/odisha-reporter/media/post_attachments/uploadimage/library/16_9/16_9_0/IMAGE_1752072765.jpg)
Jagannath Pradhan
ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ଝାରପଡ଼ା ଜେଲ୍ରୁ ବାହାରିଛନ୍ତି। ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ଦେଇଥିଲେ। ଏହା ପରେ ସନ୍ଧ୍ୟାରେ ସେ ଜେଲରୁ ମୁକୁଳିଥିଲେ।
ଜଗନ୍ନାଥ ପ୍ରଧାନଙ୍କୁ ପାଛୋଟି ନେବାକୁ ଝାରପଡ଼ା ଜେଲ୍ ସମ୍ମୁଖରେ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କର ପ୍ରବଳ ଭିଡ଼ ଜମି ଥିଲା। ସେ ଜେଲ୍ରୁ ବାହାରିବା ପରେ ସେମାନେ ତାଙ୍କୁ ସ୍ୱାଗତ କରିଥିଲେ ଓ ବାଣ ଫୁଟାଇ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଭୁବନେଶ୍ୱରର ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ।
ଜେଲ୍ରୁ ବାହାରିବା ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଥିଲେ, ବିରୋଧୀ ଷଡ଼ଯନ୍ତ୍ର ରଚିଥିଲା। ଆଉ ଓଏଏସ୍ ସଂଘ ଏହାର ଶିକାର ହୋଇଥିଲା। ଓଏଏସ୍ ଅଫିସରମାନେ ବିରୋଧୀଙ୍କ ଚକ୍ରାନ୍ତର ଶିକାର ହେଲେ। ଏହି ଘଟଣାରେ ମୋର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପୃକ୍ତି ନାହିଁ। କେହି ମୋହନ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି। ଦଳ ସରକାରଙ୍କ ସହ ସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇଛି।
ଜେଲରୁ ବାହାରିବା ପରେ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ ଜଗନ୍ନାଥ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଥିଲେ।
ଗତ ୩ ତାରିଖ ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଡିସିପି ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେସନ୍ସ କୋର୍ଟରେ ତାଙ୍କୁ ଜାମିନ ନମିଳି ନଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ କର୍ପୋରେଟର ଅପରୂପ ନାରାୟଣ ରାଉତ, ସଞ୍ଜୀବ ମିଶ୍ର, ସଚ୍ଚିକାନ୍ତ ସ୍ୱାଇଁ, ରଶ୍ମିରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଏମାନେ ସମସ୍ତେ ବିଜେପି କର୍ମୀ। ତେବେ ଏହି ଘଟଣା ପରେ ଦଳ ସେମାନଙ୍କୁ ସସ୍ପେଣ୍ଡ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
