Advertisment

ବିଜେଡିକୁ ଘାରିଛି ଅନାସ୍ଥା ଭୟ; ପଞ୍ଚାୟତ ପ୍ରତିନିଧିଙ୍କୁ ପୁରୀରେ ଶପଥ କରାଇଲେ!

ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ମିଶିବା ପରେ ବିଜେଡିକୁ ଘାରିଥିଲା ଅନାସ୍ଥା ଭୟ। କୁଆଡେ କୁଜଙ୍ଗ ବ୍ଲକ ଚେୟାରମ୍ୟାନ୍‌ ପଦବୀ ହାତରୁ ଖସିଯିବ, ସେଥିପାଇଁ ବିଜେଡି ନେତାଙ୍କ ଛାତିରେ ପଶିଥିଲା ଛନ୍‌କା।

BJD

BJD

Advertisment

ପାରାଦୀପ ବିଜେଡିକୁ ଘାରିଛି ଅନାସ୍ଥା ଭୟ। ସେଥିପାଇଁ ପଞ୍ଚାୟତ ପ୍ରତିନିଧିଙ୍କୁ ଧରି ପୁରୀ ପଳାଇଲେ ବିଜେଡି ନେତା। ଆଉ ସେଠାରେ ସେମାନଙ୍କୁ ଶପଥ କରାଯାଇଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ଜଗତସିଂହପୁର ରାଜନୀତି ସରଗରମ ହୋଇଛି। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବିଜେଡି ନେତା ବାପି ସର୍ଖେଲ।

Advertisment

କୁଜଙ୍ଗ ବ୍ଲକରେ ୨୮ ପଞ୍ଚାୟତ ରହିଛି। ପଞ୍ଚାୟତ ନିର୍ବାଚନରେ ବିଜେଡି ସପକ୍ଷରେ ଯାଇଥିଲା ମତଦାନ। ବ୍ଲକ ଚେୟାରମ୍ୟାନ୍‌ ହୋଇଥିଲେ ସମର୍ଥିତ ନିନାରାଣୀ ସାହୁ। ହେଲେ ଗତ ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡିକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ବିଜେପିରୁ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଜୟୀ ହୋଇ ମନ୍ତ୍ରିମଣ୍ଡଳରେ ସଦସ୍ୟ ଅଛନ୍ତି। ଏହା ପରେ ପାରାଦୀପ ରାଜନୀତି କଡ଼ ଲେଉଟାଇଥିଲା। କିଛି ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ମିଶିଥିଲେ।

ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ମିଶିବା ପରେ ବିଜେଡିକୁ ଘାରିଥିଲା ଅନାସ୍ଥା ଭୟ। କୁଆଡେ କୁଜଙ୍ଗ ବ୍ଲକ ଚେୟାରମ୍ୟାନ୍‌ ପଦବୀ ହାତରୁ ଖସିଯିବ, ସେଥିପାଇଁ ବିଜେଡି ନେତାଙ୍କ ଛାତିରେ ପଶିଥିଲା ଛନ୍‌କା। ତେଣୁ ୩୨ ପଞ୍ଚାୟତ ପ୍ରତିନିଧିଙ୍କୁ ଧରି ପୁରୀ ଯାଇଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବାପି ସର୍ଖେଲ, ଗୀତାଞ୍ଜଳି ରାଉତରାୟ ଓ ତାଙ୍କ ସମର୍ଥକ। ଯେଉଁଥିରେ ୨୦ ସମିତି ସଭ୍ୟ, ୮ ସରପଞ୍ଚ ଓ ୪ ଜିଲ୍ଲା ପରିଷଦ ସଭ୍ୟ ରହିଛନ୍ତି। ସେମାନେ ମଙ୍ଗଳବାର ଦିନ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ‘ଏକାଠୀ ରହିବା ପାଇଁ’ ଶପଥ କରାଯାଇଥିବା ଚର୍ଚ୍ଚା ହେଉଛି।

Advertisment

ଆଜି ସମସ୍ତେ କୋଣାର୍କ ରାମଚଣ୍ଡୀକୁ ଯାଇଥିଲେ। ସେଠାରେ ଭୋଜି ଆୟୋଜନ କରାଯାଇଥିଲା। ଖାଇବା ପୂର୍ବରୁ ସଭା ଆୟୋଜନ କରାଯାଇଥିଲା। ପଞ୍ଚାୟତ ପ୍ରତିନିଧିଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବିଜେଡି ନେତା ବାପି ସର୍ଖେଲ ଭାଷଣ ଦେଇଥିଲେ। ସଭାରେ କୁଜଙ୍ଗ ବ୍ଲକ୍‌ ଚେୟାରମ୍ୟାନ ନିନାରାଣୀ ସାହୁ ରହିଛନ୍ତି। ତା’ପରେ ସମସ୍ତେ ଫେରିଥିବା ଜଣାପଡ଼ିଛି।

ତେବେ ଅନାସ୍ଥା ଘଟଣାକୁ ଖଣ୍ଡନ କରିଛନ୍ତି ସମ୍ବିତ ରାଉତରାୟ ଓ ବାପି ସର୍ଖେଲ୍‌। ସମ୍ୱିତ କହିଛନ୍ତି, ନିର୍ବାଚନ ପରେ ସମସ୍ତଙ୍କର ମନ ଖରାପ ଥିଲା। ତେଣୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆସିଥିଲେ। ମଙ୍ଗଳବାର ମହାପ୍ରଭୁଙ୍କୁ ଦର୍ଶନ କଲୁ ଓ ଆଜି ବଣ ଭୋଜି କରାଯାଇଥିଲା। ଅନାସ୍ଥା ଫନାସ୍ଥା କିଛି ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

ଅନ୍ୟପକ୍ଷରେ ବାପି ସର୍ଖେଲ କହିଛନ୍ତି, ନିର୍ବାଚନ ପରେ ଆମେ ପୁରୀ ଆସିନଥିଲେ। ତେଣୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ପୁରୀ ଆସିଥିଲୁ। ଆଜି ବଣଭୋଜି ପରେ ପାରାଦୀପ ଫେରୁଛୁ। ଏହା ଭିତରେ ଆଉ କିଛି ରାଜନୀତିନାହିଁ ବୋଲି ବାପି କହିଛନ୍ତି।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ବିଶ୍ୱାଳ

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe