ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ ବୋଲି ସମ୍ବୋଧିତ କରିବା ଓ ତାହା ବିଧାନସଭାର ଗୃହ ବିବରଣୀରୁ ବାଦ୍ ଦିଆନଯିବା ଶାସକ ବିଜେଡିର ପ୍ରତିହିଂସା ରାଜନୀତିକୁ ପଦାରେ ପକାଇଛି । ଗଣତନ୍ତ୍ରରେ ନିର୍ବାଚିତ ସରକାର ଓ ବ୍ୟବସ୍ଥାଗତ ତ୍ରୁଟିକୁ ଲୋକଲୋଚନକୁ ଆଣିବା ବିରୋଧୀ ଦଳର କାର୍ଯ୍ୟ ହୋଇଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଏବେ ଶାସକ ବିଜେଡି କ୍ରମାଗତ ସମାଲୋଚନା କରି ଆଜି ସବୁ ସୀମାକୁ ଲଘଂନ କରିଛି । ଗତକାଲି ଶ୍ରୀ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଶ୍ରଦ୍ଧା ନାମ୍ନୀ ମହିଳା କିଏ ଓ ସେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହ ସରକାରୀ ଅର୍ଥରେ ଭାଟିକାନ ସିଟି ଯାଇଥିଲେ ଏବଂ ସରକାରୀ କ୍ୱାଟର୍ସ ତାଙ୍କୁ କାହିଁକି ଦିଆଯାଇଛି ବୋଲି ପ୍ରଶ୍ନ କରିବା ପରେ ଶାସକ ବିଜେଡିରେ କମ୍ପନ ସୃଷ୍ଟି ହୋଇଥିଲା । ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ଏଭଳି ସଙ୍ଗୀନ ଅଭିଯୋଗ ଉପରେ ମୁହଁ ଖୋଲୁନଥିବା ଶାସକ ବିଜେଡି କିନ୍ତୁ ଆଜି ବିଧାନସଭା ଭିତରେ ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ ବୋଲି କହିବାକୁ ପଛାଇ ନାହିଁ । ଶାସକ ଦଳ ସିଧାସଳଖ ବିରୋଧୀ ଦଳ ନେତାଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି ଆକ୍ଷେପ କରିବା ପ୍ରତିବାଦରେ ଏଭଳି ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବା ପାଇଁ ବିରୋଧୀ ଦଳ ବିଧାୟକମାନେ ଅଡ଼ି ବସିଥିଲେ । କିନ୍ତୁ ବାଚସ୍ପତି ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ । ଶାସକ ଦଳର ଏଭଳି ଆଭିମୁଖ୍ୟ ହିଁ ପରୋକ୍ଷରେ ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡିର ଅସହିଷ୍ଣୁତା ଓ ପ୍ରତହିଂସା ରାଜନୀତିକୁ ଇଙ୍ଗିତ କରୁଛି ।
ଆଜି ପୂର୍ବାହ୍ନରେ ଗୃହରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ୍ ହୋଇଥିବା ହେଲିକପ୍ଟରକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ କଟକ ଯିବା ପାଇଁ ଉପଯୋଗ କରିଛନ୍ତି । ଫାଇଭ-ଟି ସଚିବଙ୍କ ଗସ୍ତରେ ହେଲିକପ୍ଟର ଭଡ଼ା ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେନେଇ କେହି ପ୍ରଶ୍ନ କରିନଥିଲେ ବି ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ଗୃହରେ ହିସାବ ରଖିଥିଲେ । ସାଢ଼େ ୩ବର୍ଷରେ ୪୦କୋଟି ଟଙ୍କା ବିମାନ ଭଡ଼ା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ବି ଫାଇଭ-ଟି ସଚିବଙ୍କ ଗସ୍ତବେଳେ ସୁରକ୍ଷା ବନ୍ଦୋବସ୍ତ, ଟେଣ୍ଟ ଭଡ଼ା, ଲୋକଙ୍କୁ ସଭାସ୍ଥଳକୁ ଆଣିବା ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେନେଇ ନିରବ ରହିଛନ୍ତି । ବିଧାୟକଙ୍କ ବିବାହ ଭୋଜିରେ ଯୋଗ ଦେବା ପାଇଁ ହେଲିକପ୍ଟର କିଭଳି ଉପଯୋଗ ହୋଇଥିଲା ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାନ ଢଙ୍ଗରେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଭୁବନେଶ୍ୱରର ଲୋଏର ପିଏମଜିରେ ବିଭିନ୍ନ ସଂଗଠନ ନିଜ ନିଜର ଦାବି ପୂରଣ ପାଇଁ ଧାରଣାରେ ବସିଛନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସିଏମଓ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛି ବୋଲି ସରକାର ବିଧାନସଭାରେ କହୁଛନ୍ତି । କିନ୍ତୁ ରାଜଧାନୀରେ ହଜାର ହଜାର ଲୋକ ଦାବି ପୂରଣ ପାଇଁ ଧାରଣାରେ ବସିଛନ୍ତି । କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋଏର ପିଏମଜିକୁ ଯାଇ ସେମାନଙ୍କଗ ଅଭିଯୋଗ ଶୁଣୁନି ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଜିଲ୍ଲାକୁ ତାଙ୍କ ଗୁମାସ୍ତା ଯାଉଥିଲେ । ସମୟ ଆସିବ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଉତ୍ତର ଦେବା ପାଇଁ ଫାଇଭ-ଟି ସଚିବ ଆସିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ତେବେ ବିରୋଧୀ ଦଳକୁ କଡ଼ା ସମାଲୋଚନା କରି ଶାସକ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ କହିôଥଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଏଭଳି ପ୍ରୟାସ ଯୋଗୁ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ବିରୋଧୀଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ବିଧାନସଭାରେ ଜ୍ଞାନ ବିତରଣ କରୁଥିବା ବିରୋଧୀ ଦଳର ୨ଜଣ ବରିଷ୍ଠ ନେତା ଜ୍ଞାନ ଆହରଣ କରିବାକୁ ସକ୍ଷମ ନୁହଁନ୍ତି । ଖବରର ଶିରୋନାମାରେ ରହିବାକୁ ସବୁବେଳେ ଅପଚେଷ୍ଟା କରୁଛନ୍ତି । ବିଧାନସଭା ଜ୍ଞାନ ବିତରଣ କରିବା ସଭା ନୁହେଁ । ଜୀବନକାଳରେ ଯାହା କରିନଥିଲେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଫାଇଭ-ଟି ତାହା କରିଛନ୍ତି ବୋଲି କହିଛନ୍ତି ।
ଶାସକ ଦଳ ଦ୍ୱାରା ବିରୋଧୀ ଦଳକୁ ମାନସିକ ବିକାରଗ୍ରସ୍ତ ବୋଲି କୁହାଯିବାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ବିଜେପି ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରିଥିଲେ ମଧ୍ୟ ବାଚସ୍ପତି ନିରବ ରହିଥିଲେ । ଆଉ ଉଭୟ କଂଗ୍ରେସ ଓ ବିଜେପିର ଏଭଳି ହଟ୍ଟଗୋଳ ମଧ୍ୟରେ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଆଉ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଏହି ହଟ୍ଟଗୋଳ ଜାରି ରହିବାରୁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଆଉ ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଗୃହରେ ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଥିଲା । ତେବେ ମାନସିକ ବିକାରଗ୍ରସ୍ତ ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବା ପାଇଁ ବାଚସ୍ପତି କୌଣସି ନିଷ୍ପତ୍ତି ନନେବାରୁ ବିଜେପି ସଦସ୍ୟମାନେ ପଲିଥିନରେ ଆଣିଥିବା ଡାଲିକୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଆଉ ଏହି କାରଣରୁ ବିଜେପିର ଦୁଇ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ଅଧିବେଶନର ପରବର୍ତ୍ତୀ କାର୍ଯ୍ୟଦିବସ ପାଇଁ ନିଲମ୍ବନ କରିଛନ୍ତି । ତେବେ ସେମାନେ କୌଣସି ଡାଲି ଫିଙ୍ଗିନଥିବା ମୋହନ ମାଝୀ କହିଛନ୍ତି । ସେହିପରି ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆମେ ବିରୋଧୀ ଦଳ ନେତାଙ୍କୁ ଶାସକ ଦଳ ମାନସିକ ବିକାରଗ୍ରସ୍ତ ଶବ୍ଦ କହିଥିବାରୁ ଏହି ଶବ୍ଦକୁ ବିବରଣୀରୁ ବାଦ୍ ଦେବାକୁ ଦାବି କରିଥିଲୁ । କିନ୍ତୁ ବାଚସ୍ପତି ଏହା ଶୁଣିନଥିଲେ କିମ୍ବା ଆମେ ପ୍ରତିବାଦ ଜାରି ରଖିଥିଲେ ମଧ୍ୟ ସର୍ବଦଳୀୟ ବୈଠକ ଡାକିନଥିଲେ । ତେଣୁ ବାଚସ୍ପତି ଯେତେବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ ସେ ଡାଲିକୁ ଭଲ ପାଉଥିବାରୁ ଆମ କଥା ଶୁଣିବା ପାଇଁ ଆମେ ତାଙ୍କୁ କିଛି ଡାଲି ଦେଇଥିଲୁ ।
ତେବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରି ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆଣୁଥିବାରୁ ଶାସକ ଦଳ ବ୍ୟାକଫୁଟକୁ ଯାଇଛି । ନବୀନ ନିବାସକୁ ଅବାଧ ପ୍ରବେଶ ଥିବା ଶ୍ରଦ୍ଧା କିଏ ବୋଲି ଜୟନାରାୟଣଙ୍କ ପ୍ରଶ୍ନର ଉତ୍ତର ଦେଇନଥିବା ବିଜେଡି କିନ୍ତୁ ଆଜି ତାଙ୍କୁ ବିଧାନସଭାରେ ମାନସିକ ବିକାରଗ୍ରସ୍ତ କହିବାକୁ ପଛାଇ ନାହିଁ ଓ ଏହି ଶବ୍ଦକୁ ମଧ୍ୟ ଗୃହ ବିବରଣୀରୁ ବାଚସ୍ପତି ବାଦ୍ ଦେଇନାହାନ୍ତି । ଏହା ବିଜେଡିର ପ୍ରତିହିଂସା ରାଜନୀତିକୁ ପଦାରେ ପକାଇଥିବାବେଳେ ଜଣେ ବିରୋଧୀ ଦଳ ନେତାଙ୍କୁ ଶାସକ ଦଳ କିଭଳି ମାନସିକ ବିକାରଗ୍ରସ୍ତ ବୋଲି ଅଭିହିତ କରୁଛି ଓ ଏହା କ’ଣ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା କି ବୋଲି ସାଧାରଣରେ ଚର୍ଚ୍ଚା ।