Advertisment

Nuapada Byelection: ବିଜେପିରେ ମିଶିଲେ ଜୟ ଢ଼ୋଲକିଆ, ହେବେ ପ୍ରାର୍ଥୀ, କାହିଁକି ଛାଡ଼ିଲେ ବିଜେଡି?

ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ସପ୍ତାହେ ପୂର୍ବରୁ ସୂଚନା ଦେଇଥିବା ଜୟ ଢ଼ୋଲକିଆଙ୍କ ଆଜି ବିଜେପିରେ ସାମିଲ ହେବାପରେ ତାଙ୍କୁ ବିଜେପି ମଇଦାନକୁ ଓହ୍ଲାଇବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି ।

author-image
Prakash Sethi
Jay-Dholkia

Jay Dholkia joined in BJP

ବିଜେଡିକୁ ଚକମା ଓ ଶକ୍ତଧକ୍କା ଦେଇଛନ୍ତି ଦିବଂଗତ ବିଜେଡିକୁ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ । ସେ ନିଜ ପରିବାର ସଦସ୍ୟ ଓ ସମର୍ଥକମାନଙ୍କ ସହ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ତାଙ୍କୁ ନୂଆପଡ଼ା ଉପନିର୍ବାଚନରେ (Nuapada by-election) ଦଳୀୟ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବ ବୋଲି ଜଣାପଡ଼ିଛି । ଆଉ ଜୟ ଢ଼ୋଲକିଆଙ୍କ ବିଜେଡି ଛାଡ଼ି ବିଜେପି ଟିକେଟରେ ପ୍ରାର୍ଥୀ ହେବାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ନେଇ ଦଳୀୟ ମହଲରେ ସନ୍ଦେହ ବଢ଼ିବାରେ ଲାଗିଥିବା ସୂଚନା ମିଳିଛି ।

Advertisment

ରାଜ୍ୟ ବିଜେପି(Bjp) କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣପର୍ବରେ ଦଳ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ବିଜେପିର ନୀତି, ଆଦର୍ଶ ଓ ପ୍ରଗତି ତଥା ୧୬ମାସର ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରି ସେ ଦଳରେ ସାମିଲ ହୋଇଥିବା ଶ୍ରୀ ସାମଲ କହିଛନ୍ତି । 

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜୟଙ୍କୁ ଦଳରେ ସ୍ୱାଗତ କରି ରାଜୁ ଢ଼ୋଲକିଆ ଯେଉଁ ନୀତି ଓ ଆଦର୍ଶ ରଖିଛନ୍ତି ତଥା ନୂଆପଡ଼ାବାସୀଙ୍କ  କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ତାକୁ ଜୟ ଆଗକୁ ନେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଜନସେବା ଓ ବିକାଶକୁ ନେଇ ଆମେ ସମୃଦ୍ଧ ଓଡ଼ିଶା ଗଠନର ପରିକଳ୍ପନା କରୁଛୁ ସେଥିରେ ଜୟ ଢ଼ୋଲକିଆଙ୍କ ଭାଗିଦାରୀ ରହିବ। ତାଙ୍କୁ ନା କେହି କିଛି ପ୍ରଲୋଭନ ଦେଇଛି, ନା ଜୋର ଜବରଦସ୍ତି ତାଙ୍କୁ ମିଶାଇବାକୁ ଚାହିଁଛି । ସେ ପ୍ରସ୍ତାବ ଦେଲେ, ଯାହା ଉପରେ ଦଳର ରାଷ୍ଟ୍ରୀୟ ନେତୃତ୍ୱ ବିଚାର କରି ତାଙ୍କୁ ସ୍ୱୀକୃତି ଦେଲା ପରେ ଆଜି ମିଶ୍ରଣପର୍ବ ଅନୁଷ୍ଠିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଆସନ ପାଇଁ ଅନ୍ୟତମ ଦାବିଦାର ଥିବା ଦଳର ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । “ଦଳ ଓ ଦଳର ନିଷ୍ପତ୍ତି ସର୍ବୋପରି”।ଏହାକୁ ସମସ୍ତେ ସ୍ୱୀକାର କରିବା ଉଚିତ୍ ବୋଲି କହିଥିଲେ।

Advertisment

ଏହି ମିଶ୍ରଣ ପର୍ବରେ ଦଳର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ର ଓ ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ଶିଶୁପାଳ ହେଲେ ବିଜେଡି ନେତା, ଡିଲ୍ ସନ୍ଦେହ

ସୂଚନା ଅନୁସାରେ, ଜୟ ଆଜି ବିଜେପିରେ ସାମିଲ ହେବେ ବୋଲି ସକାଳୁ ସକାଳୁ ଜଣାପଡ଼ିବା ପରେ ନୂଆପଡ଼ାରେ ଡେରା ପକାଇଥିବା ( BjD)ବିଜେଡି ନେତା ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ(ବବି) ଓ ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଏହି ଖବର ସତ୍ୟାସତ୍ୟ ଜଣାପଡ଼ିବା ପରେ ବବି ଦାସ କିଛି ଗୋଟିଏ ଅନ୍ତର୍ଘାତୀ ‘ଡିଲ୍‌’ ହୋଇଛି କହି ନୂଆପଡ଼ା ଛାଡ଼ିଥିଲେ। ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେଠାରେ ଡେରା ପକାଇଥିବା ନେତାମାନେ ନିଜକୁ ଶିଶୁପାଳ ଅନୁଭବ କରି ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି ।

ସେପଟେ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ସକାଳ ପ୍ରାୟ ସାଢ଼େ ୮ଟାବେଳେ ନିଜ ଫେସବୁକରେ ଏକ ପୋଷ୍ଟ କରିବା ପରେ ଜୟ ଢ଼ୋଲକିଆ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା ଜୋର ଧରିଥିଲା । ଶ୍ରୀମୟୀ ଲେଖିଥିଲେ ଯେ, “ କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ କରିଦେଲେ କହ୍ନେଇ, ଦଳ ପାଇଁ ଭଣ୍ଡ ସନ୍ୟାସୀ ନୁହଁ ଶୁଭଙ୍କର, ଭାରି ଭୟଙ୍କର । କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ....” ବୋଲି ଲେଖିଥିଲେ ।

ଶ୍ରୀମୟୀଙ୍କ ପୋଷ୍ଟ ସିଧାସଳଖ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ଥିବା କୁହାଯାଉଛି । ପାଣ୍ଡିଆନ ଦିଲ୍ଲୀରେ ରହି କିଛି ଗୋଟିଏ ଡିଲ୍ କରି ନୂଆପଡ଼ା ଆସନକୁ ଟେକି ଦେଇଥିବାର ଅଭିଯୋଗ ଶ୍ରୀମୟୀ ବୁଲେଇବଙ୍କେଇ ଆଣିବା ପରେ ପାଣ୍ଡିଆନଙ୍କ ଭୂମିକାକୁ ନେଇ ମଧ୍ୟ ବିଜେଡି ନେତାକର୍ମୀମାନଙ୍କ ମଧ୍ୟରେ ସନ୍ଦେହ ବଢ଼ିବାରେ ଲାଗିଛି ।

୩ ତାରିଖରେ ନୂଆଦିଲ୍ଲୀରେ କରିଥିଲେ ବୈଠକ

ଅକ୍ଟୋବର ୩ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ବାସଭବନରେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ପ୍ରଣବପ୍ରକାଶ ଦାସ ଓ ନିରଞ୍ଜନ ପୂଜାରୀ ଏବଂ ଜୟ ଢ଼ୋଲକିଆଙ୍କ ଉପସ୍ଥିତିରେ ନୂଆପଡ଼ା ଉପନିର୍ବାଚନ ପାଇଁ ଆଲୋଚନା ହୋଇଥିଲା । ନବୀନଙ୍କ ଉପସ୍ଥିତିରେ ଏହି ବୈଠକ ହେବାପରେ ଦଳ ପକ୍ଷରୁ ମଧ୍ୟ ଜୟଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋରଦାର କରିବାକୁ କୁହାଯାଇଥିଲା । ଏପରିକି ୧୯ଜଣିଆ ସଦସ୍ୟ ବିଶିଷ୍ଟ ୩ଟି କମିଟି ଗଠନ କରି ଦଳ ନିର୍ବାଚନ ଜିତିବାର ରଣନୀତି ପ୍ରସ୍ତୁତ କରିଥିଲା । ମାତ୍ର ଏତେ ସବୁ ସତ୍ତ୍ୱେ ବିଜେଡି ତାଙ୍କୁ କାହିଁକି ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରୁନଥିଲା ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ବିଗତ ମାସକ ମଧ୍ୟରେ ଜୟ ଓ ତାଙ୍କ ପରିବାର ସଦସ୍ୟ ପ୍ରାୟ ୩ଥର ନୂଆଦିଲ୍ଲୀ ଯାଇ ନବୀନଙ୍କୁ ଭେଟିଥିବା ତଥା ଏହି ଗସ୍ତବେଳେ ପାଣ୍ଡିଆନ ମଧ୍ୟ ସେଠାରେ ଉପସ୍ଥତ ରହୁଥିଲେ ବୋଲି ଜଣାପଡ଼ିଛି । ଏପରିକି ଜୟ ନିଜେ ମଧ୍ୟ ବିଜେଡି ପ୍ରାର୍ଥୀ ହେବେ ବୋଲି ଦଳ ତାଙ୍କୁ ସବୁଜସଙ୍କେତ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ । 

ସୂଚନାଯୋଗ୍ୟ, ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କର ସେପ୍ଟେମ୍ବର ୮ତାରିଖରେ ମୃତ୍ୟୁ ଯୋଗୁ ନଭେମ୍ବର ୧୧ରେ ସେଠାରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ।

BjD Bjp Nuapada by-election