ବିଜେପି ପ୍ରାର୍ଥୀ ଚୟନର ଫର୍ମୂଲା ଦେଲେ ଜୟନାରାୟଣ

ଆସନ୍ତା ଜାନୁୟାରୀ ମାସରୁ ସଂଘର୍ଷ ଜୋରଦାର ହେବ । ରାଜ୍ୟରେ ସଂଘର୍ଷକୁ ଶାଣିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ।

ଜୟନାରାୟଣ ମିଶ୍ର (ଫାଇଲ ଫଟୋ)

  • Published: Wednesday, 27 December 2023
  • , Updated: 27 December 2023, 08:46 PM IST

ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କେଉଁ ଆଧାରରେ ନିଜର ପ୍ରାର୍ଥୀ ଚୟନ କରିବ ତା’ର ସୂଚନା ମିଳିଛି । ଦଳ ଓ ସମାଜ ପ୍ରତି ସମର୍ପିତ, ଜିତିବାର ସମ୍ଭାବନା ଓ ବିଶେଷ କିଛି ଅଭିଯୋଗ ନଥିବା ବ୍ୟକ୍ତିଙ୍କୁ ହିଁ ବିଜେପି ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ୍ ଦେବ । ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି।ଏହାସହିତ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୨୧ରୁ ୨୧ ଲୋକସଭା ସିଟ୍ ଓ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଆସନ୍ତା ଜାନୁୟାରୀ ମାସରୁ ସଂଘର୍ଷ ଜୋରଦାର ହେବ । ରାଜ୍ୟରେ ସଂଘର୍ଷକୁ ଶାଣିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସଂଗଠନକୁ ସୁଦୃଢ଼ ଓ ସଂଘର୍ଷକୁ ଶାଣିତ କରି ମୈଦାନ ପ୍ରସ୍ତୁତ କରିବାକୁ ବିଧାୟକ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି । ଜାନୁୟାରୀ ବେଳକୁ ସବୁ ସାଂଗଠନିକ କାର୍ଯ୍ୟ ଶେଷ କରି ମୈଦାନକୁ ଓହ୍ଲାଇବୁ।

ବର୍ଷା ହେବାକ୍ଷଣି ବିହନ ଗଜା ହେବ ଆଉ ମୋଦି ନିଜେ ଜାନୁୟାରୀରେ ଓଡ଼ିଶା ଆସିବେ । ମୈଦାନକୁ ଦେଖି ସାର ପକାଇ ଆମେ ପ୍ରସ୍ତୁତ କରିଥିବା ବିଲକୁ ଅଧିକ ଉର୍ବର କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ରତ୍ନଭଣ୍ଡାର ଖୋଲିବା ଦାବି, ଶ୍ରୀମନ୍ଦିର ଭିତରେ ଗୋମାଂସ ଭକ୍ଷଣକାରୀଙ୍କୁ ପୁରାଇ ପ୍ରଚାର କରାଇବା, ନିର୍ବାଚନ ପାଇଁ ବିଜେଡି ନେତାଙ୍କ ଦ୍ୱାରା ମଦବେପାରୀ ଘରେ ଟଙ୍କା ରଖାଯିବା ଆଦି ପ୍ରସଙ୍ଗ ସହ ନାରୀ ନିର୍ଯାତନା, ଶିଶୁ ଚୋରି, ଖଣି ଲୁଟ୍ ଓ ଓଡ଼ିଶା ପଛୁଆ ଭଳି ପ୍ରସଙ୍ଗକୁ ଧରି ବିଜେପି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Related story