Advertisment

‘ସଂକଳ୍ପ ପତ୍ର’ ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

‘ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ବଢ଼ି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଦେଖାଣିଆ ଥିଲା।’

ଅଦ୍ୟତନ ହୋଇଛି
BJP

BJP

Advertisment

ଆଜି ଉନ୍ମୋଚିତ ହୋଇଛି ବିଜେପି ସଂକଳ୍ପପତ୍ର। ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପପତ୍ର’ ଉନ୍ମୋଚନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ‘ସଂକଳ୍ପପତ୍ର’ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣାରେ ଉଲ୍ଲେଖ କରାଯାଇଛି। 

Advertisment

‘ସଂକଳ୍ପପତ୍ର’ ଉନ୍ମୋଚନ ପରେ ଜେପି ନଡ୍ଡା କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା ଓ ମହତ୍ୱ ବଢ଼ି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଦେଖାଣିଆ ଥିଲା। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ। ଏବେ ମୋଦି ସରକାରଙ୍କ ସଂକଳ୍ପ ‘ଯାହା କହିଛୁ, କରି ଦେଖାଇଛୁ’। ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ। ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଏବେ ଭାରତର ଅତି ଗରିବଙ୍କ ସଂଖ୍ୟା ୧%ରୁ ମଧ୍ୟ କମ୍‌ ବୋଲି ନଡ୍ଡା କହିଛନ୍ତି।

ଜେପି ନଡ୍ଡା କହିଛନ୍ତି, ଲୋକ ଦାଦନ ପଳାଉଛନ୍ତି। ଏଠାକାର ସରକାରକୁ ଚିନ୍ତା ନାହିଁ। ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ।ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମହିଳା ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ବର ୱାନ୍‌ ହୋଇଛି। ରେପ୍‌, ମର୍ଡରରେ ବିଜୁ ଜନତା ଦଳର ନେତା ସଂପୃକ୍ତ ଅଛନ୍ତି। ବିଜେଡିର ୪୫ରୁ ଅଧିକ ବିଧାୟକ ବିଭିନ୍ନ ଅପରାଧରେ ସଂପୃକ୍ତ ଅଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନି। ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ହସ୍ପିଟାଲ କୋମାକୁ ଚାଲିଯାଇଛି ବୋଲି ନଡ୍ଡା କହିଛନ୍ତି।

Advertisment

ନଡ୍ଡା ଆହୁରି କହିଛନ୍ତି, ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି। ‘ସଂକଳ୍ପରୁ ସିଦ୍ଧି’ ହିଁ ଆମର ଲକ୍ଷ୍ୟ। ଏଠାର ବିଜେଡିର ସର୍ବବ୍ୟାପ୍ତ ଦୁର୍ନୀତିକୁ ଆମେ ସମାପ୍ତ କରିବୁ। ଦୁର୍ନୀତି ନେଇ ଶୂନ୍ୟ ସହନଶୀଳ ନୀତି ପ୍ରଣୟନ କରିବୁ। ଯାହାର ପଇସା ଯାଇଛି, ନିଶ୍ଚିତ ଆଦାୟ କରିବୁ। ଚିଟ୍‌ଫଣ୍ଡ ପଇସା ୧୮ ମାସ ମଧ୍ୟରେ ଆମେ ଫେରାଇବୁ। ଖଣିଜରୁ ମିଳୁଥିବା ଲାଭ ଓଡ଼ିଶାର ବିକାଶ ପାଇଁ ଲଗାଇବୁ। ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବୁ। ଚାଷୀଙ୍କୁ ଧାନ କ୍ରୟର ୪୮ ଘଣ୍ଟା ମଧ୍ୟରେ ପଇସା ମିଳିଯିବ। କଟନୀ ଛଟନୀ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ନଡ୍ଡା କହିଛନ୍ତି।

ଘୋଷଣାପତ୍ରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ନଡ୍ଡା। ସେ କହିଛନ୍ତି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍‌ ଭାଉଚର ମିଳିବ। ୨ ବର୍ଷ ମଧ୍ୟରେ ଏନ୍‌କ୍ୟାସ କରିବେ। ପ୍ରତି ବଡ଼ ସହରରେ ଓଡ଼ିଶା ଭବନ ନିର୍ମାଣ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ। ସାରା ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରାଯିବ। ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ। ୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ନଡ୍ଡା କହିଛନ୍ତି।

ଶ୍ରୀ ନଡ୍ଡା ଆହୁରି କହିଛନ୍ତି, ବିଜେପି କ୍ଷମତାକୁ ଆସିଲେ ୪ଟି ଆଇଟି ପାର୍କ ନିର୍ମାଣ କରାଯିବ। ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର ଓ ବ୍ରହ୍ମପୁରରେ ହେବ IT ପାର୍କ ନିର୍ମାଣ ହେବ। ଖାଲି ପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ। ପିଏମ୍‌ଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରିବୁ। ଆୟୁଷ୍ମାନ ଭାରତ ଲାଗୁ କରିବୁ। ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ୩ ହଜାର ଟଙ୍କା କରିବୁ ବୋଲି ନଡ୍ଡା କହିଛନ୍ତି। 

ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା। ଶ୍ରୀ ନଡ୍ଡା କହିଛନ୍ତି, ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ। ହଜିଥିବା ଚାବିର ତଦନ୍ତ ହେବ। ରତ୍ନଭଣ୍ଡାର ଖୋଲାଯିବ। ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ। କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ। ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲି ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ। 
ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରିଚାଳନା କରାଯିବ ବୋଲି ନଡ୍ଡା କହିଛନ୍ତି।

ସଙ୍କଳ୍ପ ପତ୍ର ଉନ୍ମୋଚନ ସମୟରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବ ସଭାପତି ସମୀର ମହାନ୍ତି ସାମିଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସାମିଲ ପ୍ରମୁଖ ଉପସ୍ଥିତ ଥିଲେ।

Bjp General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe