Advertisment

Bihar Election: ଗୁରୁବାର ଶପଥ ନେବେ ନୀତୀଶ କୁମାର, କିନ୍ତୁ ଗୃହ ବିଭାଗକୁ ନେଇ ବିଜେପି-ଜେଡିୟୁ ଟଣାଓଟରା

କ୍ୟାବିନେଟରେ ଗୃହ ବିଭାଗ କାହାକୁ ମିଳିବ ତା’କୁ ନେଇ ଦୁଇ ସହଯୋଗୀ ବିଜେପି ଓ ଜେଡିୟୁ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ଏଥିଯୋଗୁ ନୀତୀଶଙ୍କ ନୂଆ କ୍ୟାବିନେଟରେ ବାଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି।

author-image
Hemant Lenka
PM-Modi

ମୋଦି ଓ ନୀତୀଶ (ଫାଇଲ ଫଟୋ)

ନଭେମ୍ବର ୨୦ ଅର୍ଥାତ ଗୁରୁବାର ବିହାରରେ ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନ(Bihar Election)ରେ ବିଜେପି ଓ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ରେକର୍ଡ ୨୦୨ଟି ଆସନ ଦଖଲ କରିଥିଲା। ନଭେମ୍ବର ୨୦ରେ ଶପଥ ପାଠ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ନୀତୀଶ କୁମାରଙ୍କ କ୍ୟାବିନେଟ କେମିତି ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଏବେ କ୍ୟାବିନେଟରେ ଗୃହ ବିଭାଗ କାହାକୁ ମିଳିବ ତା’କୁ ନେଇ ଦୁଇ ସହଯୋଗୀ ବିଜେପି ଓ ଜେଡିୟୁ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ଏଥିଯୋଗୁ ନୀତୀଶଙ୍କ ନୂଆ କ୍ୟାବିନେଟରେ ବାଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି। 

ସୂତ୍ର ଅନୁସାରେ, ନୀତୀଶ କୁମାର(Nitish Kumar)ଙ୍କ ଜେଡିୟୁ ନିଜ ପାଖରେ ଶକ୍ତିଶାଳୀ ଗୃହ ବିଭାଗ ରଖିବାକୁ ଚାହୁଁଛି। କିନ୍ତୁ ବିଜେପି ଏକାକୀ ୮୯ଟି ଆସନ ବିହାରରେ ଜିତିଥିବାରୁ ସରକାରରେ ବଡ଼ ଭାଇ ପଣିଆ ଦେଖାଉଛି। ଦଳ ମୁଖ୍ୟମନ୍ତ୍ରୀ ପଦ ନୀତୀଶ କୁମାରଙ୍କୁ ଛାଡ଼ିଥିବାରୁ ଗୃହ ବିଭାଗ ନିଜ ପାଖରେ ରଖିବାକୁ ଚାହୁଁଛି।

Advertisment

କିନ୍ତୁ ୮୫ଟି ଆସନ ଜିତିଥିବା ଜେଡିୟୁ ଗୃହ ବିଭାଗ ଛାଡ଼ିବା ମୁଡରେ ନାହିଁ। ପୂର୍ବରୁ ନୀତୀଶ କୁମାର ଶକ୍ତିଶାଳୀ ଗୃହ ବିଭାଗ ନିଜ ପାଖରେ ରଖି ଆସିଛନ୍ତି। ଏଥର ମଧ୍ୟ ସେ ଗୃହ ବିଭାଗ ରଖିବାକୁ ଚାହୁଁଛନ୍ତି। ହେଲେ ବିଜେପି ଏଥିରେ ରାଜି ହେଉନାହିଁ। 

ପୂର୍ବରୁ ଉଭୟ ଜେଡିୟୁ ଓ ବିଜେପି ବିହାର ବିଧାନସଭାର ବାଚସ୍ପତି ପଦକୁ ନେଇ ବିବାଦ ଦେଖାଯାଇଥିଲା। ବାଚସ୍ପତି ପଦ ଯେକୌଣସି ପରିସ୍ଥିତିରେ ବିଜେପି ନିଜ ପାଖରେ ରଖିବାକୁ ଚାହୁଁଛି। ହେଲେ ଜେଡିୟୁ ବାଚସ୍ପତି ପଦ ମଧ୍ୟ ଚାହୁଁଛି। ବାଚସ୍ପତି ସହ ଗୃହ ବିଭାଗ ଜେଡିୟୁ ଓ ବିଜେପି ଉଭୟ ଚାହୁଁଥିବାରୁ ଶେଷ ମୁହୂର୍ତ୍ତରେ ନୀତୀଶ କୁମାରଙ୍କ କ୍ୟାବିନେଟ ଗଠନରେ ବିଳମ୍ବ ହୋଇଥିବା ଜଣାପଡ଼ିଛି। 

ସ୍ଥିତି ବିବାଦୀୟ ହେଉଥିବାରୁ ବୁଧବାର ସନ୍ଧ୍ୟାରେ ଅମିତ ଶାହ ପାଟନାରେ ପହଞ୍ଚିବେ। ଯଦିଓ ସେ ଗୁରୁବାର ଶପଥ ପାଠ ଉତ୍ସବ ପାଇଁ ଆସୁଥିବା କୁହାଯାଉଛି, କିନ୍ତୁ କ୍ୟାବିନେଟ ଗଠନରେ ଶ୍ରୀ ଶାହ ମଧ୍ୟ ହସ୍ତକ୍ଷେପ କରିବେ ବୋଲି ଜଣାପଡ଼ିଛି। ଶାହଙ୍କ ବ୍ୟତୀତ ବୁଧବାର ସନ୍ଧ୍ୟା ସୁଦ୍ଧା ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi), ରାଜନାଥ ସିଂହ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପାଟନାରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

ଶପଥ ପାଠ କାର୍ଯ୍ୟକ୍ରମ ପୂର୍ବରୁ ଜେଡିୟୁ ନେତା ସଞ୍ଜୟ ଝା ଓ ଲଲନ ସିଂହ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଛନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସରକାର ଗଠନ ପୂର୍ବରୁ ହୋଇଥିବା ୩ ଘଣ୍ଟାର ରୁଦ୍ଧଦ୍ୱାର ବୈଠକରେ ସାମିଲ ହୋଇଥିଲେ। 

Nitish Kumar Bihar Election PM Modi