/odisha-reporter/media/post_attachments/uploadimage/library/16_9/16_9_0/IMAGE_1682582982.jpg)
Sura Routray
ଜଟଣୀ ବିଧାୟକ ସୁରେଶ ରାଉୟରାୟଙ୍କୁ ସ୍ୱପ୍ନାଦେଶ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମାରୋହରେ ଯୋଗ ନ ଦେବାକୁ ମନା କରିଛନ୍ତି। ଜଗନ୍ନାଥଙ୍କ ଲାଗୁନି ଡୋରି। ମୁଁ କିପରି ଯିବି ପୁରୀ। ଏହି କଥା ଖୋଦ ସୁର ଗଣମାଧ୍ୟମରେ କହିଛନ୍ତି।
ସୁର ଆହୁରି କହିଛନ୍ତି, ମହାପ୍ରଭୁ ଭାବନାରେ ଆସି କହିଥିଲେ କାହିଁକି ସୁର ମିଛରେ ପୁ଼ରୀ ଯିବୁ? ସେଠି ୨ରୁ ୪ଟି ପାଇଖାନା, ୨ରୁ ୩ଟି ରାସ୍ତା ଓ କିଛି ଲାଇଟ୍ ଲାଗିଛି। ତା’ ଉପରେ ଭଳିକି ଭଳିକି ରଙ୍ଗ ଦିଆଯାଇଛି। ଯେପରି ଭୁବନେଶ୍ୱରରେ ବିଶ୍ୱ କପ୍ ହକି ବେଳେ ହୋଇଥିଲା, ପୁରୀରେ ସେପରି ହୋଇଛି।
ସୁର କହିଛନ୍ତି, ମୋ ହେତୁ ପାଇଲା ଦିନଠୁ ପ୍ରତ୍ୟେକ ରଥଯାତ୍ରା ଓ ଯାନିଯାତ୍ରାରେ ମୁଁ ପୁରୀ ଯାଇଛି। କୋଭିଡ ସମୟରେ ମଧ୍ୟ କଟାକଣା ଥିବା ସତ୍ତ୍ୱେ ମୁଁ ପୁରୀ ଯାଇଛି। ଏବେ କିନ୍ତୁ ପୁରୀ ଯିବାକୁ ଜଗନ୍ନାଥଙ୍କ ଡୋରି ଲାଗୁ ନାହିଁ। ମୋର ମଧ୍ୟ ଇଚ୍ଛା ହେଉ ନାହିଁ। କାହିଁକି ମୋର ଡୋରି ଲାଗୁନାହିଁ ମୁଁ ଜାଣି ନାହିଁ। ଡୋରି ତ ଲାଗୁ ନାହିଁ, ମୁଁ କିପରି ଯିବି ପୁରୀ? ଦେଖିବା ଆଗକୁ କ’ଣ ହେଉଛି?
ଚାଉଳ ଓ ଗୁଆ ମାଗି ଜଗନ୍ନାଥଙ୍କୁ ଭିକାରୀ କରି ଦେଲେଣି। ମୋ ଗାଁରେ ଜଗନ୍ନାଥଙ୍କର ୧୦ ହଜାର କୋଟି ଟଙ୍କାର ସମ୍ପତି ରହିଛି। ହେଲେ ଅର୍ପଣ ରଥ କରାଯାଇ ଚାରିଆଡ଼େ ଜଗନ୍ନାଥ ନାଁରେ ଗୁଆ ଓ ଚାଉଳ ମଗାଯାଉଛି ବୋଲି ସୁର କହିଛନ୍ତି।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ତ୍ରିଦିନାତ୍ମକ ହୋମଯଜ୍ଞ ଚାଲିଥିବା ବେଳେ ଆଜି ମହାଯଜ୍ଞର ଦ୍ୱିତୀୟ ଦିନ। ଶ୍ରୀମନ୍ଦିର ଚାରିଦ୍ୱାରରେ ଚାଲିଛି ବେଦପାଠ। ହୋମଯଜ୍ଞରେ ପ୍ରକଂପିତ ହେଉଛି ଚତୁର୍ଦିଗ। ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ। ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା।।ଗଜପତି ମହାରାଜାଙ୍କ ଦ୍ୱାରା ବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣ ମାନେ ଘୃତାହୂତି ଦେଉଛନ୍ତି।ଆସନ୍ତାକାଲି ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୂତି ଦେବେ।.
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
