Advertisment

ଡିଏନ ଗ୍ରୁପରେ ବେନାମୀ ସମ୍ପତ୍ତିର ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ; ନେତା-ପ୍ରଶାସକ ଛାନିଆ

ଆଜି ଦ୍ୱିତୀୟ ଦିନ ଚଢ଼ଉ ପରେ ଆୟକର ଅଧିକାରୀମାନଙ୍କୁ ଡିଏନ୍ ଗ୍ରୁପ୍ କମ୍ପାନୀ ସହ ଜଡ଼ିତ ବିଭିନ୍ନ ଅଫିସ, ନିର୍ଦ୍ଦେଶକ, କର୍ମଚାରୀଙ୍କଠୁ ପ୍ରାୟ ୧୦୫କୋଟି ଟଙ୍କା ଦେଣନେଣ ସଂକ୍ରାନ୍ତ ଦସ୍ତାବିଜ ମିଳିଛି

DN Group

DN Group

Advertisment

ରିଏଲ ଇଷ୍ଟେଟ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗ ଚଢ଼ଉ ବେଳେ ପ୍ରାୟ ୧୦୫କୋଟି ଟଙ୍କାର ଦେଣନେଣର ତଥ୍ୟ ମିଳିଥିବା ଜଣାପଡ଼ିଛି। ବୁଧବାର ଜବତ ହୋଇଥିବା ନଗଦ ୩୦କୋଟି ଟଙ୍କା କେଉଁ ସୂତ୍ରରୁ ଆସିଥିଲା ଓ ଏତେ ପରିମାଣର ନଗଦ ଅର୍ଥ କାହିଁକି ଘରେ ରହିଥିଲା ତା’ର ଖୋଳତାଡ଼ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବଶୀଘ୍ର ଏହି ମାମଲାକୁ ହାତକୁ ନେବ ବୋଲି ସୂଚନା ମିଳିଛି । ଏପଟେ ଡିଏନ୍ ଗ୍ରୁପରେ ପୁଞ୍ଜିନିବେଶ କରିଥିବା ୧୦ରୁ ୧୨ଜଣ ନେତା ଓ ପ୍ରଶାସକଙ୍କ ମଧ୍ୟରେ ଏବେ ଛନକା ପଶିଥିବା ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁସାରେ, ଗତକାଲି ଦ୍ୱିତୀୟ ଦିନ ଚଢ଼ଉରେ ଆୟକର ଅଧିକାରୀମାନଙ୍କୁ ଡିଏନ୍ ଗ୍ରୁପ୍ କମ୍ପାନୀ ସହ ଜଡ଼ିତ ବିଭିନ୍ନ ଅଫିସ, ନିର୍ଦ୍ଦେଶକ, କର୍ମଚାରୀଙ୍କଠୁ ପ୍ରାୟ ୧୦୫କୋଟି ଟଙ୍କା ଦେଣନେଣ ସଂକ୍ରାନ୍ତ ଦସ୍ତାବିଜ ମିଳିଛି । ବୁଧବାର କମ୍ପାନୀର ଲ’ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କଠୁ ପ୍ରାୟ ୩୦କୋଟି ଟଙ୍କା ନଗଦ ଜବତ ହୋଇଥିବାବେଳେ ଗତକାଲି ଆୟକର ବିଭାଗ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏତେ ପରିମାଣର ନଗଦ ଅର୍ଥ ଓ ବେନାମୀ ସମ୍ପତ୍ତି ମିଳିଥିବା ଅଭିଯୋଗ ହେବାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସକ୍ରିୟ ହୋଇପଡ଼ିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ମାମଲାରେ ଇଡି ଆବଶ୍ୟକ ପଦକ୍ଷେପ ନେବ । ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା ତାହା ଜାଣିବାକୁ ପ୍ରୟାସ କରାଯିବ ।

ଅନ୍ୟପକ୍ଷରେ ଡିଏନ ଗ୍ରୁପ୍ କମ୍ପାନୀର ଜଣେ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ଅର୍ଥ ଓ ଦସ୍ତାବିଜ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ଏହି ଚଢ଼ଉ ପ୍ରକ୍ରିୟା ଶେଷ ହେବା ପରେ କମ୍ପାନୀ ଯାହା କିଛି ପ୍ରତିକ୍ରିୟା ରଖିବ ।

Advertisment

ଡିଏନ ଗ୍ରୁପ୍ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ମହଙ୍ଗା ହାଉସିଂ ପ୍ରୋଜେକ୍ଟ, ମଲ, ହୋଟେଲ ଆଦି ନିର୍ମାଣ ହେଉଥିବାବେଳେ ଏଥିରେ କିଛି ନେତା ଓ ପ୍ରଶାସକଙ୍କ ଅର୍ଥ ନିବେଶ ହୋଇଥିବାର ଅଭିଯୋଗ ହେଉଛି । ବିଶେଷକରି ୨୦୧୯ ମସିହା ପରଠୁ କିଛି ପ୍ରଶାସକଙ୍କ ସମେତ ଶାସକ ଦଳର କିଛି ପ୍ରଭାବଶାଳୀ ନେତା ଏହି କମ୍ପାନୀରେ ଛଦ୍ମନାମରେ ପୁଞ୍ଜି ନିବେଶ କରିଥିବାର ଚର୍ଚ୍ଚା ଜୋର ଧରିଛି । ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଭାର ହାତକୁ ନେଉଥିବାରୁ ଏହି ନେତା ଓ ପ୍ରଶାସକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ପାୱାର କରିଡ଼ରରେ ଚର୍ଚ୍ଚା ।

ସୂଚନା ଅନୁସାରେ, ରାଜ୍ୟର ଏକ ପ୍ରମୁଖ ଦୈନିକ ସମ୍ବାଦପତ୍ରରେ ନିର୍ଦ୍ଦେଶକ ଥିବା ଜଣେ ବ୍ୟକ୍ତି ମଧ୍ୟ ଡିଏନ ଗ୍ରୁପର ଏକ କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି। ଡିଏନ ଗ୍ରୁପ୍ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ବଢ଼ାଇ ନିଜର ବ୍ୟବସାୟିକ ସାମ୍ରାଜ୍ୟକୁ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି ।

BjD DN Group
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe