ରିଏଲ ଇଷ୍ଟେଟ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢ଼ଉ ବେଳେ ପ୍ରାୟ ୧୦୫କୋଟି ଟଙ୍କାର ଦେଣନେଣର ତଥ୍ୟ ମିଳିଥିବା ଜଣାପଡ଼ିଛି। ବୁଧବାର ଜବତ ହୋଇଥିବା ନଗଦ ୩୦କୋଟି ଟଙ୍କା କେଉଁ ସୂତ୍ରରୁ ଆସିଥିଲା ଓ ଏତେ ପରିମାଣର ନଗଦ ଅର୍ଥ କାହିଁକି ଘରେ ରହିଥିଲା ତା’ର ଖୋଳତାଡ଼ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବଶୀଘ୍ର ଏହି ମାମଲାକୁ ହାତକୁ ନେବ ବୋଲି ସୂଚନା ମିଳିଛି । ଏପଟେ ଡିଏନ୍ ଗ୍ରୁପରେ ପୁଞ୍ଜିନିବେଶ କରିଥିବା ୧୦ରୁ ୧୨ଜଣ ନେତା ଓ ପ୍ରଶାସକଙ୍କ ମଧ୍ୟରେ ଏବେ ଛନକା ପଶିଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ଗତକାଲି ଦ୍ୱିତୀୟ ଦିନ ଚଢ଼ଉରେ ଆୟକର ଅଧିକାରୀମାନଙ୍କୁ ଡିଏନ୍ ଗ୍ରୁପ୍ କମ୍ପାନୀ ସହ ଜଡ଼ିତ ବିଭିନ୍ନ ଅଫିସ, ନିର୍ଦ୍ଦେଶକ, କର୍ମଚାରୀଙ୍କଠୁ ପ୍ରାୟ ୧୦୫କୋଟି ଟଙ୍କା ଦେଣନେଣ ସଂକ୍ରାନ୍ତ ଦସ୍ତାବିଜ ମିଳିଛି । ବୁଧବାର କମ୍ପାନୀର ଲ’ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କଠୁ ପ୍ରାୟ ୩୦କୋଟି ଟଙ୍କା ନଗଦ ଜବତ ହୋଇଥିବାବେଳେ ଗତକାଲି ଆୟକର ବିଭାଗ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏତେ ପରିମାଣର ନଗଦ ଅର୍ଥ ଓ ବେନାମୀ ସମ୍ପତ୍ତି ମିଳିଥିବା ଅଭିଯୋଗ ହେବାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସକ୍ରିୟ ହୋଇପଡ଼ିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ମାମଲାରେ ଇଡି ଆବଶ୍ୟକ ପଦକ୍ଷେପ ନେବ । ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା ତାହା ଜାଣିବାକୁ ପ୍ରୟାସ କରାଯିବ ।
ଅନ୍ୟପକ୍ଷରେ ଡିଏନ ଗ୍ରୁପ୍ କମ୍ପାନୀର ଜଣେ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ଅର୍ଥ ଓ ଦସ୍ତାବିଜ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ଏହି ଚଢ଼ଉ ପ୍ରକ୍ରିୟା ଶେଷ ହେବା ପରେ କମ୍ପାନୀ ଯାହା କିଛି ପ୍ରତିକ୍ରିୟା ରଖିବ ।
ଡିଏନ ଗ୍ରୁପ୍ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ମହଙ୍ଗା ହାଉସିଂ ପ୍ରୋଜେକ୍ଟ, ମଲ, ହୋଟେଲ ଆଦି ନିର୍ମାଣ ହେଉଥିବାବେଳେ ଏଥିରେ କିଛି ନେତା ଓ ପ୍ରଶାସକଙ୍କ ଅର୍ଥ ନିବେଶ ହୋଇଥିବାର ଅଭିଯୋଗ ହେଉଛି । ବିଶେଷକରି ୨୦୧୯ ମସିହା ପରଠୁ କିଛି ପ୍ରଶାସକଙ୍କ ସମେତ ଶାସକ ଦଳର କିଛି ପ୍ରଭାବଶାଳୀ ନେତା ଏହି କମ୍ପାନୀରେ ଛଦ୍ମନାମରେ ପୁଞ୍ଜି ନିବେଶ କରିଥିବାର ଚର୍ଚ୍ଚା ଜୋର ଧରିଛି । ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଭାର ହାତକୁ ନେଉଥିବାରୁ ଏହି ନେତା ଓ ପ୍ରଶାସକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ପାୱାର କରିଡ଼ରରେ ଚର୍ଚ୍ଚା ।
ସୂଚନା ଅନୁସାରେ, ରାଜ୍ୟର ଏକ ପ୍ରମୁଖ ଦୈନିକ ସମ୍ବାଦପତ୍ରରେ ନିର୍ଦ୍ଦେଶକ ଥିବା ଜଣେ ବ୍ୟକ୍ତି ମଧ୍ୟ ଡିଏନ ଗ୍ରୁପର ଏକ କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି। ଡିଏନ ଗ୍ରୁପ୍ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ବଢ଼ାଇ ନିଜର ବ୍ୟବସାୟିକ ସାମ୍ରାଜ୍ୟକୁ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।