Advertisment

କମିଟି ନାହିଁ କି ସୁପ୍ରିମୋ ଜାଣୁନାହାନ୍ତି, କିଏ ଚୂଡ଼ାନ୍ତ କରୁଛି ବିଜେଡି ଟିକେଟ୍

ଆଉ ବିଜେଡି ଯେଉଁ ସର୍ଭେକୁ ଆଧାର କରି ଟିକେଟ ବଂଟନ କରୁଛି ବୋଲି କହୁଛି ତାହା କେବଳ ଧର୍ମକୁ ଆଖିଠାର ମାରିବା ଭଳି

ଅଦ୍ୟତନ ହୋଇଛି
Sankha bhawan BJD

Sankha bhawan BJD

Advertisment

ବିଜେଡି ୬ଟି ପର୍ଯ୍ୟାୟରେ ମୋଟ ୧୪୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଲାଣି । କିନ୍ତୁ ଆଶ୍ଚର୍ଯ୍ୟର କଥା ଟିକେଟ୍ ଚୂଡ଼ାନ୍ତ ପାଇଁ ଦଳ ନିଜସ୍ୱ କମିଟି ଗଠନ କରିନି କି ପ୍ରାର୍ଥୀ ଚୟନ ପୂର୍ବରୁ ଦଳର ସୁପ୍ରିମୋଙ୍କୁ ବି ଭରସାକୁ ନିଆଯାଉନି । ଏପରିକି ଟିକେଟ୍ ଚୟନ ପାଇଁ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ବି ନିର୍ଦ୍ଧାରଣ ହୋଇନି କିମ୍ବା ସ୍ଥାନୀୟ ଭାବାବେଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉନି । ତା’ହେଲେ ଦଳରେ କିଏ ଟିକେଟ୍ ଚୂଡ଼ାନ୍ତ କରୁଛି, ସେଭଳି ଚର୍ଚ୍ଚା ଏବେ ବିଜେଡି ମହଲରେ ଜୋରଦାର  ହେବାରେ ଲାଗିଛି ।

Advertisment

ବିଧାୟିକା ସୁନନ୍ଦ ଦାସ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ତାଙ୍କର ରିପୋର୍ଟ ଦେଖିଥାନ୍ତେ ନିଶ୍ଚିତ ତାଙ୍କୁ  ପୁଣିଥରେ ଦଳୀୟ ଟିକେଟ୍ ମିଳିଥାନ୍ତା । କିଛି ଚକ୍ରାନ୍ତକାରୀ ତାଙ୍କ ଟିକେଟକୁ କାଟି ଦେଇଛନ୍ତି । ଯାହାଙ୍କୁ ଟିକେଟ୍ ଦିଆଯାଇଛି ତାଙ୍କଠୁ ନିଶ୍ଚିତ ଭାବେ ସେମାନେ କିଛି ପାଇଥିବେ, ତେଣୁ ଟିକେଟ୍ ଦେଇଛନ୍ତି । ନହେଲେ ତାଙ୍କ ସପକ୍ଷରେ ୪୭ ପଂଚାୟତରୁ ୩୨ ପଂଚାୟତର ସଭ୍ୟ-ସରପଂଚ ସମର୍ଥନ ରହିଥିବା ଓ ବାରମ୍ବାର ସର୍ଭେ ରିପୋର୍ଟ ତାଙ୍କ ସପକ୍ଷରେ ଆସି ମଧ୍ୟ ତାଙ୍କୁ କିଭଳି ଟିକେଟରୁ ବଂଚିତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୁନନ୍ଦାଙ୍କ ଏହି ଅଭିଯୋଗ ପରେ ବିଜେଡିର ଟିକେଟ୍ ବଂଟନ ପ୍ରକ୍ରିୟା ପୁଣିଥରେ ସନ୍ଦେହଘେରକୁ ଟାଣି ହୋଇଯାଇଛି । ପୂର୍ବରୁ ଆଦିବାସୀ ନେତା କୈଳାସଚନ୍ଦ୍ର କୁଲେସିକା ବିଜେଡିରେ ଟିକେଟ୍ ଦେବାରେ ଖଣି ଲବି କାମ କରୁଛି ବୋଲି ଅଭିଯୋଗ ଆଣି ବିଜେପିରେ ସାମିଲ ହୋଇଥିଲେ । ତେବେ ସୁନନ୍ଦା ଓ କୁଲେସିକାଙ୍କ ଭଳି ବିଜେଡି ସଂଗଠନ ସହ ଜଡ଼ିତ ଥିବା ନେତାମାନଙ୍କ ଏଭଳି ବୟାନ ହିଁ ବିଜେଡିର ଆଭ୍ୟନ୍ତରୀଣ ବିଶୃଙ୍ଖଳାକୁ ପଦାରେ ପକାଇ ଦେଇଛି ।

Advertisment

ରାଜନୀତିକ ସମୀକ୍ଷକଙ୍କ ମତରେ, ସାଧାରଣତଃ ବିଜେପି-କଂଗ୍ରେସ ଓ ଅନ୍ୟ ଆଂଚଳିକ ଦଳଗୁଡ଼ିକରେ ଗଣତାନ୍ତ୍ରିକ ଢଙ୍ଗରେ ଟିକେଟ୍ ଚୟନ ପ୍ରକ୍ରିୟା ହୋଇଥାଏ । ସମ୍ପୃକ୍ତ ଦଳଗୁଡ଼ିକ ନିଜର ନିର୍ବାଚନ କମିଟି ଗଠନ କରି ଟିକେଟ୍ ଘୋଷଣା କରିବାର ପରମ୍ପରାକୁ ନିର୍ବାହ କରିଥାନ୍ତି । ଯଦିଓ ଆଂଚଳିକ ଦଳଗୁଡ଼ିକରେ ସୁପ୍ରିମୋ ହିଁ ସର୍ବେସର୍ବା । ତେବେ ବିଜେଡି ଏକମାତ୍ର ଦଳ ଯିଏ ନିର୍ବାଚନରେ ପ୍ରାର୍ଥୀ ଚୟନ ପାଇଁ କୌଣସି ନିର୍ବାଚନ କମିଟି(ପରମ୍ପରା ନିର୍ବାହ ପାଇଁ ବି ହେଉ)ଗଢ଼ିବାକୁ ଆଗ୍ରହ ଦେଖାଇନାହିଁ ।

ଆଉ ବିଜେଡି ଯେଉଁ ସର୍ଭେକୁ ଆଧାର କରି ଟିକେଟ ବଂଟନ କରୁଛି ବୋଲି କହୁଛି ତାହା କେବଳ ଧର୍ମକୁ ଆଖିଠାର ମାରିବା ଭଳି । ବରୀ ବିଧାୟିକା ସୁନନ୍ଦାଙ୍କ ମତରେ ପ୍ରତି ୮ଦିନରେ ଥରେ ଗୋଟିଏ ଲେଖାଏଁ ସର୍ଭେ କରି କିଭଳି ନେଗେଟିଭ୍ ରିପୋର୍ଟ ଆସିବ ସେ ଦିଗରେ ପ୍ରୟାସ ହୁଏ । କିନ୍ତୁ ସେମାନଙ୍କର ସର୍ଭେରେ ସବୁଥର ପଜେଟିଭ୍ ରିପୋର୍ଟ ଆସିଥିଲେ ବି ଚକ୍ରାନ୍ତ କରି ତାଙ୍କୁ ଟିକେଟରୁ ବଂଚିତ କରାଯାଇଛି । ଅର୍ଥାତ୍ ବିଜେଡିର ସର୍ଭେ ରିପୋର୍ଟକୁ ଢ଼ାଲ କରି ପାୱାର କୋଟୋରୀ ଅନ୍ୟର ଟିକେଟ୍ କାଟିବା ଓ ଲବିକୁ ନିଜ ହିସାବରେ ପ୍ରଭାବିତ କରିଥାନ୍ତି ବୋଲି ହେଉଥିବା ଚର୍ଚ୍ଚା ଏବେ ସୁନନ୍ଦାଙ୍କ ବୟାନ ପରେ ସତ ପ୍ରମାଣିତ ହେବାରେ ଲାଗିଛି ।

ଯେଉଁ ସର୍ଭେକୁ ଆଧାର କରି ବିଜେଡି ନିଜର ନେତାମାନଙ୍କୁ ଟିକେଟ୍ ଚୂଡ଼ାନ୍ତ କରୁଥିବାର ଦମ୍ଭୋକ୍ତି ଦେଉଛି, ସେହି ସର୍ଭେ କିଭଳି ଦଳଡ଼ିଆଁ ନେତାଙ୍କ ପାଇଁ ଲାଗୁ ହେଉନାହିଁ ତାହା ବି ସନ୍ଦେହଘେରରେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଦଳରେ ମିଶାଇବାର ୨ଦିନ ଭିତରେ ବଡ଼ଚଣା ଭଳି ଆସନରୁ ବିଜେଡି ପ୍ରାର୍ଥୀ କରିଛି । ଏହି ଆସନ ସହ ବର୍ଷାଙ୍କର ପ୍ରତ୍ୟକ୍ଷ କି ପରୋକ୍ଷ ଭାବେ ସମ୍ପୃକ୍ତି ନଥାଇ ବି ତାଙ୍କୁ ଦଳ ସେଠାରେ ଟିକେଟ୍ ଦେଇଛି । ସେହିପରି ଦଳର ସ୍ଥାନୀୟ ନେତାମାନଙ୍କ ବିରୋଧ ସତ୍ତ୍ୱେ ଦଳଡ଼ିଆଁ ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡ଼ାରେ ଟିକେଟ୍ ମିଳିଛି । ରାୟଗଡ଼ା ଓ ଚିତ୍ରକୋଣ୍ଡାରେ ପ୍ରାର୍ଥୀଙ୍କୁ ବିରୋଧ କରି ବିଜେଡି ଛାଡ଼ୁଥିବା ସ୍ଥାନୀୟ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତୁଷାରକାନ୍ତି ବେହେରା ନିଜ ପଂଚାୟତରେ ଫେଲ୍ ମାରିଥିଲେ ବି ଦଳ ତାଙ୍କୁ ଟିକେଟ୍ ଦେଇଛି । ନିମାପଡ଼ାରେ ବିଜେପିରୁ ଆସିବାର ସପ୍ତାହେ ନପୁରୁଣୁ ଦଳ ଦିଲ୍ଲୀପ ନାୟକଙ୍କୁ ଟିକେଟ୍ ଦେଲା । ସେହିପରି ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂ ଭୋଇ ଆଦିଙ୍କ ଭଳି ଦଳଡ଼ିଆଁଙ୍କୁ ବିଜେଡି କେଉଁ ସର୍ଭେ ଆଧାରରେ ଟିକେଟ୍ ଧରାଇଛି ତାହା ଏବେ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି।

ଚର୍ଚ୍ଚା ହେଉଛି, ବିଜେଡିର ଟିକେଟ୍ ଚୟନ ଚୂଡ଼ାନ୍ତ କାର୍ଯ୍ୟ ରାଜ୍ୟ ସରକାର ୨-୩ଜଣ ଆଇପିଏସ୍ ଅଫିସର କରୁଛନ୍ତି । ଯେଉଁମାନଙ୍କ ସର୍ଭେ ରିପୋର୍ଟକୁ ଆଖିବୁଜି ବିଶ୍ୱାସ କରି ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଦଳୀୟ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରୁଛନ୍ତି ଓ ସେହି ତାଲିକାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରେ ଘୋଷଣା କରାଉଛନ୍ତି । ସମ୍ପୃକ୍ତ ଆଇପିଏସ୍ ଅଫିସରମାନଙ୍କ ସର୍ଭେ ରିପୋର୍ଟ ଯେ ବାସ୍ତବତାଠୁ ବହୁ ଦୂରରେ ଏବଂ ସେଥିରେ ସ୍ଥାନୀୟ କର୍ମୀ ଓ ଲୋକଙ୍କ ଭାବାବେଗକୁ ବି ବଳି ଦିଆଯାଉଛି ସେକଥା ବୁଝିବାକୁ ବିଜେଡିରେ କେହି ନଥିବା ସ୍ପଷ୍ଟ ହୋଇଯାଇଛି।

ସୂଚନାଯୋଗ୍ୟ, ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ଆକ୍ରୋଶକୁ ଦେଖି ବିଜେଡି ଏଥର ବେଶୀ ବିଧାୟକଙ୍କ ଟିକେଟ୍ କାଟିବାରେ ସାହାସ କରିପାରିନି । ମୋଟ ୧୪୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବିଜେଡି ନିଜର ୩୨ଜଣ ସିଟିଂ ବିଧାୟକଙ୍କୁ ଟିକେଟ୍ ଦେଇନି । ତେବେ ସେଥିରୁ ୨୨ଜଣ ବିଧାୟକଙ୍କୁ ସମ୍ପୂର୍ଣ୍ଣ ଟିକେଟ୍ କାଟିବାରେ ସକ୍ଷମ ହୋଇଛି । ଅନ୍ୟ ୮ଜଣ ବିଧାୟକଙ୍କ ସ୍ଥାନରେ ତାଙ୍କ ପତ୍ନୀ ଓ ୨ଜଣ ବିଧାୟକଙ୍କ ବଦଳରେ ତାଙ୍କ ପୁଅଙ୍କୁ ଟିକେଟ୍ ଦେଇଛି । ଏବେବି ୬ଟି ଆସନ ଖୋର୍ଦ୍ଧା,ବେଗୁନିଆ,ଖଣ୍ଡପଡ଼ା, କୋରେଇ, ଭୋଗରାଇ ଓ ନୀଳଗିରିରେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିପାରିନି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe