/odisha-reporter/media/post_attachments/uploadimage/library/16_9/16_9_0/BJD_1716224253.jpeg)
BJD
ବିଜେପି ଶୀର୍ଷନେତୃତ୍ୱଙ୍କ ଘନଘନ ଓଡ଼ିଶା ଗସ୍ତ ସହ ଶାଣିତ ବୟାନ ଏବେ ବିଜେଡିକୁ ଚିନ୍ତାରେ ପକାଇ ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ ସହ ନବୀନ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଏବେ ଭ୍ରଷ୍ଟାଚାରୀଙ୍କ କବଜାରେ ଥିବା ଏବଂ ବିଜେଡିର ଜଣେ ମାଫିଆ ଏବେ ରାଜ୍ୟର ସବୁ ସେକ୍ଟରକୁ କବଜା କରିଥିବା ତଥା ଜୁନ୍ ୧୦ରେ ବିଜେପି ସରକାର ଆସିଲେ ତାଙ୍କର ଅଣ୍ଟା ଭଙ୍ଗାଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦି କହିବାପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ବିଜେପିର ଶୀର୍ଷ ନେତାମାନଙ୍କ କ୍ରମାଗତ ଶାଣିତ ଓ ଶକ୍ତ ପ୍ରହାରରେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଥିବା ବିଜେଡି କ’ଣ କହି ସେସବୁ ବୟାନକୁ କାଉଣ୍ଟର କରିବ ତାହା ବି ଦଳର ବଡ଼ପଣ୍ଡାମାନେ ସ୍ଥିର କରିବାରେ ଫେଲ୍ ମାରୁଥିବା ଜଣାପଡ଼ିଛି । ଯେଉଁଥିପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନକୁ କାଉଣ୍ଟର ପାଇଁ ବିଜେଡି ନିଜର ମୁଖପାତ୍ର ତଥା ସାଂସଦ ସୁଲତା ଦେଓଙ୍କୁ ଆଗକୁ ଆଣିଥିଲା । ମାତ୍ର ଶ୍ରୀମତୀ ଦେଓଙ୍କ ଆଜି ପ୍ରେସକୁ ଘୋଷାବୟାନ ଦେବାବେଳେ(ପ୍ରଶ୍ନୋତ୍ତର ନୁହେଁ) ତାଙ୍କ ବଡି ଲାଙ୍ଗୁଏଜରେ ‘ବିଜେଡିର ଭୟ’ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ବୋଲି ସାଧାରଣରେ ଚର୍ଚ୍ଚା । ବିଜେପି କ୍ରମାଗତ ଭାବେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ଓ ଖୋଲିବା ପ୍ରସଙ୍ଗକୁ ନେଇ କରୁଥିବା ଶାଣିତ ସମାଲୋଚନାର ଜବାବ ମଧ୍ୟ ଘୋଷା ଢଙ୍ଗରେ ବି ଠିକ୍ ଭାବେ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିବାରେ ସୁଲତା ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ନିଜର ସାଂସଦ ତଥା ମୁଖପାତ୍ର ସୁଲତା ଦେଓଙ୍କୁ ଆଜି ଗଣମାଧ୍ୟମ ସାମ୍ନାକୁ ଆଣି ବୟାନ ଜାରି କରିଛି । ସୁଲତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି ଯେ ଜୁଲାଇ ମାସରେ ରଥଯାତ୍ରାବେଳେ ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଖୋଲାଯାଇଛି । ରତ୍ନଭଣ୍ଡାର କେମିତି ଖୋଲିବ, ସେ କମିଟି ତା’ର ପ୍ରକ୍ରିୟା ଆରମ୍ଭ କରିଛି । ବିଜେପି ଯେହେତୁ ହାରିବାକୁ ଯାଉଛି ତେଣୁ ବିଜେପି ଜାଣିଶୁଣି ଲୋକଙ୍କ ଭାବାବେଗ ସହ ଖେଳୁଛି । ପ୍ରଧାନମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି ଯେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ନେତୃତ୍ୱରେ ଗଠିତ ପରିଚାଳନା କମିଟି ମାର୍ଗଦର୍ଶନରେ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ପରିଚାଳନା କରିଥାଏ । ଗତ ଦୁଇମାସ ତଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଭୁରିଭୁରି ପ୍ରଶଂସା କରୁଥିଲେ । ଆଜି ତାଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନସୂଚକ କଥା କହୁଛନ୍ତି ଓ ଓଡ଼ିଶାର ଭାବାବେଗ ସହ ଖେଳୁଛନ୍ତି । ହତୋତ୍ସାହିତ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଚିନ୍ତିତ ଅଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଯିବାକୁ ପଡ଼ିଲା । ଆଉ ପ୍ରଧାନମନ୍ତ୍ରୀ ବାରମ୍ବାର ସାଢ଼େ ୪କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ସୁଲତା କହିଛନ୍ତି ।
ରାଜନୀତିକ ସମୀକ୍ଷକଙ୍କ ମତରେ, ବିଜେଡି ନେତ୍ରୀ ସୁଲତା ନିଜର ଘୋଷିତ ବୟାନକୁ ଗଣମାଧ୍ୟମ ଆଗରେ ରଖିବାବେଳେ ନା ତାଙ୍କ ପାଖରେ ସେଭଳି ଦମ୍ଭୋକ୍ତି କି ସ୍ପଷ୍ଟୋକ୍ତି ନଥିଲା । ଥଅମଅ ହୋଇ କହୁଥିବା ଦେଖିବାକୁ ମିଳିଥିଲା । ଲାଗୁଥିଲା ଯେମିତି ପ୍ରଧାନମନ୍ତ୍ରୀଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ପାଖରେ ସେଭଳି କୌଣସି ସ୍ପଷ୍ଟ ମତ ନାହିଁ । ବିଜେପି ନିର୍ବାଚନ ହାରୁଛି ଓ କର୍ମୀ-ନେତାଙ୍କ ମନୋବଳ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଏଭଳି ବୟାନ ଦେଉଛନ୍ତି । ଏହି ଦୁଇପଦ କଥା ବିଜେଡି ପ୍ରାୟତଃ ବିଭିନ୍ନ ନିର୍ବାଚନସମୟରେ ବିଜେପିର ଶୀର୍ଷନେତୃତ୍ୱଙ୍କ ପାଇଁ କହିଥାଏ । ଯାହା ଆଜି ସୁଲତା ଦୋହରାଇଛନ୍ତି ।
ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଉଠାଇଥିବା ରତ୍ନଭଣ୍ଡାର ଚାବି କେଉଁଠି ଅଛି ତାହା କହିବାକୁ ସୁଲତା କିମ୍ବା ବିଜେଡିର ବଡ଼ପଣ୍ଡାମାନେ ଗଣମାଧ୍ୟମ ଆଗରେ ସାହାସ ଜୁଟାଇ ପାରିନାହାନ୍ତି । ରତ୍ନଭଣ୍ଡାର ଚାବି ହଜିବାର ତଦନ୍ତ କମିଶନ ରିପୋର୍ଟକୁ ସରକାର କାହିଁକି ଚାପି ରଖିଛନ୍ତି ତା’ର ଉତ୍ତର ବି ବିଜେଡି ଦେଇନି । ବିଜେପି ନେତା ସମୀର ମହାନ୍ତିଙ୍କ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିବା ପରେ ହିଁ ରତ୍ନଭଣ୍ଡାର ଖୋଲିବାକୁ ନେଇ ବିଜେଡି ସରକାର ବାଧ୍ୟ ହୋଇ କମିଟି ଗଠନ କରିଛନ୍ତି । ୨୦୨୩ ସେପ୍ଟେମ୍ବର ୨୯ ଓ ଡିସେମ୍ବର ୧୩ରେ ସମୀର ମହାନ୍ତିଙ୍କ ପିଟିସନ୍ ଉପରେ ହାଇକୋର୍ଟ ରତ୍ନଭଣ୍ଡାର ଖୋଲିବାକୁ ରାୟ ଦେଇଥିଲେ ମଧ୍ୟ ସରକାର ଆନ୍ତରିକତା ଦେଖାଇ ନଥିଲେ । ତେବେ ହାଇକୋର୍ଟଙ୍କ କଠୋର ଆଭିମୁଖ୍ୟକୁ ଦେଖି ବିଜେଡି ସରକାର ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ୧୨ଜଣିଆ କମିଟି ଗଠନ କରିଥିଲେ । ଅଢ଼େଇମାସ ମଧ୍ୟରେ କମିଟିର ସ୍ଥିତାବସ୍ଥା କ’ଣ ଓ ରତ୍ନଭଣ୍ଡାରର ଓରିଜିନାଲ ଚାବିକୁ ନେଇ କମିଟିଙ୍କୁ ସରକାର କ’ଣ ମତ ଦେଇଛନ୍ତି ତାହା ବିଜେଡି ସାଧାରଣରେ ପ୍ରକାଶ କରିନି । ଗଜପତି ମହାରାଜାଙ୍କ ମାର୍ଗଦର୍ଶନରେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳିତ ହେଉଥିଲେ ମଧ୍ୟ ଅତୀତରେ ନବକଳେବରରେ ବ୍ରହ୍ମବିଭ୍ରାଟ, ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ବାରମ୍ବାର ଅପମାନିତ କରିବା ଭଳି ନିଷ୍ପତ୍ତି, ପରିକ୍ରମା ପ୍ରକଳ୍ପ ନାଁରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପୁରାତନ ମଠ ଭଙ୍ଗାଯିବା, ଶ୍ରୀମନ୍ଦିରର ଚାରିଦ୍ୱାର ନଖୋଲିବା, ରତ୍ନଭଣ୍ଡାର ଚାବି କେଉଁଠି ରହିଛି ସେ ବିଷୟରେ କ’ଣ ଗଜପତିଙ୍କ ମତାମତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଶ୍ରୀମନ୍ଦିର ପ୍ରଶାସନ ନେଇଥିଲା କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ବିଜେଡି କାହିଁକି ଏସବୁର ଉତ୍ତର ରଖି କୋଟିକୋଟି ହିନ୍ଦୁଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରୁନାହିଁ ବୋଲି ଚର୍ଚ୍ଚା ହେଉଛି ।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ଓ ବିଶାଳ ରୋଡ୍ ଶୋ’ କରିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ପୁଣିଥରେ ଉଠାଇ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି ବୋଲି ଲୋକେ ଚର୍ଚ୍ଚା କରୁଥିବା କହିଛନ୍ତି । ରତ୍ନଭଣ୍ଡାରକୁ ନେଇ ବିଜେଡି ନେତୃତ୍ୱଙ୍କ ଟାଳଟୂଳ ନୀତି ଉପରେ ବିଜେପିର କଡ଼ା ପ୍ରହାର ଯୋଗୁ ବିଜେଡି ନିଜର ଭୋଟ୍ ହରାଇବାର ଆଶଙ୍କା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ନିର୍ବାଚନ ପ୍ରଚାରରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କେଉଁଠି ହଜିଲା ଏବଂ କାହିଁକି ରତ୍ନଭଣ୍ଡାର ୪୦ବର୍ଷ ଧରି ଖୋଲାଯାଇନି ବୋଲି ପ୍ରଶ୍ନ କରି ରାଜ୍ୟର ବିଜେଡି ସରକାରର ଅସଲ ଚେହେରାକୁ ପଦାରେ ପକାଇଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ବି ରାଜ୍ୟ ବିଜେପି ନିଜର ସଂକଳ୍ପ ପତ୍ରରେ ସାମିଲ କରିଛି ।
ବିଜେଡି ପାଇଁ ‘ରତ୍ନଭଣ୍ଡାର ଚାବି ହଜିବା ଓ ମହାପ୍ରଭୁଙ୍କ କାର୍ଯ୍ୟରୁ ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରିବା ଏବେ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
