/odisha-reporter/media/post_attachments/uploadimage/library/16_9/16_9_0/BJD_1689774701.jpg)
BJD
ଜଗତସିଂହପୁର ବିଜେଡି ଜିଲ୍ଲା କମିଟି ପୁର୍ନଗଠନରେ ଅପରାଧ ଓ ଅନ୍ୟାନ୍ୟ ମାମଲାରେ ଜେଲ୍ ଫେରନ୍ତା ୨ଜଣ ବ୍ୟକ୍ତିଙ୍କୁ ଉପସଭାପତି ଭାବେ ସାମିଲ କରାଯାଇଛି । ନବନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନାଙ୍କ ସମେତ ମୋଟ ୧୦୫ଜଣଙ୍କୁ ଏହି କମିଟିରେ ସ୍ଥାନ ମିଳିଥିବାବେଳେ ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଏବଂ ବିଭିନ୍ନ ମାମଲାରେ ଦୁଇ ଦୁଇଥର ଜେଲ୍ ଯାଇଥିବା ଓ ଦଳରୁ ୨ଥର ବହିଷ୍କୃତ ଅଶ୍ୱିନୀ କୁମାର ଦାସ(କୁନା)ଙ୍କୁ ଯଥାକ୍ରମେ ଉପସଭାପତି ଓ ବରିଷ୍ଠ ଉପସଭାପତି ଭାବେ ସାମିଲ କରାଯାଇଛି । ଯାହାକୁ ନେଇ ଆଜି ଜିଲ୍ଲା ରାଜନୀତି ସରଗରମ ହୋଇଥିବାବେଳେ ପରସ୍ପରକୁ କାଦୁଅଫିଙ୍ଗା ଆରମ୍ଭ ହୋଇଛି । ନବନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏଭଳି କମିଟି ପାଇଁ ଜିଲ୍ଲାର ପୂର୍ବତନ ଦଳୀୟ ସଭାପତି ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କରିଥିବାବେଳେ ଦଳ ନିଷ୍ପତ୍ତି ନେଇଛି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ସେ ପ୍ରୟାସ କରିଛନ୍ତି ।
ପାରାଦୀପ ବିଧାୟକ ଶ୍ରୀ ରାଉତରାୟ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୋ ନିର୍ବାଚନମଣ୍ଡଳୀରୁ ଜିଲ୍ଲା କମିଟିରେ କିଏ ରହିବେ ତା’ର ଏକ ତାଲିକା ଦେଇଥିଲି । କିନ୍ତୁ ସେହି ତାଲିକାରେ ଜ୍ୟୋତିକାନ୍ତଙ୍କ ନାଁ ନଥିଲା । ମୁଁ ଦେଇଥିବା ତାଲିକାର ନାଁକୁ କାଟି କିଛି ନୂଆ ନାଁ ଯୋଡ଼ା ହୋଇଛି । ଜ୍ୟୋତିକାନ୍ତଙ୍କ ନାଁ କେମିତି ଆସିଲା ସେ ନେଇ ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ପଚାରିଥିଲି । ସେ ତାଙ୍କ ନାଁ ଦେଇଥିବା ମୋତେ କହିଛନ୍ତି । ତେବେ ଦଳରେ ଏତେ ଲୋକ ଥାଉ ଥାଉ ଏମିତି ଅପରାଧିକ ମାମଲା ଥିବା ବ୍ୟକ୍ତିଙ୍କୁ କାହିଁକି ଦଳୀୟ କର୍ମକର୍ତ୍ତା ଭାବେ ସାମିଲ କରାଗଲା ଓ ତାଙ୍କୁ ପଦବୀ ଦିଆଗଲା ସେଥିପାଇଁ ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ଟିଟୋର ସହଯୋଗୀ ଜ୍ୟୋତିକାନ୍ତଙ୍କୁ ୨୦୧୮ ମସିହାରେ ଏସଟିଏଫ ଗିରଫ କରିଥିଲା।
ସେହିପରି ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା କହିଛନ୍ତି ଯେ, ସମସ୍ତ ବିଧାୟକଙ୍କ ସହ କଥା ହୋଇ ଏହି ତାଲିକା କରିଛନ୍ତି, ତାକୁ ଅନୁମୋଦନ କରିବାକୁ କହିଥିଲେ । କିଏ ଅପରାଧିକ ବ୍ୟକ୍ତି କମିଟିରେ ରହିଛି ସେ ଜାଣନ୍ତି ନାହିଁ । ଏହି ତ୍ରୁଟି ସମ୍ପର୍କରେ ସେ ଦଳର ରାଜ୍ୟ ନେତୃତ୍ୱଙ୍କୁ ଅବଗତ କରିବେ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ପ୍ରଶାନ୍ତ ମୁଦୁଲି ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ ମଧ୍ୟ ତାଙ୍କ ନାଁ ଯିଏ ନେଇଛି ତାକୁ ପଚାର ବୋଲି କହିଛନ୍ତି । ସେ ଏବେ ଜିଲ୍ଲା ସଭାପତି ନାହାନ୍ତି । ସେ ଜିଲ୍ଲା ସଭାପତି ଥିବାବେଳେ ଏହି କମିଟି ହୋଇନାହିଁ । କିଏ କ’ଣ ହେବ ବା ଦଳୀୟ ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତିରେ ହୁଏ ବୋଲି ଶ୍ରୀ ମୁଦୁଲି କହିଛନ୍ତି ।
ତେବେ ଏସବୁ ଭିତରେ ଜ୍ୟୋତିକାନ୍ତ ଓ ଅଶ୍ୱିନୀଙ୍କ ଅପରାଧିକ ଇତିହାସ ପଦାକୁ ଆସିଛି । ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ଜ୍ୟୋତିକାନ୍ତଙ୍କୁ ଅଧା ଡଜନରୁ ଅଧିକ ମାମଲାରେ ଏସଟିଏଫ ଗିରଫ କରିଥିବାବେଳେ ଅଶ୍ୱିନୀ ଓରଫ କୁନାଙ୍କୁ ଦୁଇ ଦୁଇଥର ପୁଲିସ ଗିରଫ କରିଛି । ଅପରାଧ ମାମଲାରେ ଗିରଫ ହୋଇ ଅଶ୍ୱିନୀ ହାତରେ ସିଲଟ ଧରିବାର ଫଟୋଚିତ୍ର ପୂର୍ବରୁ ଭାଇରାଲ ହୋଇସାରିଥିବାବେଳେ ୨୦୧୧ ମସିହାରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ଲାକମେଲ କରି ୧.୨୦ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୨୦୧୧ ନଭେମ୍ବର ମାସରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ସେତେବେଳେ ଏହାକୁ ନେଇ ରାଜନୀତିକ ହଟଚମଟ ହେବାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଶ୍ୱିନୀଙ୍କ ସହ ଅପରାଧରେ ଜଡ଼ିତ ଲୋକଙ୍କ ବିଷୟରେ ତଥ୍ୟ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ବିଜେଡି ତାଙ୍କୁ ସେତେବେଳେ ଦଳରୁ ମଧ୍ୟ ବହିଷ୍କାର କରିଥିଲା । କିନ୍ତୁ ଜେଲରୁ ଫେରିବା ପରେ ସେ ପୁଣିଥରେ ବିଜେଡିରେ ସକ୍ରିୟ ହୋଇଥିଲେ । ତାଙ୍କୁ ଦଳ ଜିଲ୍ଲାର ଉପସଭାପତି ପଦବୀରେ ଅବସ୍ଥାପିତ କରିଥିଲା । କିନ୍ତୁ ୨୦୧୬ ଅକ୍ଟୋବର ୫ତାରିଖରେ ପୁଣିଥରେ ଦଳ ତାଙ୍କୁ ବହିଷ୍କାର କରିଥିଲା । ମାତ୍ର ୨୦୨୦ ମସିହାରେ ତିର୍ତ୍ତୋଲ ଉପନିର୍ବାଚନବେଳେ ତାଙ୍କ ଉପରୁ ଦଳୀୟ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିନିଆଯାଇଥିଲା । ବିିଭିନ୍ନ ଅପରାଧରେ ଜେଲ୍ ଯାଇଥିବା ଅଶ୍ୱିନୀଙ୍କୁ ବିଜେଡି କିଭଳି ନିଜର ଜିଲ୍ଲା କମିଟିରେ ବରିଷ୍ଠ ଉପସଭାପତି ଭାବେ ସାମିଲ କଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ସେପଟେ ଜ୍ୟୋତିକାନ୍ତ ଗଣମାଧ୍ୟମ ଆଗରେ ସଫେଇ ରଖି କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ମାମଲାରେ ସେ ଦୋଷମୁକ୍ତ ହୋଇସାରିଛନ୍ତି। ପାରାଦୀପ ବିଧାୟକ ତାଙ୍କ ବିରୁଦ୍ଧରେ କାହିଁକି ଏଭଳି ଅଭିଯୋଗ କରିଛନ୍ତି ତାହା ସେ ଜାଣିପାରୁନାହାନ୍ତି । ବିଧାୟକଙ୍କ ସହ ତାଙ୍କର ସମ୍ପର୍କ ବେଶ୍ ଭଲ ବୋଲି କହିଛନ୍ତି ।
ବିଜେପି ସାଧାରଣ ସମ୍ପାଦକ ଗୋଲକ ପ୍ରସାଦ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ହେଉଛି ଅପରାଧୀଙ୍କ ଦଳ । ବିଜେଡିରେ ଅନେକ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଥିବା ସମସ୍ତେ ଜାଣନ୍ତି । ଦିନେ ଏସଟିଏଫ ଯାହାକୁ ଉଠାଇଥିଲା ସେ ଆଜି ବିଜେଡିର ଜିଲ୍ଲା ଉପସଭାପତି । ଅପରାଧୀଙ୍କୁ ନିଜ ଦଳରେ ମନ୍ତ୍ରୀ ଓ କର୍ମକର୍ତ୍ତା କରି ବିଜେଡି ସେମାନଙ୍କୁ ସ୍ୱଚ୍ଛ କରୁଛି । ବିଜେଡି ୱାସିଂମେସିନ୍ ଭଳି କାମ କରୁଛି ବୋଲି ସେ କଟାକ୍ଷ କରିଛନ୍ତି ।
ତେବେ ଜଗତସିଂହପୁର ବିଜେଡି ଜିଲ୍ଲା କମିଟିରେ ଏଭଳି ଜେଲ୍ ଫେରନ୍ତା ବ୍ୟକ୍ତିମାନଙ୍କୁ କର୍ମକର୍ତ୍ତା ଭାବେ ସାମିଲ କରିବା ପ୍ରସଙ୍ଗରେ ଦଳର ରାଜ୍ୟ ନେତୃତ୍ୱ ନିରବ ରହିଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମଳ ଭାବମୂର୍ତ୍ତି କଥା କହୁଥିବାବେଳେ ତାଙ୍କ ଅନୁମୋଦନରେ କିଭଳି ଜେଲ୍ ଫେରନ୍ତାଙ୍କୁ ଦଳୀୟ କର୍ମକର୍ତ୍ତା ଭାବେ ଦାୟିତ୍ୱ ନ୍ୟସ୍ତ ହେଉଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
