
Nomination Rally of BJP and Congress Candidates in Nuapada today
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଦୁଇ ପ୍ରମୁଖ ଦଳର ବିଜେପି ଓ କଂଗ୍ରେସର ପ୍ରାର୍ଥୀ ନିଜର ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ପତ୍ର ଦାଖଲର ଶେଷଦିନ ଅର୍ଥାତ୍ ଆସନ୍ତା ୨୦ତାରିଖ ସୋମବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଆଜି ନାମାଙ୍କନ ପତ୍ର ଦାଖଲବେଳେ ଉଭୟ ବିଜେପି ଓ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ବିଜେଡି ମଧ୍ୟ ଅନୁରୂପ ବିଶାଳ ଶୋଭାଯାତ୍ରା କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି ।
ଜୟ କଲେ ପ୍ରାର୍ଥୀପତ୍ର ଦାଖଲ, ଏକପାଖିଆ ଫଳାଫଳର ଦମ୍ଭୋକ୍ତି
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଶନିବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଦଳୀୟ କର୍ମୀ ଓ ନେତାମାନଙ୍କ ସହ ଖରିଆର ରୋଡରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ୨ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କର ପ୍ରସ୍ତାବକ ଭାବେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସୋମନାଥ ଖମାରୀ ରହିଛନ୍ତି । ଏହି ସମୟରେ ତାଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ରବିନାରାୟଣ ନାୟକ, ମୁକେଶ ମହାଲିଙ୍ଗ ଓ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସମେତ ଦଳର ବହୁ ବିଧାୟକ,ସାଂସଦ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ , ଖରିଆର ରୋଡ ଏନଏଏସି ଅଧ୍ୟକ୍ଷା ସୋନିଆ ଜୈନ, କୋମନା ବ୍ଲକ ଓ ନୂଆପଡ଼ା ଏନଏସିର ଉପାଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ଏହି ସମସ୍ତେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ପ୍ରାୟ ୧୦ହଜାରରୁ ଅଧିକ ନେତା,କର୍ମୀ ଓ ଶୁଭେଚ୍ଛୁଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି Nuapada BJP Candidate ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।
ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଆଜିର ଏହି ଶୋଭାଯାତ୍ରା ନୂଆ ଇତିହାସ ସୃଷ୍ଟି କରିଛି । ନୂଆପଡ଼ାବାସୀ ବିଜେପିକୁ ଭୋଟ୍ ଦେଇ ଏକପାଖିଆ ଜିତାଇବେ । ଆଜିର ଜନସମର୍ଥନରୁ ଏହା ସ୍ପଷ୍ଟ ହୋଇଯାଇଛି । ଦୁଇ ନମ୍ବର ସ୍ଥାନ ପାଇଁ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି ବୋଲି ସେ କହିଛନ୍ତି ।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ବିଶାଳ ରାଲି
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ମାଝୀ ତାଙ୍କ ତେଲିପଡ଼ା ରାମନଗରସ୍ଥିତ ବାସଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦଳୀୟ କର୍ମୀ ଓ ନେତାମାନଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାମାନଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ପରେ Congress candidate Nuapada ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ ଯେ ନୂଆପଡ଼ାର ଲୋକମାନେ ନିଶ୍ଚିତ ଭାବେ ବାହାର ପ୍ରାର୍ଥୀଙ୍କ ବଦଳରେ ‘ମାଟିର ପୁଅ’ ସହ ଛିଡ଼ା ହେବେ । ଜଣେ ବାହାର ଲୋକ ବଦଳରେ "ମାଟିର ପୁଅ " ସହିତ ଛିଡା ହେବେ । କଂଗ୍ରେସ ନିଶ୍ଚିତ ଭାବେ ଏହି ଉପନିର୍ବାଚନରେ ଜିତିବ ଏବଂ ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।
ସେହିପରି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ, ଆଜି ବିଶାଳ ଜନସମର୍ଥନ ଓ ବରିଷ୍ଠ ନେତୃବୃନ୍ଦଙ୍କ ସହିତ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା କେବଳ ଏକ ପ୍ରାର୍ଥୀପତ୍ର ନୁହେଁ ବରଂ ନୂଆପଡ଼ା ବିଧାନସଭା କ୍ଷେତ୍ରର ହକ୍ ଓ ପ୍ରଗତି ପାଇଁ ଲଢ଼େଇର ପତ୍ର । କଂଗ୍ରେସର ଏହି ଲଢ଼େଇରେ ଅଂଚଳବାସୀଙ୍କ ଆଶୀର୍ବାଦ ନିଶ୍ଚୟ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
୨୦ରେ ନାମାଙ୍କନ ପତ୍ର ଦାଖଲ କରିବେ ସ୍ନେହାଙ୍ଗିନୀ
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ପତ୍ର ଦାଖଲର ଶେଷଦିନ ଅର୍ଥାତ୍ ଅକ୍ଟୋବର ୨୦ସୋମବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ସ୍ନେହାଙ୍ଗିନୀଙ୍କୁ ଆଜି ନୂଆପଡ଼ାରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ସ୍ୱାଗତ କରିଛନ୍ତି । ଆସନ୍ତାକାଲି ଦଳର ଆଗଧାଡ଼ିର ନେତାମାନଙ୍କର ନୂଆପଡ଼ାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ନିର୍ବାଚନୀ ରଣନୀତି ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି । ଦଳ ପକ୍ଷରୁ ଯେଉଁ ୫୨ଜଣ ନେତାଙ୍କୁ ବିଭିନ୍ନ ବ୍ଲକ ଓ ଏନଏସି ଦାୟିତ୍ୱ ନ୍ୟସ୍ତ ହୋଇଛି ସେମାନଙ୍କୁ ରବିବାର ସକାଳ ସୁଦ୍ଧା ନୂଆପଡ଼ାରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ରଣନୀତି ଚୂଡ଼ାନ୍ତ ପରେ ସୋମବାର ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଗତ ସାଧାରଣ ନିର୍ବାଚନରେ ନିଜ ପାରମ୍ପରିକ ଆସନରୁ ୨୯ହଜାର ଭୋଟରେ ପରାଜିତ ସ୍ନେହାଙ୍ଗିନୀଙ୍କ ଘର ଜିଲ୍ଲା ବାହାରେ(ବରଗଡ଼) ହୋଇଥିବାରୁ ତାଙ୍କ ସପକ୍ଷରେ ସ୍ଥାନୀୟ କର୍ମୀ ଓ ଭୋଟରଙ୍କ ସମର୍ଥନ ହାସଲ ନିମନ୍ତେ ବୈଠକରେ ବିଜେଡି ନେତାମାନେ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।
୫ଜଣ ପ୍ରାର୍ଥୀ ଦାଖଲ କରିସାରିଲେଣି ନାମାଙ୍କନ ପତ୍ର
ଆସନ୍ତା ନଭେମ୍ବର ୧୧ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ( nuapada byelection) ଭୋଟ୍ ପାଇଁ ମୋଟ ୫ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ସ୍ୱାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଆଜି ଆଉ ୪ଜଣ ଶୁକଦେବ ଦଣ୍ଡସେନା (ଓଡିଶା ଜନତା ଦଳ), ପୁରୁଷୋତ୍ତମ ବେହେରା (ସ୍ୱାଧୀନ), ଘାସିରାମ ମାଝୀ (କଂଗ୍ରେସ) ଓ ଜୟ ଢୋଲକିଆ (ବିଜେପି) ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
