Advertisment

କେସିଆରଙ୍କୁ ଗାଦିଚ୍ୟୁତ କରିବାକୁ ବଡ଼ ଷ୍ଟ୍ରାଟେଜି, ନିର୍ବାଚନ ଲଢ଼ିବେନି ଜଗନ ମୋହନଙ୍କ ଭଉଣୀ

ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେନି ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ସାନ ଭଉଣୀ ୱାଇଏସ୍ ଶର୍ମିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Sonia Gandhi, YS Sharmila, Rahul Gandhi

Sonia Gandhi, YS Sharmila, Rahul Gandhi

ଆଉ କିଛି ଦିନ ପରେ ତେଲେଙ୍ଗାନା ବିଧାନସଭା ଫାଇଟ୍। ଏଥିପାଇଁ ସରଗରମ ରାଜ୍ୟ ରାଜନୀତି। ଏହାରି ମଧ୍ୟରେ ୱାଇଏସଆର୍ ତେଲେଙ୍ଗାନା ପାର୍ଟି ନେଇଛି  ବଡ଼ ପଦକ୍ଷେପ। ଏଥର ନିର୍ବାଚନରେ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ସାନ ଭଉଣୀ ୱାଇଏସ୍ ଶର୍ମିଲା ଲଢ଼ିବେ ନାହିଁ।

Advertisment

ତାଙ୍କ ଦଳ ମଧ୍ୟ କୌଣସି ସ୍ଥାନରେ ପ୍ରାର୍ଥୀ ଦେବ ନାହିଁ। ତେଲେଙ୍ଗାନାର ସ୍ୱାର୍ଥ ପାଇଁ ତାଙ୍କ ଦଳ ନିର୍ବାଚନ ଲଢ଼ିବାରୁ ଦୂରେଇ ରହିବ। କିନ୍ତୁ ନିର୍ବାଚନରେ କ୍ଷମତାସୀନ କେସିଆରଙ୍କୁ ହରାଇବା ପାଇଁ ଶର୍ମିଲା ଆଣ୍ଡ କୋ କଂଗ୍ରେସକୁ ସମର୍ଥନ କରିବେ। 

ଶର୍ମିଲା ନିର୍ବାଚନରେ ପ୍ରତ୍ୟେକ୍ଷ ଭାବେ ସାମିଲ ନହେବା ଏକ ପ୍ରକାର ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଥିରେ ରହିଛି ପଲିଟିକାଲ୍ ଷ୍ଟ୍ରାଟେଜି। ଶର୍ମିଲା କହିଛନ୍ତି ଯେ ତାଙ୍କ ଦଳ ଏଥର କଂଗ୍ରେସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନରେ ଭୋଟ୍ ବିଭାଜନକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଭୋଟ ବିଭାଜନ ହେଲେ କେସିଆରଙ୍କ ଦଳ ବିଆରଏସକୁ ନିର୍ବାଚନରେ ଫାଇଦା ମିଳିବ। ତେଣୁ କେସିଆରଙ୍କୁ ମିଳିବାକୁ ଥିବା ସମ୍ଭାବ୍ୟ ଫାଇଦାକୁ ରୋକିବା ପାଇଁ ୱାଇଏସ୍‌ଆର ତେଲେଙ୍ଗାନା ନିର୍ବାଚନରେ ଲଢ଼ିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।  

Advertisment

ଶର୍ମିଲାଙ୍କ କହିଛନ୍ତି, “ୱାଇଏସ୍ ନିର୍ବାଚନ ଲଢିଲେ ଭୋଟ୍ ବିଭାଜନ  ହୋଇପାରେ, ଯାହା ପରୋକ୍ଷରେ କେସିଆରଙ୍କୁ ସହାୟକ ହେବ। ତେଣୁ ଭୋଟ୍ ବିଭାଜନକୁ ଏଡାଇବା ପାଇଁ ଦଳ ଏଥର କଂଗ୍ରେସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। କେସିଆରଙ୍କ ନେତୃତ୍ୱରେ ବିଆରଏସ କରୁଥିବା "ଦୁର୍ନୀତିଗ୍ରସ୍ତ ତଥା ଜନ ବିରୋଧୀ ଶାସନ"ର ଅନ୍ତ ଘଟାଇବା ପାଇଁ ଆମ ଦଳ ଏହି ବଳିଦାନ ଦେବାକୁ ନିଷ୍ପତ୍ତି ନେଇଛି।”

ସେ ଆହୁରି କହିଛନ୍ତି, ଅନେକ ସର୍ଭେ ଏବଂ ଗ୍ରାଉଣ୍ଡ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଏଥର ବିଧାନସଭା ନିର୍ବାଚନରେ ଆମର ଅଂଶଗ୍ରହଣ ଅନେକ ନିର୍ବାଚନମଣ୍ଡଳୀରେ କଂଗ୍ରେସର ଭୋଟ ଭାଗକୁ ସିଧାସଳଖ ପ୍ରଭାବିତ କରିବ। ତେଣୁ ତେଲେଙ୍ଗାନା ବିଧାନସଭାରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ବଳିଦାନ ଦେବାକୁ ୱାଇଏସଆର୍ ତେଲେଙ୍ଗାନା ପାର୍ଟି ନିଷ୍ପତ୍ତି ନେଇଛି। 

ସୂଚନାଯୋଗ୍ୟ, ଆଗକୁ ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ତେଲେଙ୍ଗାନା ମଧ୍ୟ ରହିଛି। ରାଜ୍ୟରେ ନଭେମ୍ବର ୩୦ରେ ମତଦାନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଛନ୍ତି। ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ।

YS Sharmila Assembly Election Telengana Assembly Election Jagan Reddy YSR Telangana Party