Kamiya jani
ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ସୋସିଆଲ ମିଡିଆ ବ୍ଲଗର କାମିୟା ଜାନିଙ୍କ ପ୍ରବେଶକୁ ନେଇ ବିବାଦ ଥମିବାର ନାଁ ଧରୁନି। ଗୋମାଂସ ଭକ୍ଷଣ ପ୍ରସଙ୍ଗରେ କାମିୟା ଜାନିଙ୍କ ସଫେଇ ସତ୍ତ୍ୱେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୁତୁମେମେ ଜାରି ରହିଛି। ଏପଟେ ବିଶ୍ୱହିନ୍ଦୁ ପରିଷଦ ଆଜି କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ବିବାଦୀୟ ହୋଇପଡ଼ିଥିବା ବିଜେଡି ନେତା ଭିକେ ପାଣ୍ଡିଆନ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି।
ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର ଆନ୍ତର୍ଜାତିକ ଅଧ୍ୟକ୍ଷ ରବୀନ୍ଦ୍ର ନାରୟଣ ସିଂ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ କାମିୟା ଜାନିଙ୍କ ପ୍ରବେଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ମନ୍ଦିର ଭିତରେ କ’ଣ ହୋଇଛି ତା’ର ସୂଚନା ପରିଷଦ ପାଖରେ ନାହିଁ । କିନ୍ତୁ ଭିକେ ପାଣ୍ଡିଆନ ଓ କାମିୟା ଜାନି ଶ୍ରୀମନ୍ଦିର ଭିତରକୁ ଯାଇଥିବା ସୂଚନା ଆମ ପାଖରେ ରହିଛି । କାମିୟା ଜାନି ମଧ୍ୟ ନିଜ ମୋବାଇଲ ଫୋନ୍ ଶ୍ରୀମନ୍ଦିର ଭିତରକୁ ନେଇ ସେଠାରେ ଫଟୋ ଉଠାଇଛନ୍ତି । ଆଉ ବହୁ ବର୍ଷ ପୁରୁଣା ପରମ୍ପରାକୁ ଉଲ୍ଲଘଂନ ମଧ୍ୟ କରିଛନ୍ତି । ଯଦିଓ ପରିଷଦ ପାଖରେ ଏସବୁର କୌଣସି ପ୍ରମାଣ ନାହିଁ ତଥାପି ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ସରକାର ତୁରନ୍ତ ଏସବୁ ଘଟଣାର ତଦନ୍ତ କରି ଲୋକଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରନ୍ତୁ ।
ସେହିପରି ବିଜେପି ରାଜ୍ୟ ଉପସଭାପତି ମନମୋହନ ସାମଲ ଏହି ବିବାଦରେ ବିତର୍କ ପାଇଁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ଚେଷ୍ଟା କରି ମଧ୍ୟ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିନଥିଲେ । ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିନିୟମ ରହିଛି । ବିଧିବ୍ୟବସ୍ଥାକୁ ଭଙ୍ଗ କରାଯାଇଛି । ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇ ପ୍ୟାରୀ ମହାପାତ୍ର ସେତେବେଳେ କ୍ଷମା ମାଗିଥିଲେ । ଏବେ କାମିୟା ଜାନି କାହିଁକି ଶ୍ରୀମନ୍ଦିରକୁ ପ୍ରବେଶ କଲେ ଓ କିଏ ତାଙ୍କୁ ପ୍ରବେଶ କରାଇଥିଲା ଏସମସ୍ତ ପ୍ରସଙ୍ଗରେ ତଳସ୍ତର ପର୍ଯ୍ୟନ୍ତ ବିତର୍କ ହେବାର ଆବଶ୍ୟକତା ରହିଛି ।
ଅନ୍ୟପକ୍ଷରେ କାମିୟା ଜାନି ନିଜ ସୋସିଆଲ ମିଡିଆ ମାଧ୍ୟମରେ ଏନେଇ ବାରମ୍ବାର ସଫେଇ ଦେଉଥିଲେ ମଧ୍ୟ ତାହା ରାଜ୍ୟର ବିରୋଧୀ ଦଳ ଓ ସାଧାରଣ ଲୋକଙ୍କୁ ବୁଝାଇପାରିନି । କାମିୟା ପ୍ରଥମେ ଲେଖା ଓ ପରେ ଭିଡିଓ ମାଧ୍ୟମରେ ନିଜର ସଫେଇ ଦେଇ କହିଥିଲେ ଯେ, ସେ କେବେବି ଗୋମାଂସ ଭକ୍ଷଣ କରିନାହାନ୍ତି । ଗୋମାଂସ ଭକ୍ଷଣକୁ ମଧ୍ୟ ସେ ପ୍ରମୋଟ୍ କରନ୍ତି ନାହିଁ । ଶ୍ରୀମନ୍ଦିର ଭିତରକୁ ଯିବାବେଳେ ସେ କୌଣସି ନିୟମ ମଧ୍ୟ ଭାଙ୍ଗିନାହାନ୍ତି ବୋଲି କାମିୟା କହିଛନ୍ତି ।
ତେବେ ଏହି ଘଟଣାରେ ଭିକେ ପାଣ୍ଡିଆନଙ୍କ ନାଁ ବିବାଦଘେରରେ ରହିଥିଲେ ମଧ୍ୟ ସେ ଏନେଇ ମୁହଁ ଖୋଲୁନାହାନ୍ତି । ପାଣ୍ଡିଆନଙ୍କ ସମର୍ଥନରେ ବିଜେଡି ନେତାମାନେ ଆଗକୁ ଆସୁଥିଲେ ମଧ୍ୟ ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରିବାରେ ସେମାନେ ସକ୍ଷମ ହୋଇପାରୁନଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସୋସିଆଲ ମିଡିଆ ଇନଫ୍ଲୁଏସର କାମିୟା ଜାନି ପୁରୀରେ ଭିକେ ପାଣ୍ଡିଆନଙ୍କ ସହ ମିଶି ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଚାରପ୍ରସାରର ଭିଡିଓ ପ୍ରସ୍ତୁତ କରିଥିଲେ । କାମିୟା ଜାନି ଗୋମାଂସ ଭକ୍ଷଣ କରୁଥିବାର ଭିଡିଓ ଓ ଫଟୋ ତାଙ୍କ ନିଜସ୍ୱ ସୋସିଆଲ ମିଡିଆ ବ୍ଲଗରେ ଥିବାରୁ ଏନେଇ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
