Advertisment

ପ୍ରତାପ ଷଡ଼ଙ୍ଗୀଙ୍କୁ ଅଭିନୟ ପାଇଁ ଅସ୍କାର ମିଳିବା ଦରକାର କହିଲେ ଜୟା ବଚ୍ଚନ

ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁକେଶ ରାଜପୁତ ମଧ୍ୟ ଗତକାଲି ସଂସଦରେ ହୋଇଥିବା ଦଙ୍ଗାରେ ଆହତ ହୋଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
Jaya

Jaya

ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସଂସଦ ଧକ୍କା କାଣ୍ଡକୁ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁକେଶ ରାଜପୁତ ମଧ୍ୟ ଗତକାଲି ସଂସଦରେ ହୋଇଥିବା ଦଙ୍ଗାରେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଧକ୍କା ମାରି ଆହତ କରିଥିବା ବିଜେପି ଅଭିଯୋଗ କରିଛି।

Advertisment

ଏପରି କି ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡ ଫାଟି ଯାଇଥିବା ମଧ୍ୟ କୁହାଯାଉଛି। ହେଲେ ଏସବୁ କେବଳ ଅଭିନୟ ବୋଲି ଜୟା ବଚ୍ଚନ କହିଛନ୍ତି। ଏଥିସହ କ୍ୟାମେରା ଆଗରେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଯେଉଁଭଳି ଭାବେ ଆହତର ଅଭିନୟ କରିଛନ୍ତି, ସେମାନଙ୍କୁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର ବୋଲି ସେ କହିଛନ୍ତି।

ବିଜେପି ଆଣିଥିବା ଅଭିଯୋଗ ଉପରେ ଜୟା ବଚ୍ଚନ କହିଛନ୍ତି, “ଷଡ଼ଙ୍ଗୀଜୀ କେବଳ ଡ୍ରାମା କରୁଛନ୍ତି। ସେ ତାଙ୍କ ଜୀବନରେ ଓଡ଼ିଶାରେ କ’ଣ କ’ଣ ସବୁ କରିଥିଲେ? ସେକଥା ସମସ୍ତଙ୍କୁ ଜଣା। ଆମେ ଗୃହକୁ ଯାଉଥିଲୁ। କିନ୍ତୁ ସେମାନେ ଆମ ବାଟ ପାହାଚ ପାଖରେ ଅଟକାଇଥିଲେ।

Advertisment

ଏପରି ସ୍ଥିତିରେ କାହା ଦେହରେ କିଛି ଧକ୍କା ଲାଗିବା ସ୍ୱାଭାବିକ ଘଟଣା। ଷଡ଼ଙ୍ଗୀ ଜୀ ଓ ରାଜପୁତ ଜୀ ଓ ନାଗାଲ୍ୟାଣ୍ଡର ମହିଳା ସାଂସଦ ଜଣଙ୍କ ଚମତ୍କାର ଅଭିନୟ କରିଛନ୍ତି। ମୁଁ ମୋ କ୍ୟାରିୟରରେ ଯେତିକି ଅଭିନୟ କରି ନାହିଁ, ସେମାନେ ତା’ ଠାରୁ ଭଲ କରିଛନ୍ତି। ସେମାନେ ନିଜର ଅଭିନୟ ପାଇଁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ପାଇବାକୁ ଯୋଗ୍ୟ।”

ଅଭିଯୋଗ ଅନୁଯାୟୀ, ରାହୁଲ ଗାନ୍ଧି ଧକ୍କା ମାରିବାରୁ ପ୍ରତାପ ଓ ମୁକେଶ ଆହତ ହୋଇଛନ୍ତି। ସେହିପରି ରାହୁଲ ଗାନ୍ଧି ନାଗାଲ୍ୟାଣ୍ଡ ସାଂସଦ ଫାନୋନ କୋନୟାକଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ କୁହାଯାଉଛି।

Jaya Bachchan Pratap Sarangi