/odisha-reporter/media/post_attachments/uploadimage/library/16_9/16_9_0/IMAGE_1753430698.jpg)
Kamal Hasan
ଅଭିନେତାରୁ ନେତା ବନିଥିବା କମଲ ହାସନ ଆଜି ବିଧିବଦ୍ଧ ଭାବେ ସଂସଦରେ ଡେବ୍ୟୁ କରିଛନ୍ତି। ସେ ଆଜି ରାଜ୍ୟସଭା ସଦସ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରି ଉଚ୍ଚ ସଦନରେ ପ୍ରବେଶ କରିଛନ୍ତି। କମଲ ହାସନ ତାମିଲ ଭାଷରେ ଶପଥ ନେଇଛନ୍ତି। ତାମିଲନାଡୁରୁ କମଲ ହାସନଙ୍କୁ ଡିଏମକେ ମେଣ୍ଟ ରାଜ୍ୟସଭାକୁ ପଠାଇଛି। ସେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ନିର୍ବାଚନ ଜିତି ସଂସଦର ଉଚ୍ଚ ସଦନକୁ ଆସିଛନ୍ତି।
ଅଭିନୟ ଦୁନିଆରେ ସଫଳତାର ଶୀର୍ଷ ଛୁଇଁଥିବା କମଲ ହାସନ ମକ୍କଲ ନିଧି ମୈମ(ଏମଏନଏମ) ନାମରେ ଗୋଟିଏ ରାଜନୀତିକ ଦଳ ଗଠନ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କମଲ ହାସନଙ୍କ ଦଳ ତାମିଲନାଡୁର କ୍ଷମତାସୀନ ଡିଏମକେ ମେଣ୍ଟରେ ସାମିଲ ହୋଇଥିଲା। ସେହି ସମୟରେ ତାଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଥିଲା। ସେ ଲୋକସଭା ନିର୍ବାଚନ ମେଣ୍ଟ ପକ୍ଷରୁ ଲଢ଼ିବେ ନା ରାଜ୍ୟସଭାକୁ ମନୋନୀତ ହୋଇ ଯିବେ ବୋଲି ଡିଏମକେ ପ୍ରସ୍ତାବ ରଖିଥିଲା। ହାସନ ସିଧାସଳଖ ରାଜ୍ୟସଭାକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଲୋକସଭା ନିର୍ବାଚନ ବେଳେ ସେ ଓ ତାଙ୍କ ଦଳ ମିଳିତ ଭାବେ ଡିଏମକେ-କଂଗ୍ରେସ ମେଣ୍ଟକୁ ସମର୍ଥନ କରିଥିଲା।
ସବୁଠାରୁ କୌତୁହଳର ବିଷୟ ହେଲା ୨୦୧୮ରେ ହାସନ ଏମଏନଏମ ଗଠନ କରିବା ପରେ ନିଜକୁ ଡିଏମକେ ଓ ଏଆଇଏଡିଏମକେର ବିକଳ୍ପ ବୋଲି କହିଥିଲେ। କିନ୍ତୁ ସମୟ ବିତିବା ସହ ସେ ଡିଏମକେ ପ୍ରତି ଢଳି ଥିଲେ। ଶେଷରେ ସେ ଡିଏମକେ ସହ ନିଜ ଦଳର ମେଣ୍ଟ କରାଇଥିଲେ।
ଚଳିତ ବର୍ଷ ଏମଏନଏମର ୮ମ ପ୍ରତିଷ୍ଠା ଦିବସ ସମୟରେ ଚେନ୍ନାଇରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସମୟରେ କମଲ ହାସନ ସଂସଦରେ ଡେବ୍ୟୁ କରିବାକୁ ଯାଉଥିବା କହିଥିଲେ। ଏବେ ସେ ବିଧିବଦ୍ଧ ଭାବେ ରାଜ୍ୟସଭା ସାଂସଦ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
