Advertisment

କଳିଙ୍ଗନଗର ଆଦିବାସୀ ଗଣହତ୍ୟାକୁ ୧୮ବର୍ଷ ପୂରିଲା, ମହମବତୀ ଶୋଭାଯାତ୍ରା କରି ବର୍ଷିଲା କଂଗ୍ରେସ

ନିରୀହ ଆଦିବାସୀଙ୍କୁ ନିର୍ମମ ହତ୍ୟା କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଏପର୍ଯ୍ୟନ୍ତ ଆଦିବାସୀଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇନି ବୋଲି କହି କଡ଼ା ଭାଷାରେ ବର୍ଷିଛି।

author-image
Ordigital Desk
undefined

Congress

କଳିଙ୍ଗ ନଗର ଆଦିବାସୀ ଗଣହତ୍ୟାର ୧୮ ତମ ଶ୍ରାଦ୍ଧବାର୍ଷିକୀରେ ମହମବତୀ ଶୋଭାଯାତ୍ରାର ଆୟୋଜନ କରିଥିଲା ରାଜ୍ୟ କଂଗ୍ରେସ। ନିରୀହ ଆଦିବାସୀଙ୍କୁ ନିର୍ମମ ହତ୍ୟା କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଏପର୍ଯ୍ୟନ୍ତ ଆଦିବାସୀଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇନି ବୋଲି କହି କଡ଼ା ଭାଷାରେ ବର୍ଷିଛି। ୧୩ଜଣ ଦିବଂଗତ ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକଟ କରିଛି।
ଆଜି ରାଜ୍ୟ କଂଗ୍ରେସ ନେତାମାନେ ମହମବତୀ ଶୋଭାଯାତ୍ରାରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଦିବଗଂତ ନିରୀହ ୧୩ ଜଣ ଆଦିବାସୀଙ୍କ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କୁ ଶ୍ରୀ ପଟ୍ଟନାୟକ ସମବେଦନା ଜଣାଇଥିଲେ।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଅବସରରେ ନବୀନ ପଟ୍ଟନାୟକ ସରକାରକୁ କଡ଼ା ଭାଷାରେ ସମାଲୋଚନା କରି କହିଥିଲେ ଯେ, ୨୦୦୬ ମସିହା ଜାନୁଆରୀ ୨ତାରିଖରେ ଯାଜପୁର କଳିଙ୍ଗନଗର ଠାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ମିଳିତ ସରକାର ଦ୍ୱାରା ଭିଟାମାଟି ପାଇଁ ଲଢ଼େଇ କରୁଥିବା ନିରୀହ ଆଦିବାସୀମାନଙ୍କୁ ଶିଳ୍ପପତିଙ୍କ ସ୍ୱାର୍ଥକୁ ରକ୍ଷା କରିବାକୁ ଯାଇ ଯେଉଁଭଳି ଭାବେ ଗୁଳିକରି ହତ୍ୟା କରାଗଲା ତାହା ଏ ଅର୍ଦ୍ଧ ଶତାବ୍ଦୀର ସବୁଠାରୁ ନିମର୍ମ ଓ ବର୍ବୋରୋଚିତ ଗଣହତ୍ୟା ବୋଲି ସେତେବେଳର କେନ୍ଦ୍ର ସରକାର ପ୍ରକାଶ କରିଥିଲେ। ଖାଲି ସେତିକି ନୁହେଁ ରାୟଗଡ଼ା ଜିଲ୍ଲାର ମାଇକଂଚ, ନବରଙ୍ଗପୁର ଜିଲ୍ଲାର ରାଇଘର ଏବଂ କନ୍ଧମାଳ ଜିଲ୍ଲର ଗୁମୁଡୁମାହା ଠାରେ ଅତି ନିମର୍ମ ଭାବରେ ନିରୀହ ଆଦିବାସୀଙ୍କୁ ଗୁଳିକରାଯାଇଥିଲା।

ଉଭୟ ବିଜେପି ଓ ବିଜେଡ଼ି ସରକାର ନିରୀହ ଆଦିବାସୀଙ୍କ ରକ୍ତରେ ହୋଲିଖେଳିବାକୁ କୁଣ୍ଠବୋଧ କରନ୍ତି ନାହିଁ। ରାଜ୍ୟର ୧୦ଟି ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳର ୪୦ ଭାଗ ଲୋକଙ୍କ ପାଖରେ ସର୍ବନିମ୍ନ ସୁବିଧା ଯଥା ବାସଗୃହ, ସ୍ୱଚ୍ଛ ପିଇବାପାଣି, ସ୍ୱାସ୍ଥ୍ୟ ସେବା,ଶିକ୍ଷା ବ୍ୟବସ୍ଥା ଏବଂ ରୋଜଗାର ବ୍ୟବସ୍ଥା ଆଜି ଅପହଂଚ କାହିଁକି? ସ୍ୱର୍ଣ୍ଣଗର୍ଭା ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜର ଆଦିବାସୀମାନଙ୍କର ସ୍ଥିତି ଏତେ ବିକଟାଳ କାହିଁକି? ଏହାର ଉତ୍ତର ଉଭୟ ବିଜେଡ଼ି ଓ ବିଜେପି ସରକାର ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସବୁ ସମୟରେ ଏବଂ ସମସ୍ତ ପ୍ରସଙ୍ଗରେ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲଢ଼େଇ କରି ଆସୁଛି ଏବଂ ଏହା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Advertisment

ଆଜି ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ସୁରେଶ କୁମାର ରାଉତରାୟଙ୍କ ସମେତ ଶିବାନନ୍ଦ ରାୟ, ଶରତ ରାଉତ, ଅନନ୍ତ ପ୍ରସାଦ ସେଠୀ, ପଂଚାନନ କାନୁନଗୋ, ବିଶ୍ୱଜିତ ଦାଶ, ନକୁଳ ନାୟକ, ରବିନ୍ଦ୍ର କୁମାର ମଲ୍ଲିକ, ବିଜୟଲକ୍ଷ୍ମୀ ସାହୁ, କିଶୋର ଜେନା, ମାନସ ଚୌଧୁରୀ, ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ରଶ୍ମି ମହାପାତ୍ର, ଅମିୟ କୁମାର ପଟ୍ଟନାୟକ, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ପ୍ରଣତି ମିଶ୍ର, ସୁବ୍ରତ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ସତ୍ୟବ୍ରତ ନାୟକ, ସୁଶାନ୍ତ ତ୍ରିପାଠୀ, ପ୍ରଶାନ୍ତ ଚମ୍ପତି, ମିହିର ଅଚାର୍ଯ୍ୟ, ପ୍ରତିମା ମଲ୍ଲିକ, ଶ୍ରିୟାସ୍ମିତା ପଣ୍ଡା, ହଳଧର ସେଠୀ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ।

Congress Crime