ଡାଲିକୁ ଭଲ ପାଉଥିବାରୁ ଆମ କଥା ଶୁଣିବା ପାଇଁ ଆମେ ତାଙ୍କୁ କିଛି ଡାଲି ଦେଇଥିଲୁ ।

ତେବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରି ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଥିବାରୁ ଶାସକ ଦଳ ବ୍ୟାକଫୁଟକୁ ଯାଇଛି । ନବୀନ ନିବାସକୁ ଅବାଧ ପ୍ରବେଶ ଥିବା ଶ୍ରଦ୍ଧା କିଏ ବୋଲି ଜୟନାରାୟଣଙ୍କ ପ୍ରଶ୍ନର ଉତ୍ତର ଦେଇନଥିବା ବିଜେଡି କିନ୍ତୁ ଆଜି ତାଙ୍କୁ ବିଧାନସଭାରେ ମାନସିକ ବିକାରଗ୍ରସ୍ତ କହିବାକୁ ପଛାଇ ନାହିଁ ଓ ଏହି ଶବ୍ଦକୁ ମଧ୍ୟ ଗୃହ ବିବରଣୀରୁ ବାଚସ୍ପତି ବାଦ୍ ଦେଇନାହାନ୍ତି । ଏହା ବିଜେଡିର ପ୍ରତିହିଂସା ରାଜନୀତିକୁ ପଦାରେ ପକାଇଥିବାବେଳେ ଜଣେ ବିରୋଧୀ ଦଳ ନେତାଙ୍କୁ ଶାସକ ଦଳ କିଭଳି ମାନସିକ ବିକାରଗ୍ରସ୍ତ ବୋଲି ଅଭିହିତ କରୁଛି ଓ ଏହା କ’ଣ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା କି ବୋଲି ସାଧାରଣରେ ଚର୍ଚ୍ଚା ।

BjD State Bjp Jayanarayan Mishra