/odisha-reporter/media/media_files/2025/10/16/jdu-2025-10-16-13-23-21.jpg)
JDU
ବିହାରର କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏରେ ସିଟ ଶେୟାରିଂକୁ ନେଇ ବିବାଦ ଲାଗି ରହିଛି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର(Nitish Kumar)ଙ୍କ ଜେଡିୟୁ ଚୂଡ଼ାନ୍ତ ୪୪ ପ୍ରାର୍ଥୀଙ୍କ ନାଁ ଆଗାମୀ ନିର୍ବାଚନ(Bihar Election) ପାଇଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ୫୭ ଜଣ ଓ ଆଜି ଆଉ ୪୪ ଜଣଙ୍କୁ ଟିକେଟ ଦେଇଛି। ଏପରି ଭାବେ ଦଳ ତା’ ଭାଗରେ ଥିବା ସମସ୍ତ ୧୦୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ଦ୍ୱିତୀୟ ପର୍ଯ୍ୟାୟରେ ଜେଡିୟୁ ବେଶ ଚତ୍ମକାର ଢଙ୍ଗରେ ମୁସଲିମ ସନ୍ତୁଳନ ଓ ଜାତିଗତ ସମୀକରଣର ଖେଳ ଖେଳିଛି। ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ ୪ ଜଣ ମୁସଲିମଙ୍କୁ ପ୍ରାର୍ଥୀ କରିଛି। ଦଳ ବେଶ ସତର୍କତାର ସହ ରାଜନୀତିକ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରେ ଜାତିଗତ ସମୀକରଣକୁ ଗୁରୁତ୍ୱ ଦେଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୪୪ ନାଁ ମଧ୍ୟରେ ୪ ଜଣ ମୁସଲିମ ରହିଛି। ୨୦୨୦ ବିଧାନସଭା ନିର୍ବାଚନରେ ଦଳ ୧୦ ଜଣ ମୁସଲିମଙ୍କୁ ଦଳୀୟ ଟିକେଟ ଦେଇଥିଲା। ଏବେ ଏହା ଅଧାରୁ ମଧ୍ୟ କମ। ଏଯାଏ ବିଜେପି କୌଣସି ମୁସଲିମଙ୍କୁ ବିହାରରେ ଟିକେଟ ଦେଇ ନାହିଁ।
ଜେଡିୟୁ(JDU)ର ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ ଚୈନପୁର, ଅମାଉର, ଜୋକିହାଟ ଓ ଅରାରିଆରୁ ଟିକେଟ ମିଳିଛି। ଚୈନପୁରକୁ ଛାଡ଼ି ବାକି ୩ ଆସନ ରାଜନୀତିକ ଦୃଷ୍ଟିରୁ ସମ୍ବେଦନଶୀଳ ବିଚାର କରାଯାଉଥିବା ମୁସଲିମ ବହୁଳ ସୀମାଞ୍ଚଳରେ ରହିଛି। ରାଜ୍ୟର ୧୭% ମୁସଲିମଙ୍କ ମଧ୍ୟରୁ ଏଠାରେ ଅଧିକ ସଂଖ୍ୟାଲଘୁ ସଂପ୍ରଦାୟ ଭୋଟର ରହିଛି।
ଚୈନପୁରରେ ଦଳ ଜାମା ଖାନ, ଅମାଉରରୁ ସବା ଜାଫର, ଜୋକିହାଟରୁ ମଞ୍ଜର ଆଲାମ ଓ ଅରାରିଆରୁ ଶାଗୁପ୍ତା ଅଜିମଙ୍କୁ ଜେଡିୟୁ ପ୍ରାର୍ଥୀ କରିଛି। ୨୦୨୦ରେ ଚୈନପୁର ଆସନରେ ମାୟାବତୀଙ୍କ ବିଏସ୍ପି ବାଜି ମାରିଥିଲା। କଂଗ୍ରେସ ଅରାରିଆରେ ଜିତିଥିବା ବେଳେ ଜୋକିହାଟ ଓ ଅମାଉରରେ ଓୱେସୀଙ୍କ ଏଆଇଏଏମଆଇଏମ ଜିତିଥିଲା।
ଜେଡିୟୁର ଜାତି ସମୀକରଣ
ଜେଡିୟୁ ବିହାର ବିଧାନସଭା ନିର୍ବାଚନ ପାଇଁ ୧୦୧ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି। ଏମାନଙ୍କ ମଧ୍ୟରେ କେବଳ ୪ ଜଣ ମୁସଲିମ। ତେବେ ଜାତି ରାଜନୀତି ପାଇଁ ପରିଚିତ ବିହାରରେ ଜେଡିୟୁ ବେଶ ସତର୍କତାର ସହ ଏହା ଉପରେ ଫୋକସ କରିଛି। ଦଳ ପକ୍ଷରୁ ପଛୁଆ ବର୍ଗରୁ ୩୭ ଜଣ, ଅତି ପଛୁଆ ବର୍ଗରୁ ୨୨ ଜଣ ଓ ସାଧାରଣ ବର୍ଗରୁ ୨୨ ଜଣଙ୍କୁ ଟିକେଟ ଦେଇଛି। ୧୫ ଜଣ ଅନୁସୂଚିତ ଜାତି ଓ ଜଣେ ଅନୁସୂଚିତ ବର୍ଗର ନେତାଙ୍କୁ ମଧ୍ୟ ଦଳ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ମୋଟ ଉପରେ ୧୦୧ ଜଣଙ୍କ ମଧ୍ୟରେ ୧୩ ଜଣ ମହିଳା, ୫ ଜଣ ମନ୍ତ୍ରୀ ଓ ୩ ଜଣ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଦଳ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହା ମଧ୍ୟରେ ଏମିତି ୪ ଆସନ ରହିଥିଲା, ଯାହା ଉପରେ ଏନଡିଏର ସହଯୋଗୀ ଚିରାଗ ପାଶୱାନଙ୍କ ଏଲଜେପି ନଜର ରଖିଥିଲା। ଚିରାଗ ଚାହୁଁଥିବା ୪ ଆସନରେ ଜେଡିୟୁ ପ୍ରାର୍ଥୀ ଦେବାରୁ ଏନଡିଏରେ ସିଟ ଶେୟାରିଂକୁ ନେଇ ତିକ୍ତତା ଲାଗି ରହିଛି।
ଏସବୁ ଭିତରେ ଆଜି ଜେଡିୟୁ ଆଉ ୪୪ ଜଣଙ୍କୁ ଟିକେଟ ଦେଇଛି। ୨୦୨୦ରେ ସ୍ୱାଧୀନ ଭାବେ ଜିତିଥିବା ମନ୍ତ୍ରୀ ସୁମିତ ସିଂହଙ୍କୁ ଦଳ ଚକାଇ ଆସନରୁ ପ୍ରାର୍ଥୀ କରିଛି। ମନ୍ତ୍ରୀ ଜାମା ଖାନ ଚୈନପୁର, ଅମରପୁରରୁ ଜୟନ୍ତ ରାୟ ଓ ଧାମଦାହରୁ ଲେସୀ ସିଂହ ଜେଡିୟୁ ଟିକେଟରେ ଲଢ଼ିବେ।
ବୈଶିଷ୍ଟ ସିଂହଙ୍କୁ କାରଗହର ଓ ବୋଲୁ ମଣ୍ଡଳଙ୍କୁ ଦଳ ଗୋପାଲପୁରରୁ ଟିକେଟ ଦେଇଛି। ଗତକାଲି ଗୋପାଲପୁରରୁ ଜେଡିୟୁ ଗୋପାଳ ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ବିବାଦ କାରଣରୁ ତାଙ୍କ ଟିକେଟକୁ ବାତିଲ କରି ବୋଲୁ ମଣ୍ଡଳଙ୍କୁ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
