ଜଗଦେବ ଗିରଫ ମାମଲା: ଏସଡିପିଓ ଦିଲ୍ଲୀପ ଦାସଙ୍କୁ କିଏ ଦେଉଛି ସୁରକ୍ଷା, ସନ୍ଦେହରେ ପୁଲିସ ଡିଜିଙ୍କ ଭୂମିକା

ରାଜ୍ୟରେ ଗତ ୨୫ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ଦିନ ଶ୍ରୀ ଜଗଦେବ ତାଙ୍କ ପତ୍ନୀ ଓ ସମର୍ଥକଙ୍କ ସହ ଭୋଟ୍ ଦେବା ପାଇଁ ନିଜ ଗାଁ କାଉଁରୀପାଟଣାକୁ ଯାଇଥିବାବେଳେ ସେଠାରେ ଇଭିଏମ୍ ମେସିନ୍ ଭାଙ୍ଗିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ହୋଇଛି।

ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ

  • Published: Thursday, 30 May 2024
  • , Updated: 30 May 2024, 08:56 PM IST

ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଇଭିଏମ୍ ମେସିନ ଭଙ୍ଗା ଅଭିଯୋଗରେ ଗିରଫ ମାମଲାରେ ରାଜ୍ୟ ପୁଲିସର ବିଶ୍ୱସନୀୟତା ସଙ୍କଟରେ ପଡ଼ିଛି । ପୁଲିସ ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ବିବାଦୀୟ ଭୂମିକା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲେ ମଧ୍ୟ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ନିରବଦ୍ରଷ୍ଟା ସାଜିବା ଖୋଲାଖୋଲି ଭାବେ ତାଙ୍କର ଭୂମିକାକୁ ସନ୍ଦେହଘେରକୁ ଆଣିଛି । ଇଭିଏମ୍ ମେସିନ୍ ଭଙ୍ଗା ଘଟଣା ଓ ଜଗଦେବ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ବାଚନ କମିଶନ ତାଗିଦ୍ କରିଥିବାବେଳେ ଏପର୍ଯ୍ୟନ୍ତ ଏସଡିପିଓ ଶ୍ରୀ ଦାସଙ୍କ ବିରୁଦ୍ଧରେ ପୁଲିସ୍ ବିଭାଗସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ହିଁ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କ ଅସହାୟତାକୁ ପଦାରେ ପକାଇ ଦେଇଛି । ଏହାସହିତ ନିଜ କ୍ଷମତା ଓ ପଦବୀର ଦୁରୂପଯୋଗ କରିଥିବା ଏସଡିପିଓ ଶ୍ରୀ ଦାସଙ୍କୁ କିଏ ସୁରକ୍ଷା ଯୋଗାଇ ଦେଉଛି ତାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ରାଜ୍ୟରେ ଗତ ୨୫ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ଦିନ ଶ୍ରୀ ଜଗଦେବ ତାଙ୍କ ପତ୍ନୀ ଓ ସମର୍ଥକଙ୍କ ସହ ଭୋଟ୍ ଦେବା ପାଇଁ ନିଜ ଗାଁ କାଉଁରୀପାଟଣାକୁ ଯାଇଥିବାବେଳେ ସେଠାରେ ଇଭିଏମ୍ ମେସିନ୍ ଭାଙ୍ଗିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ହୋଇଛି । ଏନେଇ ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ବୋଲଗଡ଼ ଥାନାରେ ୨୫ତାରିଖ ସନ୍ଧ୍ୟା ୬ଟା ୧୫ମିନିଟରେ ଆଇପିସିର ବିଭିନ୍ନ ଧାରା ଓ ଜନପ୍ରତିନିଧି ଆଇନର ବିଭିନ୍ନ ଧାରାରେ ଏଫଆଇଆର ରୁଜୁ ହୋଇଛି । ଆଇପିସିର ୧୧ଟି ଧାରା ଓ ଜନପ୍ରତିନିଧି ଆଇନର ୫ଟି ଧାରାରେ ଶ୍ରୀ ଜଗଦେବ ଓ ତାଙ୍କ ୪-୫ଜଣ ସହଯୋଗୀଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ ହୋଇଛି ତଥା ଏହାର ତଦନ୍ତ ଦାୟିତ୍ୱ ଇନ୍ସପେକ୍ଟର ସିଗ୍ଧାମୟୀ ବରାଳ ନେଇଛନ୍ତି । ଏହି ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଶ୍ରୀ ଜଗଦେବ ସମ୍ପୃକ୍ତି ନଥିବା କହି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସାମ୍ବାଦିକ ସମ୍ମିଳନୀରେ ପୁଲିସର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରାଯାଇଛି । ଏହାସହିତ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଉକ୍ତ ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜ୍ ଗଣମାଧ୍ୟମକୁ ଜାରି କରି ସେଥିରେ ଇଭିଏମ୍ ମେସିନ୍ ଅନ୍ୟ କେହି ଭାଙ୍ଗିଥିବାର ପ୍ରମାଣ ଦେଇଛନ୍ତି ।

ଶ୍ରୀ ଜଗଦେବଙ୍କୁ ଗିରଫ କରିବାରେ ସ୍ଥାନୀୟ ପୁଲିସର ତତ୍ପରତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସଙ୍କ ବିବାଦୀୟ ଭୂମିକା ଏବେ ଅଧିକ ଚର୍ଚ୍ଚାରେ ରହିଛି । କିନ୍ତୁ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ପୁଲିସ ବିଭାଗ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପୁଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ମତଦାନ ଦିନ ଏସଡିପିଓ ଶ୍ରୀ ଦାସଙ୍କ ଡ୍ୟୁଟି ଖୋର୍ଦ୍ଧା ସଦର ଓ ଜଙ୍କିଆ ଥାନାରେ ରହିଥିବାବେଳେ ସେ ବୋଲଗଡ଼ କେମିତି ଯାଇଥିଲେ । କାହାଠୁ ଅନୁମତି ନେଇ ସେ ନିଜ ଅଂଚଳ(ଡ୍ୟୁଟି) ଛାଡ଼ି ଅନ୍ୟ ଅଂଚଳରେ ତଥ୍ୟ ପ୍ରମାଣ ଯାଂଚ ନକରି ବିଧାୟକ ଶ୍ରୀ ଜଗଦେବଙ୍କୁ ଗିରଫ କଲେ କିପରି? କେଉଁ ଅଫିସରଙ୍କଠୁ ଅନୁମତି ନେଇ ତାଙ୍କ ଡ୍ୟୁଟି ସ୍ଥାନ ଛାଡ଼ି ଅନ୍ୟ ଅଂଚଳକୁ ଗଲେ? ଏହି ସମସ୍ତ ଘଟଣାରେ ଶ୍ରୀ ଦାସଙ୍କ ବିବାଦୀୟ ଭୂମିକା ରହିଥିଲେ ମଧ୍ୟ ରାଜ୍ୟ ପୁଲିସ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏସବୁ ବ୍ୟତୀତ ଜଣେ ବିଧାୟକଙ୍କୁ ଗିରଫ କରିବା ପୂର୍ବରୁ ବିଧାନସଭା ବାଚସ୍ପତିଙ୍କ ଅନୁମତି ନେବାର ପ୍ରାବଧାନ ରହିଛି, କିନ୍ତୁ ଉକ୍ତ ପ୍ରୋଟୋକଲକୁ ମଧ୍ୟ ସମ୍ପୃକ୍ତ ଏସଡିପିଓ ଶ୍ରୀ ଦାସ ପାଳନ କରିବାକୁ ସାମାନ୍ୟତମ ଆଗ୍ରହ ଦେଖାଇନଥିବା ଜଣାପଡି଼ଛି । ବିଧାୟକ ଶ୍ରୀ ଜଗଦେବଙ୍କୁ ଫସାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଶ୍ରୀ ଦାସଙ୍କ ଭୂମିକା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲେ ମଧ୍ୟ ପୁଲିସ ଡିଜି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେଇ ତଦନ୍ତ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ସେଠାରୁ କାହୌିଁକି ବଦଳି କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି । ସାଧାରଣତଃ ପୁଲିସ ବିଭାଗରେ କୌଣସି ଅଫିସରଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ବିଭାଗସ୍ତରରେ ପ୍ରାଥମିକ ଯାଂଚ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ଏଠି ଏସଡିପିଓ ଶ୍ରୀ ଦାସଙ୍କ ବିବାଦୀୟ ଭୂମିକା ସତ୍ତ୍ୱେ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ପୁଲିସ ବିଭାଗ ନେବାକୁ ସାହାସ କରିପାରିନଥିବା ଜଣାପଡ଼ିଛି ।

ଚିଲିକା ବିଧାୟକ ଶ୍ରୀ ଜଗଦେବଙ୍କୁ ଗିରଫ କରିବା ପୂର୍ବରୁ ପୁଲିସ କାହିଁକି ଆବଶ୍ୟକ ତଥ୍ୟପ୍ରମାଣକୁ ଯାଂଚ କଲାନି ଓ ଏସଡିପିଓ ଶ୍ରୀ ଦାସଙ୍କର ଏହି ସମଗ୍ର ଘଟଣାରେ ଭୂମିକା କ’ଣ ରହିଥିଲା ତଥା ପୁଲିସ ବିଭାଗ ନିଜସ୍ତରରେ ଏପର୍ଯ୍ୟନ୍ତ ସେସବୁକୁ ତଦନ୍ତ ପରିସରକୁ ନନେବା ପଛରେ କି ରହସ୍ୟ ରହିଛି? ବିଜେପି ପକ୍ଷରୁ ଦିଆଯାଇଥିବା ସିସିଟିଭି ଫୁଟେଜକୁ ଯଦି ବିଶ୍ୱାସ କରାଯାଏ ତା’ହେଲେ ବିଧାୟକ ଶ୍ରୀଜଗଦେବ ନିର୍ଦ୍ଦୋଷ ଭଳି ଜଣାପଡ଼ୁଛି । ଆଉ ଏଭଳି ସ୍ଥିତିରେ ଜଣେ ବିଧାୟକ(ଜନପ୍ରତିନିଧି)ଙ୍କୁ ତରବରିଆ ଭାବେ ବିନା ଦୋଷରେ ଗିରଫ କରିଥିବା ପୁଲିସ ଏସଡିପିଓଙ୍କୁ ତାଙ୍କ ବିଭାଗ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାରେ କେତେ ସକ୍ଷମ ହେବ ଓ ସେଭଳି  ବିବାଦୀୟ ଅଫିସରଙ୍କୁ ଦଣ୍ଡିତ କରି ରାଜ୍ୟ ପୁଲିସ ଡିଜି ଏକ ଉଦାହରଣ ସୃଷ୍ଟି କରିବାକୁ ସାଧାରଣରେ ଦାବି ହେଉଛି ।

Related story